Unknown

 

 

 

 

 

 

 

 

 

 

 

ଦସ୍ୟୁ ଦୀପକ ସାଥୀ ରୂପକ

ଅକ୍ଷୟ କୁମାର

 

ଏକ

 

ସେଟା କେଉଁ ଷ୍ଟେସନ ହେବ କେଜାଣି ?

 

ଷ୍ଟେସନର ଅନତିଦୂରରେ ଅଟକିଗଲା ମାଡ୍ରାସ୍ ମେଲ୍‌ । ସେଟା ମେଲ୍‌ ଷ୍ଟପେଜ୍‌ ନୁହେଁ-। ଲାଇନ୍‌ ଗୋଳମାଳ ହେଇଚି । ତେଣୁ ସିଗ୍‌ନାଲ୍‌ ଦିଆଯାଇନାହିଁ ଗାଡ଼ି ପାସ୍‌କରି ଯିବାପାଇଁ-। ସିଗ୍‌ନାଲ୍‌ ଖୁଣ୍ଟି ସେପଟରେ ରହି ଟ୍ରେନଟା ଭୁଁ ଭୁଁ କରି ଦୁଇ ଚାରିଥର ସିଟି ବଜାଇ ଦୀର୍ଘ ନିଃଶ୍ୱାସଟାଏ ଛାଡ଼ି ଠିଆହୋଇଗଲା ।

 

‘ଲାଇନ୍‌ ଖରାପ’–ସମ୍ବାଦ ଦେବାପାଇଁ ଜଣେ ଖଲାସି ତା’ର ତେଲବତୀଟା ଦୋହଲାଇ ଦୋହଲାଇ ଷ୍ଟେସନରୁ ଟ୍ରେନ ଆଡ଼କୁ ଆସୁଥିଲା ଟ୍ରେନ ଲାଇନ୍ ଉପରେ । ଟ୍ରେନର ହେଡ୍‌ଲାଇଟ୍‌ ଆଲୋକରେ ସେ ସ୍ପଷ୍ଟ ଦିଶୁଥିଲା ଡ୍ରାଇଭର୍‌କୁ । ଲାଇନ୍‌ ଉପରେ ଉଜ୍ଜ୍ୱଳ ଟ୍ରେନର ଆଲୋକ ବିଛାଇହୋଇ ପଡ଼ିଥିଲା । ସେଇ ଉଜ୍ଜ୍ୱଳତା କ୍ରମେ ଅସ୍ପଷ୍ଟହୋଇ ଉଠିଥିଲା ଲାଇନ୍‌ର କଡ଼ଆଡ଼କୁ ।

 

ଖଲାସିର ଅନ୍ୟଆଡ଼କୁ ଦୃଷ୍ଟି ନାହିଁ । ସେ ସିଧା ଚାଲିଚି ଇଞ୍ଜିନ୍‌ ଆଡ଼କୁ । ଅସମୟରେ ବେଳେ ବେଳେ ଏଇମିତି ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ସାଧାରଣ ଦିନ ହୋଇଥିଲେ ତା’ର ସମାଧାନ କରିବା ସହଜ; କିନ୍ତୁ ବର୍ଷା କିମ୍ବା ଶୀତଦିନ ହୋଇଥିଲେ ବଡ଼ ବିରକ୍ତିକର । ସେ ସମୟଟା ଘୋର ବର୍ଷାଋତୁ ହୋଇଥିଲେ ସୁଦ୍ଧା ବର୍ଷା ନ ଥିଲା । ପ୍ରାୟ ଚାରିଦିନତଳୁ ବର୍ଷା ଛାଡ଼ିଛି । ଆଜି ଆକାଶକୁ ମେଘ ଘୋଡ଼େଇ ରଖିଛି, ଖୁବ୍‌ ସମ୍ଭବ ବର୍ଷିବ ।

 

ଖୁବ୍‌ ଜଙ୍ଗଲିଆ ଜାଗା । ଲାଇନ୍‌ର ଦୁଇକଡ଼ରୁ ଘନ ଜଙ୍ଗଲର ଆରମ୍ଭ । କାହିଁ କେତେ ଦୂରରେ ଦିଶୁଚି ପର୍ବତମାଳା । ଜଙ୍ଗଲ ଲମ୍ବି ଯାଇଚି ସେତେଦୂର ପର୍ଯ୍ୟନ୍ତ । ସାମୟିକଭାବରେ ବାଘଭାଲୁଙ୍କ ଉପଦ୍ରବ ମଧ୍ୟ ସେଠାରେ କେବେ କେବେ ଦେଖାଯାଏ । ସେ ଅଞ୍ଚଳରେ ଟ୍ରେନ ଲାଇନ୍‌ ପଡ଼ିବାଦିନରୁ ଏପର୍ଯ୍ୟନ୍ତ ଏଇ କୁଲି, ଖଲାସିଶ୍ରେଣୀର କେତେଜଣ ଜୀବନ ହରାଇଚନ୍ତି–କେବଳ ଏଇ ଦୁର୍ଘଟଣାରେ । ସେଥିଯୋଗୁଁ ସମସ୍ତେ ସ୍ଥାନଟାକୁ ଖୁବ୍‌ ଭୟ କରନ୍ତି । ତଥାପି ପେଟପାଇଁ ସେଠାକୁ ଯାଇ କାମ କରିବାକୁ ହୁଏ ।

 

ସେଦିନ ମଧ୍ୟ ଖଲାସିଟି ମନରେ ଖୁବ୍‍ ଭୟରଖି ଯାଇଥିଲା ସେଠିକୁ । ରାତି ଦୁଇଟା ହେଲାଣି ସେତେବେଳକୁ । ଷ୍ଟେସନଟା ସେମିତି ବଡ଼ ନୁହେଁ । ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ପାଞ୍ଚ କି ଛଅ ହେବ । ଗୋଟାଏ ଯୋଡ଼ାଏ ମିଞ୍ଜିମିଞ୍ଜି ତେଲବତୀ ଛଡ଼ା ଆଉ କିଛି ନାହିଁ ସେଠି । ଏଇଯୋଗୁଁ ଭୟ କରିବାର ଯଥେଷ୍ଟ କାରଣ ତ ଥିବାର କଥା ।

 

ଟ୍ରେନ ଲାଇନରେ ଯାହାକିଛି ଗୋଳମାଳ ଥିଲା, ସେ କିଛି ସାଧାରଣ ନୁହେଁ, ଖୁବ୍‌ ଗୁରୁତର । ପୂରାପୂରି ଗୋଟାଏ ଲାଇନ୍‌କୁ ଫିସପ୍ଲେଟ୍‌ରୁ କାଢ଼ି ଅଲଗା କରିଦିଆଯାଇଛି । ଷ୍ଟେସନରେ ଠିକ୍‌ ସମୟରେ ଏ କଥା ଜଣାଯାଇ ନ ଥିଲେ, ମାଡ୍ରାସ୍‌ ମେଲ୍‌ ଆଜି ଗୋଟାଏ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତା, କେତେ ଯେ ଧନଜୀବନ ଏଥିରେ ନଷ୍ଟ ହୋଇଯାଇଥାନ୍ତା, ତା’ର ମଧ୍ୟ ଠିକଣା ନାହିଁ । ଯାହାହେଉ, କେହି ଜଣେ ଅଜ୍ଞାତ ବ୍ୟକ୍ତି ମେଲଟ୍ରେନ ଆସିବାର ଘଣ୍ଟାକ ପୂର୍ବରୁ ଖବରଟା ଷ୍ଟେସନରେ ଦେଇ ଏଡ଼େବଡ଼ ଦୁର୍ଘଟଣାରୁ ବଞ୍ଚେଇ ଦେଇଚନ୍ତି-

 

ପ୍ରାୟ ଘଣ୍ଟାକ ମଧ୍ୟରେ କୁଲିମାନଙ୍କ ଅଜସ୍ର ପରିଶ୍ରମଫଳରେ ଲାଇନ୍ ମରାମତି ହୋଇଗଲା । ଗାଡ଼ିକୁ ଚାଲିଯିବାପାଇଁ ସିଗ୍‌ନାଲ୍‌ ଦିଆଗଲା । ଟ୍ରେନ ସିଟିଦେଇ ଧୀରମନ୍ଥର ଗତିରେ ଚାଲି କ୍ରମେ ଛୁଟିଚାଲିଲା ଆଗକୁ ଭୁଷ୍‌ ଭୁଷ୍‌ ହୋଇ । ଅଳ୍ପ କେତେ ସମୟପାଇଁ ସ୍ଥାନଟି ଯାତ୍ରୀମାନଙ୍କ କୋଳାହଳରେ ମୁଖରିତ ହୋଇଉଠିଥିଲା । ପୁଣି ଯେଉଁ ନୀରବତାକୁ ସେଇ ନୀରବତା । ଲାଇନ କଡ଼ରେ ଠିଆହୋଇ ତେଲବତୀଟାକୁ ହଲାଉଥିଲା ଖଲାସିଟି–ଟ୍ରେନ ପଛର ନାଲି ଆଲୁଅଟି ଆଡ଼କୁ ଚାହିଁ ।

 

କ୍ରମେ ନାଲି ଆଲୁଅ ଅସ୍ପଷ୍ଟ ହୋଇଆସିଲା । ନୀରବତା କଟିଯିବା ସଙ୍ଗେ ସଙ୍ଗେ ଖଲାସିକୁ ସ୍ଥାନଟା କିମିତି ମାଡ଼ି ମାଡ଼ି ପଡ଼ିଲା ଟିକିଏ । ସେ ଅନୁଭବ କଲା, ଯେପରି ଆଖପାଖରେ କିଏ ଗୋଟାଏ ଘୂରିବୁଲୁଚି । ତା’ର ଭୟ ହେଲା–ଏ କ’ଣ ଆଉ ବାଘ ନା ଭାଲୁ ! ପୁଣି ମନରେ ତା’ର ସନ୍ଦେହ ଛାପମାରିଲା–ଆଉ କ’ଣ ଭୂତ, ପ୍ରେତ କିଛି ? ଭୟ ବଢ଼ିବା ସଙ୍ଗେ ସଙ୍ଗେ ତା’ର ଆଖି ଦୂରକୁ ଦୂରକୁ ପଡ଼ୁଥିଲା ଏବଂ ସେ ଯାହା କଳ୍ପନା କରୁଥିଲା, ସେଇ ଭୟଙ୍କର ରୂପ ତା’ର ଆଗରେ ଦେଖିପାରୁଥିଲା ।

 

ଠିକ୍‌ ସେଇ ଅବସ୍ଥାରେ ଥାଇ ସେ ଦେଖିପାରିଲା–ଲାଇନ୍‌ ଉପରେ କ’ଣ ଗୋଟାଏ ଧଳା ଧଳା ହୋଇ ପଡ଼ିଚି । ପ୍ରଥମେ ସେ ଭାବିଲା–ଏଟା କିଛି ଗୋଟାଏ ବଣଜନ୍ତୁ ହେବ । ସେଥିପାଇଁ ସେ ଏତେ ଭୟ ପାଇଯାଇଥିଲା ଯେ, ଠିଆହେବା ଜାଗାରୁ ପାଦେ ସୁଦ୍ଧା ଆଗେଇପାରି ନ ଥିଲା । ସେଇ ଅବସ୍ଥାରେ କିଛି ସମୟ ରହିଲା ପରେ ସେ ସାମାନ୍ୟ ସାହସ ସଞ୍ଚୟକରି ପୁଣି ଚାହିଁଲା ସେଇ ବସ୍ତୁଟିଆଡ଼କୁ । ଠିକ୍‌ ପୂର୍ବପରି ପଡ଼ିଚି । ବଣଜନ୍ତୁ ହୋଇଥିଲେ ହୁଏତ ଚାଲିଯାଆନ୍ତାଣି । ମନରେ ଖୁବ୍‌ ସାହସ ଧରି ସେ ଗଲା ପାଖକୁ ।

 

ଖଣ୍ଡେ ଦୂରରୁ ଆଲୋକରେଖା ସ୍ପଷ୍ଟ ପଡ଼ିଯାଇ ତାକୁ ଜଣାଇ ଦେଇଥିଲା ଯେ, ସେଟା ଗୋଟାଏ ସ୍ତ୍ରୀ ଲୋକର ଦେହ । ଜୀବନ୍ତ ଅବା ମୃତ, ଜାଣିବାର ଉପାୟ ନଥିଲା । ଲମ୍ବ ଲମ୍ବ ପାହୁଣ୍ଡ କେଇଟା ପକାଇ ସେ ଖୁବ୍‌ ପାଖକୁ ଚାଲିଯାଇଥିଲା । ତା’ପରେ ଆଲୁଅଟିକୁ ଦେଖାଇ ଜାଣିଲା–ସ୍ତ୍ରୀଲୋକଟି ଅତି ସୁନ୍ଦରୀ ଏବଂ ଯୁବତୀ । ଦେହର ଅଳଙ୍କାର, ପୋଷାକ ଏବଂ ପରିଧାନ ରୁଚିରୁ ସେ ଯେ ଶିକ୍ଷିତା, ଏ ବିଷୟର ମଧ୍ୟ ତା’ର କୌଣସି ସନ୍ଦେହ ରହିଲା ନାହିଁ । ଗାଡ଼ିଭିତରୁ ସ୍ତ୍ରୀ ଲୋକଟା ଏଠି କିମିତି ପଡ଼ିଲା ବା ତାକୁ କିଏ ପକାଇଦେଲା–ସେ କଛି ଠିକ୍‌ କରିପାରିଲା ନାହିଁ-। ବର୍ତ୍ତମାନ କ୍ଷେତ୍ରରେ କର୍ତ୍ତବ୍ୟ କ’ଣ ତାହା ତାକୁ ଜଳ ଜଳ କରି ଦିଶୁଥିଲା । ମାତ୍ର ଯୁବତୀଟିକୁ ଏପରି ଅବସ୍ଥାରେ ଛାଡ଼ି ଯାଇପାରୁଛି ବା କିମିତି ? ଷ୍ଟେସନ ଗଦାଏ ବାଟ । ଡାକିଲେ ବି ଶୁଣାଯିବ ନାହିଁ । ହଉ, ଦେଖାଯାଉ; ତା’ର ଫେରିବା ବିଳମ୍ବ ଦେଖି ହୁଏତ କେହି ଷ୍ଟେସନରୁ ତାକୁ ଖୋଜିବାକୁ ଆସିପାରେ ! ମନେମନେ ଏୟା ସ୍ଥିର କରି ସେ ଅପେକ୍ଷା କଲା ।

 

ହଠାତ୍‌ ତା’ର ଖୁବ୍‌ ନିକଟରେ ବାଘର ଗର୍ଜନ ଶୁଣାଗଲା । ତା’ ସଙ୍ଗେ ସଙ୍ଗେ ଖଲାସିଟା ଚମକିପଡ଼ିଲା । ସବୁ କର୍ତ୍ତବ୍ୟ ଭୁଲିଯାଇ ସେ ନିଜର ବତୀଟାକୁ ଖୁବ୍‌ ଜାବୁଡ଼ି ଧରିଲା ଅସ୍ପଷ୍ଟ ଚିତ୍କାର କରି । ଲାଇନ୍‌ କଡ଼ରେ ସାମାନ୍ୟ ଖସ୍‌ଖାସ ଶବ୍ଦ ଶୁଣାଗଲା । ପୁଣି ଥରେ ସେଇ ଗର୍ଜନ । ଏଥର ଆହୁରି ନିକଟରେ । ଓଃ ! କାନର ଗିରି ଫାଟିଯିବ କି ଆଉ । ଖଲାସିର ଧୈର୍ଯ୍ୟର ଯେଉଁ ଅବଶେଷ ଟିକକ ଥିଲା, ତାହା ଲୋପ ପାଇଗଲା । ସେ ତା’ର ପ୍ରାଣବିକଳରେ ଦୌଡ଼ିବାକୁ ଲାଗିଲା ଲାଇନ୍‌ ଉପରନେଇ ଷ୍ଟେସନଆଡ଼କୁ; ମାତ୍ର ଦଶ ବାର ପାହୁଣ୍ଡ ଯାଇଚି କି ନାହିଁ, ଆଉଥରେ ଭୀଷଣ ବିକଟାଳ ଗର୍ଜନରେ ପାଖର ବନଭୂମି ଥରିଉଠିଲା । ଖଲାସିଟି ଭୟରେ ଚିତ୍କାର କରି ଗଛ କାଟିଲାପରି ମୁହଁମାଡ଼ି ପଡ଼ିଗଲା ଲାଇନ୍‌ ଉପରେ । ତା’ର ହାତରୁ ଆଲୁଅଟା ଛିଟିକିଯାଇ ଖଣ୍ଡେ ଦୂରରେ ପଡ଼ି ଲିଭିଗଲା ।

 

କେତେ ମିନିଟ ପାଇଁ ସବୁ ଚୁପ୍‌ଚାପ୍‌ । ଚାରିଆଡ଼ ଥିଲା ନିବିଡ଼ ଅନ୍ଧକାର । ଖୁବ୍ ସାବଧାନରେ ପାଦ ଚିପି ଚିପି କଳା କଳା ମୂର୍ତ୍ତି ଦୁଇଟି ବାହାରି ଆସିଲେ ଲାଇନ୍‌ କଡ଼ ଜଙ୍ଗଲରୁ । ତା’ପରେ ଯୁବତୀର ଅସାଡ଼ ଦେହଟା ପାଖରେ କିଛି ସମୟ ଠିଆହେଲେ । ଖୁବ୍ ଅନୁଚ୍ଚ ସ୍ୱରରେ କିଛି ସମୟ କଥାବାର୍ତ୍ତାହୋଇ ସେ ଦୁହିଙ୍କ ଭିତରୁ ଜଣେ ଅସାଡ଼ ଦେହଟାକୁ ଉଠାଇନେଲା କାନ୍ଧ ଉପରକୁ । ତା’ପରେ ଖୁବ୍‌ ସତର୍କଭାବରେ ସେଇ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ ସେମାନେ-

 

ଭୀଷଣ ବର୍ଷା ସୁ’ ସୁ’ ଗର୍ଜନକରି ମାଡ଼ି ଆସୁଥିଲା ଦୂରରୁ । ଦୂରରେ, ବହୁ ଦୂରରେ ଷ୍ଟେସନର ଆଲୁଅ ମିଞ୍ଜି ମିଞ୍ଜି ଦେଖାଯାଉଥିଲା । ଦୁଇ ତିନିଟା ଆଲୁଅ ଖୁବ୍ ପାଖେଇ ଆସିଲାପରି ଜଣାଯାଉଥିଲା । ସମ୍ଭବତଃ ଖଲାସିଟିକୁ ଖୋଜିବାପାଇଁ ଷ୍ଟେସନରୁ ଲୋକବାକ କେହି ଆସୁଥିଲେ କି କ’ଣ ।

 

ଦୁଇ

 

ରେଲଓ୍ୱେ ହସ୍‌ପିଟାଲର ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ପରେ କ୍ରମେ ଚେତା ଫେରିଆସୁଥିଲା ଖଲାସିଟିର । ଗତ ରାତିରେ ମାଡ୍ରାସ୍‌ ମେଲ ଅତିକ୍ରମ କରି ଗଲାବେଳକୁ ଲାଇନ୍‌ ଖରାପ ଥିଲା । ଅର୍ଥାତ୍‌ ଲାଇନ୍‌ରୁ ଗୋଟାଏ ଫିସପ୍ଲେଟ ସହ ପୂରା ଧାରଣାଟାଏ କାଢ଼ି ନିଆଯାଇଥିଲା । ମାତ୍ର ଯଥାସମୟ ପୂର୍ବରୁ କେହି ଜଣେ ବ୍ୟକ୍ତି ଏ ଖବର ଷ୍ଟେସନମାଷ୍ଟରଙ୍କ ନିକଟରେ ଦେଇଯାଇଥିଲେ । ସେ ବ୍ୟକ୍ତି ଏପର୍ଯ୍ୟନ୍ତ ସୁଦ୍ଧା ଅଜ୍ଞାତ । ଯାହାହେଉ, ସେହି ମହାନ୍‌ ବ୍ୟକ୍ତିଙ୍କ ଦୟାରୁ ମାଡ୍ରାସମେଲ ଗୋଟାଏ ବଡ଼ଧରଣର ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଯାଇଚି । ଷ୍ଟେସନର ପ୍ରତ୍ୟେକ କର୍ମଚାରୀ ମନେମନେ ସେହି ମହାନୁଭବ ବ୍ୟକ୍ତିଙ୍କ ପ୍ରତି କୃତଜ୍ଞତା ଜଣାଉଥିଲେ ।

 

ଏଇ ଲାଇନ୍‌ ଉଠାଇନେବା ଘଟଣାଟି ମହା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ରେଳବାଇ ବିଭାଗର ଉପରମହଲରେ । ଫିସପ୍ଳେଟ୍‌ ବା ଲାଇନ୍‌ ଉଠାଇଦେଇ ବଡ଼ ବଡ଼ ଧରଣର ଦୁର୍ଘଟଣା ଘଟାଇବା, ଧନଜୀବନ ନଷ୍ଟ କରିବା ବା ସରକାରଙ୍କୁ ହଇରାଣ କରି ଜାତୀୟ ସମ୍ପତ୍ତି ନଷ୍ଟ କରିବା ସାଧାରଣତଃ ଗୁରୁତର ଅନ୍ତର୍ଘାତୀ କାମ । ଏ ଧରଣର ଅପରାଧୀଙ୍କୁ ଯଦି ଧରି ନିଆ ନ ଯାଏ ବା ଉପଯୁକ୍ତ ଦଣ୍ଡ ଦିଆ ନ ଯାଏ, ତେବେ ଦେଶର ଅବସ୍ଥା ଯେ କେଉଁଆଡ଼କୁ ଗତି କରିବ, ତା’ କିଏ ଜାଣେ ! ତେବେ ଖଲାସିଟିର ବେହୋସୀର କାରଣ ସମ୍ପର୍କରେ ସମସ୍ତେ ଉତ୍କଣ୍ଠିତ ଥିଲେ । ସେ ଯେତେବେଳେ ଷ୍ଟେସନରୁ ଗଲା, ସେତେବେଳେ ସେ ଖୁବ୍‌ ସୁସ୍ଥ ଥିଲା । ସମସ୍ତେ ଅନୁମାନ କରୁଥିଲେ ଯେ, କେହି ଅନ୍ତର୍ଘାତୀମାନଙ୍କଦ୍ୱାରା ଖଲାସିଟିର ଏ ଅବସ୍ଥା ହୋଇଚି । ସେ ଚେତା ଫେରିପାଇଲେ ହୁଏତ ଅନେକ କଥା ଜଣାପଡ଼ିବ । ଏଥିପାଇଁ ତାକୁ ସୁସ୍ଥ କରିବାଲାଗି ଡାକ୍ତରମାନେ ଅକ୍ଳାନ୍ତ ଚେଷ୍ଟା କରୁଥିଲେ ଏବଂ ବିଭାଗୀୟ ସମସ୍ତ କର୍ମଚାରୀ ତା’ର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଉଦ୍‌ବିଗ୍ନ ଥିଲେ ।

 

ଯାହାହେଉ, ଦୀର୍ଘ ବାରଘଣ୍ଟାର ପରିଶ୍ରମ ପରେ ଖଲାସିଟିର ସଂଜ୍ଞା ଫେରି ଆସୁଥିଲା ଧୀରେ ଧୀରେ । ପଡ଼ିଯିବା ଦ୍ୱାରା ଯେଉଁ ସାମାନ୍ୟ କ୍ଷତ ଦେହର କେତେ ଜାଗାରେ ହୋଇଥିଲା, ତାହା ରକ୍ତସ୍ରାବୀ କ୍ଷତ ନ ଥିଲା । ତଥାପି ବ୍ୟାଣ୍ଡେଜ୍‌ ଦେଇ ସେଗୁଡ଼ିକୁ ଆବୃତ କରି ଦିଆଯାଇଥିଲା-। ଏହାଛଡ଼ା ଅନ୍ୟ କୌଣସିପ୍ରକାର ଦୁର୍ବଳତା ନ ଥିଲା ଲୋକଟି ଦେହରେ-। ତେଣୁ ସେ ସୁସ୍ଥଭାବରେ କଥାବାର୍ତ୍ତା କରିବାକୁ ସକ୍ଷମ ଥିଲା ।

 

ସଚେତ ହେବାକ୍ଷଣି ତା’ଠାରୁ ସମସ୍ତ ବିବରଣୀ ଯାହା ଜଣାଗଲା, ସେଥିରେ କାହାରି ଉତ୍କଣ୍ଠା କମିଲା ନାହିଁ, ବରଂ ବୃଦ୍ଧିହେବାକୁ ଲାଗିଲା । ସର୍ବାଳଙ୍କାରପରିହିତା ସମ୍ଭ୍ରାନ୍ତବଂଶୀୟା ଯୁବତୀଟି କିଏ ? କିପରି ସେଠାରେ ପଡ଼ିଲା ଏବଂ ଗଲା କୁଆଡ଼େ ? ଏଇ ବିଷୟ ନେଇ ଭାରି ଘଣ୍ଟାଚକଟା ଚାଲିଲା ।

 

ଇତିମଧ୍ୟରେ ବାରଘଣ୍ଟା ବିତିଯାଇଥିଲେ ସୁଦ୍ଧା ଗୋଟାଏ ଅନୁସନ୍ଧାନକାରୀ ଦଳ ବାଘ ଏବଂ ଯୁବତୀର ସନ୍ଧାନ ନେବାକୁ ବାହାରିପଡ଼ିଲେ । ରେଳଲାଇନ୍‌ ଉପରେ କୌଣସିପ୍ରକାର ଚିହ୍ନବର୍ଣ୍ଣ ନ ଥିଲା । ଉଭୟପଟର ଜଙ୍ଗଲରେ ପ୍ରାୟ ଚାରି କିଲୋମିଟର ଦୂରପର୍ଯ୍ୟନ୍ତ ତନ୍ନ ତନ୍ନ କରି ଖୋଜାଗଲା । ଗୋଟିଏ ଜାଗାରୁ ଖଣ୍ଡିଏ ନାଇଲନ୍‌ ଓଢ଼ଣୀ ବ୍ୟତୀତ ଆଉ କିଛି ଜିନିଷ ମିଳିଲା ନାହିଁ ।

 

ଯୁବତୀଟିର ଆକାର ସମ୍ବନ୍ଧରେ ମଧ୍ୟ ଖଲାସିଟି କୌଣସି ଦୃଢ଼ ବା ନିଶ୍ଚିତ ଧାରଣା ଦେଇପାରିଲା ନାହିଁ । ପରଦିନ ସବୁ ଦୈନିକ ସମ୍ବାଦପତ୍ରରେ ଏହି ଚାଞ୍ଚଲ୍ୟକର ଘଟଣା ପ୍ରକାଶ ପାଇଲା–

 

‘‘ଚଳନ୍ତା ଟ୍ରେନରେ ଅଦ୍ଭୁତ ଦୁର୍ଘଟଣା ।’’

 

‘‘ଗତକାଲି ମାନ୍ଦ୍ରାଜ ମେଲ୍‌ ବରହମପୁର ଷ୍ଟେସନ ଅତିକ୍ରମ କଲାପରେ ଆଗ ଷ୍ଟେସନ ସିଗ୍‌ନାଲ୍‌ ଖୁଣ୍ଟି ନିକଟରେ ପ୍ରାୟ ଅଧଘଣ୍ଟାଏରୁ ଅଧିକ ସମୟ ଧରି ଅଟକିବାକୁ ବାଧ୍ୟ ହୋଇଥିଲା । ଘଟଣାରୁ ପ୍ରକାଶ ଯେ, ଲାଇନ୍‌ରୁ ଗୋଟିଏ ଫିସପ୍ଳେଟ୍‌ ସହ ପୂରା ଧାରଣାଟାଏ କେହି ଦୁବୃତ୍ତ ଖୋଲିଦେଇଥିବାରୁ ଏପରି ଘଟିଲା । ଏହାଫଳରେ ଗୋଟାଏ ବଡ଼ଧରଣର ଦୁର୍ଘଟଣା ନିଶ୍ଚିତ ଭାବରେ ଘଟିଥାନ୍ତା । ମାତ୍ର କେହି ଜଣେ ଅଜ୍ଞାତ ବ୍ୟକ୍ତି ଉକ୍ତ ଖବର ଷ୍ଟେସନରେ ଯଥାସମୟରେ ଦେଇଯିବାରୁ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାରୁ ଗାଡ଼ି ଓ ବହୁ ଲୋକଙ୍କ ଜୀବନ ରକ୍ଷା କରିବାକୁ ସମର୍ଥ ହୋଇଥିଲେ । ସମ୍ବାଦ ଦେଇଥିବା ଭଦ୍ରବ୍ୟକ୍ତିଙ୍କୁ ଏହି ମହତ୍‌ କର୍ତ୍ତବ୍ୟ ପାଇଁ ପୁରସ୍କୃତ କରାଯିବ ବୋଲି ଜଣାଯାଇଚି । ମାତ୍ର ଏପର୍ଯ୍ୟନ୍ତ ତାଙ୍କ ସମ୍ବନ୍ଧରେ କୌଣସି ସମ୍ବାଦ ମିଳିନାହିଁ ।

 

‘‘ଘଟଣାରୁ ଆହୁରି ପ୍ରକାଶ ଯେ, ଘଟଣାସ୍ଥଳ ଅତିକ୍ରମ କରି ଟ୍ରେନ ଚାଲିଗଲା ପରେ ଖଲାସିଟି ଷ୍ଟେସନକୁ ଫେରିବା ବିଳମ୍ବହେବାର ଦେଖି ତାକୁ ଖୋଜିବାପାଇଁ କେତେଜଣ କୁଲିଙ୍କୁ ଷ୍ଟେସନ ମାଷ୍ଟର ଘଟଣାସ୍ଥଳକୁ ପଠାଇଥିଲେ । ସେମାନେ ଘଟଣାସ୍ଥଳର କିଛି ଦୂରରେ ଖଲାସିଟିକୁ ସଂଜ୍ଞାହୀନ ଅବସ୍ଥାରେ ପାଇ ଷ୍ଟେସନକୁ ଫେରିଥିଲେ । ରେଲେଓ୍ୱେ ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ଫଳରେ ଖଲାସିଟିର ସଂଜ୍ଞା ଫେରିଥିଲା ।

 

‘‘ଖଲାସିଠାରୁ ବିବରଣୀ ଯାହା ଜଣାଯାଇଚି–ସେଥିରୁ ବୁଝାଯାଉଚି ଯେ, ମାଡ୍ରାସ୍‌ ମେଲ୍‌ ଅତିକ୍ରମ କରିଗଲା ପରେ ପରେ ସେ ଲାଇନ୍‌ ଉପରେ ଗୋଟିଏ ଯୁବତୀର ଦେହ ପଡ଼ିଥିବାର ଦେଖିଥିଲା । ତାହା ମୃତ କି ଜୀବିତ ସେ ଜାଣି ନ ଥିଲା । ମାତ୍ର ଯୁବତୀର ଅଳଙ୍କାର ଓ ପୋଷାକପତ୍ରରୁ ସେ ଯେ ଶିକ୍ଷିତା, ଏହା ସ୍ପଷ୍ଟ ଜଣାପଡ଼ୁଥିଲା । ନିଜର କର୍ତ୍ତବ୍ୟ ସମ୍ପର୍କରେ କିଛି ସ୍ଥିର କରିବା ପୂର୍ବରୁ ଖଲାସିଟି ବାଘର ଗର୍ଜନରେ ଅତ୍ୟନ୍ତ ଭୀତ ହୋଇ ଷ୍ଟେସନକୁ ଆସୁଥିଲା; ମାତ୍ର ଅତିରିକ୍ତ ଭୟହେତୁ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲା ।

 

‘‘ଖଲାସିର ଜ୍ଞାନ ହେଲାପରେ ତା’ଠାରୁ ଏହି ସମସ୍ତ ବିବରଣୀ ଜାଣି ଷ୍ଟେସନ କର୍ତ୍ତୃପକ୍ଷ ଏକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ପଠାଇଥିଲେ । ମାତ୍ର ବହୁ ଖୋଜାଖୋଜି ପରେ ଅନୁସନ୍ଧାନକାରୀ ଦଳ ଖଣ୍ଡିଏ ଓଢ଼ଣୀ ବ୍ୟତୀତ ଆଉ କିଛି ପାଇବାକୁ ସମର୍ଥ ହୋଇନାହାନ୍ତି । ଏ ବିଷୟରେ ଅନୁସନ୍ଧାନ ଚାଲିଛି ଏବଂ ପରବର୍ତ୍ତୀ ସମ୍ବାଦକୁ ଅପେକ୍ଷା କରାଯାଉଛି । ଓଢ଼ଣୀଟି ଷ୍ଟେସନରେ ରଖାଯାଇଛି ଏବଂ ବହୁଲୋକ ତାହା ଚିହ୍ନଟ କରିବାକୁ ଆସୁଛନ୍ତି । ଏପର୍ଯ୍ୟନ୍ତ ପରିଚୟ ମିଳି ନାହିଁ ।

 

ତିନି

 

‘‘ମାୟା ଟେକ୍‌ସଟାଇଲ ମିଲ୍’’ର ମାଲିକ ରାଧାବଲ୍ଲଭ ପଟ୍ଟନାୟକ ବଡ଼ ଚିନ୍ତିତ ମନରେ ବସିଥିଲେ ନିଜର ଡ୍ରଇଂରୁମ୍‌ର ଗୋଟିଏ ସୋଫା ଉପରେ । ଉପରେ ଗୋଟାଏ ସିଲିଂ ଫ୍ୟାନ୍‌ ଘୂରି ବୁଲୁ ଥିଲା ପୂରାଦମରେ । ପଟ୍ଟନାୟକଙ୍କର କପାଳ ରେଖା କୁଞ୍ଚିତ ଦେଖାଯାଉଥିଲା । ସେ ଖୁବ୍‌ ଚିନ୍ତିତ ଥିଲେ । କିପରି ଗୋଟାଏ ଅଜଣା ଭୟମିଶା ବିଷାଦ ଘେରିରହିଥିଲା ତାଙ୍କ ମୁଖମଣ୍ଡଳରେ ।

 

ଆଗରେ ଛୋଟ ଟେବୁଲ । ତା’ ଉପରେ ଥୁଆ ହୋଇଥିଲା ଟେଲିଫୋନ୍‌ ଆଉ ଫୋନ୍ ଡାଇରେକ୍‌ଟରୀ । ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ସେ ବିଭିନ୍ନ ସ୍ଥାନକୁ ଫୋନ କରୁଥିଲେ । କଥାବାର୍ତ୍ତା କରିବା ସଙ୍ଗେ ସଙ୍ଗେ ତାଙ୍କ ମୁହଁରେ ଆଶା ନିରାଶାର ଭାବ ସ୍ପଷ୍ଟ ବାରି ହୋଇ ଆସୁଥିଲା ।

 

‘‘ନାଃ ! କେଉଁଠୁ କିଛି ଖବର ନାହିଁ !’’ –ଅସ୍ପଷ୍ଟ ସ୍ୱରରେ ଏତକ କହିବା ସଙ୍ଗେ ସଙ୍ଗେ ରିସଭର୍‌ଟାକୁ ସଶଦ୍ଦେ ଥୋଇଦେଲେ ସେ । ଏତିକିବେଳେ ଜଣେ ଭୃତ୍ୟ ଗୋଟିଏ ଟ୍ରେରେ ଚା’ ଏବଂ ସେଦିନର ଖବରକାଗଜ ଆଣି ଥୋଇଦେଇଗଲା ଟେବୁଲ ଉପରେ । ଚା’ କପ୍‌ଟି ଓଠରେ ଲଗାଇ ଖବରକାଗଜ ଉପରେ ଥରେ ଆଖି ବୁଲାଉଥିଲେ ପଟ୍ଟନାୟକବାବୁ । ଅନ୍ୟାନ୍ୟ ସମ୍ବାଦ ସଙ୍ଗେ ବଡ଼ ଅକ୍ଷରରେ ଛାପା ‘‘ଚଳନ୍ତା ଟ୍ରେନରେ ଅଦ୍ଭୁତ ଦୁର୍ଘଟଣା’’ ଖବରଟି ମଧ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ସେଇଟିକୁ ସେ ପଢ଼ିବସିଲେ । ପଢ଼ୁ ପଢ଼ୁ କେଜାଣି କାହିଁକି ମନଟା ତାଙ୍କର ଦବିଆସିଲା । ଥରେ ନୁହେଁ, ଦୁଇ ଥର ନୁହେଁ, ଥରକୁ ଥର ସେ ସେହି ଖବରଟାକୁ ପଢ଼ିବାକୁ ଲାଗିଲେ ଏବଂ ଅଧିକରୁ ଅଧିକତର ଭୟଭୀତ ହୋଇପଡ଼ିଲେ ।

 

ପ୍ରୀତି–ତାଙ୍କର ଏକମାତ୍ର ଅଲିଅଳୀ କନ୍ୟା–ଦୁଇ ଦିନ ହେବ କେଉଁଆଡ଼େ ଚାଲିଯାଇଚି–ତା’ ସେ ଜାଣନ୍ତି ନାହିଁ । ତେବେ ପ୍ରୀତି ଏକୁଟିଆ ନୁହେଁ, ସାଥିରେ ତା’ର ଥିଲା ପ୍ରଶାନ୍ତ । ପ୍ରୀତି ଦିନକ ପାଇଁ ପିକ୍‌ନିକରେ ଯାଉଚି ବୋଲି ତାଙ୍କୁ କହିଯାଇଥିଲା । ସାଥିରେ ତା’ର ଆଉ କେତେଜଣ ବୟ ଏବଂ ଗାର୍ଲଫ୍ରେଣ୍ଡ୍‌ ମଧ୍ୟ ଯାଇଥିଲେ । ତେବେ ଇତିମଧ୍ୟରେ ଦୁଇଦିନ ଅତୀତ ହେଇଯାଇଚି, ଅଥଚ ଖବର ନାହିଁ । ପ୍ରୀତିର ଯେତେ ସାଙ୍ଗସାଥୀଙ୍କୁ ପଟ୍ଟନାୟକବାବୁ ଜାଣନ୍ତି, ସମସ୍ତଙ୍କୁ ସେ ଫୋନରେ ପଚାରି ସାରିଲେଣି । କେହି ପ୍ରୀତିର ଖବର ଜାଣନ୍ତି ନାହିଁ କି କେହି ପିକ୍‌ନିକରେ ଯାଇନାହାନ୍ତି ବୋଲି, ସବୁଠାରୁ ସେ ଉତ୍ତର ପାଇସାରିଲେଣି । ଯାହା ଫଳରେ ତାଙ୍କର ଚିନ୍ତା ବହୁଗୁଣରେ ବୃଦ୍ଧି ପାଇଚି । କେବଳ ପ୍ରୀତି ଆଉ ପ୍ରଶାନ୍ତ–ଏ ଦୁହିଙ୍କର ଖବର ନାହିଁ । ଏଇଟାହିଁ ଥିଲା ଅଧିକ ଚିନ୍ତାର ବିଷୟ ।

 

ପ୍ରଶାନ୍ତ–ବେଶ ସୁଦର୍ଶନ ଆଉ ଭଦ୍ର ଯୁବକ । ବାପା ତା’ର ବନାରସର ଜଣେ କୋଟିପତି ବ୍ୟବସାୟୀ । ଏମ୍‌.ଏ. ପାସ୍ କରିସାରିଲା ପରେ ବାପାଙ୍କ ଅନୁମତିକ୍ରମେ ଓଡ଼ିଶାରେ କିଛି ଗୋଟିଏ ଶିଳ୍ପକାରଖାନା ଖୋଲିବା ପାଇଁ ଇଚ୍ଛା କରି ଉପଯୁକ୍ତ କ୍ଷେତ୍ର ଦେଖିବାକୁ ତାଙ୍କର ଓଡ଼ିଶା ଆଗମନ । ଜଣେ ପ୍ରବୀଣ ଶିଳ୍ପପତି ହିସାବରେ ରାଧାବଲ୍ଲଭବାବୁଙ୍କଠାରୁ କେତେକ ପରାମର୍ଶ ନେବାପାଇଁ ସେ ପ୍ରଥମେ ଆସିଥିଲେ ତାଙ୍କ ପାଖକୁ । ପ୍ରଥମ ଦର୍ଶନ ଏବଂ ଆଳାପରେହିଁ ପଟ୍ଟନାୟକବାବୁ ଖୁବ୍‌ ସନ୍ତୁଷ୍ଟ ଏବଂ ଆକୃଷ୍ଟ ହୋଇ ପଡ଼ିଥିଲେ ଏହି ଶିକ୍ଷିତ ଯୁବକ ପ୍ରଶାନ୍ତ ପଟ୍ଟନାୟକଙ୍କ ପ୍ରତି । ବ୍ୟବସାୟ ସମ୍ପର୍କରେ ଏଣୁତେଣୁ ନାନା କଥା ଛଳରେ ସେ ପ୍ରଶାନ୍ତ ପଟ୍ଟନାୟକଙ୍କର ଜାତି, କୁଳ, ଗୋତ୍ରର ଖବର ନେଇଥିଲେ ଏବଂ ନିଜ କନ୍ୟାର ଭାବୀ ଜାମାତା ରୂପେ ତାଙ୍କୁ ହିଁ ମନେମନେ ସ୍ଥିରକରି ନେଇଥିଲେ । ରାଧାବଲ୍ଲଭବାବୁଙ୍କ ପରୋକ୍ଷ ଇଙ୍ଗିତ ଏବଂ ବାରମ୍ବାର ଆମନ୍ତ୍ରଣ କ୍ରମେ ପ୍ରଶାନ୍ତବାବୁଙ୍କର ଗତି ଅବାରିତ ହୋଇପଡ଼ିଥିଲା ରାଧାବଲ୍ଲଭବାବୁଙ୍କ ଘରେ । କ୍ରମେ ପ୍ରୀତି ଏବଂ ପ୍ରଶାନ୍ତଙ୍କ ମଧ୍ୟରେ ପରିଚୟ, ଆନ୍ତରିକତା ପରିଣତ ହେଲା ପ୍ରେମରେ-। ରାଧାବଲ୍ଲଭବାବୁ ଏହା ଜାଣି ଖୁବ୍‌ ଖୁସି ହୋଇଥିଲେ ଏବଂ ଏପରି ଅବାଧ ମିଳାମିଶା ପାଇଁ ସୁଯୋଗ ଦେଉଥିଲେ ।

 

ଆଉ ପ୍ରୀତି ?

 

ସେ ଥିଲା ବିଖ୍ୟାତ ଶିଳ୍ପପତି, ଧନକୁବେର ରାଧାବଲ୍ଲଭବାବୁଙ୍କର ଏକମାତ୍ର ଅଲିଅଳୀ କନ୍ୟା । ପ୍ରୀତିକୁ ପାଞ୍ଚବର୍ଷ ବୟସ ହେଲାବେଳକୁ ସେ ହୋଇଥିଲା ମାତୃହୀନା । ରଧାବଲ୍ଲଭବାବୁ ଏଇ କନ୍ୟାଟି ମୁହଁକୁ ଚାହିଁ ଆଉ ଦ୍ୱିତୀୟ ଦାରା ଗ୍ରହଣ କରିନାହାନ୍ତି । ଏଇ ଗୋଟିକ କନ୍ୟା ହିଁ ତାଙ୍କର ସର୍ବସ୍ୱ । ତାକୁ ଜୀବନରେ ସୁଖୀ କରିବାପାଇଁ ସେ ସବୁବେଳେ ଯତ୍ନ କରିଆସିଚନ୍ତି ।

 

ପ୍ରୀତି ଶିକ୍ଷିତା, ବିଶ୍ୱବିଦ୍ୟାଳୟର କୃତୀ ଛାତ୍ରୀ । ଚତୁର୍ଥବାର୍ଷିକ ଶ୍ରେଣୀର ଛାତ୍ରୀ । ବାପାଙ୍କର ଅତିରିକ୍ତ ସ୍ନେହଯୋଗୁ ପ୍ରୀତି କେତେବେଳେ କୌଣସି ବିଷୟରେ ଅଭାବ ଉପଲବ୍‌ଧି କରିନାହିଁ । ଜୀବନର କେଉଁ ଏକ ମଧୁମୟ ମୁହୂର୍ତ୍ତରେ କେଜାଣି ପ୍ରଶାନ୍ତଙ୍କ ସହିତ ତା’ର ଦେଖା । ସେହି ମୁହୂର୍ତ୍ତରେ ହିଁ ସେ ତାଙ୍କୁ ମନପ୍ରାଣ ସମର୍ପଣ କରିଦେଇଥିଲା । ପ୍ରଶାନ୍ତ ମଧ୍ୟ ତାକୁ ପ୍ରାଣଦେଇ ଭଲପାଉଥିଲେ ବୋଲି ପ୍ରୀତି ପୂର୍ଣ୍ଣ ବିଶ୍ୱାସ କରୁଥିଲା । କେତେ ମଧୁମୟ ସଞ୍ଜ, ଚନ୍ଦ୍ରପକ୍ଷର ରାତି; ଦୁହେଁ ଦୁହିଙ୍କୁ ନେଇ କଳ୍ପନାର ମୀନାର ରଚନା କରିଥିଲେ ।

 

ଠିକ୍‌ ଦୁଇଦିନ ତଳେ, ସକାଳର ଏଇ ବେଳରେ, ଘଟଣା ଚିତ୍ରପରି ନାଚିଉଠିଲା ରାଧାବଲ୍ଲଭବାବୁଙ୍କ ଆଖି ଆଗରେ ।

 

.....ଉପରମହଲାରୁ ଓହ୍ଲାଇ ଆସୁଥିଲା ପ୍ରୀତି ସୋପାନ ପରେ ସୋପାନ ଅତିକ୍ରମ କରି; ଠିକ୍‌ ଗୋଟିଏ ପାହାଡ଼ି ଝରଣାପରି । ଦେହରେ ଥିଲା ତା’ର ବୁଲିଯିବା ପୋଷାକ । ପଛେ ପଛେ ତାର ଅନୁସରଣ କରୁଥିଲା ପ୍ରଶାନ୍ତ–ହସ ହସ ମୁହଁରେ ।

 

ସେଇ ବଖରାରେ ରାଧାବଲ୍ଲଭବାବୁ ବସି ସେଦିନର ଡାକଗୁଡ଼ାକ ଉପରେ ମନୋନିବେଶ କରିଥିଲେ । ଏତିକିବେଳେ ପ୍ରୀତି ଧାଇଁଆସି ତାଙ୍କ ଗଳା ବେଷ୍ଟନ କରି କହିଲା–‘‘ବାପା ! ଆମେ ଆଜି ପିକ୍‌ନିକରେ ଯିବାକୁ ଠିକ୍‌ କରିଚୁଁ । ଯିବି ?’’

 

ଯାହାକିଛି ହେଉନା କାହିଁକି, ତାଙ୍କର ଅନୁମତି ନେଉଥାଏ ପ୍ରୀତି । ଶିକ୍ଷିତା ଝିଅ, ଭଲମନ୍ଦ ବିଚାର କ୍ଷମତା ତା’ର ଅଛି । ତଥାପି, ତା’ର ଅନୁମତି ଲୋଡ଼ିବାଟାକୁ ଭାରି ଭଲପାଆନ୍ତି ରାଧାବଲ୍ଲଭବାବୁ । ସେଦିନ ବି ସେ ସ୍ନେହରେ ତା’ର ମୁଣ୍ଡ ଆଉଁସିଦେଇ କହିଥିଲେ, ‘‘ପାଗିଳୀଟା ! ପ୍ରଶାନ୍ତ ସାଙ୍ଗରେ ଯିବ ବୋଧହୁଏ !’’

 

‘‘ହଁ, ବାପା ! ପ୍ରଶାନ୍ତ ଯିବେ । ତା’ଛଡ଼ା ଶୀଲା, ପ୍ରଣତି, ହରୀଶ ଆଉ ଆଉମାନେ ବି ଯିବେ ।’’ ରାଧାବଲ୍ଲଭବାବୁଙ୍କ କଥାରେ ବାଧାଦେଇ କହିଲା, ପ୍ରଗଳ୍‌ଭା ପ୍ରୀତି ।

 

‘‘ବେଶ୍‌, ବେଶ୍‌, ଯାଅ ! କିନ୍ତୁ ବେଶିଗୁଡ଼ାଏ ବୁଲାବୁଲି କରି ଦେହ ଯେମିତି ଖରାପ ନ କରୁ । ତୋର ଯେଉଁ ସ୍ୱାସ୍ଥ୍ୟ ତ !’’ ହସି ହସି ଅନୁମତି ଦେଇଥିଲେ ରାଧାବଲ୍ଲଭବାବୁ ।

 

ପ୍ରୀତି ପ୍ରଶାନ୍ତର ହାତ ଧରି ଟାଣିନେଇ ଚାଲିଯାଇଥିଲା ବାହାରକୁ । ସେଦିନ ସେ ଦେହରେ ପକାଇଥିଲା ଫିକା ବ୍ଲୁ ରଙ୍ଗର ଓଢ଼ଣୀ । ସେଥିରେ ସଚ୍ଚା ସୁନାଜରିର କାମ ହୋଇଥିଲା । ଗଲାବର୍ଷ ସେଖଣ୍ଡି ରାଧାବଲ୍ଲଭବାବୁ କାଶ୍ମୀରରୁ ଆଣିଥିଲେ ତିନିଶହ ଟଙ୍କା ବିନିମୟରେ ।

 

ଦୁଇଦିନ ଗତ ହୋଇଯାଇଛି ୟା ଭିତରେ । ପ୍ରୀତିର ଖବର ନାହିଁ, ପ୍ରଶାନ୍ତର ବି ।

 

ଜଣେ ଅଜ୍ଞାତ ଯୁବକକୁ ବିଶ୍ୱାସ କରି ରାଧାବଲ୍ଲଭବାବୁ ବିରାଟ ଭୁଲ କରିଚନ୍ତି । ତାଙ୍କର ବିବେକ ତାଙ୍କୁ ବାରମ୍ବାର ଏ କଥା ଚେତାଇ ଦେଉଥିଲା ।

 

କଲିଂ ବେଲରେ ସଜୋରେ ଆଘାତ କଲେ ସେ । ଦରଓ୍ୱାନ୍‌ ଆସି ସଲାମ୍‌ ବଜାଇ ଠିଆହେଲା ।

 

ରାଧାବଲ୍ଲଭବାବୁ ଚୌକି ଛାଡ଼ୁ ଛାଡ଼ୁ କହିଲେ, ‘‘ଡ୍ରାଇଭର୍‌କୁ କହ, ଗାଡ଼ି ଠିକ୍‌ କରୁ ।’’

 

ତାଙ୍କର ବ୍ୟସ୍ତତା ଦେଖି ଦରଓ୍ୱାନ୍‌ ଶଙ୍କିଯାଇଥିଲା ।

 

ଚାରି

 

ଦକ୍ଷିଣ ଭାରତର ନୀଳଗିରି ପର୍ବତମାଳାର ଅଂଶବିଶେଷ ଥିଲା ସେଇ ପାର୍ବତ୍ୟ ଅଂଶଟି-। ବାହୁ ପ୍ରସାରିତ କଲାପରି ପର୍ବତର କାନ୍ଥି ଦୁଇଟା ଲମ୍ବିଯାଇଚି ପ୍ରାୟ ଅଧକିଲୋମିଟର ପର୍ଯ୍ୟନ୍ତ-। ମଝି ଅଂଶରେ ଦୁଇ କାନ୍ଥିକୁ ଯୋଗ କରୁଚି ଆଉ ଗୋଟାଏ କାନ୍ଥି । ତାରି ଭିତରଟା ବାହାରୁ ଦୃଷ୍ଟିଗୋଚର ହୁଏ ନାହିଁ । ପ୍ରକାଣ୍ଡ ପ୍ରକାଣ୍ଡ ଗଛଗୁଡ଼ାକ ମଥା ଟେକି ଏପରିଭାବରେ ବଢ଼ିଉଠିଚନ୍ତି ଯେ, ଦେଖିଲେ ଜଣାଯିବ, ଯେପରି ସେଟା ପର୍ବତର ଢାଲୁ ଅଂଶ । କିନ୍ତୁ ପ୍ରକୃତରେ ଯାହା ଢାଲୁଭଳି ଦେଖାଯାଏ, ତାହା ଗୋଟିଏ ନିମ୍ନ ସମତଳ ଭୂମି । ବଡ଼ ବଡ଼ ଗଛ ଛଡ଼ା ଆଉ କିଛି ନାହିଁ ସେଠି । ଖାଲି ସେତିକି ନୁହେଁ, ପର୍ବତର କାନ୍ଥିରେ ପଥର ଖୋଳାହୋଇ ଖୁବ୍‌ ବଡ଼ ବଡ଼ କୋଠରି କେତେଟା । ଦିନରେ ସୂର୍ଯ୍ୟାଲୋକ ଟିକିଏ ବିଳମ୍ବରେ ଅବଶ୍ୟ ସେଠି ମିଳେ; ମାତ୍ର ଦୁଷ୍ପ୍ରାପ୍ୟ ନୁହେଁ-। ପାର୍ବତ୍ୟ ଝରଣାର ନିର୍ମଳ ଜଳରେ ପଥର କୁଣ୍ଡ ସବୁବେଳେ ପରିପୂର୍ଣ୍ଣ । ଭିତରଟି ଖୁବ୍‌ ପରିଷ୍କାର ପରିଚ୍ଛନ୍ନ ।

 

ମଝିରେ ଥିବା ପର୍ବତର କାନ୍ଥିଟି ଦ୍ୱାରସ୍ୱରୂପ । ନିବିଡ଼ ଜଙ୍ଗଲ ଓ କଣ୍ଟାବୁଦାଦ୍ୱାରା ଆବୃତ-। ମାତ୍ର ତାରି ଭିତରେ ଲକ୍ଷ୍ୟ କଲେ ଦେଖାଯାଏ, ଅଳ୍ପ ଚଉଡ଼ାର ପଥୁରିଆ ରାସ୍ତାଟାଏ ପର୍ବତର ଅଣ୍ଟାପାଖରୁ ବୁଲି ବୁଲି କାହିଁ କେଉଁଆଡ଼େ ଚାଲିଯାଇଚି । ସହଜେ ଅଗମ୍ୟ, ଦୁର୍ଗମ ଏବଂ ଅଜ୍ଞାତ ସେହି ସ୍ଥାନ, ପୁଣି ଭୀଷଣ ହିଂସ୍ରଜନ୍ତୁ ପୂର୍ଣ୍ଣ । ମନୁଷ୍ୟ ତ ଦୂରର କଥା, କୌଣସି ନିରୀହ ବନ୍ୟ ଜୀବ ସେଠାକୁ ଗଲେ ମଧ୍ୟ ଜୀବନ ନେଇ ଫେରିବା ସମ୍ଭବ ବୋଧହୁଏ ନାହିଁ ।

 

ସେଦିନ ସେଇ ପଥର ଘରର ଗୋଟିଏ ଖଟିଆର ସୁକୋମଳ ଶଯ୍ୟା ଉପରେ ବସି ଗୋଟିଏ ଅତି ସୁନ୍ଦରୀ ଯୁବତୀ ମନେମନେ କେତେ କ’ଣ ଚିନ୍ତା କରୁଥିଲା । ଆଜିକୁ ପ୍ରାୟ ଚାରିଦିନ ହେଲା ସେ ଏଠି ବନ୍ଦିନୀ । ପ୍ରଥମେ ସେ ଏଠିକୁ କିପରି ଆସିଲା, କାହିଁକି ଅଣାଗଲା, କିଏ ଆଣିଲା, ତା’ର ମନେ ନାହିଁ । କେବଳ ଏତିକି ମନେଅଛି, ପିକ୍‌ନିକ୍ ଉଦ୍ଦେଶ୍ୟରେ ପ୍ରଶାନ୍ତ ଡାକି ଆଣିଥିଲା ତାକୁ; ମାତ୍ର ପିକ୍‌ନିକ୍‌ ବଦଳରେ ସାରାଦିନ ସେ ସହରର ଏଣେତେଣେ ବୁଲାବୁଲି କରି ରାତିରେ ମେଲ୍‌ ଟ୍ରେନରେ ତାକୁ ନେଇ ଆସୁଥିଲା ଗୋଟାଏ ନୂଆ ଜାଗାକୁ–କେତେ ଦର୍ଶନୀୟ ପଦାର୍ଥ ଦେଖେଇବା ପାଇଁ । ବାଟରେ ବରହମପୁର ଷ୍ଟେସନରେ କିଛି ସମୟ ପାଇଁ ପ୍ରଶାନ୍ତ ଓହ୍ଲାଇ ଯାଇଥିଲା ବାହାରକୁ ଇତି ମଧ୍ୟରେ ଟ୍ରେନ ଛାଡ଼ିବାର ଘଣ୍ଟା ହୋଇଗଲା । କ୍ରମେ ଟ୍ରେନ ଚାଲିବାକୁ ଆରମ୍ଭ କଲା ଧିମେଇ ଧିମେଇ । ସେ ବ୍ୟସ୍ତ ହୋଇପଡ଼ିଥିଲା । ପ୍ରଶାନ୍ତ କାହିଁ ? ଟ୍ରେନର ଗତି କ୍ରମେ ବଢ଼ୁଥିଲା । ହଠାତ୍‌ ସେଇ କମ୍ପାର୍ଟମେଣ୍ଟକୁ ଚଢ଼ିଆସିଲେ ଦୁଇଜଣ ବଣୁଆ ଲୋକ । ଦୁହିଙ୍କ ଦେହରେ ଥିଲା ସାହେବୀ ପୋଷାକ । କୌଣସି ପରିପାଟୀ ନ ଥିଲା ସେଥିରେ । ଫାଷ୍ଟକ୍ଲାସ୍‌ କମ୍ପାଟମେଣ୍ଟ ବୋଲି ସେମାନେ ଜାଣି ନ ଥିଲେ କି କ’ଣ । ଏହିପରି ଭାବରେ କିଛି ସମୟ ବିତିଯାଇଥିଲା । ଟ୍ରେନ ଛୁଟିଥିଲା ପୂରାଦମରେ ସେତେବେଳକୁ । ସେ ଭାବିଥିଲା, ପ୍ରଶାନ୍ତ ହୁଏତ ଅନ୍ୟ କମ୍ପାଟମେଣ୍ଟରେ ଉଠିଯାଇଚି, ପର ଷ୍ଟପେଜରେ ସେ ପୁଣି ତା’ ନିକଟକୁ ଫେରିଆସିବ । ମାତ୍ର ଷ୍ଟପେଜ୍‌ ନ ହେଉଣୁ ହଠାତ୍‌ ଗାଡ଼ି ବ୍ରେକ୍‌କଲା ଅଧ ବାଟରେ । ସେ ଚମକି ପଡ଼ି ଚାହିଁଲାବେଳକୁ ଆଗନ୍ତୁକ ଲୋକ ଦୁଇଜଣ ତା’ ଆଗରେ ଠିଆ ହୋଇଥିଲେ ଭିନ୍ନ ଭାବରେ । ଯେଉଁ ରୂପକୁ ଦେଖି ସେ ଭୟରେ ଚିତ୍କାର କରିଉଠିଥିଲା । ତା’ ପରେ ପରେ ଲୋକ ଦୁଇଟାଙ୍କର ଚାରିଟା ହାତ ଲମ୍ବି ଆସିଥିଲା ତାରି ଆଡ଼କୁ । ଆଉ କିଛି ଜଣାନାହିଁ ତାକୁ । ପୁଣି ଯେତେବେଳେ ଚେତା ଆସେ, ସେ ଦେଖିଲା, ସେ ଅଛି ଏଇଠି ବନ୍ଦିନୀ ।

 

ସେ ନିଜକୁ ବନ୍ଦିନୀ ବୋଲି ଭାବୁଥିଲା; ମାତ୍ର ପୁଣି ଭାବୁଥିଲା ସେ ଆଉ ବନ୍ଦିନୀ କ’ଣ ଅଛି ? ବେଶ୍‌ ଭଲ ଭଲ ଜିନିଷ ଖାଉଚି । ସ୍ୱାଧୀନ ଭାବରେ ବୁଲାଚଲା କରିପାରୁଚି । ମାତ୍ର ଏ ପର୍ବତଦୁର୍ଗ ଅତିକ୍ରମ କରି ଯାଇପାରୁ ନାହିଁ । ଅତିକ୍ରମ କରିବାକୁ ସେ ଖାଲି ଅକ୍ଷମ ନୁହେଁ । ତା’ର ସେ ସାହସ ମଧ୍ୟ ନାହିଁ । ୟା ଭିତରେ କେତେଥର ସେ ଭୀଷଣ ମହାବଳ ବାଘର ଗର୍ଜନ ଶୁଣିପାରିଲାଣି । ସେଇ ଭୟ ହିଁ ତାକୁ ଏଠାରୁ ବାହାରକୁ ଯିବାର ଚେଷ୍ଟାରୁ ବିରତ କରି ରଖୁଚି ।

 

ସବୁଠାରୁ ଆଶ୍ଚର୍ଯ୍ୟ ହୋଇଥିଲା ସେ, ଏଠି ଜଣେ ହେଲେ ମନୁଷ୍ୟ ନ ଦେଖି । ଏପରିକି କେହି ଥିବାର ଶବ୍ଦ ସୁଦ୍ଧା ଜଣାଯାଉନି । ଅଥଚ ସବୁ କାମ ଯାଦୁବିଦ୍ୟାରେ ହେଲାଭଳି ହେଇଯାଉଚି-। ଯେତେବେଳେ ଗାଧୋଇବା, ଖାଇବା, ବାହାରକୁ ଯିବା ଆଦି ଯେଉଁ କାମ କରିବାର କଥା, ସେ ସେଇଆ କରିବାକୁ ନିର୍ଦ୍ଦେଶ ପାଉଚି ଶୂନ୍ୟରୁ । ପରିଷ୍କାର ମନୁଷ୍ୟର କଣ୍ଠସ୍ୱର-। ବେଶ୍‌ ଭଦ୍ର ଏବଂ ମଧୁର; ଅଥଚ କାହାରିକୁ ଦେଖିପାରୁନି । ଗାଧୋଇସାରି ଆସିଲାବେଳକୁ ତା’ର କୋଠରିରେ ଖାଇବା ଜିନିଷ, ଲୁଗାପଟା ସଜାହୋଇ ରହିଚି । ଏପରିକି ବିଛଣାର ଚଦର ପର୍ଯ୍ୟନ୍ତ ବଦଳା ହୋଇଯାଇଚି । ଏହିପରି ସବୁ କାମ ଆପେ ଆପେ ହେଉଚି । ସେ ଚେଷ୍ଟା କରୁଚି; କିନ୍ତୁ କାହାରିକୁ ଦେଖି ପାରୁନି । ଟିକିଏ ହେଲେ ଖରାପ ବ୍ୟବହାର ମଧ୍ୟ ପାଉନି । ତେବେ ତାକୁ କି ଉଦ୍ଦେଶ୍ୟରେ ଏଠିକୁ ଅଣାଯାଇଚି–ସେ କଥାକୁ କେବଳ ସେ ଭାବୁଚି ଦୁଇ ଦିନ ହେଲା-। କ୍ରମେ ସେ ଅଧିକରୁ ଅଧିକ ସାହସ ସଞ୍ଚୟ କରୁଚି ଏଠିକାର ରହସ୍ୟ ଭେଦ କରିବାପାଇଁ । ପୂର୍ବାପେକ୍ଷା ନିର୍ଭୟରେ ଚଳିବାକୁ ମଧ୍ୟ ଚେଷ୍ଟା କରୁଚି ।

 

ଯୁବତୀଟି ବିଷୟରେ ଆଉ ଅଧିକ ଗୋପନ ରଖିବାର କିଛି ନାହିଁ । ସେ ରାଧାବଲ୍ଲଭବାବୁଙ୍କର କନ୍ୟା ପ୍ରୀତି ।

ପ୍ରୀତି ଖାଲି ନିଜର ମୁକ୍ତି ଚିନ୍ତା କରୁ ନାହିଁ, ତା’ ସଙ୍ଗେ ସଙ୍ଗେ ନିଜର ସ୍ନେହମୟ ବାପାଙ୍କ କଥା ମଧ୍ୟ ଭାବୁଚି । ବାପା ତା’ର ତା’ ବିନା କ’ଣ କରୁଥିବେ, କିପରି ଚଳୁଥିବେ ! ସେଇକଥା ଭାବି ଭାବି ଆଖି ତା’ର ଛଳଛଳେଇ ଉଠିଚି ଅନେକ ଥର । ମାତ୍ର ସେ ନାଚାର । ଏଠୁ ମୁକ୍ତି ପାଇଲେ ସିନା ଯାହା ହେବ !

ସେଦିନ ସେ ନିଜକୁ ଖୁବ୍‌ ଦୃଢ଼ କରିନେଇଥିଲା । ଯେପରି ହେଉ, ଆଜି ସେ ୟାର ସମାଧାନ କରନେବ । ଆଜି କାହାରି କୌଣସି ନିର୍ଦ୍ଦେଶ ମାନିବ ନାହିଁ । ତେଣିକି ଫଳାଫଳ ଯାହାହେଉ ।

ସେଇ ସିଦ୍ଧାନ୍ତ ଉପରେ ଅଟଳ ରହି ପ୍ରୀତି ଆଜି ସକାଳୁ ମୁହଁରେ ପାଣି ଟୋପାଏ ସୁଦ୍ଧା ଦେଇନି । ଆସି ନଅଟା ବାଜିଲାଣି, ନିଜ କାମ ଯଥାସମୟରେ କରିଯିବାପାଇଁ ସେ ଅନେକଥର ନିର୍ଦ୍ଦେଶ ପାଇସାରିଲାଣି । ପ୍ରଥମେ ନିର୍ଦ୍ଦେଶ, ତା’ପରେ ଆଦେଶ, ଅନୁରୋଧ, ଅନୁନୟ–ସବୁ କିଛି ବ୍ୟର୍ଥ ହୋଇଚି । ପ୍ରୀତିର ଶେଷ ସିଦ୍ଧାନ୍ତ, ଯାହା ହେଉ, ଆଜି ୟାର ସମାଧାନ ଆବଶ୍ୟକ । ସେଥିପାଇଁ ସେ ସକାଳୁ ଉଠି ବସିଚି ତା’ର ବିଛଣା ଉପରେ ।

‘‘ଅବାଧ୍ୟ ହୁଅନା ପ୍ରୀତି ! ଆବଶ୍ୟକ ସମୟରେ ତୁମେ ସବୁ କଥା ଜାଣିପାରିବ । ବର୍ତ୍ତମାନ ସୁନା ପିଲାଟିପରି ସବୁ କାମ କରିଯାଅ ।’’

ଏ ନିର୍ଦ୍ଦେଶ ଆସୁଥିଲା ଶୂନ୍ୟରୁ ପ୍ରୀତିକୁ ଲକ୍ଷ୍ୟ କରି । ଏହା ଶୁଣିବାମାତ୍ରେ ପ୍ରୀତି ରାଗରେ ଫାଟିପଡ଼ି କହିଲା, ‘‘କିଛି ଶୁଣିବି ନାହିଁ ମୁଁ । ଏଠି ଆଉ ମୁହୂର୍ତ୍ତେ ରହିବାକୁ ମୋର ଇଚ୍ଛା ନାହିଁ । ତୁମର ଯାହା ଇଚ୍ଛା, ତୁମେ କରିପାର ।’’

 

‘‘ପ୍ରୀତି ଦେବୀ ! ଯାହା କରାଯାଉଚି ତୁମର ମଙ୍ଗଳ ପାଇଁ । ଆପାତତଃ ଏତକ ବିଶ୍ୱାସ ତୁମକୁ ରଖିବାକୁ ହେବ । ଅସମ୍ଭବ ଜିଦ୍‌ ଧରି ନିଜର ନିରାପତ୍ତା ବିପନ୍ନ କର ନାହିଁ । ତୁମେ ଶିକ୍ଷିତା-। ପରିଣତିର ଭୟାବହତା ଚିନ୍ତା କରିପାରିବା ତୁମ ଶକ୍ତିର ପରିସର ମଧ୍ୟରେ । ତୁମେ କ’ଣ ଭାବୁଚ, କୌଣସିପ୍ରକାର ଅସୁବିଧାରେ ପକାଇବା ପାଇଁ ତୁମକୁ ଏଠିକୁ ଅଣାଯାଇଚି ?’’

 

‘‘ତେବେ କ’ଣ ? କାହିଁକି ମୋତେ ବନ୍ଦିନୀ କରି ରଖାଯାଇଚି ? ମୁଁ ସର୍ବପ୍ରଥମେ ଜାଣିବାକୁ ଚାହେଁ, ତୁମେ କିଏ ଏବଂ ମୋତେ ହରଣଚାଳ କରି କାହିଁକି ଏଠାକୁ ଆଣିଚ ଏବଂ ଏ ଅବସ୍ଥାରେ ରଖିଚ ।’’ ପ୍ରୀତିର କଣ୍ଠରେ ପୂର୍ବପରି ଉତ୍ତେଜନା ଥିଲା ।

 

‘‘ଶୁଣ ପ୍ରୀତି ! ମୁଁ କିଏ, ସେ କଥା ତୁମେ ପରେ ଜାଣିପାରିବ । ତେବେ ଏତିକି ଜାଣିରଖ, ମୁଁ ତୁମର ହିତାକାଙ୍‌କ୍ଷୀ । ତୁମକୁ ହରଣଚାଳ କରି ଏଠିକୁ ଅଣାଯାଇନି; ବରଂ ଅପହରଣକାରୀ ହାତରୁ ଉଦ୍ଧାର କରାଯାଇଚି । ତୁମକୁ ବନ୍ଦିନୀ ମଧ୍ୟ କରାଯାଇନି । ସ୍ୱାଧୀନ ଭାବରେ ତୁମେ ବୁଲାଚଲା କରିପାର । ସେଥିରେ କୌଣସି କଟକଣା ନାହିଁ । ଏଥର ମୋର ଅନୁରୋଧ ରଖି ଖିଆପିଆ କର ।’’ –ଶୂନ୍ୟରୁ ଶବ୍ଦ ଶୁଣାଗଲା ।

 

‘‘ତା’ କଦାପି ହୋଇପାରିବ ନାହିଁ । ତୁମର ଯାହା ଇଚ୍ଛା, ତାହା କରିପାର । ମୁଁ ମୋର ବାପାଙ୍କୁ ଦେଖିବାକୁ ଚାହେଁ ।’’

 

‘‘ଠିକ୍ ଅଛି । ତୁମେ ଆଜି ଯଥାରୀତି ଖିଆପିଆ କର । କାଲି ସକାଳୁ ତୁମେ ତୁମ ବାପାଙ୍କୁ ଏଇଠି ଦେଖିବ । ମନେରଖ, ତୁମର କୌଣସି ଆବଶ୍ୟକତା, ଅସୁବିଧା ବିଷୟ ତୁମେ ଘରେବସି ପାଟିକରି କହିଦେଲେ, ତାହା ସଙ୍ଗେ ସଙ୍ଗେ ପୂରଣ କରିଦିଆଯିବ । ବେଶ୍‌, ଏଥର ଯାଅ-।’’

 

ଶୂନ୍ୟରୁ ଶେଷ ନିର୍ଦ୍ଦେଶ ଶୁଣି ପ୍ରୀତି ଅନେକ ପରିମାଣରେ ଆଶ୍ୱସ୍ତ ହେଲା । ବାପାଙ୍କୁ ଦେଖିବା ଆଶା ସଙ୍ଗେ ସଙ୍ଗେ ମୁକ୍ତିର ଏକ କ୍ଷୀଣ ଆଶା ମଧ୍ୟ ତା’ ମନରେ ଉଦୟ ହୋଇଥିଲା । ରାଧାବଲ୍ଲଭବାବୁ ଆସିଲେ ନିଶ୍ଚୟ କିଛି ନା କିଛି ଗୋଟାଏ କିନାରା କରିବେ କିମ୍ବା ଦରକାର ହେଲେ ପୋଲିସର ସାହାଯ୍ୟ ମଧ୍ୟ ନେଇପାରନ୍ତି । ଏହା ଭାବି ମନରେ ତା’ର ସାମାନ୍ୟ ବଳ ସଞ୍ଚିତ ହୋଇଥିଲା । ସେ ଉଠି ନିତ୍ୟକର୍ମ ଶେଷ କରିବାକୁ ବାହାରିଲା ।

 

ଇତି ମଧ୍ୟରେ ତା’ର ଟେବୁଲ ଉପରେ ଖାଇବା ଜିନିଷ, ପ୍ରସାଧନ ସାମଗ୍ରୀ, ପତ୍ରପତ୍ରିକା ଇତ୍ୟାଦି ସଜାହୋଇ ରହିଗଲା । ସବୁ ବ୍ୟବସ୍ଥା ଠିକ୍‌ ମେଜିକ୍‌ ଖେଳପରି । ପ୍ରୀତି ଲେଶମାତ୍ର ଜାଣିପାରିଲା ନାହିଁ ଯେ, ଏ ଘରେ କେହି ଲୋକ ରହି ଏପରି କରୁଚି । ମନେମନେ ତା’ର ଏଥିପାଇଁ ଭୟ ମଧ୍ୟ ହୋଇଥିଲା ।

 

ପାଞ୍ଚ

 

ଷ୍ଟେସନରେ ଯେଉଁ ଓଢ଼ଣୀଟା ଥିଲା, ସେଟାକୁ ଚାହିଁଦେଇ ରାଧାବଲ୍ଲଭବାବୁ ଅସ୍ପଷ୍ଟ ଆର୍ତ୍ତନାଦ କରିଉଠିଲେ । ଦେଖିଲାମାତ୍ରେ ସେ ଜାଣିପାରିଲେ ଯେ, ସେଟା ପ୍ରୀତିର । ଠିକ୍‌ ସେଇ ଓଢ଼ଣୀଟି ସେ କାଶ୍ମୀରରୁ କିଣି ଆଣିଥିଲେ ତା’ରି ପାଇଁ; ସେଇ ରଙ୍ଗ, ସେଇ ସୁନାଜରି କାମ । ଏଥିରେ ଆଉ ଭୁଲ ରହିଲା କେଉଁଠି ?

 

କାନ୍ଦିବା ପାଇଁ ତାଙ୍କର ଧୈର୍ଯ୍ୟ ନ ଥିଲା କି ଆଖିରେ ଲୁହ ମଧ୍ୟ ନ ଥିଲା । ତାଙ୍କର ଅନ୍ତରହିଁ ଚିତ୍କାର କରି ଉଠୁଥିଲା ବାରମ୍ବାର । ପ୍ରୀତି ଯେ ମୃତ, ଏ ବିଷୟରେ ତାଙ୍କର ସନ୍ଦେହ କରିବାର କିଛି ନ ଥିଲା । ପ୍ରଶାନ୍ତ ଉପରେ ତାଙ୍କର ସନ୍ଦେହ ଘନୀଭୂତ ହୋଇଉଠୁଥିଲା । ପୁଣିସବୁ ଭାବନା ତାଙ୍କର ଗୋଳମାଳ ହୋଇଯାଉଥିଲା । ମୋଟ ଉପରେ କହିବାକୁ ଗଲେ କିଛି ଗୋଟାଏ ସ୍ଥିରଭାବରେ ଚିନ୍ତା କରିପାରିଲା ଭଳି ମାନସିକ ଅବସ୍ଥା ତାଙ୍କର ଆଦୌ ନ ଥିଲା ।

 

ଷ୍ଟେସନ ମାଷ୍ଟର, ଅନ୍ୟାନ୍ୟ କର୍ମଚାରୀମାନଙ୍କର ଆଶାପୂର୍ଣ୍ଣ ସାନ୍ତ୍ୱନାରେ କିଛି ଆଶ୍ୱସ୍ତହୋଇ ସେ ଫେରି ଆସିଥିଲେ ଘରକୁ । ମାତ୍ର ଘରେ ପହଞ୍ଚିଲାମାତ୍ରେ ସେ ପ୍ରୀତିକୁ ନିଜ ମାନସପଟରେ ଦେଖିବାକୁ ଏବଂ ତାରି ମିଠା କଥା ମଧ୍ୟ ଶୁଣିବାକୁ ପାଇଲେ । ପ୍ରତି ମୁହୂର୍ତ୍ତରେ ପ୍ରୀତିର ଉପସ୍ଥିତି ସେ ଅନୁଭବ କରିବାକୁ ଲାଗିଲେ । ପ୍ରୀତି ସତେ ଯେପରି ତାଙ୍କ ଆଗରେ ପରୀଟିଭଳି ନାଚି ବୁଲୁଚି, କଥାବାର୍ତ୍ତା କରୁଚି, ଆଉ କିଛି ଜିନିଷପାଇଁ ଅଳି କରୁଚି । ତାଙ୍କ ଆଖିରେ ଲୁହ ଛଳଛଳ ହୋଇଉଠୁଥାଏ ଏଇସବୁ ବିଷୟ ଭାବୁ ଭାବୁ ।

 

ପ୍ରଶାନ୍ତ ପ୍ରତି ମନଟା ତାଙ୍କର ଘୋର ସନ୍ଦେହରେ ଭରିଉଠୁଥାଏ । ପ୍ରଶାନ୍ତ କୃତଘ୍ନ । ଝିଅକୁ ତାଙ୍କର ଭୁଲାଇନେଇ କୁଆଡ଼େ ଗଲା; ଅଥଚ ତା’ର କିଛି ଖବର ନାହିଁ । ସେ ଯଦି ତା’ର ପାଖେ ପାଖେ ଥାଆନ୍ତା, ତେବେ କ’ଣ ପ୍ରୀତିର କିଛି ବିପଦ ହୋଇଥାନ୍ତା ? ପ୍ରୀତି କେଡ଼େ କଲବଲ ହୋଇ ନ ଥିବ ସତେ ! ଭାବୁ ଭାବୁ ତାଙ୍କ ଛାତି ଭିତରୁ କୋହ ଉଠିଆସୁଥାଏ ।

 

ସେଦିନ ଖାଇବା ପିଇବା ବନ୍ଦ । ଚାକର ପୂଝାରିମାନେ କାକୁସ୍ଥ ହୋଇ ଏପଟ ସେପଟ ହେଉଥାନ୍ତି । ଡାକିବାକୁ କାହାରି ସାହସ ହେଉ ନ ଥାଏ, କି କାହାରି ମନରେ ସରସତା ମଧ୍ୟ ନ ଥାଏ । ଖାଇବା ପିଇବା କଥା କିଏ ପଚାରେ ?

 

ଇତିମଧ୍ୟରେ ଟେଲିଫୋନ୍‌ କେତେଥର ରିଂ ହୋଇଗଲାଣି । ସାକ୍ଷାତ କରିବାପାଇଁ କେତେଲୋକ ଫେରିଗଲେଣି । କିନ୍ତୁ ରାଧାବଲ୍ଲଭବାବୁ ଅଟଳ । ସେଇ ଏକ ଆସନରେ ବସିରହିଚନ୍ତି ସେତିକିବେଳୁ । ଏଇ କେଇଘଣ୍ଟା ଭିତରେ ସେ ଏତେ ଶୁଷ୍କ ଆଉ ଦୁର୍ବଳ ଜଣାଯାଉଚନ୍ତି ଯେ, ନ ଦେଖିଲା ଲୋକ ତାଙ୍କର ପ୍ରକୃତ ବୟସଠାରୁ ଦଶବର୍ଷ ଅଧିକ ଅନୁମାନ କରିବ ।

 

କ୍ରମେ ସନ୍ଧ୍ୟା । ତା’ପରେ ରାତି; ଅଥଚ ରାଧାବଲ୍ଲଭବାବୁ ବସିଚନ୍ତି ସେଇଭଳି । କାହାରି ସାଙ୍ଗରେ ପଦେହେଲେ କଥା ନାହିଁ । ପୁରୁଣା ଚାକର ମଦନ ଆସି ଆଲୁଅଟି ଲଗାଇଦେଇଯାଇଛି ସନ୍ଧ୍ୟାବେଳୁ । ବାବୁଙ୍କ ଗମ୍ଭୀର ଚେହେରା ଆଉ ମାନସିକ ଅବସ୍ଥା ଦେଖି କିଛି ପଚାରିବାକୁ ସୁଦ୍ଧା ସାହସ କରିପାରିନି ।

 

ସମୟ ଗଡ଼ିଚାଲିଚି । ରାତି ଦଶ, ଏଗାର, ବାର ଘଣ୍ଟା ପରେ ଘଣ୍ଟା ବିତିଗଲାଣି । କ୍ରମେ ରାଧାବଲ୍ଲଭବାବୁଙ୍କ ଚେତନାଶକ୍ତି ଲୋପ ହୋଇଆସୁଚି । ଆଜନ୍ମରୁ ରାଜସୁଖରେ ବର୍ଦ୍ଧିତ ସୁକୁମାର ଦେହ ଆଉ କଷ୍ଟ ସହିବାକୁ ସକ୍ଷମ ହେଉନି, ଦେହଟା ଥରି ଥରି ଅବଶ ହୋଇଆସୁଚି । ତା’ ସଙ୍ଗେ ସଙ୍ଗେ ମୁଣ୍ଡଟା ବି । ପ୍ରାୟ ଅଧଘଣ୍ଟାକ ମଧ୍ୟରେ ତାଙ୍କର ସଂଜ୍ଞା ଲୋପ ହୋଇଗଲା ।

 

ରାଧାବଲ୍ଲଭବାବୁଙ୍କର ଦେହଲଗା ଚାକର ମଦନ ସେଇ କୋଠରୀର ଗୋଟାଏ କୋଣରେ କାନ୍ଥକୁ ଆଉଜି ବସିଥିଲା, ସାରା ଦିନଟି ଆଜି ତା’ର ମଧ୍ୟ ଉପବାସ । ସେ ବି ଖୁବ୍‌ କ୍ଳାନ୍ତହୋଇ ଢୁଳେଇପଡ଼ିଥିଲା ସେଇଠି ।

 

ରାତି ଗୋଟାଏ ସେତେବେଳକୁ । ଚାରିଆଡ଼ ଶୂନଶାନ୍‌ । ଆଉ ଯେତେଜଣ ଚାକର, ଯେ ଯେଉଁଠି ଥିଲେ ଶୋଇଗଲେଣି । ସବୁଆଡ଼ ଗାଢ଼ ଅନ୍ଧକାର । କେବଳ ସେଇ କୋଠରିରେ ଆଲୁଅଟି ଜଳୁଚି । ଏତିକିବେଳେ ଫସ୍‌କରି ବଲ୍‌ଟି ଲିଭିଗଲା । କେଇ ମିନିଟ୍‌ ପାଇଁ ସବୁ ନୀରବ । ତା’ପରେ ଖୁବ୍‌ ମ୍ଳାନ ଆଲୋକ ଟିକିଏ ଦେଖାଗଲା ରାଧାବଲ୍ଲଭବାବୁଙ୍କ ନିକଟରେ । ରାଧାବଲ୍ଲଭବାବୁଙ୍କ ନିକଟରୁ କ୍ରମେ ଆଲୁଅଟି ବୁଲି ବୁଲି ଯାଇ ତାଙ୍କ ଉପରେ ପଡ଼ିଲା । ସେଇ ମ୍ଳାନ ଆଲୁଅରେ ମଧ୍ୟ ଦେଖାଯାଉଥିଲା କେହି ଜଣେ କଳାପୋଷାକଧାରୀ ବ୍ୟକ୍ତି ତାଙ୍କ ପାଖରେ ଠିଆହୋଇଚି ଏବଂ ତାରି ହାତର ଟର୍ଚ୍ଚରୁ ଏଇ ଆଲୁଅ ଆସୁଚି । ତା’ପରେ ଆଲୁଅଟି ଲିଭିଗଲା । କୋଠରିଟିରେ ଗାଢ଼ ଅନ୍ଧକାରର ରାଜୁତି ଚାଲିଲା କିଛି ସମୟପାଇଁ । ଅଳ୍ପ କେଇ ମିନିଟ୍‌ ମଧ୍ୟରେ ବାହାରେ କିଛି ଦୂରରେ କାର୍‌ ଷ୍ଟାର୍ଟହେବାର ଶବ୍ଦ ଶୁଣାଗଲା । ତା’ ସଙ୍ଗେ ସଙ୍ଗେ ରାଧାବଲ୍ଲଭବାବୁଙ୍କ କୋଠରିଟି ଆଲୋକିତ ହୋଇଉଠିଲା । ଏଥର କିନ୍ତୁ ରାଧାବଲ୍ଲଭବାବୁ ତାଙ୍କ ଆସନରେ ନ ଥିଲେ । ସେଇଟି ଶୂନ୍ୟ ପଡ଼ିଥିଲା । ମଦନ କିଛି ସମୟ ପୂର୍ବରୁ ଯେପରି ଢୁଳାଉଥିଲା, ସେଇପରି ଢୁଳାଉଚି । ଆଉ ସବୁଆଡ଼ ନୀରବ, ନିଶ୍ଚଳ ।

 

ଏଣେ ପ୍ରୀତି ଚିନ୍ତାରେ ରାଧାବଲ୍ଲଭବାବୁଙ୍କ ଅବସ୍ଥା ଯାହା, ତେଣେ ରାଧାବଲ୍ଲଭବାବୁଙ୍କ ଚିନ୍ତାରେ ପ୍ରୀତିର ଅବସ୍ଥା ମଧ୍ୟ ସେଇପରି ହୋଇଥିଲା । ନିର୍ଦ୍ଦେଶ ଅନୁସାରେ ସେ ଖିଆପିଆ ଇତ୍ୟାଦି ଯଥାସମୟରେ କରିଚି । ସମୟ କଟାଇବାପାଇଁ ନିଜର ମନ ଅନୁସାରେ ପତ୍ରପତ୍ରିକା ଏବଂ ବହି ପାଇଚି; ମାତ୍ର ରାଧାବଲ୍ଲଭବାବୁଙ୍କୁ ପାଇନି । ଶେଷଥର ପାଇଁ ସେ ଦୃଢ଼ ପ୍ରତିଜ୍ଞା କରିଚି, ‘‘କାଲି ଆଉ କାହାରି କଥା ସେ ଶୁଣିବନି, ଫଳାଫଳ ବରଂ ମୃତ୍ୟୁ ହେଉ ।’’ ଏଇପରି ନାନାଆଡ଼ୁ ନାନା କଥା ଭାବୁ ଭାବୁ ତାକୁ କେତେବେଳେ ଯେ ନିଦ ଲାଗିଯାଇଚି, ତାହା ଜଣା ନାହିଁ ।

 

ତା’ ନିଦ ଭାଙ୍ଗିଲାବେଳକୁ ସକାଳ ସାତଟା ବାଜିଯାଇଥିଲେ ସୁଦ୍ଧା ଅନ୍ଧାର ଛାଡ଼ି ନ ଥିଲା କୋଠରିଭିତରୁ । ପାର୍ବତ୍ୟ ଖୋଲଟା । ସେଠାରେ ଆଲୋକ ପ୍ରବେଶ କରେ ଟିକିଏ ବିଳମ୍ବରେ । ସୂର୍ଯ୍ୟଦେବ ଯଥେଷ୍ଟ ଉପରକୁ ଉଠିଲେ, ସେ ସ୍ଥାନଟା ଆଲୋକିତ ହୋଇଉଠେ ।

 

ସେଦିନ ବି ଠିକ୍‌ ସେୟା ହୋଇଥିଲା । ପ୍ରୀତି ନିଦରୁ ଉଠିଲାମାତ୍ରେ ଦେଖିଲା, ତାରି କୋଠରିର ଗୋଟାଏ କଡ଼କୁ ଆଉ ଗୋଟାଏ ଖଟିଆ ପଡ଼ିଚି । କେହି ଜଣେ ସେଥିରେ ଶୋଇଚି । ଅବଶ୍ୟ ଚଦରଖଣ୍ଡିଏ ଘୋଡ଼ାଇ ହୋଇଥିବାରୁ ସ୍ପଷ୍ଟ ବାରି ହେଉନାହିଁ । ତାକୁ ଏଟା ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ସବୁଠୁ ବେଶି ଆଶ୍ଚର୍ଯ୍ୟ ଲାଗୁଥିଲା ଯେ, କାଲି ରାତିରେ ଏଠି ଗୋଟାଏ ଖଟିଆ ବିଛଣା ପକାଇ ଜଣେ ଲୋକ ଆସି କେତେବେଳେ ଶୋଇଲା; ଅଥଚ ତାକୁ ମାଲୁମପର୍ଯ୍ୟନ୍ତ ନାହିଁ । ଯାହାହେଉ; ସକାଳୁ ସକାଳୁ ସେ ମନେମନେ ସ୍ଥିର କରିନେଇଥିଲା ଯେ, ଆଜି କଦାପି ବିଛଣାରୁ ଉଠିବ ନାହିଁ କି କାହାରି କଥା ମାନିବ ନାହିଁ । ତେଣୁ ନିଦ ଭାଙ୍ଗିଥିଲେ ସୁଦ୍ଧା ସେ ଆଖି ବୁଜି ଶୋଇବାର ବାହାନା କରି ପଡ଼ିରହିଲା ବିଛଣା ଉପରେ ।

 

ରାଧାବଲ୍ଲଭବାବୁଙ୍କ ନିଦ ଭାଙ୍ଗିଲା ଟିକେ ଡେରିରେ । ସେ ସଚେତ ହେବାକ୍ଷଣି ପ୍ରୀତି କଥା ତାଙ୍କର ମନେପଡ଼ିଲା । ଦୁଃଖରେ ସେ କଡ଼ ଲେଉଟାଇଲେ, କ’ଣ ଦେଖି ପୁଣି ସେ ଚମକିପଡ଼ିଲେ । ଏ ତ ତାଙ୍କ ଘର କି ବିଛଣା ନୁହେଁ । ତାଙ୍କୁ ସବୁ ଆଶ୍ଚର୍ଯ୍ୟ ଲାଗିଲା । ଗତ ରାତିର କଥାସବୁ ମନେପଡ଼ିଲା । ସେ ତ ନିଜ ଡ୍ରଇଂ ରୁମରେ ଆରାମଚେୟାର ଉପରେ ବସିଥିଲେ । ପୁଣି ଏଠାକୁ ଆସିଲେ କେମିତି ? ଏ ଜାଗାଟା ପୁଣି କେଉଁ ଜାଗା ? ସେପାଖ ଖଟିଆରେ ସ୍ତ୍ରୀଲୋକଟାଏ ଶୋଇଛି ବା କିଏ ? କିଛି ସମୟ ପରେ ତାଙ୍କର ମୋହାଚ୍ଛନ୍ନଭାବ କଟିଗଲା । ସେ ବିଛଣାରେ ଉଠିବସିଲେ ।

 

ବଖରାଟି ଲମ୍ବା ଚଉଡ଼ାରେ ମନ୍ଦ ନୁହେଁ । ପଥରରେ ହେଲେ ବି ଖୁବ୍‌ ପରିଷ୍କାର ପରିଚ୍ଛନ୍ନ । ବାହାରେ କେହି ନାହିଁ । ଶୂନଶାନ୍‌ । ଆଖପାଖରେ କେହି ଲୋକ ଥିବାର ସୂଚନା ମଧ୍ୟ ଜଣାଯାଉନି । ବଖରାଟି ଆଲୋକିତ ହୋଇଆସୁଚି । ରାଧାବଲ୍ଲଭବାବୁ ପାଖ ଖଟିଆକୁ ଚାହିଁଲେ । କିଛି ସମୟ ରହିଲା ପରେ ତାଙ୍କର ଚକ୍ଷୁ ବିସ୍ଫାରିତ ହୋଇଉଠିଲା । ମୁହଁର ଭାବ ମଧ୍ୟ ବଦଳିଗଲା-। ସେ ଏକା ଡିଆଁରେ ଯାଇ ସେ ଖଟିଆ ପାଖରେ ହାଜର ହୋଇଗଲେ । ଯାହା ଦେଖିଲେ, ସେଥିରେ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ‘ପ୍ରୀତି’ ବୋଲି ଚିତ୍କାର କରି ଜାବୁଡ଼ି ଧରିଲେ ତାକୁ ।

 

ପ୍ରୀତି ଚାହିଁଥିଲା, ଶୋଇବାର ଛଳନା କରି । ଏପରି ଅପ୍ରତ୍ୟାଶିତ ପରିସ୍ଥିତି ସେ ଆଦୌ ଭାବି ନ ଥିଲା । ଏତେ ଆକସ୍ମିକଭାବରେ ରାଧାବଲ୍ଲଭବାବୁଙ୍କ ସହ ତା’ର ଯେ ସାକ୍ଷାତ ଘଟିବ, ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଆନନ୍ଦାତିଶଯ୍ୟରେ ରାଧାବଲ୍ଲଭବାବୁଙ୍କୁ କୁଣ୍ଢାଇ ଧରି ସେ କଇଁ କଇଁ ହୋଇ କାନ୍ଦିଉଠିଲା । ରାଧାବଲ୍ଲଭବାବୁ ବି ପିଲାଙ୍କପରି କାନ୍ଦି ଉଠିଲେ । ପିତାପୁତ୍ରୀ ହୁଏତ ଆହୁରି କେତେ ସମୟ ରହିଥାନ୍ତେ ଏଇପରି । ହଠାତ୍‌ ଶୂନ୍ୟରୁ ନିର୍ଦ୍ଦେଶ ଆସିଗଲା, ‘‘ଯଥେଷ୍ଟ ହେଲା ରାଧାବଲ୍ଲଭବାବୁ । ଏଥର ନିତ୍ୟକର୍ମ ଶେଷ କରନ୍ତୁ । ତା’ପରେ ବସି କଥାବାର୍ତ୍ତା ହେବେ । ଆପଣ ପରା କାଲିଠୁ କିଛି ଖାଇନାହାନ୍ତି !’’

 

ପ୍ରୀତିଦେବୀଙ୍କ ପକ୍ଷରେ ଏ ନିର୍ଦ୍ଦେଶ ନୂଆ ନ ହେଲେ ବରଂ ରାଧାବଲ୍ଲଭବାବୁଙ୍କୁ ନୂଆ ଲାଗିଲା । ସ୍ୱରଟା କେଉଁଠୁ ଆସୁଚି ଶୁଣିବାପାଇଁ ସେ ଭକୁଆଙ୍କପରି ଚାରିଆଡ଼କୁ ଚାହିଁଲେ । ପ୍ରୀତିଦେବୀ ତାଙ୍କୁ ସବୁ କଥା ସଂକ୍ଷେପରେ କହି ବୁଝାଇଦେଲେ । ସବୁ ଶୁଣି ରାଧାବଲ୍ଲଭବାବୁଙ୍କ ବିସ୍ମୟର ସୀମା ରହିଲା ନାହିଁ । ପ୍ରୀତିଦେବୀ ତାଙ୍କୁ ସାଙ୍ଗରେ ନେଇ ନିତ୍ୟକର୍ମ ଶେଷ କରାଇବାପାଇଁ ଚାଲିଗଲେ ।

 

ନିତ୍ୟକର୍ମ ସାରି ଆସିଲାବେଳକୁ ସବୁ ଠିକ୍‌ଠାକ୍‌ ହୋଇ ରହିଚି ଟେବୁଲ ଉପରେ । ଆରିସି, ପାନିଆଠାରୁ ଆରମ୍ଭ କରି ନୂଆ ପୋଷାକ ପର୍ଯ୍ୟନ୍ତ । ସେସବୁ ବ୍ୟବହାର କରିବାପାଇଁ ରାଧାବଲ୍ଲଭବାବୁଙ୍କୁ ଭୟ ଲାଗୁଥିଲେ ସୁଦ୍ଧା, ନ କରି ଉପାୟ ନାହିଁ ।

 

କିଛି ଖାଇସାରିଲା ପରେ ରାଧାବଲ୍ଲଭବାବୁ ନିଜକୁ ବହୁପରିମାଣରେ ସୁସ୍ଥ ବୋଧକଲେ-। ଗୋଟିଏ ଚେୟାର ଉପରେ ବସି ସେ ବର୍ତ୍ତମାନ ପରିସ୍ଥିତିରେ କ’ଣ କରାଯାଇପାରେ, ସେ ବିଷୟ ଚିନ୍ତା କରୁଛନ୍ତି । ପାଖରେ ପ୍ରୀତିଦେବୀ ବସି ଖଣ୍ଡିଏ ବହି ପଢ଼ୁଛନ୍ତି, ଏତିକିବେଳେ ଶୂନ୍ୟରୁ ଶୁଣାଗଲା–‘‘ଆପଣ ଆଜି ଯାଇପାରନ୍ତି ରାଧାବଲ୍ଲଭବାବୁ ! ପ୍ରୀତିଦେବୀଙ୍କୁ ତ ଦେଖିଲେ । ତାଙ୍କର ନିରାପତ୍ତା ଦୃଷ୍ଟିରୁ ତାଙ୍କୁ ଅନ୍ତତଃ ଏଠି ରହିବାକୁ ହେବ । ମୋର ଗୋଟିଏ ଅନୁରୋଧ; ପ୍ରୀତିଦେବୀ ଯେ ଜୀବିତ ଅଛନ୍ତି ଏବଂ ନିରାପଦରେ ଅଛନ୍ତି, ଏ କଥା ଯେପରି ଆପଣଙ୍କ ବ୍ୟତୀତ ଦ୍ୱିତୀୟ ବ୍ୟକ୍ତି ଜାଣି ନ ପାରେ ।

 

ରାଧାବଲ୍ଲଭବାବୁ ବକ୍ତା କିଏ ଜାଣିବାପାଇଁ ଏଣିକିତେଣିକି ସତର୍କଭାବରେ ଦୃଷ୍ଟି ଦେଉଥାନ୍ତି । ତାଙ୍କର ଏ ଭାବ ଦେଖି ଖୁବ୍‌ ଚାପା ହସ ଶୁଣାଗଲା ଶୂନ୍ୟରୁ ।

 

‘‘ଆପଣ ମୋତେ ଦେଖିବାପାଇଁ ବ୍ୟଗ୍ର ହୁଅନ୍ତୁ ନାହିଁ । ଦିନେ ନା ଦିନେ ମୋତେ ଦେଖିପାରିବେ । ତେବେ ଆଜି ନୁହେଁ ।’’

 

ଶୂନ୍ୟରୁ ଶୁଣାଯାଉଥିବା ଏ ଶବ୍ଦରେ ଭଦ୍ରତାର ପରିଚୟ ପାଇ ରାଧାବଲ୍ଲଭବାବୁଙ୍କର ସାହସ ବହୁତ ବଢ଼ିଯାଇଥିଲା । ସେ କହିଲେ, ‘‘ଦେଖନ୍ତୁ, ଆପଣ ଯେକେହି ହୁଅନ୍ତୁ ପଛେ, ପ୍ରୀତିକୁ ମୁଁ ଖୁବ୍‌ ସ୍ନେହ କରେ । ତାକୁ ଛାଡ଼ି ଚଳିବା ମୋ ପକ୍ଷରେ କଷ୍ଟକର । ଆପଣ ଦୟାକରି ତାକୁ ମୋ ସହିତ ମୁକ୍ତିଦିଅନ୍ତୁ । ତା’ ବଦଳରେ ଯେତେ ଇଚ୍ଛା ସେତେ ଟଙ୍କା ଆପଣ ମୋଠାରୁ ନେଇପାରନ୍ତି-।’’

 

ପୁଣି ହସ ସାଙ୍ଗେ ସାଙ୍ଗେ ଶୁଣାଗଲା–

 

‘‘ପ୍ରୀତିକୁ ମୁଁ ମଧ୍ୟ ଖୁବ୍‌ ସ୍ନେହକରେ । ଆପଣ ତାକୁ ଝିଅଦୃଷ୍ଟିରେ ଦେଖନ୍ତି । ମୁଁ ତାକୁ ଭଉଣୀଦୃଷ୍ଟିରେ ଦେଖେ । ତା’ର ଏଠି କ୍ଷତିର ଭୟ ଆପଣ ମନରୁ ପୋଛିଦିଅନ୍ତୁ । ପ୍ରୀତିକୁ ଟଙ୍କା ସହିତ ମୂଲ୍ୟ କରନ୍ତୁ ନାହିଁ । ମୁଁ ଚାହିଁଲେ ଆପଣଙ୍କ ଟ୍ରେଜେରୀକୁ ଘଣ୍ଟାକମଧ୍ୟରେ ଲୁଟିନେଇପାରେ-। ମୁଁ ଆପଣଙ୍କୁ ଯେଉଁ ପରାମର୍ଶ ଦେଲି, ତାହା ପ୍ରୀତିର ଓ ଆପଣଙ୍କର ମଙ୍ଗଳପାଇଁ-। ଆପଣ ସେଟାକୁ ଭୁଲ ବୁଝନ୍ତୁନି ।’’

 

ରାଧାବଲ୍ଲଭବାବୁ ଭାବିଲେ, ଠିକ୍‌ କଥା, ଅପହରଣକାରୀର ଯଦି କିଛି ଅସତ୍‌ ଉଦ୍ଦେଶ୍ୟ ଥାନ୍ତା, ତେବେ ଇତିମଧ୍ୟରେ ସେ ତାହା ଅବଶ୍ୟ ସିଦ୍ଧ କରିନେଇ ପାରିଥାନ୍ତା । ମାତ୍ର ଏତ ସେପରି ଜଣାପଡ଼ୁ ନାହିଁ । ସେ ପୁଣି ସାହସ କରି କହିଲେ, ‘‘ଭଲ କଥା, ମୁଁ ସେଥିରେ ରାଜି । କିନ୍ତୁ ମୋର ଗୋଟିଏ କଥା ଆପଣଙ୍କୁ ରଖିବାକୁ ହେବ । ଆପଣ କିଏ, ଅନ୍ତତଃ ସେତିକି ମୋର ଜାଣିବା ଦରକାର । ଦ୍ୱିତୀୟତଃ ଆମକୁ ଏଠାକୁ ଆଣିବାର ଉଦ୍ଦେଶ୍ୟ କ’ଣ ?’’

 

କିଛି ସମୟ ନୀରବରେ କଟିଗଲା ପରେ ପୁଣି ଶୁଣାଗଲା, ‘‘ଶୁଣନ୍ତୁ, ମୁଁ ଜଣେ ନୁହେଁ । ଦୁଇ ଜଣ । ମୁଁ ଦସ୍ୟୁ ଦୀପକ, ପାଖରେ ମୋର ଭାଇ ଏବଂ ସହକାରୀ ରୂପକ ।’’

 

ନାଁଟା ଶୁଣି ରାଧାବଲ୍ଲଭବାବୁ ଆଉ ପ୍ରୀତି ଏପରି ସାଙ୍ଘାତିକ ଭାବରେ ଚମକି ପଡ଼ିଥିଲେ ଯେ, ଦୁଇଜଣଯାକ ନ ବସି ଠିଆ ହୋଇଥିଲେ, କଚାଡ଼ି ପଡ଼ିଥାନ୍ତେ କି କ’ଣ ? ଭୟରେ ରାଧାବଲ୍ଲଭବାବୁଙ୍କ କଣ୍ଠ ଶୁଖିଆସୁଥିଲା । କ’ଣ ଶୁଣୁଛନ୍ତି ସେ ? ଯେଉଁ ଦୀପକ ଆଉ ରୂପକଙ୍କ ଭୟରେ ସାରାଭାରତ ଥରହର, ପୁଞ୍ଜିପତିଙ୍କର ଧନାଗାର ଯେକୌଣସି ମୁହୂର୍ତ୍ତରେ ବିପନ୍ନ, ସେହି ଦସ୍ୟୁ ଦୀପକ, ରୂପକଙ୍କ ସାଥିରେ ସେ କଥାବାର୍ତ୍ତା ହେଉଛନ୍ତି; ପୁଣି ଏତେ ନିକଟରେ ! ତେବେ ୟା ଭିତରେ କ’ଣ ଆଉ କିଛି ରହସ୍ୟ ଲୁଚିରହିଚି ନା କ’ଣ ?

 

‘‘ଭୟ କରନ୍ତୁନି । ଦସ୍ୟୁ ଦୀପକ କେବେ କୌଣସି ନିରୀହ ନିର୍ଦ୍ଦୋଷକୁ କୌଣସି ପ୍ରକାର କଷ୍ଟ ଦିଏନି । ପ୍ରୀତିକୁ ଆତତାୟୀମାନେ ଅପହରଣକରି ନେଇଥିଲେ । ମୁଁ ତାକୁ ଉଦ୍ଧାର କରିଆଣିଚି ମାତ୍ର । ସେଟା ମୋର କର୍ତ୍ତବ୍ୟ । ଆପଣଙ୍କୁ ଦୁଶ୍ଚିନ୍ତାରୁ ମୁକ୍ତ କରିବାପାଇଁ ଏଠିକୁ ଆଣିଚି । ପ୍ରୀତିକୁ ତ ଦେଖିଲେ, ସେ ଏଠି ଭଲରେ ରହିବ । ମଝିରେ ମଝିରେ ତା’ର ଖବର ଆପଣ ପାଇବେ । କିନ୍ତୁ ମୋର ଗୋଟିଏ କଥା ଆପଣ ରଖିବେ । କଥାଟା ହେଉଚି–ଆପଣଙ୍କ କାରଖାନାର ଯାହା ଉତ୍ପାଦନ ଲାଭାଂଶ ସେଥିରୁ ଅଳ୍ପ ରଖି, ଅବଶିଷ୍ଟକୁ ଦରିଦ୍ର ଶ୍ରମିକମାନଙ୍କୁ ଦେଇଦେବେ । କ’ଣ ରାଜି ?’’

 

ରାଧାବଲ୍ଲଭବାବୁଙ୍କ ମନ କୃତଜ୍ଞତାରେ ଭରିଉଠିଥିଲା ଦସ୍ୟୁସମ୍ରାଟ ଦୀପକ ପ୍ରତି । ସେ ଆନନ୍ଦରେ ବିହ୍ୱଳହୋଇ କହିଲେ, ‘‘ରାଜି ।’’

 

‘‘ପ୍ରୀତି ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ବିଶ୍ୱାସଘାତକ ପ୍ରଶାନ୍ତ ହେଉଛି ନାରୀ ଅପହରଣକାରୀ ଦଳର ଲୋକ । ଛଳନା କରି ସେ ଏତକ କରି ଖସିଯାଇଚି । ପ୍ରୀତି ଆପଣଙ୍କ ନିକଟରେ ରହିଲେ ପୁଣି ବିପଦ ମାଡ଼ିଆସିବ । ତେଣୁ ସେ ନିର୍ଭୟରେ ମୋ ପାଖରେ ଥାଉ । ସମୟ ହେଲେ ସେ ଫେରିବ । ଆପଣ ଆଜି ଚାଲିଯାଆନ୍ତୁ ।’’

 

ରାଧାବଲ୍ଲଭବାବୁଙ୍କର ଆଉ ମନରେ ଭୟ ନ ଥିଲା । ସେ ଖୁବ୍‌ ଖୁସି ହୋଇ କହିଲେ, ‘‘ବେଶ୍‌ ! ତାହାହିଁ ହେବ ।’’

 

ଛଅ

 

ଠିକ୍ ଦଶଟା ବେଳକୁ ରାଧାବଲ୍ଲଭବାବୁଙ୍କୁ ନିର୍ଦ୍ଦେଶ ଆସିଗଲା ପ୍ରସ୍ତୁତ ହେବାପାଇଁ । ଯିବାକୁ ହେବ । ପ୍ରୀତିକୁ ଚାହିଁଲା ମାତ୍ରେ ଆଖି ତାଙ୍କର ଅଶ୍ରୁ ଛଳଛଳ ହୋଇଉଠିଲା । ପରକ୍ଷଣରେ ମନକୁ ସାନ୍ତ୍ୱନା ଦେଇ ଖୁବ୍ ଧୈର୍ଯ୍ୟଧରି ବାହାରିଗଲେ ସେ କୋଠରି ଭିତରୁ । ଅନ୍ତତଃ ଶହେ ମିଟର ଗଲାପରେ ତାଙ୍କୁ ଠିଆ ହେବାକୁ ନିର୍ଦ୍ଦେଶ ମିଳିଗଲା । ସେ ଠିଆ ହୋଇଗଲେ । ଖୁବ୍‌ ଆସ୍ତେ ତାଙ୍କ ଆଖିରେ ପଛପାଖରୁ ଗାଟାଏ ମୋଟା କଳାକନାର ପଟି ବାନ୍ଧିଦେଇ କେହି ଜଣେ କହିଲା, ‘‘କିଛି ମନେ କରିବେ ନାହିଁ ଆଜ୍ଞା, ମୋତେ ଏପରି କରିବାକୁ ନିର୍ଦ୍ଦେଶ ଅଛି ।’’

 

ରାଧାବଲ୍ଲଭବାବୁଙ୍କର ଆପତ୍ତି କରିବାର କିଛି ନ ଥିଲା । ପଟି ବନ୍ଧାସରିଲା । କେହି ଜଣେ ତାଙ୍କ ହାତଧରି ଆସ୍ତେ ଆସ୍ତେ ଚଲାଇ ଚଲାଇ କିଛି ବାଟ ନେଇଗଲା । ତା’ପରେ ଗୋଟାଏ ସମତଳ ଜାଗା ପଡ଼ିଲା । ସାଥିରେ ଆସୁଥିବା ଲୋକଟି ତାଙ୍କୁ ସେଠାରେ ଗୋଟିଏ କାର୍‌ ଉପରେ ଉଠାଇଦେଇ କହିଲା, ‘‘ଏଇ କାରରେ ବସନ୍ତୁ ଆଜ୍ଞା ! ଏଇ ଆପଣଙ୍କର କାର୍‌ ।’’

 

ରାଧାବଲ୍ଲଭବାବୁଙ୍କର ଆପତ୍ତି କରିବାର କିଛି ନ ଥିଲା । ଚୁପ୍‍ଚାପ୍‍ ବସିଲେ ଡ୍ରାଇଭର ପାଖ ସିଟରେ । କାର୍‌ ଧାଇଁଲା ଖୁବ୍‌ ସ୍ପିଡରେ । ସମତଳ ଅସମତଳ ରାସ୍ତା ବୋଲି କାର୍‌ର ଗତିରୁ ଖାଲି ଯାହା ଅନୁମାନ କରୁଥିଲେ ସେ । ବାହାରର ଦୃଶ୍ୟାବଳୀ ଦେଖିବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା । ସେଥିପାଇଁ ଚେଷ୍ଟା ମଧ୍ୟ କରି ନ ଥିଲେ ।

 

ପୂରା ଦୁଇଘଣ୍ଟା କାଳ ଏହିପରି ଗଲାପରେ କାର୍‌ ଅଟକିଲା । ଡ୍ରାଇଭର ଆସନରେ ବସିଥିବା ଅଜଣା ଲୋକଟି ଖୁବ୍‌ ନମ୍ରତାର ସହିତ ରାଧାବଲ୍ଲଭବାବୁଙ୍କୁ କହିଲା, ‘‘ମୋର କାମ ଏଇଠୁ ସରିଲା ଆଜ୍ଞା, ଆପଣ ଆପଣଙ୍କର କାର୍‌ ଏଇଠୁ ଡ୍ରାଇଭିଂ କରି ଯିବେ । କିନ୍ତୁ ବର୍ତ୍ତମାନ ଆଖିରୁ ପଟି ଖୋଲିବେ ନାହିଁ । କିଛି ସମୟ ପରେ ମୋର ବନ୍ଧୁକର ଆବାଜ ଶୁଣିଲେ ଆପଣ ପଟି ଖୋଲିଦେଇଯିବେ । ଏଥର–ବିଦାୟ, ନମସ୍ତେ ।’’

 

ପ୍ରାୟ ପାଞ୍ଚ ମିନିଟ୍‍ ଅତିବାହିତ ହୋଇଗଲା । ନିର୍ଦ୍ଦେଶ ଅନୁଯାୟୀ ରାଧାବଲ୍ଲଭବାବୁ ଚୁପ୍‌କରି ବସିରହିଲେ କାର୍‌ ଭିତରେ । ଟିକିଏ ପରେ ଦୂରରୁ ବନ୍ଧୁକର ଆବାଜ ଶୁଭିଲା । ରାଧାବଲ୍ଲଭବାବୁ ଆଖିରୁ ପଟିଟା ଟାଣି ଖୋଲିଦେଲେ । ଦେଖିଲେ–ସେ ଜାତୀୟ ରାଜପଥ ଉପରେ । ଚତୁର୍ଦ୍ଦିଗରେ ଶ୍ୟାମଳ ଶସ୍ୟକ୍ଷେତ୍ର । କେହି ନାହିଁ ଆଖପାଖରେ କିମ୍ବା ଦୃଷ୍ଟିର ସୀମା ଭିତରେ । କାର୍‌କୁ ଚାହିଁଲେ–ତାଙ୍କରି କାର୍‌ । ଭଲ ଅବସ୍ଥାରେ ଅଛି । ମନେମନେ ଦସ୍ୟୁ ଦୀପକ ଆଉ ରୂପକଙ୍କୁ ଶତ ଧନ୍ୟବାଦ ଦେବାକୁ ଲାଗିଲେ ସେ । କେବଳ ପ୍ରୀତିକୁ ଛାଡ଼ି ଆସିଛନ୍ତି ବୋଲି ମନ ତାଙ୍କର ସାମାନ୍ୟ ଦୁଃଖ ହେଉଥିଲା । ଏଥର ଘରକୁ ଫେରିଯିବାକୁ ହେବ । ରାଧାବଲ୍ଲଭବାବୁ ଚାଳକ ଆସନକୁ ଘୁଞ୍ଚିଆସି ଷ୍ଟାର୍ଟ ଦେଲେ । ପରେ ପରେ ଗାଡ଼ି ଧାଇଁଲା ଆଗକୁ ।

 

ରାଧାବଲ୍ଲଭବାବୁଙ୍କର ହଠାତ୍‌ ଅନ୍ତର୍ଦ୍ଧାନରେ ସମସ୍ତଙ୍କ ମୁଣ୍ଡରେ ବଜ୍ରପାତ ହୋଇଥିଲା ଯେପରି । ତାଙ୍କର ମାନସିକ ପରିସ୍ଥିତି ଆଦୌ ଭଲ ନ ଥିଲା । ହୁଏତ କେଉଁଠି କେତେବେଳେ ସେ କ’ଣ କରିପକାଇ ପାରନ୍ତି ! ପୁଣି କାର୍‌ଟା ନାହିଁ ! ଅନ୍ୟମନସ୍କ ହୋଇ ଯାଉଯାଉ କେଉଁଠି କିଛି ଦୁର୍ଘଟଣା ମଧ୍ୟ ଘଟିଯାଇପାରେ !

 

ଚାକର, ପୂଝାରି, ତାଙ୍କର କର୍ମଚାରୀମାନେ ତାଙ୍କୁ ଚାରିଆଡ଼େ ଖୋଜି ଖୋଜି ଥକିଗଲେ-। ବନ୍ଧୁବାନ୍ଧଙ୍କ ଘରକୁ ଫୋନ୍‌କରି ତାଙ୍କ ଖବର ନିଆଗଲା । ମାତ୍ର କେଉଁଠୁ କିଛି ନ ପାଇ ଶେଷକୁ ପୋଲିସକୁ ଖବର ଦିଆଗଲା । ରାଧାବଲ୍ଲଭବାବୁ କିଛି ସାମାନ୍ୟ ଲୋକ ନୁହନ୍ତି, କି ଉପର ମହଲରେ ଅପରିଚିତ ନୁହନ୍ତି । ତାଙ୍କୁ ଖୋଜିବାପାଇଁ ପୋଲିସ ମହଲରେ ମଧ୍ୟ ବ୍ୟାପକ ଉଦ୍ୟମ କରାଗଲା ଏବଂ ରାଜ୍ୟର ଚତୁର୍ଦ୍ଦିଗରେ ତଲାସ ବ୍ୟବସ୍ଥା କରାଗଲା ।

 

ଏଣେ ଏଡ଼େ ବିରାଟ ଆୟୋଜନ । ଏପରି ସମୟରେ ସମସ୍ତଙ୍କୁ ବିସ୍ମିତ କରି ହଠାତ୍‌ ରାଧାବଲ୍ଲଭବାବୁ ପହଞ୍ଚିଗଲେ ନିଜ ସଦର ଦରଜାରେ କାର୍ ସହିତ । ଚାକରବାକରମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇଗଲେ । କାରଣ ଏତେ ଖୋଜାଖୋଜି ବିଫଳ ହେବାଦ୍ୱାରା ସମସ୍ତେ ଭାବିଥିଲେ ଯେ, ରାଧାବଲ୍ଲଭବାବୁ କେଉଁଠି ଦୁର୍ଘଟଣାରେ ପଡ଼ି କାର୍‌ ସହିତ ଧ୍ୱଂସ ହୋଇଯାଇଛନ୍ତି । ମାତ୍ର ସମସ୍ତେ ଦେଖିଲେ–ସେ ସ୍ୱଦେହରେ ଏବଂ ସୁସ୍ଥ ଦେହରେ କାର୍‌ ସହିତ ଫେରିଆସିଛନ୍ତି । ପୁଣି ମାନସିକ ଅବସ୍ଥା ତାଙ୍କର ବେଶ୍‌ ଭଲ ଅଛି । ଯେପରି ଜଣାଯାଉଛି–ପ୍ରୀତି ବିଷୟ ସେ ମନରୁ ସମ୍ପୂର୍ଣ୍ଣ ପାଶୋରି ପକାଇଛନ୍ତି ।

 

ଏ ଯେଉଁ ଘଟଣା ଘଟିଗଲା, ୟାର ପ୍ରତିକ୍ରିୟା ଲୋକଙ୍କ ମନରେ କିପରି ସୃଷ୍ଟି ହେଇଥିବ, ସେ କଥା ଭଲଭାବରେ ରାଧାବଲ୍ଲଭବାବୁ ବୁଝିପାରିଥିଲେ । ତେଣୁ ସମସ୍ତଙ୍କର ଧାରଣା ପରିବର୍ତ୍ତନ ପାଇଁ ସେ ହସିହସି କହିଲେ, ‘‘ତୁମେମାନେ ଖୁବ୍‌ ବ୍ୟସ୍ତ ହୋଇପଡ଼ିଚ, ନୁହେଁ ? ସାରାଦିନ ପଡ଼ିରହିବା ପରେ ମୋର ମନଟା କ’ଣ ହେଲା ଯେ, ମୁଁ କାର୍‍ ନେଇ ଚାଲିଗଲି । ବାଟରେ ଜଣେ ସାଧୁଙ୍କ ସହିତ ଦେଖାହେଲା । ତାଙ୍କରି ଦୟାରୁ ମୋର ମାନସିକ ପରିବର୍ତ୍ତନ ହୋଇଚି ।’’

 

ସମସ୍ତେ ଖୁସି ହେଲେ । କିନ୍ତୁ ଏକଥା ଡ୍ରାଇଭର୍‌ ବିଶ୍ୱାସ କଲାନାହିଁ । ଗାଡ଼ିରେ ପୂରା ପେଟ୍ରୋଲ ମୋବିଲ ଅଛି । ତା’ର ମନ ଖୁବ୍‌ ସନ୍ଦେହାକୁଳ ହୋଇଉଠିଲା । ପୁଣି ପରକ୍ଷଣରେ ମନକୁ ବୁଝାଇଲା–ସାହେବ ହୁଏତ ଖରିଦ କରି ଭର୍ତ୍ତି କରିପାରିଥାନ୍ତି !

 

ସେଇଦିନ ରାଧାବଲ୍ଲଭବାବୁ କାରଖାନାକୁ ଯାଇ ମେନେଜରଙ୍କ ସହିତ କଥାବାର୍ତ୍ତା କରି ଘୋଷଣା କରିଦେଲେ ଯେ, ଆଜିଠାରୁ ଟେକ୍‌ଷ୍ଟାଇଲ ମିଲ୍‌ର ଲାଭାଂଶର ଅର୍ଦ୍ଧେକ ଶ୍ରମିକକଲ୍ୟାଣ ପାଇଁଏବଂ ଅବିଶିଷ୍ଟର ଅର୍ଦ୍ଧେକ ଶ୍ରମିକମାନଙ୍କର ବେତନ ବୃଦ୍ଧି ପାଇଁ ଦିଆଗଲା ।

 

ଆନନ୍ଦର ଉତ୍ସ ଖେଳିଗଲା କାରଖାନାରେ । ଶ୍ରମିକମାନେ ଫୁଲହାର ଦେଇ ଅଭିନନ୍ଦନ ଜଣାଇଲେ ରାଧାବଲ୍ଲଭବାବୁଙ୍କୁ ।

 

ସାତ

 

ପୁରୀ–ରାତି ସାଢ଼େ ଆଠଟାରୁ ବେଶି ହେବନି ବୋଧହୁଏ ।

 

ସମୁଦ୍ରର ନୀଳ ଜଳରାଶି ଆଜି ଉଦବେଳିତ । ଜୁଆର ଉଠିଚି । ହୁଏତ ଦୁଇଚାରି ଘଣ୍ଟା ପରେ ଭଟ୍ଟା ପଡ଼ିଯିବ । ସବୁ ପୁଣି ଶାନ୍ତ ହୋଇଯିବ । କୂଳରେ ଅଗଣିତ ଦର୍ଶକ । କେହି ସାନ୍ଧ୍ୟ ସମୀରଣ ଉପଭୋଗ କରିବା ଉଦ୍ଦେଶ୍ୟରେ, କେହି ବା ମୋକ୍ଷ କାମନା ଉଦ୍ଦେଶ୍ୟରେ, ଆଉ କେହି ପୂର୍ଣ୍ଣମୀ ତିଥିରେ ପୂର୍ଣ୍ଣଗର୍ଭା ସାଗର ସ୍ନାନ କଲେ ମନସ୍କାମନା ପୂର୍ଣ୍ଣ ହେବ–ଏଇ ଉଦ୍ଦେଶ୍ୟ ରଖି ଏତେ ଆୟୋଜନ ।

 

ରାତି କ୍ରମେ ଅଧିକରୁ ଅଧିକ ହୋଇ ଆସୁଚି । ତା’ ସଙ୍ଗେ ସଙ୍ଗେ ଲୋକଗହଳି ମଧ୍ୟ କମିଯାଇଚି । କିନ୍ତୁ ସମୁଦ୍ରର ସ୍ଫୀତ ହୃଦୟର କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିହେଉନି । ହୁଏତ ଆହୁରି ଘଣ୍ଟେ, ଦୁଇଘଣ୍ଟା ଏଇପରି ରହିପାରେ । ସମୟ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଜୁଆରର ପ୍ରଭାବ ରହିଥାଏ । ଯାହାହେଉ ପଛେ, ସକାଳକୁ ସବୁ ଶାନ୍ତ ହୋଇଯାଇଥାଏ ।

 

ପୁରୀ ସହରଠାରୁ ପ୍ରାୟ ଏକ କି.ମି: ଦୂରରେ ଗୋଟିଏ ନିର୍ଜନ ବାଲି ପ୍ରାନ୍ତର ଲମ୍ବିଯାଇଚି ବହୁ ଦୂର ପର୍ଯ୍ୟନ୍ତ । ପ୍ରାନ୍ତର ସୀମାରେ ଝାଉଁଗଛ, ଅଦୂରରେ ସମୁଦ୍ର । ସମୁଦ୍ରର ‘ଘୁ ଘୁ’ ଶବ୍ଦ ସାଙ୍ଗକୁ ଝାଉଁଗଛର ‘ସିନ୍‌ ସିନ୍’ ଶବ୍ଦ ମିଶି ଏକ ଅପୂର୍ବ ଶବ୍ଦର ସୃଷ୍ଟି କରୁଚି । ସମୁଦାୟ ବାଲି ପ୍ରାନ୍ତରଟି ଚନ୍ଦ୍ରାଲୋକରେ ଆଲୋକିତ । ଝାଉଁଗଛ ଉହାଡ଼ରେ ଚନ୍ଦ୍ର ମୁହଁ ଲୁଚାଇଲେଣି ସେତେବେଳକୁ, ସମୁଦ୍ରକୂଳ ପ୍ରାୟ ନିର୍ଜନ ହୋଇଗଲାଣି । ଏଠାରେ ଯେଉଁ ସ୍ଥାନର କଥା କୁହାଯାଉଚି, ସେ ସ୍ଥାନଟା ସମ୍ପୂର୍ଣ୍ଣ ନିର୍ଜନ । ସହରର ନିକଟବର୍ତ୍ତୀ ଉପକୂଳ ଛାଡ଼ି ଏତେ ଦୂରକୁ କେହି ଭ୍ରମଣକାରୀ ପ୍ରାୟ ଆସନ୍ତି ନାହିଁ । ମାତ୍ର ପ୍ରେମିକପ୍ରେମିକାଙ୍କ ନିଭୃତ ବିହାର ପାଇଁ ସ୍ଥାନଟି ନିରାପଦ ଏବଂ ପ୍ରଶସ୍ତ ।

 

ରାତି ବାରଟା ହେଲାଣି ସେତେବେଳକୁ । ସେହି ନିର୍ଜନ ପ୍ରାନ୍ତରର ଗୋଟିଏ ପାଖରେ ଝାଉଁଗଛର ଛାଇ ଅନ୍ତରାଳରେ ବସିଥିଲେ ଜଣେ ଯୁବକ ଆଉ ଜଣେ ଯୁବତୀ । ଯୁବକଟି କୋଳରେ ମୁଣ୍ଡ ରଖି ଯୁବତୀ ଚେଇଁ ଶୋଇଥିଲା । ଯୁବକଟି ଯୁବତୀର ଗୋଟିଏ ହାତ ଧରିଥିଲା । ଉଭୟେ ଥିଲେ ନୀରବ, ଭାବବିହ୍ୱଳ । ଦୀର୍ଘ ସମୟ ପରେ ନୀରବତା ଭଙ୍ଗ କରି ଯୁବକ ଖୁବ୍‌ କୋମଳ କଣ୍ଠରେ ଡାକିଲେ, ‘‘ସରିତା ।’’

 

‘‘ଉଁ ।’’

 

‘‘ତୁମେ ମୋତେ ଭଲ ପାଅ ?’’

 

‘‘ଖୁବ୍‌ ।’’

 

‘‘ଚାଲ, ଆମେ ଏଠା ଛାଡ଼ି ଚାଲିଯିବା ।’’

 

‘‘କୁଆଡ଼େ ?’’ ଯୁବତୀଟି ଚମକିପଡ଼ି କହିଲା ।

 

‘‘ଚାଲିଯିବା ବହୁତ ଦୂରକୁ, ଯେଉଁଠି ସାମାଜିକ କଠୋରତା କି ଅବାଧ ମିଳାମିଶାରେ ପ୍ରତିବନ୍ଧକ କିଛି ନ ଥିବ ।’’

 

ଯୁବତୀଟି ଖଳଖଳ ହସି ଉଠିପଡ଼ିଲା । ଯୁବକର ଗଳାରେ ତା’ର କୋମଳ ହାତ ଦୁଇଟି ବେଢ଼ାଇ ଦେଇ କହିଲା, ‘‘ଏଠି ବାପା, ମାଆଙ୍କୁ ଛାଡ଼ି କୁଆଡ଼େ ଯିବି କୁମାର ? ତୁମେ ତୁମର ବାପା, ମା, ଭାଇଙ୍କର ମମତା ଏଡ଼ିଦେଇ ପାରିବ ?’’

 

‘‘ସବୁଦିନ ପାଇଁ ଏଡ଼ିଦେବାକୁ ମୁଁ କହୁନାହିଁ ସରିତା ! ଆଜି ହୁଏତ ତୁମର ମୋର ବିବାହ ପ୍ରସଙ୍ଗ ଉତ୍‌ଥାପନ କଲେ ତୁମର ବାପା ନାନା ବାଧା ସୃଷ୍ଟି କରିପାରନ୍ତି । କାରଣ ବାପା ତୁମର ଜଜ୍ । ମୁଁ ସାମାନ୍ୟ ଏମ୍‌.ଏ. ଯୋଗ୍ୟତାଧାରୀ ପାତ୍ର । ତୁମର ବଂଶର ଆଭିଜାତ୍ୟ ଅଛି, ମୋର ନାହିଁ । ମୋର ବିଶ୍ୱବିଦ୍ୟାଳୟ ଯୋଗ୍ୟତା ଉପରେ କେବଳ ନିର୍ଭର କରି ସେ ହୁଏତ ତୁମକୁ ମୋ ସହିତ ଛନ୍ଦିଦେବାକୁ କୁଣ୍ଠିତ ହୋଇପାରନ୍ତି ।’’

 

‘‘କ’ଣ ତୁମେ କହୁଚ ତେବେ ?’’ ସରିତା ମୁହଁ ଟେକି ପଚାରିଲା କୁମାରକୁ ।

 

କୁମାର ସରିତାକୁ ନିଜର ଖୁବ୍‌ ନିକଟକୁ ଭିଡ଼ିନେଇ କହିଲା, ‘‘ମୁଁ କହୁଥିଲି କି, ଆମେ ଚାରି ଛଅ ମାସ ପାଇଁ ଏଠୁ ଅନ୍ତର୍ଦ୍ଧାନ ହୋଇଯାଆନ୍ତେ । ପରେ ହଠାତ୍‌ ଦିନେ ଆସି ପହଞ୍ଚିଯାନ୍ତେ । ଏ ଭାବରେ ନୁହେଁ, ଅନ୍ୟ ଭାବରେ ।’’

 

କଥାଟା ବୁଝିପାରି ସରିତା ହସି ହସି କହିଲା, ‘‘ମୁଁ ରାଜି । ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ କୁମାର । ତୁମେ ଯାହା ଯେମିତି କରିବାକୁ କହିବ, ମୁଁ ରାଜି ।’’

 

‘‘ତା’ ମୁଁ ଜାଣେ ।’’ କୁମାର ନିବିଡ଼ ଭାବରେ ଟାଣିନେଲା ସରିତାକୁ ନିଜଆଡ଼କୁ ।

 

ଚନ୍ଦ୍ର ଝାଉଁଗଛ ଗହଳରେ ଲୁଚିଲେଣି ସେତେବେଳକୁ ।

 

ସ୍ୱନାମଧନ୍ୟ ଜଜ୍‌ ଯାମିନୀକାନ୍ତ ମହାପାତ୍ରଙ୍କ କନ୍ୟା ସରିତା । ସରିତା ତାଙ୍କର ଏକମାତ୍ର ସନ୍ତାନ ନୁହେଁ । ଆଉ ଗୋଟିଏ ପୁଅ ମଧ୍ୟ ଅଛି । ସେ ବଡ଼ । ତା’ ନାଁ ରଜନୀକାନ୍ତ । ବର୍ତ୍ତମାନ ବିଲାତରେ ବାରଅଟ୍‌-ଲ ପଢ଼ୁଛି । ସାତ ଆଠ ମାସ ପରେ ଶିକ୍ଷା ଶେଷ କରି ସେ ହୁଏତ ଭାରତକୁ ଫେରିବ, ଆଉ ବ୍ୟବସାୟ କରିବ । ତେଣିକି ମି. ମହାପାତ୍ରଙ୍କ ବଂଶ ଆହୁରି ପ୍ରତିଷ୍ଠିତ ହୋଇଯିବ । ଏ ସ୍ୱପ୍ନ ବହୁଦିନ ଧରି ଦେଖିଛନ୍ତି ଯାମିନୀବାବୁ ।

 

ସ୍ତ୍ରୀଶିକ୍ଷା ଦିଗରେ ସପକ୍ଷ ମତ ଯାମିନୀବାବୁଙ୍କର । ସେଥିପାଇଁ ଝିଅକୁ ସେ ସ୍ୱାଧୀନଭାବରେ ଛାଡ଼ିଦେଇଚନ୍ତି କଲେଜରେ । ନିଜର ପସନ୍ଦ, ରୁଚି ଅନୁଯାୟୀ ସରିତା ଯାହା କରେ, ତାକୁ ଅନୁମୋଦନ କରନ୍ତି ଯାମିନୀବାବୁ । ଝିଅକୁ ମଧ୍ୟ ବିଲାତ, ଆମେରିକା ପଠାଇ ଶିକ୍ଷିତା କରାଇବାକୁ ତାଙ୍କର ଇଚ୍ଛା ।

 

ଏସବୁ କିନ୍ତୁ ସ୍ତ୍ରୀ ପ୍ରଭାମୟୀ ଦେବୀ ପସନ୍ଦ କରନ୍ତି ନାହିଁ । ସେ ଚାହାନ୍ତି–ସ୍ତ୍ରୀ ଶିକ୍ଷିତା ହେଉ; ଉପଯୁକ୍ତ ବୟସରେ ଘରସଂସାର କରୁ । ସେଥିପାଇଁ ସରିତାକୁ ସେ ବହୁବାର ବୁଝାଇଛନ୍ତି । କିନ୍ତୁ ସରିତା–ସେସବୁ ବୁଝିବାର ବାହାରେ ଥିଲା । ସେଥିପାଇଁ କମ୍‌ ଆହାତାହୋଇ ନ ଥିଲେ ପ୍ରଭାମୟୀ ଦେବୀ ।

 

ବଡ଼ ଆକସ୍ମିକ ଭାବରେ କୁମାର ସହିତ ସାକ୍ଷାତ ହୋଇଥିଲା ସରିତାର । ମାନ୍ଦ୍ରାଜର କେଉଁ ଏକ ଉତ୍କଳୀୟ ପରିବାରର ସନ୍ତାନ କୁମାର । ଏମ୍‌.ଏ. ପାସ୍‌ ପରେ ବୁଲିଆସିଥିଲା ପୁରୀକୁ-। ଏକ ମଧୁର ସନ୍ଧ୍ୟାରେ ସମୁଦ୍ରକୂଳରେ ଉଭୟଙ୍କର ଦେଖା, ପ୍ରଥମେ ପରିଚୟ, ତା’ପରେ କଥୋପକଥନ, ଘନିଷ୍ଠତା, ଶେଷକୁ ପ୍ରେମ । ବର୍ତ୍ତମାନ ଉଭୟଙ୍କର ପ୍ରେମ ସୀମା ଅତିକ୍ରମ କରିଥିଲା । ଉଭୟେ ଚାହୁଁଥିଲେ ବୈବାହିକ ସୂତ୍ରରେ ଆବଦ୍ଧ ହୋଇଯିବାକୁ । ମାତ୍ର ପ୍ରତିବନ୍ଧକ ଥିଲେ ଯାମିନୀବାବୁ । ସରିତା କଲେଜର ଛାତ୍ରୀ । ଶିକ୍ଷାର ଆରମ୍ଭ ମାତ୍ର । ଏତେ ଶୀଘ୍ର ଏବଂ କୁମାର ପରି ଏକ ସାମାନ୍ୟ ଧନବାନ୍‌ ପାତ୍ର ହାତରେ ସରିତାକୁ ଦେବାପାଇଁ ତାଙ୍କର ଆଗ୍ରହ ନ ଥିଲା । ସେଥିପାଇଁ କୁମାର ସହିତ ସରିତାର ଏତେଟା ମିଳାମିଶା ପ୍ରତି ତାଙ୍କର ଭଲ ଦୃଷ୍ଟି ନ ଥିଲା-। ସରିତାକୁ ସେ ସିଧାସଳଖ ନିଜର ମତାମତ ଜଣାଇ ନ ଥିଲେ ସୁଦ୍ଧା ତାଙ୍କର ପରୋକ୍ଷ ଇଙ୍ଗିତରୁ ସ୍ପଷ୍ଟ ଧାରଣା କରିପାରିଥିଲା କୁମାର । ସେ ଯାମିନୀବାବୁଙ୍କର ଘରକୁ ନ ଆସି ସମୁଦ୍ରକୂଳର ନିର୍ଜନ ପ୍ରାନ୍ତରରେ ଅପେକ୍ଷା କରୁଥିଲା ସରିତାକୁ । ସରିତା ମଧ୍ୟ ଖୁବ୍‌ ଗୋପନରେ ଘରୁ ବାହାରିଯାଇ ତାକୁ ସାକ୍ଷାତ କରୁଥିଲା ଏବଂ ବହୁତ ରାତିରେ ଘରକୁ ଗୋପନରେ ଫେରି ଆସୁଥିଲା-। ଏକଥା ଥିଲା ସମସ୍ତଙ୍କର ଅଜ୍ଞାତ ।

 

କିନ୍ତୁ କୁମାର ଆଉ ସରିତା ବହୁଦୂର ଆଗେଇ ଯାଇଥିଲେ ।

 

ଆଠ

 

ଜଗତ ସୁପ୍ତ । ବର୍ଷାଋତୁ ଶେଷ ହୋଇଗଲାଣି । ପାହାନ୍ତିଆ ଶୀତ ଟିକିଏ ଲାଗିଲାଣି । ଯେ ଯୁଆଡ଼େ ନିଦରେ ଅଚେତ । ରାତି ଆସି ଦୁଇଟା ବାଜିବା ଉପରେ । ରାସ୍ତାରେ ବୁଲା କୁକୁର କେଇଟା ଭୋ ଭୋ ରଡ଼ି ଛାଡ଼ିଛନ୍ତି । ଇଲେକ୍‌ଟ୍ରିକ୍‌ ଲାଇଟ୍‌ କେତୋଟି ଜକ୍‌ ଜକ୍‌ କରୁଚନ୍ତି ସେଇ ଅନ୍ଧକାର ଭିତରେ ।

 

ଦୂରରେ ଗଛପତ୍ରର ମଥା ଛୁଇଁ ଘେରିରହିଚି ଧୂଆଁଳିଆ କୁହୁଡ଼ି । ତାରି ତଳେ ଲୁଚିଯାଇଚି କେତେ ଗାଁ ଗଣ୍ଡା, ବିଲ ତୋଟା, ନଈ ନାଳ । ଦିନବେଳର ସେ ସୁନ୍ଦର ଦୃଶ୍ୟରାଜି ଆଜି ଲୁଚିଯାଇଚି ପାଉଁଶିଆ କୁହୁଡ଼ିର ପରଦା ତଳେ ।

 

ସହରର ଶେଷାଶେଷି ଗୋଟିଏ ବିରାଟ ତ୍ରିତଳ ପ୍ରାସାଦ । ତାରି ଶେଷ ମହଲାର ଉପର ଛାତରେ ଗୋଟାଏ ଲୋମହର୍ଷଣକାରୀ ବ୍ୟାପାର ଚାଲିଥିଲା । ସେଇଠି କାତର ଏବଂ ଆତୁର ଭାବରେ ଗୋଟାଏ ଆର୍ମଚେୟାର ଉପରେ ବସିଥିଲେ କିଶୋରଚନ୍ଦ୍ର ଦେବ । ତାଙ୍କ ଆଗରେ ଠିଆ ହୋଇଥିଲେ ତିନି ଜଣ ଦୁର୍ଦ୍ଦାନ୍ତ ଦସ୍ୟୁ, ସମସ୍ତଙ୍କ ଦେହ ଗାଢ଼ କଳାପୋଷାକରେ ଆବୃତ । ପ୍ରତ୍ୟେକର ହାତରେ ଥିଲା ରିଭଲଭର୍, କିଶୋରଚନ୍ଦ୍ର ଦେବଙ୍କ ଆଡ଼କୁ ମୁହଁକରି ।

 

କିଶୋରଚନ୍ଦ୍ର ଦେବ ନିତାନ୍ତ ନିରୁପାୟ ଅବସ୍ଥାରେ ବସିଥିଲେ । ତାଙ୍କର ଅବସ୍ଥା ଦେଖିଲେ ଯେ କେହି ଲୋକର ଅନ୍ତର ଦୟାରେ ବିଗଳିତ ହୋଇପଡ଼ିବ; କିନ୍ତୁ ଦସ୍ୟୁର ହୃଦୟ ଗଢ଼ା ଭିନ୍ନ ଉପାଦାନରେ । ସେଠି ଦୟାମାୟାର ପ୍ରଶ୍ନ କାହିଁ ? ଆଖି ତାଙ୍କର ଲୁହରେ ଛଳଛଳ ହୋଇଉଠିଥିଲା । ସେ ନିତାନ୍ତ ବିନୀତ କଣ୍ଠରେ ହାତଯୋଡ଼ି କହୁଥିଲେ, ‘‘ମୁଁ ତୁମକୁ ହାତ ଯୋଡ଼ୁଚି-। ହୀରାମୁଦି କିମ୍ବା ନନ୍ଦିନୀ ଛଡ଼ା ତୁମେ ଆଉ ଯାହା କିଛି ମାଗିପାର, ମୁଁ ବର୍ତ୍ତମାନ ଦେବାକୁ ପ୍ରସ୍ତୁତ ଅଛି । ଏପରିକି ମୋର ସମୁଦାୟ ବ୍ୟାଙ୍କ ବାଲାନସ ମଧ୍ୟ ଦେଇ ଦେଇପାରେ । କିନ୍ତୁ ତୁମେ ମୋତେ ସେଥିରୁ ମାଫ୍‌ କର ।’’

 

ହିଃ ହିଃ ହୋଇ ହସିଉଠିଲା ଅପେକ୍ଷାକୃତ ଦୀର୍ଘାକୃତିବିଶିଷ୍ଟ ଲୋକଟି । ରାତିର ଭୟାବହତା ସାଙ୍ଗକୁ ତା’ର ହସ ଆହୁରି ଭୀଷଣ କରିଥିଲା ନୈଶ ବାତାବରଣକୁ ।

 

‘‘ମୋର ଦୁଇଟାଯାକ ଦରକାର, କିଶୋରଦେବ । ନନ୍ଦିନୀ ଆଉ ତା’ ସାଥିରେ ଯୌତୁକସ୍ୱରୂପ ହୀରାମୁଦି । ତୁମକୁ ଦେବାକୁ ହେବ । ନଚେତ୍‌ ତାକୁ ନେବାର ଉପାୟ ମୋତେ ଜଣା; ମାତ୍ର ପାଞ୍ଚ ମନିଟ୍‌ ସମୟ ଦେଲି, ନିଜର କର୍ତ୍ତବ୍ୟ ସ୍ଥିର କର ।’’

 

କିଶୋରଚନ୍ଦ୍ରଦେବ ବୃଦ୍ଧ ହେଲେହେଁ ଦେହରେ ତାଙ୍କର ରକ୍ତ ଟକମକହୋଇ ଫୁଟିଉଠୁଥିଲା । ସେ ଭାବୁଥିଲେ, ‘‘ଏଇ ମୁହୂର୍ତ୍ତରେ ଏ ତିନିଟାଙ୍କର ମୁଣ୍ଡ ଉଡ଼ାଇ ଦିଅନ୍ତେ ଯଦି ଖଣ୍ଡିଏ ରିଭଲଭର୍‌ ହାତରେ ଥାଆନ୍ତା । କିନ୍ତୁ ହାୟ ! ସେ ନାଚାର । ବଡ଼ ସାଙ୍ଘାତିକ ଭାବରେ ପ୍ରତାରିତ ହୋଇଯାଇଚନ୍ତି ସେ । ବର୍ତ୍ତମାନ ଚିନ୍ତା କଲେ ସୁଦ୍ଧା ଉପାୟ ନାହିଁ । ତା’ ନ ହେଲେ ସାମାନ୍ୟ ଦସ୍ୟୁ ଆଜି ତାଙ୍କ ଆଗରେ ଆସ୍ଫାଳନ କରି କଥା କହୁଥାନ୍ତା !’’

 

‘‘ଦୁଇ ମିନିଟ୍‍ ଅତିକ୍ରମ କରିଗଲା ରାଜାସାହେବ ! ଆଉ ତିନି ମିନିଟ୍‍ ମାତ୍ର ବାକି । ହାଃ-! ହାଃ ! ହାଃ ! କ’ଣ ଏତେ ଭାବୁଚନ୍ତି ରାଜାସାହେବ ? ସୁନ୍ଦରୀ ନନ୍ଦିନୀକୁ କୌଣସି ଏକ ରାଜ୍ୟହୀନ ରାଜପୁତ୍ରକୁ ବିବାହ ଦିଅନ୍ତେ, ଏୟା ତ; କିନ୍ତୁ ମୋ ହାତରେ ତାକୁ ସମର୍ପଣ କଲେ ସେ ହେବ ଦସ୍ୟୁସମ୍ରାଟ ମହିନ୍ଦର ସିଂର ପତ୍ନୀ । ଅଖଣ୍ଡ ଐଶ୍ୱର୍ଯ୍ୟର ଅଧିଶ୍ୱରୀ । ଚିନ୍ତା କାହିଁକି କରୁଚନ୍ତି ରାଜାସାହେବ, ସ୍ୱୀକାର କରନ୍ତୁ । ଆଗାମୀ ଶୁଭଲଗ୍ନରେ ଶୁଭକାର୍ଯ୍ୟ ଅନୁଷ୍ଠିତ ହେଉ ।’’

 

‘‘ଓଃ ! ଆଉ ବିଷ ଅଜାଡ଼ିଦିଅନା ମୋ କାନରେ ।’’ କ୍ଷିପ୍ରଙ୍କ ପରି ଉଠି ଠିଆହୋଇ ପଡ଼ୁଥିଲେ କିଶୋରଚନ୍ଦ୍ରଦେବ; କିନ୍ତୁ ଜଣେ ଦସ୍ୟୁର ପ୍ରଚଣ୍ଡ ଧକ୍‌କାରେ ପୁଣି କଚାଡ଼ି ପଡ଼ିଲେ ସେଇ ଆର୍ମଚେୟାର ଉପରେ । ଯନ୍ତ୍ରଣାରେ ଏକ ଅସ୍ଫୁଟ ଚିତ୍କାର ବାହାରିପଡ଼ିଲା ତାଙ୍କ ମୁହଁରୁ । ଏପରି ଅବସ୍ଥା ତାଙ୍କର ଦେଖି ଦସ୍ୟୁ ତିନିଟା ଚିତ୍କାର କରି ହସିଉଠିଲେ । ସେମାନଙ୍କର ହସ ଦେଖି ଝରଝର କରି କାନ୍ଦିପକାଇଲେ କିଶୋରଚନ୍ଦ୍ର ଦେବ ।

 

‘‘ଆଉ ଦୁଇ ମିନିଟ୍‍’’–

 

‘‘ମୋର କଥା ଅବଶ୍ୟ ମୁଁ ପୂରଣ କରିବି ରାଜାସାହେବ । ଆପଣଙ୍କର କୌଣସି ପ୍ରାର୍ଥନା ମୁଁ ପୂରଣ କରିବାକୁ ଅକ୍ଷମ । ମୋର ଯାହା ଦାବି, ତାହା ଅବଶ୍ୟ ମୁଁ ହାସଲ କରିନେବି । କଳେ, ବଳେ, କୌଶଳେ, ଯେପରି ହେଉ । ସଂସାରରେ କୌଣସି ଶକ୍ତି ତା’ର ପ୍ରତିରୋଧ କରିପାରିବ ନାହିଁ । ମୋ ପ୍ରସ୍ତାବରେ ଆପଣ ସମ୍ମତ ହୋଇଗଲେ ବଳ ପ୍ରୟୋଗ ଆବଶ୍ୟକ ପଡ଼ନ୍ତା ନାହିଁ । ଧନ, ମାନ, ପ୍ରତିପତ୍ତି, କେଉଁଥିରେ ହେଲେ ମୋର ଅଭାବ ନାହିଁ । ଶେଷଥର ପାଇଁ ଆପଣଙ୍କୁ ଭାବିବାକୁ ସୁଯୋଗ ଦେଲି ।’’

 

ଦସ୍ୟୁ ମହିନ୍ଦର ସିଂର ଏକଥାଗୁଡ଼ା ତାତିଲା ଛୁରି ପରି ବିଦ୍ଧ ହେଉଥିଲା ରାଜାସାହେବଙ୍କ ଦେହରେ । ରାଗରେ, ଦୁଃଖରେ ଦେହ ତାଙ୍କର ଫୁଲିଉଠୁଥିଲା । ସେ ଗର୍ଜିଉଠି କହିଲେ, ‘‘କିଶୋରଚନ୍ଦ୍ର ଦେବ ଜୀବିତ ଥାଉ ଥାଉ ତା’ କରାଇଦେବ ନାହିଁ କୁକୁର । ନନ୍ଦିନୀକୁ କଦାପି ବିବାହ କରିପାରିବୁ ନାହିଁ ତୁ । ତୋର ପତନ ଆସନ୍ନ । ତୋର ସମସ୍ତ ଶକ୍ତି ଦେଇ ମଧ୍ୟ ତୁ ପତନରୁ ନିଜକୁ ରକ୍ଷା କରିପାରିବୁ ନାହିଁ ।’’

 

କିଶୋରଚନ୍ଦ୍ର ଦେବ ଆଉ କ’ଣ କହିଆସୁଥିଲେ; କିନ୍ତୁ ଦସ୍ୟୁ ମହିନ୍ଦର ସିଂ ଏପରି ବିକଟ ଭାବରେ ହସିଉଠିଲା ଯେ, ସେ ହସରେ ତାଙ୍କର ହୃତ୍‌ପିଣ୍ଡ ବନ୍ଦ ହୋଇଗଲାପରି ଜଣାଗଲା-। ମହିନ୍ଦର ସିଂ ବଡ଼ ତାଚ୍ଛଲ୍ୟ ଭାବରେ ଦୃଷ୍ଟି ପକାଇ କ’ଣ ଇଙ୍ଗିତ କଲା ପାଖ ଦସ୍ୟୁକୁ-। ସେ ଜଣକ ଚାଲିଗଲା । ତା’ର ଟିକିଏ ପରେ ପାଖ କୋଠରିରୁ ନାରୀକଣ୍ଠର ଚିତ୍କାର ଶୁଣାଗଲା ।

 

କିଶୋରଚନ୍ଦ୍ର ଦେବ ଚିତ୍କାର କରିଉଠିଲେ, ‘‘ବନ୍ଦ କର । ନନ୍ଦିନୀକୁ ମୁଁ ଛାଡ଼ିଦେବି ନାହିଁ । ନେ, ଏ ହୀରାମୁଦି; କିନ୍ତୁ ନନ୍ଦିନୀକୁ ମୁଁ ତୋତେ ଭିକ୍ଷା ମାଗୁଛି ।’’ କହିବା ସଙ୍ଗେ ସଙ୍ଗେ ହୀରାମୁଦିଟା ଆଙ୍ଗୁଳିରୁ କାଢ଼ି ଦସ୍ୟୁ ଆଡ଼କୁ ଫିଙ୍ଗିଦେଇ ହାତ ଯୋଡ଼ିଲେ କିଶୋରଚନ୍ଦ୍ର ଦେବ ।

 

‘‘ଛାଡ଼ିଦିଅ ମୋତେ ! ଓ ! କୁକୁର, ଛାଡ୍‍ ମୋତେ’’–କହି କହି ରାଜାସାହେବଙ୍କ କୋଠରି ଆଡ଼କୁ ଧାଇଁ ଆସୁଥିଲେ କିଶୋରଚନ୍ଦ୍ର ଦେବଙ୍କର କନ୍ୟା ରାଜକୁମାରୀ ନନ୍ଦିନୀଦେବୀ ।

 

ଗୋଟାଏ ଦସ୍ୟୁ ତାଙ୍କର ଗୋଟାଏ ହାତ ଧରିଥିଲା । ପାଗଳୀପରି ନନ୍ଦିନୀ ଦେବୀ ଧାଇଁଆସି ସେହି କୋଠରିରେ ପହଞ୍ଚିଗଲେ । ସେଠାରେ ଯେଉଁ ଦୃଶ୍ୟ ସେ ଦେଖିଲେ–ସେଥିରେ ତାଙ୍କର ଚକ୍ଷୁ ବିସ୍ଫାରିତ ହୋଇଗଲା । ‘ବାପା’ ବୋଲି ଚିତ୍କାର କରି ପଡ଼ିଯାଉଥିଲେ; କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସମ୍ଭାଳିନେଲେ ।

 

ନନ୍ଦିନୀ, ସୁପ୍ତା ଅବସ୍ଥାରୁ ଉଠାହୋଇ ଆସଚି ଜବରଦସ୍ତି । ଲୁଗାପଟା ଅସଂଯତ, କେଶ ଅବିନ୍ୟସ୍ତ ଆଖିରୁ ଲୁହର ଧାରା ବନ୍ୟାପରି ବହିଯାଉଚି । କିଶୋରଚନ୍ଦ୍ର ଦେବ ଅନୁଭବ କଲେ, ତାଙ୍କ କଲିଜାଟା ଯେପରି ଛିଣ୍ଡାଇ ଦେଉଚି କିଏ ।

 

ମହିନ୍ଦର ସିଂ ହସି ହସି ରିଭଲଭର୍‌ ହଲାଇ କହିଲା, ‘‘ହୀରାମୁଦି ଆପଣ ଦେଇଦେଇଚନ୍ତି । ଦାନ ନୁହେଁ–ଯୌତୁକ । ନନ୍ଦିନୀ ଦେବୀ ପାଖରେ । ସମୟ ବି ହୋଇଯାଇଚି । ମୋର କଥା ଅବଶ୍ୟ ମୁଁ ପୂରଣ କରିବି, ବିଦାୟ ।’’

 

‘‘ଅସମ୍ଭବ’’–ଏକ ଲମ୍ଫରେ କାନ୍ଥରେ ଝୁଲୁଥିବା ତରବାରିଟାକୁ ଟାଣିଆଣି ଚିତ୍କାର କରିଉଠିଲେ ରାଜାସାହେବ । ଆଖିରୁ ତାଙ୍କର ନିଆଁ ବାହାରିପଡ଼ୁଥିଲା ଯେପରି ।

 

ଠିକ୍‌ ସେଇ ମୁହୂର୍ତ୍ତରେ ମହିନ୍ଦର ସିଂର ହାତର ରିଭଲଭର୍‌ ଗର୍ଜି ଉଠିଲା–‘ଗୁଡ଼ୁମ୍‌’ । କିଶୋରଚନ୍ଦ୍ରଦେବ ଚିତ୍କାରକରି ଟଳିପଡ଼ିଲେ ଚଟାଣ ଉପରେ । ତରବାରିଟା ଛିଟିକି ପଡ଼ିଲା ଖଣ୍ଡେ ଦୂରରେ ।

 

ନନ୍ଦିନୀ ଦେବୀ ଆର୍ତ୍ତନାଦ କରିଉଠିଲେ । ହୁଏତ ଏପରି ଏକ ଅସ୍ୱାଭାବିକ ଦୃଶ୍ୟ ଦେଖିବାକୁ ସେ କଳ୍ପନା କରି ନ ଥିଲେ । ତାଙ୍କ ଚିତ୍କାର କ୍ରମେ କ୍ଷୀଣ ହୋଇଆସିଲା । ସେ ଝୁଙ୍କି ପଡ଼ୁ ପଡ଼ୁ ଜଣେ ଦସ୍ୟୁ ତାଙ୍କୁ ଧରିନେଲା ।

 

ଇଙ୍ଗିତମାତ୍ରେ ଦସ୍ୟୁ ଦଳ ଅନ୍ତର୍ଦ୍ଧାନ ହୋଇଗଲେ ସେଠୁ । ତା’ପରେ ସବୁ ନୀରବ ।

 

ସମସ୍ତଙ୍କ ଅଲକ୍ଷ୍ୟରେ ଯୋଡ଼ାଏ ଆଖି ଏ ନାଟକୀୟ ଦୃଶ୍ୟ ଦେଖୁଥିଲା ଅନ୍ତରାଳରେ ।

 

ନୀରବତାର ପୂର୍ଣ୍ଣରାଜୁତି ବିରାଜମାନ କରୁଥିଲା ପୂର୍ବପରି ।

 

ରାସ୍ତା ଉପରେ ବୁଲା କୁତୀ କେତେଟା ଚିତ୍କାର କରୁଥିଲେ ।

 

ନଅ

 

ରାଜା କିଶୋରଚନ୍ଦ୍ର ଦେବଙ୍କର ଦେହ ଅସାଡ଼ ଭାବରେ ପଡ଼ି ରହିଥିଲା ପଲଙ୍କ ଉପରେ-। ଅମ୍ଳଜାନର ନଳୀ ଦୁଇଟା ଲାଗିଥିଲା ନାକପୁଡ଼ାରେ । ତାଙ୍କର ଘରୋଇ ଡାକ୍ତର ଛାତିରେ ଷ୍ଟେଥେସ୍କୋପ୍‌ଟା ଦେଇ ଦେଖୁଥିଲେ । ପଲଙ୍କର ଗୋଟିଏ ପଟରେ ଠିଆ ହୋଇଥିଲେ ରାଜାସାହେବଙ୍କର ମ୍ୟାନେଜର ଏବଂ ଅନ୍ୟ ପଟରେ ବିଖ୍ୟାତ ଡିଟେକ୍‌ଟିଭ ଉମାଶଙ୍କରବାବୁ, ଆଉ ପୋଲିସ ଏସ୍‌.ପି. ଜଣେ ସବ୍‌ଇନ୍‌ସ୍ପେକଟର ଆଦେଶ ଅପେକ୍ଷାରେ ଠିଆହୋଇ ରହିଥିଲେ-। ଡାକ୍ତରବାବୁ ଷ୍ଟେଥେସ୍କୋପ୍‌ଟା କାନରୁ ବାହାର କରିଦେଇ ଏସ୍‌.ପି.ଙ୍କ ଆଡ଼କୁ ଚାହିଁ କହିଲେ, ‘‘ଅବସ୍ଥା ଏପର୍ଯ୍ୟନ୍ତ ଉଦବେଗଜନକ ରହିଚି । ଆଉ ଚାରିଘଣ୍ଟା ବିତି ନ ଯିବା ପର୍ଯ୍ୟନ୍ତ କିଛି କହିହେଉ ନାହିଁ । ମୋର ସନ୍ଦେହ ମଧ୍ୟ ରହିଚି ଏଥିରେ । ଭଗବାନଙ୍କ ଦୟାରୁ ସେପରି କିଛି ନ ଘଟୁ ।’’

 

‘‘ମୁଁ ଭାବୁଚି, ସ୍ପେଶାଲିଷ୍ଟ ଡକ୍ଟର ରାୟଙ୍କୁ ଡକାଇଲେ ଭଲ ହୁଅନ୍ତା ।’’ ଚିନ୍ତିତ ହୋଇ ଏସ୍‌.ପି. ସାହେବ କହିବା ସଙ୍ଗେ ସଙ୍ଗେ ଚାହିଁଲେ ଡାକ୍ତରଙ୍କ ଆଡ଼କୁ ।

 

‘‘ମୋର କିଛି ଆପତ୍ତି ନାହିଁ ସେଥିରେ । ବରଂ ଭଲ ଆଡ୍‌ଭାଇସ୍‌ ଦରକାର ବୋଲି ମୁଁ ମନେକରେ ।’’ ରାଜାସାହେବଙ୍କ ପ୍ରାଇଭେଟ୍‌ ଡାକ୍ତର କହିଲେ ।

 

ଏସ୍‌.ପି. ସାହେବ ପୋଲିସ ଏସ୍‌.ଆଇଙ୍କ ଆଡ଼କୁ ଚାହିଁଲେ । ତାଙ୍କ ଚାହିଁବାର ଅର୍ଥ ହୃଦୟଙ୍ଗମ କରିପାରି ସେ ଚାଲିଗଲେ ତଳମହଲାକୁ ଫୋନ୍‌ କରିବାପାଇଁ । ଡିଟେକ୍‌ଟିଭ୍‌ ଉମାଶଙ୍କରବାବୁ ଇତିମଧ୍ୟରେ ଘରର ଚତୁର୍ଦ୍ଦିଗ ତନ୍ନ ତନ୍ନ ପରୀକ୍ଷା କରି ଦେଖୁଥାନ୍ତି ଶକ୍ତିଶାଳୀ ମାଗ୍‌ନିଫାଇଙ୍ଗ୍‌ ଗ୍ଲାସ୍‌ ସାହାଯ୍ୟରେ । ପ୍ରତି ମୁହୂର୍ତ୍ତରେ ଚିନ୍ତାର ରେଖା ଫୁଟିଉଠୁଥିଲା ତାଙ୍କ କପାଳରେ । ଏତେବଡ଼ ଗୁରୁତର କାଣ୍ଡଟାଏ ଘଟିଯାଇଚି, ଅଥଚ କୌଣସି ସୂତ୍ର ପାଇପାରୁନାହାନ୍ତି ସେ । ଦସ୍ୟୁ ଅତି ସାବଧାନହୋଇ ନିଜର ଉଦ୍ଦେଶ୍ୟ ସାଧନ କରିଚି । ଦସ୍ୟୁର ଚତୁରତା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେ ଭାବୁଥିଲେ, ଏପରି ଚତୁରତାର ସହିତ କାମ ହାସଲ କରବା କେବଳ ଦସ୍ୟୁ ଦୀପକ ବା ତା’ର ସହକର୍ମୀ ରୂପକ ପକ୍ଷରେ ସମ୍ଭବ । ପୁଣି ସେ ସନ୍ଦେହ କରୁଥିଲେ, ଦସ୍ୟୁ ଦୀପକ ବା ରୂପକ କେବେ ସ୍ତ୍ରୀଜାତି ଦେହରେ ହାତ ଦିଏନାହିଁ, କି ସାମାନ୍ୟ କାରଣରେ ରକ୍ତପାତ କରେନାହିଁ । ମାତ୍ର ଏ କ୍ଷେତ୍ରରେ ତା’ର ଘୋର ବ୍ୟତିକ୍ରମ ଘଟିଚି । ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ସନ୍ଦେହରେ ମଧ୍ୟ ପଡ଼ିଯାଇଥିଲେ ସେ । ଗଭୀର ଚିନ୍ତା କରିବା ସଙ୍ଗେ ସଙ୍ଗେ ଚାରିଆଡ଼ ବୁଲି ଦୃଷ୍ଟି ପକାଉଥିଲେ ।

 

ନନ୍ଦିନୀଦେବୀଙ୍କ ଶୋଇଲା ଘର । ଖୁବ୍‌ ସୁସଜ୍ଜିତ । ବଡ଼ ବଡ଼ ଲେଖକଙ୍କର ବହିସବୁ ସଜାହୋଇ ରହିଚି । ଉମାଶଙ୍କରବାବୁ ଭାବୁଥିଲେ, ନନ୍ଦିନୀଦେବୀ ତେବେ ଉଚ୍ଚ ଶିକ୍ଷିତା । କୋଠରିର ଗୋଟାଏ କଡ଼କୁ ମୂଲ୍ୟବାନ କାଠର ପଲଙ୍କଟିଏ, ଉପରେ ସୁକୋମଳ ଶଯ୍ୟା । ସେସବୁ କାଲି ରାତିର ଧସ୍ତାଧସ୍ତିରେ ବିକ୍ଷିପ୍ତ ହୋଇପଡ଼ିଛି । ତାରି ଉପରେ ଥରେ ଦୃଷ୍ଟି ନିକ୍ଷେପ କରିଆଣିଲେ ଉମାଶଙ୍କରବାବୁ । ତକିଆକଡ଼େ କ’ଣ ଗୋଟାଏ ଚକ୍‌ ଚକ୍‌ କରିଉଠୁଚି । ସେ ସାମାନ୍ୟ ନଇଁପଡ଼ି ଦେଖିଲେ, ଗୋଟାଏ କାନର ଇୟରରିଂ । ମୁହଁରେ ତାଙ୍କର ହସ ଦେଖାଗଲା । ‘କାଲି ଧସ୍ତାଧସ୍ତିରେ ଏଇଟି ଛିଣ୍ଡିପଡ଼ିଛି ତେବେ !’ ଏଇୟା ଭାବି ସେଇଟିକୁ ଖୁବ୍‌ ସାବଧାନରେ ଉଠାଇଆଣି ପକେଟରେ ରଖିଲେ । ଘରର ଅନ୍ୟାନ୍ୟ ଆସବାବ ସବୁ ଠିକ୍‌ ଅଛି । ଏପରିକି ଅଳଙ୍କାର ବାକ୍‌ସ ପର୍ଯ୍ୟନ୍ତ ସ୍ଥାନାନ୍ତରିତ ହୋଇନାହିଁ ।

 

କିଶୋରଚନ୍ଦ୍ରଦେବଙ୍କର ଚାକରବାକର ମିଶି ପାଞ୍ଚ ଛଅଜଣ । ମ୍ୟାନେଜର ଘଟଣା ଦିନ ନ ଥିଲେ । କୌଣସି କାର୍ଯ୍ୟ ଉପଲକ୍ଷରେ ଯାଇଥିଲେ ଦୂରକୁ । ଉମାଶଙ୍କରବାବୁ ଚାକରମାନଙ୍କଠାରୁ ଯାହା ଜାଣିଲେ, ସେଥିରୁ ଏତିକି ସାର ଗ୍ରହଣ କଲେ ଯେ, ଘଟଣା ଦିନ ଯଥାସମୟରେ ରାଜାସାହେବ ଆଉ ନନ୍ଦିନୀଦେବୀ ଖିଆପିଆ ଶେଷକରି ଶୋଇଥିଲେ । ରାତି ପ୍ରାୟ ଗୋଟାଏ ହେବ ବାହାରେ ଦରଜା ଫିଟିବାର ଶବ୍ଦ ହେଲା । ମ୍ୟାନେଜରବାବୁ ଫେରିଆସି ଡାକୁଛନ୍ତି ଭାବି ଜଣେ ଚାକର ଦରଜା ଖୋଲିବାକୁ ଗଲା । କାରଣ ମ୍ୟାନେଜରବାବୁ କାମରେ ଯାଇ କେବେ କେବେ ଅଧିକ ରାତିରେ ଫେରନ୍ତି ଏବଂ ସେଦିନ ସେ ରାତିରେ ଫେରିବେ ବୋଲି କହିଯାଇଥିଲେ । ତେଣୁ ଦରଜା ଖୋଲିଦେବାପାଇଁ ଚାକର କିଛି ସନ୍ଦେହଜନକ ଚିନ୍ତା କରି ନ ଥିଲା-। ମାତ୍ର ଦରଜା ଖୋଲିଦେବାମାତ୍ରେ କଳାପୋଷାକପିନ୍ଧା ରିଭଲ୍‌ଭର୍‌ଧାରୀ ପାଞ୍ଚଜଣ ଦସ୍ୟୁ ପଶିଗଲେ ଭିତରକୁ । ଚାକରମାନେ ନିଦରେ ଶୋଇଥିଲେ । ଜଣେ ଦସ୍ୟୁ ସଦର ଦରଜାରେ ଜଗିରହିଲା । ସବୁ ଚାକରମାନଙ୍କୁ ଗୋଟାଏ ଘରେ ପୂରାଇ ସେମାନଙ୍କୁ ଜଣେ ଜଗିରହିଲା ରିଭଲ୍‌ଭର୍ ଧରି । ଆଉ ତିନିଜଣ ଉପରମହଲାକୁ ଗଲେ । ସେ ମହଲାରେ ଚାକରବାକର କେହି ରହନ୍ତି ନାହିଁ । ନନ୍ଦିନୀଦେବୀ ଆଉ ରାଜାସାହେବ ରହନ୍ତି । ଏ ଘଟଣା ଘଟିଯିବା ଚାକରମାନେ ଜାଣନ୍ତି; କିନ୍ତୁ ସେମାନଙ୍କର କିଛି ଉପାୟ ନ ଥିଲା । ମ୍ୟାନେଜର ଥିଲେ ବା କିଛି ଗୋଟାଏ ଉପାୟ ହୋଇଥାନ୍ତା ରାତାରାତି; କିନ୍ତୁ ସେ ନ ଥିଲେ । ଫେରିଲେ ଏଇ ସକାଳୁ । ଚାକରମାନେ ଯେଉଁ ଘରେ ଥିଲେ, ସେ ଘରର କବାଟ ବାହାରୁ ବନ୍ଦ କରିଦେଇଥିଲେ ଦସ୍ୟୁମାନେ । ଟେଲିଫୋନ୍‌ ଲାଇନ୍‌ଟା ବି କାଟିଦେଇ ଯାଇଥିଲେ । ତେଣୁ ସହସା କିଛି କରିହେଲା ନାହିଁ ।

 

ଏପରି ଗୋଟାଏ ଅନିଶ୍ଚିତ ଏବଂ ଆକସ୍ମିକ ଘଟଣାରେ ଭାଗ୍ୟ ବ୍ୟତୀତ ଆଉ କାହାରି ଦୋଷଦେବାକୁ ଇଚ୍ଛା ହେଉ ନ ଥିଲା ଉମାଶଙ୍କରବାବୁଙ୍କର । ଯଦିଚ ଭାଗ୍ୟ ଉପରେ ତାଙ୍କର ବିଶ୍ୱାସ କେବେ ନ ଥିଲା ବା ବର୍ତ୍ତମାନ ନାହିଁ; ତଥାପି ପୁଣି କାହାରି ଉପରେ ତ ଦୋଷଦେବାକୁ ହେବ !

 

ଇତିମଧ୍ୟରେ ସ୍ପେଶାଲିଷ୍ଟ ଡକ୍ଟର ରାୟ ଆସି ପରୀକ୍ଷା କରୁଥିଲେ କିଶୋରଚନ୍ଦ୍ରଦେବଙ୍କୁ-। ତାଙ୍କ ମତରେ ଆଘାତଯୋଗୁଁ ରାଜାସାହେବ ଅଜ୍ଞାନ ହୋଇଯାଇ ନ ଥିଲେ, ଆଘାତ ଥିଲା ସାମାନ୍ୟଧରଣର । ରିଭଲ୍‌ଭର୍‌ ଗୁଳିଟା ବି ବାହାରକରି ଦିଆଯାଇ ବ୍ୟାଣ୍ଡେଜ୍‌ କରି ଦିଆଯାଇଥିଲା-। ଡକ୍ଟର ରାୟ ମତଦେଲେ ଯେ, ଅତିରିକ୍ତ ମାନସିକ ଉତ୍ତେଜନାହିଁ ଏ ସଂଜ୍ଞାହୀନତାର କାରଣ-। ପୂର୍ଣ୍ଣ ବିଶ୍ରାମ ଏବଂ ଶାନ୍ତି ଦରକାର ରାଜାସାହେବଙ୍କର । ମୁଁ ଭାବୁଚି, ‘‘ଅନ୍ତତଃ ଚବିଶ ଘଣ୍ଟା ପୂର୍ବରୁ ତାଙ୍କ ସହିତ କାହାରି ସାକ୍ଷାତ ହେବା ଉଚିତ ନୁହେଁ ।’’

 

ଏସ୍‌.ପି. ସାହେବ ଟିକିଏ ଚିନ୍ତିତ ହୋଇପଡ଼ିଲେ ଦୀର୍ଘ ସମୟ । ସମୟ ଯେତେ ବିଳମ୍ବ ହେବ, ଘଟଣାଟା ପାଖରୁ ସେତେ ଦୂରେଇଯିବ । ହଉ, ଦେଖାଯାଉ ।

 

ଉମାଶଙ୍କରବାବୁ ତେଣେ ରାଜାସାହେବଙ୍କର ମ୍ୟାନେଜର ଯୋଗେଶବାବୁଙ୍କ ସହିତ କଥାବାର୍ତ୍ତା କରୁଥିଲେ । କଥାବାର୍ତ୍ତା ଛଳରେ ସେ ଚାହୁଁଥିଲେ ଘଟଣା ସମ୍ବନ୍ଧରେ କିଛି ବିବରଣୀ । ସେହି ଉଦ୍ଦେଶ୍ୟ ରଖି ଏଣୁତେଣୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରୁଥିଲେ ଯୋଗେଶବାବୁଙ୍କୁ । ଯୋଗେଶବାବୁ ମଧ୍ୟ ସବୁ କଥା କହୁଥିଲେ । ତାଙ୍କ କଥାରୁ ଉମାଶଙ୍କରବାବୁ ଏତିକି ଜାଣିଲେ ଯେ, ରାଜାସାହେବଙ୍କ ଷ୍ଟେଟ୍‌ର କେତେକ କାମ ତୁଲାଇବାପାଇଁ ସେ କାଲି ଯାଇଥିଲେ ଗୋଟାଏ ଦୂର ସ୍ଥାନକୁ ରାଜାସାହେବଙ୍କ କାର୍ ନେଇ । ରାତିରେ ତାଙ୍କର ଫେରିବାର ଥିଲା । ମାତ୍ର କେତେକ ଅସୁବିଧାରୁ ଫେରିଲେ ଖୁବ୍ ସକାଳୁ । ଆସି ଦେଖନ୍ତି ତ ଏ ଦୁର୍ଘଟଣା ।

 

‘‘ମୁଁ ଥିଲେ ଅବଶ୍ୟ ୟା ଘଟିବାକୁ ଦେଇ ନ ଥାନ୍ତି କେବେ’’ କଥାରେ ଜୋର୍‌ ଦେଇ କହିଲେ ଯୋଗେଶବାବୁ ।

 

‘‘ଦୁର୍ଭାଗ୍ୟ ଆଜ୍ଞା ।’’ ଦୀର୍ଘ ନିଃଶ୍ୱାସ ପକାଇ କହିଲେ ଉମାଶଙ୍କର ବାବୁ । ‘‘ତଥାପି ଆମର ଆଶା ଅଛି, ରାଜାସାହେବଙ୍କ ସଂଜ୍ଞା ଫେରିଲେ କେତେକ ମୂଲ୍ୟବାନ ତଥ୍ୟ ପାଇପାରିବୁ । ଆପଣ ଦୟାକରି ତେଣେ ଦେଖନ୍ତୁ ଟିକେ ।’’ ଉମାଶଙ୍କରବାବୁ କହିଦେଇ ଆସିଲେ ବାହାରକୁ । ଯୋଗେଶବାବୁ ମଧ୍ୟ ତାଙ୍କ ପଛେ ପଛେ ଉଠିଗଲେ ଉପରମହଲାକୁ ।

 

ଉମାଶଙ୍କରବାବୁ ସବା ତଳମହଲାର ବାରଣ୍ଡାରେ ଆସି ଠିଆହେଲେ । ବାରଣ୍ଡା ଖୁବ୍ ପ୍ରଶସ୍ତ । ତା’ର ଧାରରୁ ଆରମ୍ଭ ଫୁଲବଗିଚା । ଦେଶୀ ବିଦେଶୀ ହରେକ କିସମର ଫୁଲ ଫୁଟି ଦୋହଲୁଚି । ବାରଣ୍ଡାଠାରୁ ଫାଟକଦେଇ ପ୍ରଧାନ ରାସ୍ତାପର୍ଯ୍ୟନ୍ତ ସିମେଣ୍ଟକରା ରାସ୍ତା । ସେଇ ରାସ୍ତା ଉପରେ ରଖାଯାଇଚି ରାଜାସାହେବଙ୍କ ପ୍ଳାଇମାଉଥ୍‌ କାର୍‌ଟି । କାର୍‌ଟା ନୂଆ, ଚମତ୍କାର ରଙ୍ଗ । ଏଇଟା ନେଇ ମ୍ୟାନେଜରବାବୁ ଯାଇଥିଲେ ବୋଧହୁଏ, ଅନୁମାନ କଲେ ଉମାଶଙ୍କରବାବୁ-

 

ନୂଆ ଗାଡ଼ିବୋଲି କି କ’ଣ, ଗାଡ଼ିଟାକୁ ପାଖରୁ ଦେଖିବାକୁ ଆଗ୍ରହ ହେଲା ଉମାଶଙ୍କରବାବୁଙ୍କର । ସେ ଚାଲ ଚାଲ ହୋଇ ସେଇଟାର ପାଖକୁ ଚାଲିଗଲେ । ଗାଡ଼ିର ଚାରିପଟ ଦେଖିନେଇ ଚାଳକ ଆସନରେ ଯାଇ ବସିଲେ । ବେଶ୍‌ ଆରାମପ୍ରଦ । ସୁନ୍ଦର ଗାଡ଼ି ! ରାଜାମହାରାଜାଙ୍କ ଉପଯୁକ୍ତ ଗାଡ଼ି ଏକା !

 

ହଠାତ୍‌ କିଛି ଗୋଟାଏ ଗନ୍ଧ ସେ ବାରିପାରିଲେ । ପ୍ରଥମେ ପ୍ରଥମେ ଅବଶ୍ୟ ସେ ସ୍ଥିର କରିପାରିଲେ ନାହିଁ; କିନ୍ତୁ ପରେ ପରେ ସେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ–ଏ କି ଗନ୍ଧ ଏବଂ ଏ ଗନ୍ଧ ସେ ଆଖପାଖରେ କେଉଁଠି ପାଇଚନ୍ତି ! କାର୍‌ର ଚାଳକ ଆସନରେ ବସି ସେ ଗାଡ଼ିଟାର ଏଣେତେଣେ ଲକ୍ଷ୍ୟ କରିବାକୁ ଲାଗିଲେ । ଚମଡ଼ା ଗଦିର ଆଉଜିବା ସ୍ଥାନର ଗୋଟାଏ ଜାଗାରେ ସାମାନ୍ୟ ତେଲଚିକିଟା ଲାଗିଥିଲା । ସେଇ ସ୍ଥାନଟା ସେ ଶୁଙ୍ଘି ଦେଖିଲେ, ଠିକ୍‌, ଏଇଠୁ ଗନ୍ଧ ଆସୁଚି । ଏ ତ ବାସନା ତେଲର ଗନ୍ଧ ! ସ୍ଥାନଟାକୁ ଆଉ ଟିକିଏ ଲକ୍ଷ୍ୟକଲେ । ବସିବା ସ୍ଥାନରେ ଦୁଇ ତିନୋଟି ଲମ୍ବ ଲମ୍ବ ବାଳ ପଡ଼ିଚି । ଖୁବ୍ ଆସ୍ତେ ତାକୁ ଉଠାଇନେଇ ଶୁଙ୍ଘିଲେ, ଠିକ୍‌ ସେଇ ଗନ୍ଧ । ତେବେ ଏଇ ବାଳ ଯାହାର, ତାରି ମୁଣ୍ଡରୁ ତେଲ ଲାଗିଚି ଏଇ ଗଦିରେ । ଏ ବାସ୍ନା ସେ ବାରିଚନ୍ତି କେଉଁଠି ! ଖୁବ୍‌ ଚିନ୍ତା କରୁ କରୁ ସେ ମନେପକାଇଲେ, ଠିକ୍‌, ଠିକ୍, ମନେପଡ଼ିଲା । ରାଜକୁମାରୀ ନନ୍ଦିନୀଦେବୀଙ୍କ ଡ୍ରେସିଂ ଟେବୁଲରୁ ଏ ଗନ୍ଧ ସେ ପଇଥିଲେ । ଏ ତ ରୋଜ୍ ହେୟାର ଟନିକ୍‌ର ଗନ୍ଧ । ତାଙ୍କ ମନରେ ଟିକିଏ ସନ୍ଦେହ ହେଲା । ପୁଣି ସେ ମନେମନେ ଭାବିଲେ, ରାଜକୁମାରୀ ହୁଏତ ତାଙ୍କ ଗାଡ଼ିରେ କୁଆଡ଼େ ଯାଇପାରିଥାନ୍ତି କାଲି । ତାଙ୍କରି ମଥାରୁ ତେଲ ଲାଗିଥାଇପାରେ ଏବଂ ବାଳ ଉପୁଡ଼ି ପଡ଼ିଥାଇପାରେ । ପୁଣି ମନରେ ସନ୍ଦେହ ହେଲା, ରାଜକୁମାରୀ ପଛରେ ନ ବସି ଚାଳକ ଆସନ ପାଖରେ କାହିଁକି ? ଦ୍ୱିତୀୟରେ ଦୁଇ ଚାରିଟା ବାଳ ବିଶେଷତଃ ସିଟରେ ଏତେ ସମୟ ଧରି ପଡ଼ିରହିବା ସମ୍ଭବ ନୁହେଁ । ତେଲର ବାସ୍ନା ମଧ୍ୟ ଅଧିକ ସମୟ ରହିବ ନାହିଁ । ଏ ତ ଅଳ୍ପ ସମୟତଳେ ଲାଗିଲାପରି ଜଣାଯାଉଚି । କାରଣ ତେଲର ଚିକ୍‌କଣତା ଲିଭିନାହିଁ । ଯାହାହେଉ, ଟିକେ ସନ୍ଧାନନେବାକୁ ହେବ । ସେ ଗାଡ଼ିରୁ ଓହ୍ଲାଇ ପୁଣି ଚାଲିଲେ ଭିତରକୁ ।

 

ରାଜାସାହେବଙ୍କ ଡ୍ରଇଂରୁମଟା ଅତିକ୍ରମ କଲେ ଉପରକୁ ଯିବାର ରାସ୍ତା । ଡ୍ରଇଂରୁମରେ ପହଞ୍ଚି ଉମାଶଙ୍କରବାବୁ ଦେଖିଲେ, ଜଣେ ଭୃତ୍ୟ ଘର ଝାଡ଼ିବାରେ ବ୍ୟସ୍ତ । ସେ ତାକୁ ଡାକି ଖୁବ୍ ନିମ୍ନ ସ୍ୱରରେ ପଚାରିଲେ–‘‘ହଇ ରେ ! ରାଜକୁମାରୀ କାଲି କୁଆଡ଼େ ବୁଲି ଯାଇଥିଲେ କି ?’’

 

ଚାକରଟି ଟିକିଏ ମନେପକାଇ କହିଲା, ‘‘ନାହିଁ, ହଜୁର ! ଦେହ ଭଲ ନ ଥିଲା ବୋଲି ସେ ଆଠଦିନହେବ ବାହାରକୁ ଯାଇନାହାନ୍ତି । ତା’ପରେ ଗାଡ଼ି ତ ନ ଥିଲା ! ରାଜାସାହେବ ଯାଇଥିଲେ ଗଡ଼କୁ । ସେ ଫେରିବା ସଙ୍ଗେ ସଙ୍ଗେ ମେନେଜର ସାହେବ ଗଲେ । ଗାଡ଼ି ଆଉ ଥିଲା କୁ’ଠି ଯେ ସେ ଯାଇଥାନ୍ତେ ?’’

 

‘‘ଠିକ୍‌ କହୁଚୁ ?’’

 

‘‘ଆଜ୍ଞା ହଁ ।’’ ଚାକରଟି ମୁଣ୍ଡ ହଲାଇ ଉତ୍ତର ଦେଲା ।

 

ଉମାଶଙ୍କରବାବୁ ସନ୍ଦେହର କୌଣସି ଭାବ ମୁହଁରେ ନ ଦେଖାଇ ପୁଣି ଚାଲିଆସିଲେ ବାହାରକୁ । ମନ ତାଙ୍କର ସନ୍ଦେହଦୋଳାରେ ଦୋଳାୟମାନ ହେଉଥିଲା ।

 

ଦଶ

 

ଫରଚା ହେବାକୁ ଆହୁରି ଘଣ୍ଟାଏ ବାକି ଅଛି; ତଥାପି କୁଆକୋଇଲି ଡାକିଦେଲେଣି । ସହରର ରାସ୍ତା ଉପରେ କାଁ ଭାଁ ଗୋଟେ ଯୋଡ଼େ ଲୋକଙ୍କର କଥାବାର୍ତ୍ତା, ଗାଡ଼ିର ହର୍ଣ୍ଣ ଶବ୍ଦ ଶୁଭୁଚି । ମ୍ୟୁନିସିପାଲିଟି ମଇଳାବୁହା ଗାଡ଼ିଟା ଘଡ଼ର ଘଡ଼ର ଶବ୍ଦକରି ଚାଲିଚି ରାସ୍ତାଉପରେ ।

 

ଉମାଶଙ୍କରବାବୁ ଚଦରଟାକୁ ଟାଣିଆଣି ଆଉ ଟିକିଏ ଶୋଇବାକୁ ଚେଷ୍ଟା କଲେ । ଗତ ଦୁଇଦିନ ଧରି କଠିନ ପରିଶ୍ରମ ଫଳରେ ସେ ବିଶ୍ରାମ କରିପାରିନାହାନ୍ତି । ଆଜି ଟିକିଏ ସମୟ ମିଳିଛି । କାଲିକୁ ହୁଏତ ସମୟ ମଳିବାର ସମ୍ଭାବନା ଖୁବ୍‌ କମ୍‌ । କିଶୋରଚନ୍ଦ୍ରଦେବଙ୍କର ଦେହର ଅବସ୍ଥା ଦେଖିବାକୁ ଯିବାକୁ ହେବ ଆଠଟା ପରେ । ଏଇ ସମୟଟିକକ ଯଦି ବିଶ୍ରାମ କରିପାରନ୍ତେ, ତେବେ କେଡ଼େ ଭଲହୁଅନ୍ତା ! ସେଇ ଚେଷ୍ଟାରେ ସେ ଚଦରଟାକୁ ଘୋଡ଼େଇହେଇ ଆଖି ମୁଦିଦେଲେ । ଶୀତୁଆ ପବନ ଦେହକୁ ଭଲଲାଗୁଚି । ଖୋଲା ଝରକାରେ ଆକାଶ ଅଳ୍ପ ପରିଷ୍କାର ଦିଶୁଚି ।

 

ଖୁବ୍ ପାତଳ ନିଦ ଲାଗିଆସୁଚି ଆଖିପତାତଳେ, ହଠାତ୍‌ ଟେଲିଫୋନ୍‌ଟା କ୍ରିଂ କ୍ରିଂ ହୋଇ ଚିତ୍କାର କରିଉଠିଲା । ବିରକ୍ତିରେ ଉମାଶଙ୍କରବାବୁ ଚଦରଟା କାଢ଼ିଦେଇ ଫୋନ୍‌ ରିସିଭର୍‌ ଉଠାଇ କାନରେ ଲଗାଇଲେ ।

 

‘‘–ହାଲୋ....ମୁଁ ଉମାଶଙ୍କର ।’’

 

‘‘................’’

 

‘‘ନମସ୍କାର ! ଏତେ ସକାଳୁ ? କ’ଣ ଘଟଣାଟା ?’’

 

ସେପଟରୁ ସ୍ୱୟଂ ପୋଲିସ ସୁପରିନଟେଣ୍ଡେଣ୍ଟ୍‌ ଫୋନ୍‌ ଧରିଥିଲେ ।

 

‘‘...........’’

 

କେଉଁଠିକୁ ? ‘‘ଜଜ୍‌ ଯାମିନୀବାବୁଙ୍କ ଘରକୁ ?’’

 

‘‘.......’’

 

‘‘ଏଇ ପନ୍ଦର ମିନିଟ୍‌ ଭିତରେ ଆସୁଚି ।’’

 

ରିସିଭର୍‌ଟା ଥୋଇଦେଇ ପୂଝାରିକୁ ଡାକପକାଇଲେ ଉମାଶଙ୍କର ବାବୁ । ପୂଝାରି ବିଚରା ଶୋଇଥିଲା କି କ’ଣ, ନିଦ ମଳ ମଳ ଆଖିରେ ଆସି ଠିଆହେଲା ପାଖରେ । ତାକୁ କପେ ଚା’ କରିବାକୁ ବରାଦ କରି ସେ ଚାଲିଗଲେ ବାଥ୍‌ରୁମ ଆଡ଼େ । ଅଳ୍ପ ସମୟ ମଧ୍ୟରେ ନିତ୍ୟକର୍ମ ଶେଷକରି ଶୀଘ୍ର ଶୀଘ୍ର ନିଜର ପୋଷାକପତ୍ର ପିନ୍ଧି ବାହାରିପଡ଼ିଲେ ବାହାରକୁ । ଜିପ୍‌ଖଣ୍ଡି ବାରଣ୍ଡାକୁ ଲାଗି ଥୁଆହୋଇଥିଲା । ଷ୍ଟାର୍ଟ ଦେଲାମାତ୍ରେ ଛୁଟି ଚାଲିଲା ଆଗକୁ ।

 

ଯାମିନୀକାନ୍ତବାବୁ ଯଥାସମ୍ଭବ ଧୈର୍ଯ୍ୟର ସହିତ ନିଜର ଗାମ୍ଭୀର୍ଯ୍ୟ ରକ୍ଷା କରିଥିଲେ ସୁଦ୍ଧା ତାଙ୍କ ବ୍ୟସ୍ତତା ଏବଂ ବିଷଣ୍ଣତା ଭଲଭାବରେ ଲକ୍ଷ୍ୟ କରିପାରିଥିଲେ ଉମାଶଙ୍କରବାବୁ । ସ୍ୱୟଂ ଏସ୍‌.ପି. ସାହେବ ସେଠି ଉପସ୍ଥିତ ଥିଲେ । ପରସ୍ପର ମଧ୍ୟରେ ଅଭିବାଦନ ଆଦାନପ୍ରଦାନ ପରେ ଉମାଶଙ୍କରବାବୁଙ୍କ ଅନୁରୋଧକ୍ରମେ ଯାମିନୀକାନ୍ତବାବୁ ସମସ୍ତ ଘଟଣା ତାଙ୍କ ନିକଟରେ ବ୍ୟକ୍ତ କରୁଥିଲେ ।

 

‘‘କାଲି ରାତି ନଅଟାବେଳେ ସରିତା ଘରେ ଥିଲା । ମୁଁ ଜାଣେ । ତା’ପରେ ମୁଁ ଶୋଇବାକୁ ଚାଲିଗଲି । ସରିତା ମଧ୍ୟ । ରାତି ଦୁଇଟାବେଳେ କ’ଣ ଗୋଟାଏ ଶବ୍ଦ ଶୁଣି ତଳମହଲାରେ ଚାକରର ନିଦ ଭାଙ୍ଗିଗଲା । ସେ ଉଠି ଦେଖେ ତ କବାଟ ଖୋଲା । ଘରର ବତୀ ଜଳେଇ ଚାରିଆଡ଼ ଖୋଜାଖୋଜି କଲା । ସରିତାର ଘର ଦେଖିଲା–ଘର ଖୋଲା, ଅଥଚ ସରିତା ନାହିଁ । ଘଟଣାଟା ଜାଣିବାପାଇଁ ମୋ ସ୍ତ୍ରୀଙ୍କୁ ଉଠାଇଲା । ସେ ମଧ୍ୟ ଦେଖିଲେ–ଯଥାର୍ଥରେ ସରିତା ନାହିଁ । ତା’ପରେ ମୁଁ ଉଠି ମଧ୍ୟ ସେଇଆ ଦେଖିଲି । ସକାଳପର୍ଯ୍ୟନ୍ତ ତା’ର ନ ଫେରିବା ଦେଖି ମୁଁ ଆମର ପରିଚିତ ଅନେକ ଲୋକଙ୍କ ଘରକୁ ଫୋନ୍ କଲି; କିନ୍ତୁ କେହିହେଲେ ତା’ର ସନ୍ଧାନ ଦେଇପାରିଲେ ନାହିଁ ।’’

 

ଉମାଶଙ୍କରବାବୁ ପଚାରିଲେ, ‘‘ଆଚ୍ଛା, ତାଙ୍କର କେହି ପୁରୁଷ ବନ୍ଧୁ ଥିଲେ କି ?’’

 

‘‘ହଁ, ମୋ ଜାଣିବାରେ ଜଣେ ଥିଲା । ସେ କୁମାର । ଜଣେ ଏମ୍‌.ଏ. । ମାଡ୍ରାସ୍‌ର ଗୋଟିଏ ଓଡ଼ିଆ ଫେମିଲିର ପିଲା । ସରିତା ତା’ ସଙ୍ଗରେ ପ୍ରଥମେ ମିଳାମିଶା ଆରମ୍ଭ କରିଥିଲା; କିନ୍ତୁ ମୁଁ ବାରଣ କଲାଦିନୁ ସେ ଆଉ ତା’ ସହିତ ମିଶିବାର ଦେଖିନି । ଏପରିକି ସେ ମଧ୍ୟ ଏଠିକୁ ଦିନେ ଆସିନି ।’’

 

‘‘ତାଙ୍କର ରୁମ୍‌ଟା ଦେଖିବାରେ ଆପଣଙ୍କର କିଛି ଆପତ୍ତି ଅଛି ?’’ ଉମାଶଙ୍କରବାବୁ ପଚାରିଲେ ।

 

‘‘ନା, ନା, ଆପଣ ଦେଖିପାରନ୍ତି । ତଦନ୍ତର ସୁବିଧାପାଇଁ ସବୁ ଅବାରିତ ।’’

 

ଯାମିନୀବାବୁଙ୍କ ଇଙ୍ଗିତକ୍ରମେ ଜଣେ ଚାକର ଉମାଶଙ୍କରବାବୁଙ୍କୁ ନେଇ ସରିତାଦେବୀଙ୍କ କୋଠରି ପାଖରେ ଛାଡ଼ିଦେଲା । ଉମାଶଙ୍କରବାବୁ ଚାକରଟିକୁ ବିଦାୟ କରିଦେଇ କୋଠରି ଭିତରେ ପଶିଲେ ।

 

ବେଶ୍‌ ସୁନ୍ଦର ଓ ଆଧୁନିକ ରୁଚିରେ ସଜ୍ଜିତ କୋଠରିଟିଏ । କୋଠରି ଭିତରେ ପଲଙ୍କ, ଆଲମିରା, ଟେବୁଲ, ଚୌକି ପ୍ରଭୃତି ରହିଛି । ପଲଙ୍କ ଉପରେ ବିଛାହୋଇଚି ପରିଷ୍କାର ଶେଯ । ସେଇଟିକୁ ପରୀକ୍ଷା କରି ଦେଖି ଉମାଶଙ୍କରବାବୁ ଅନୁମାନ କଲେ, ୟା’ଉପରେ କାଲି ରାତିରେ କେହି ଶୋଇ ନ ଥିଲା । କାରଣ ବିଛଣାର କୌଣସି ଅଂଶ ଟିକିଏ ହେଲେ ଲୋଚାକୋଚା ହୋଇନାହିଁ । ସରିତା ତେବେ ଶୋଇବାକୁ ଆସି ଶୋଇ ନ ଥିଲେ ।

 

ଅନ୍ୟାନ୍ୟ ଆସବାବପତ୍ର ସବୁ ଠିକ୍‌ ଅଛି । ବାକ୍‌ସ, ଆଲମିରା ଖୋଲି ଦେଖିଲେ–ଅଳଙ୍କାର ଇତ୍ୟାଦି କିଛି ନାହିଁ । ବହି ରାକ୍‌ଟା ଖେଳାମେଳା ହୋଇଛି । ସମ୍ଭବତଃ ସେଇଟା କାଲି ଘଣ୍ଟା ହୋଇଥିଲା । ସେ ବି କୌତୂହଳପରବଶ ହୋଇ ଖଣ୍ଡେ ଦୁଇଖଣ୍ଡ ବହିଆଣି ଖୋଲି ଦେଖିଲେ । ହଠାତ୍‌ ଖଣ୍ଡିଏ ବହି ଧରି ଖୋଲିଦେଲାମାତ୍ରେ ତା’ ଭିତରୁ ଫିକା ସବୁଜରଙ୍ଗର ଖଣ୍ଡିଏ କାଗଜ ବାହାରିପଡ଼ିଲା । ସେଇଟା ଗୋଟାଏ ଚିଠି । ସେଖଣ୍ଡି ଫିଟାଇ ପଢ଼ିଲେ ଉମାଶଙ୍କରବାବୁ । ପଢ଼ିବା ସଙ୍ଗେ ସଙ୍ଗେ ମୁହଁରେ ତାଙ୍କର ହସ ଫୁଟିଉଠିଲା । ସେ ମନେମନେ କହିଦେଲେ, ‘‘ଏଇ ଖଣ୍ଡିକ ପାଇଁ ତେବେ ବହି ରାକ୍‌ ଖୋଜା ଚାଲିଥିଲା ।’’ ଆଉ ଟିକିଏ ସନ୍ଦେହ ମୋଚନ ପାଇଁ ସେ ଅନ୍ୟାନ୍ୟ ବହିଗୁଡ଼ାକ ଖେଳେଇ ଦେଖିଲେ–କିଛି ନାହିଁ । ଗୋଟାଏ ବାକ୍‌ସରେ ଲୁଗାପଟା ଇତସ୍ତତଃ ହୋଇପଡ଼ିଚି । କାନ୍ଥରେ ଝୁଲୁଥିଲା ଗୋଟାଏ ଫଟୋଗ୍ରାଫ୍‌ । ସେଇଟା ସରିତାଦେବୀଙ୍କର ହୋଇଥିବ ଭାବି କାନ୍ଥରୁ ବାହାରକରି ଆଣି ହାତରେ ଧରିଲେ । ତା’ପରେ ସେଇଟିକୁ ନେଇ ଚାଲିଲେ ଅନ୍ୟ ଘରକୁ–ଯେଉଁଠି ଯାମିନୀବାବୁ ଆଉ ଏସ୍‌.ପି. ସାହେବ ବସି କଥାବାର୍ତ୍ତା ହେଉଥିଲେ ।

 

‘‘କ’ଣ କିଛି ସନ୍ଧାନ ପାଇଲେ ?’’ ଉତ୍ସୁକ ହୋଇ ପଚାରିଲେ ଏସ୍‌.ପି. ସାହେବ ।

 

‘‘ସେମିତି କିଛି ନୁହେଁ ।’’ ସଂକ୍ଷେପରେ ଏତକ ଉତ୍ତର ଦେଇ ସେ ଯାମିନୀବାବୁଙ୍କ ଆଡ଼କୁ ଚାହିଁ କହିଲେ, ‘‘ଏଇ ଫଟୋଗ୍ରାଫ୍‌ଟି ଆପାତତଃ କେତେଦିନ ପାଇଁ ନେବାରେ ଆପତ୍ତି ଅଛି କି ?’’

 

ଯାମିନୀବାବୁ କହିଲେ, ‘‘ମୁଁ ତ ଥରେ କହିଚି, ତଦନ୍ତ ପାଇଁ ସବୁ ଅବାରିତ । ସରିତାକୁ ମୁଁ ଭଲଭାବରେ ଜାଣେ । ତାକୁ ଅପହରଣ କରାଯାଇଚି ନିଶ୍ଚୟ । ମୋର ସେଇ ଦୋଷୀଟାହିଁ ଦରକାର ।’’

 

Unknown

‘‘ସେ ତ ଅନ୍ଧକାରରେ !’’ ଉମାଶଙ୍କରବାବୁ ଗମ୍ଭୀର ଭାବରେ ଉତ୍ତର ଦେଲେ ।

 

ଭୃତ୍ୟ ଆଣି ଟ୍ରେରେ ଚା ଜଳଖିଆ ଦେଇଗଲା । ଯାମିନୀବାବୁଙ୍କ ବାଧ୍ୟବାଧକତାରେ ଉମାଶଙ୍କରବାବୁ ଆଉ ଏସ୍‌.ପି. ସାହେବ ଦୁହେଁ ବସି ସାମାନ୍ୟ ଜଳଖିଆ ଖାଇ ଚା’ କପ୍‌ଟିମାନ ଉଠାଇନେଲେ । ଏଣୁତେଣୁ କେତେ କଥା ପରେ ଦୁହେଁ ବିଦାୟ ନେଇ ଫେରିଲେ ଗୋଟିଏ ଜିପରେ ।

 

ବାଟରେ ଏସ୍‌.ପି. ସାହେବ ଉମାଶଙ୍କରବାବୁଙ୍କୁ ପଚାରିଲେ, ‘‘ଘଟଣାଟା ଆପଣଙ୍କୁ କିମିତି ମନେ ହେଉଛି ?’’

 

‘‘ଖୁବ୍‌ ଜଟିଳ ଆଜ୍ଞା ! ତେବେ ସରିତା ଦେବୀ ଅପହୃତା ନୁଅନ୍ତି, ସେ ସ୍ୱେଚ୍ଛାରେ ଗୃହତ୍ୟାଗ କରିଛନ୍ତି ।’’

 

ଏସ୍‌.ପି. ସାହେବ ଆଶ୍ଚର୍ଯ୍ୟ ହୋଇ ଉମାଶଙ୍କରବାବୁଙ୍କ ଆଡ଼କୁ ଚାହିଁ ପଚାରିଲେ ‘‘ଅର୍ଥାତ୍‌ ?’’

 

‘‘ଯଦି ବଳପୂର୍ବକ କେହି ତାଙ୍କୁ ଅପହରଣ କରିଥାନ୍ତା ତେବେ ବିଛଣାପତ୍ର ବା ଆସବାବପତ୍ର ସାମାନ୍ୟ ବିଶୃଙ୍ଖଳ ହୋଇ ପଡ଼ିଥାନ୍ତା । ସରିତା ଦେବୀ ମଧ୍ୟ ଚିତ୍କାର କରିପାରିଥାନ୍ତେ । ମାତ୍ର ଏ ତ ଆୟୋଜିତ ପଳାୟନ–ପ୍ରେମର ସମର୍ଥନ ନ ପାଇବା ହେତୁରୁ । ତା’ର ପ୍ରମାଣ ଏଇ ଚିଠିଟା ।’’ ଚିଠିଟା କାଢ଼ି ଏସ୍‌.ପି. ସାହେବଙ୍କ ହାତକୁ ବଢ଼ାଇଦେଲେ ।

 

ଚିଠିଟା ପଢ଼ି ଏସ୍‌.ପି. ମୁରୁକି ହସି କହିଲେ, ‘‘ଏ ତେବେ ସେଇ କୁମାର–ଯାହା କଥା ଯାମିନୀବାବୁ କହୁଥିଲେ । ଆଚ୍ଛା, ଏ କୁମାର କିଏ ?’’

 

‘‘ସେଇ ତ ସବୁର ମୂଳ–’’ କହୁ କହୁ ଷ୍ଟିଅରିଂ ଘୂରାଇ ରାସ୍ତାର ବୁଲାଣିରେ ଗାଡ଼ି ବୁଲାଉଥିଲେ ଉମାଶଙ୍କରବାବୁ ।

 

ଏଗାର

 

ରାଜା କିଶୋରଚନ୍ଦ୍ର ଦେବଙ୍କର ସଂଜ୍ଞା ଫେରିଥିଲା । ସେ ଗୋଟିଏ ଆର୍ମଚେୟାର ଉପରେ ଅର୍ଦ୍ଧଶାୟିତ ହୋଇ ରହିଥିଲେ । ମାନସିକ ଦୁଶ୍ଚିନ୍ତା, ଦୁଃଖ ଓ ଆଘାତ ତାଙ୍କୁ ପ୍ରାୟ ଶଯ୍ୟାଶାୟୀ କରିପକାଇଥିଲା କହିଲେ ଚଳେ । ପାଖରେ ଖଣ୍ଡିଏ ଚୌକି ଉପରେ ବସିଥିଲେ ଉମାଶଙ୍କରବାବୁ । ଜଣେ ଭୃତ୍ୟ ଆଦେଶ ପାଳନ କରିବା ପାଇଁ ଠିଆ ହୋଇଥିଲା ରାଜାସାହେବଙ୍କ ପାଖରେ । କିଶୋରଚନ୍ଦ୍ର ଦେବ ସେ ରାତିର ସମସ୍ତ ବିବରଣୀ କହୁଥିଲେ ଡିଟେକ୍‌ଟିଭ୍‌ ଉମାଶଙ୍କରବାବୁଙ୍କ ପାଖରେ । ରାଜକୁମାରୀ ନନ୍ଦିନୀଙ୍କ କଥା କହିଲାବେଳକୁ ଆଖିରେ ତାଙ୍କର ଲୁହ ଢଳଢଳ ହୋଇ ଆସୁଥାଏ । କହୁ କହୁ କେତେବେଳେ ସେ ଖୁବ୍‌ ଉତ୍ତେଜିତ ପୁଣି କେତେବେଳେ ବା ଦୁଃଖରେ ଅଧୀର ହୋଇପଡ଼ୁଥାନ୍ତି । ଉମାଶଙ୍କରବାବୁ ତାଙ୍କୁ ସାନ୍ତ୍ୱନାଦେବା ସଙ୍ଗେ ସଙ୍ଗେ କୌଶଳକ୍ରମେ ନିଜର ଦରକାରୀ ଖବର ମଧ୍ୟ ସଂଗ୍ରହ କରୁଥାନ୍ତି ।

 

‘‘ହୀରାର ମୁଦିଟା ଗଲା; ସେଥିପାଇଁ ମୁଁ ତିଳେମାତ୍ର ଦୁଃଖିତ ନୁହେଁ । ସେଇଟାର ମୂଲ୍ୟ ଅଢ଼େଇ ଲକ୍ଷ ତିନିଲକ୍ଷ ହୋଇପାରେ । ଅସଲି ବ୍ରହ୍ମଜାତି ହୀରା ସେଥିରେ ଲାଗିଥିଲା । କାହିଁ କେତେ ପୁରୁଷଧରି ସେହି ମୂଲ୍ୟବାନ ଅଙ୍ଗୁରୀ ଆମ ବଂଶର ଗୌରବ ରକ୍ଷା କରିଆସିଥିଲା । ତା’ ସଙ୍ଗରେ ଆଉ ତିନିଲକ୍ଷ ଟଙ୍କା ଯାଇଥିଲେ ମଧ୍ୟ ଟିକିଏ ହେଲେ ଦୁଃଖ କରି ନ ଥାନ୍ତି, ଯଦି ନନ୍ଦିନୀ ମୋ ପାଖରେ ଥାଆନ୍ତା । ନନ୍ଦିନୀ ନାହିଁ ତ ମୋର କିଛି ନାହିଁ ।’’ କହୁ କହୁ ଶୋକରେ ରୁଦ୍ଧ ହୋଇଆସୁଥିଲା କିଶୋରଚନ୍ଦ୍ର ଦେବଙ୍କର ସ୍ୱର ।

 

ଉମାଶଙ୍କରବାବୁ ତାଙ୍କୁ ସାନ୍ତ୍ୱନାଦେବା ଉଦ୍ଦେଶ୍ୟରେ କହିଲେ, ‘‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ରାଜାସାହେବ ! ନନ୍ଦିନୀ ଦେବୀ ଅବଶ୍ୟ ଦିନେ ଫେରିବେ । ତା’ ସାଙ୍ଗରେ ଆପଣଙ୍କର ହୀରା ମୁଦି ମଧ୍ୟ । ସେଥିପାଇଁ ସମୟ ଓ ସୁଯୋଗର ଅପେକ୍ଷା ଲୋଡ଼ା । ଏପରି ବ୍ୟସ୍ତହେଲେ ଯେ ତା’ର ଫଳ କ’ଣ ହେବ, ମୁଁ ଭାବି ପାରୁନାହିଁ ।

 

‘‘ତା’ ଆପଣ ଭାବି ପାରିବେ ନାହିଁ, ଉମାଶଙ୍କରବାବୁ । ଗୋଟିଏ ମାତୃସ୍ନେହବଞ୍ଚିତା କନ୍ୟାର ପିତା ସ୍ଥାନରେ ଯଦି ଆପଣ ରହିଥାନ୍ତେ, ତେବେ ସେ କଥା ଭାବିପାରନ୍ତେ । କିନ୍ତୁ ଈଶ୍ୱର ସେ ଦୁଃଖ ଜଗତରେ ଆଉ କାହାରିକୁ ନ ଦିଅନ୍ତୁ । ଦସ୍ୟୁ ମହିନ୍ଦର ସିଂର କୌଣସି ପ୍ରସ୍ତାବରେ ନନ୍ଦିନୀ କେବେହେଁ ସ୍ୱୀକୃତା ହୋଇ ନ ଥିବ । ସେଥିପାଇଁ ସେ ଯେ ଜୀବନରେ ଥିବ, ସେଥିରେ ମୋର ସନ୍ଦେହ ରହିଛି ।’’

 

ଉମାଶଙ୍କରବାବୁ ହସିହସି କହିଲେ, ‘‘ଆପଣ ସେ ବିଷୟରେ ନିଶ୍ଚିନ୍ତ ରହନ୍ତୁ, ରାଜାସାହେବ । ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ନନ୍ଦିନୀଦେବୀଙ୍କୁ ଆପଣଙ୍କ ହାତରେ ସମର୍ପଣ କରିବା ଦାୟିତ୍ୱ ମୋର । ଆପଣ ଧୈର୍ଯ୍ୟ ଧରନ୍ତୁ । ନ ହେଲେ ଆପଣଙ୍କର ଏ ଦୁର୍ବଳତାର ଆହୁରି ସୁଯୋଗ ନେବାପାଇଁ ଦସ୍ୟୁ ବୋଧହୁଏ ପଛାଇବ ନାହିଁ ।’’

 

‘‘ମୋର ଆଉ ଜୀବନ ପ୍ରତି ଟିକିଏ ହେଲେ ମମତା ନାହିଁ ଉମାଶଙ୍କରବାବୁ ! ଦସ୍ୟୁର ରିଭଲଭର ଗୁଳି ମୋ ବାହୁରେ ନ ବାଜି ଛାତିରେ ବାଜିଥିଲେ ଭଲ ହୋଇଥାନ୍ତା । ଚିରଦିନପାଇଁ ମୁଁ ଏ ଚିନ୍ତାରୁ ଉଦ୍ଧାର ପାଇଥାଆନ୍ତି । କିନ୍ତୁ ନନ୍ଦିନୀ ବିନା ବଞ୍ଚିବା ମୋ ପକ୍ଷରେ ଅସମ୍ଭବ ।’’

 

ରାଜା କିଶୋରଚନ୍ଦ୍ରଙ୍କର ବ୍ୟସ୍ତତା ଦେଖି ବଡ଼ ହତାଶ ହୋଇପଡ଼ିଲେ ଉମାଶଙ୍କରବାବୁ-। ତଥାପି ତାଙ୍କୁ କିଛିଟା କଥା ଆଦାୟ କରିବାକୁ ହେବ । ସେ କହିଲେ, ‘‘ସେ ଦିନ ଯୋଗେଶ ଥିଲେ ଏତେ କଥା ଘଟି ନ ଥାନ୍ତା । ସେ ଅବଶ୍ୟ କିଛି କରିଥାନ୍ତା ।’’

 

ରାଜାସାହେବ କହିଲେ, ‘‘ହଁ, ହଁ, ସେ କଥା ଠିକ୍‍ । ଯୋଗେଶ ଖୁବ୍‌ ଦୁର୍ଦ୍ଦାନ୍ତ । ତା’ ବାପା ବି ଖୁବ୍ ଦୁର୍ଦ୍ଦାନ୍ତ ପ୍ରଜାଥିଲା । ତାକୁ ରାଜଦ୍ରୋହ ଅପରାଧରେ ପ୍ରାଣଦଣ୍ଡ ଦିଆଯାଇଥିଲା । ଯୋଗେଶ ଭଲ ଶିକ୍ଷା ପାଇଥିଲା; ମାତ୍ର ବାପର ଗୁଣଗୁଡ଼ିକର ଅଧିକାରୀଥିଲା । ମୁଁ ତାକୁ ପାଖକୁ ଆଣି ସଦର କଚେରିରେ କାମ ଦେଇଥିଲି । ମାତ୍ର ତା’ର ଅତ୍ୟାଚାରର ଅଭିଯୋଗ ଶୁଣି ଶୁଣି ମୋତେ ବଡ଼ ବିରକ୍ତ ଲାଗିଲା । ଶେଷକୁ ତାକୁ ଜବଦ କରିବାଲାଗି ଗୋଟାଏ ବଣୁଆ ଜାତିଙ୍କ ମେଳି ଦବାଇବା ପାଇଁ ପଠାଇ ଦେଇଥିଲି । ଭାବିଥିଲି, ଯୋଗେଶ ବି ସେଇଆଡ଼େ ଶେଷ ହେବ । କିନ୍ତୁ ସେ ଖୁବ୍ ଦକ୍ଷତାର ସହିତ ବିଦ୍ରୋହ ଦମନ କଲା । ମୁଁ ତାକୁ ସଦର କଚେରିରୁ ଅଭ୍ୟନ୍ତରକୁ ବିଦା କରିଦେଲି । ବଣୁଆ, ଅସଭ୍ୟ ପ୍ରଜାଙ୍କଠାରୁ ଖଜଣା ଅସୁଲ କରିବା ଏବଂ ସେମାନଙ୍କ ଅଭାବ ଅସୁବିଧା ଶୁଣିବା ତା’ର କାମ ଥିଲା ।’’

 

ରାଜାସାହେବ ଏତିକି କହି ଅଟକିଗଲେ । ଉମାଶଙ୍କରବାବୁ କହିଲେ, ‘‘ବାଃ ! ବେଶ୍‌ ସୁନ୍ଦର ଇତିହାସ ତ ! ତା’ପରେ ?’’

 

‘‘ଦେଶ ସ୍ୱାଧୀନ ହେଲା । ରାଜ୍ୟ ଚାଲିଗଲା । କର୍ମଚାରୀମାନଙ୍କର ଆବଶ୍ୟକତା ଆଉ ରହିଲା ନାହିଁ । ମୁଁ ତ ଆସି ସହରରେ ରହିଲି । ଯୋଗେଶ ଆପେ ରାଜି ହୋଇ ରହିଲା ମୋ ପାଖରେ । ଖୁବ୍ କର୍ମଠ ଲୋକ ସେ, କ୍ଳାନ୍ତି କ’ଣ, ସେ ଜାଣେ ନାହିଁ ତା’ ଜୀବନରେ ।’’

 

ରାଜାସାହେବ ନୀରବ ରହିଲେ । ଉମାଶଙ୍କରବାବୁ ଏତିକିରୁ ଅନେକ କିଛି ଜାଣିଯାଇଥିଲେ । ଆହୁରି କିଛି ଜାଣିବାପାଇଁ ସେ କହିଲେ, ‘‘ଆପଣଙ୍କର ସେପରି କେହି ଶତ୍ରୁ ଅଛନ୍ତି, ଯାହାଙ୍କଯୋଗେ ଆପଣ କେବେ କୌଣସି କ୍ଷତିରେ ପଡ଼ିଛନ୍ତି ବା କ୍ଷତିର ଆଶଙ୍କା କରିଛନ୍ତି-?’’

 

‘‘ନା ନା, ସେମିତି କିଛି ନୁହେଁ । ସେପରି ଆଶଙ୍କା ମୁଁ କରିଥିଲି ବହୁବର୍ଷ ତଳେ, ଯେତେବେଳେ ମୋର ବଣୁଆ ପ୍ରଜାମାନେ ମେଳି କରିଥିଲେ । ସେମାନେ ମୋର କେତେଜଣ ଶିକ୍ଷିତ ପ୍ରଜାଙ୍କୁ ନେଇ ହତ୍ୟା କରିଥିଲେ । ସେମାନଙ୍କ ସ୍ତ୍ରୀ, କନ୍ୟାମାନଙ୍କ ଉପରେ ଅତ୍ୟାଚାର କରିଥିଲେ । ଯୋଗେଶ ସେମାନଙ୍କୁ ଜବତ କରିଥିଲା । ସେଦିନ ଗଲାଣି ଅନେକ ଦିନରୁ । ଏବେ ସେପରି ଆଶଙ୍କା ମୁଁ କରିନି । ଯୋଗେଶ ଥିବାପର୍ଯ୍ୟନ୍ତ ସେମାନଙ୍କୁ ମୁଁ ଭୟ ମଧ୍ୟ କରିନି ।’’

 

‘‘ଏ ଦୁର୍ଘଟଣା ଘଟିବାଦିନ କିନ୍ତୁ ଦୁର୍ଭାଗ୍ୟବଶତଃ ଯୋଗେଶବାବୁ ନ ଥିଲେ । ଆପଣ ତାଙ୍କୁ କେଉଁଠିକୁ ପଠାଇିଥିଲେ ବୋଧହୁଏ ।’’ କଥାଟା କହିଦେଇ ତା’ର ପ୍ରତିକ୍ରିୟା କ’ଣ ହେବ, ତାହା ଲକ୍ଷ୍ୟ କରିବାକୁ ଚାହିଁଲେ କିଶୋରଚନ୍ଦ୍ର ଦେବଙ୍କ ମୁହଁକୁ ଉମାଶଙ୍କରବାବୁ ।

 

କିନ୍ତୁ ସେଠାରେ କୌଣସି ପ୍ରତିକ୍ରିୟା ନ ଥିଲା । କିଶୋରଚନ୍ଦ୍ର ଦେବ ନିତାନ୍ତ ସହଜ ଓ ସରଳ ଭଙ୍ଗୀରେ କହିଲେ, ‘‘ନା, ନା, ମୁଁ ପଠାଇ ନାହିଁ । ସେ ତା’ର ନିଜ କାମରେ ଯାଇଥିଲା ଜଣେ ବନ୍ଧୁଙ୍କ ଘରକୁ । ମୁଁ ତ ଗଡ଼କୁ ଯାଇଥିଲି । ଫେରିବା ସଙ୍ଗେ ସଙ୍ଗେ ସେ ବାହାରିଗଲା କାର୍‌ ନେଇ-।’’

 

ଆବଶ୍ୟକୀୟ ଉତ୍ତର ପାଇ ଉମାଶଙ୍କରବାବୁ ଖୁବ୍‌ ଖୁସି ଥିଲେ । ତା’ ସଙ୍ଗେ ସଙ୍ଗେ ରାଜାସାହେବଙ୍କୁ ଅନ୍ୟମନସ୍କ କରାଇ ତାଙ୍କର ଦୁଃଖଭାର କିଞ୍ଚିତ୍‌ ଲାଘବ କରିପାରିଛନ୍ତି ବୋଲି ମନରେ ଆତ୍ମପ୍ରସାଦ ମଧ୍ୟ ଲାଭ କରୁଥିଲେ ।

 

ଯୋଗେଶବାବୁଙ୍କ ସମ୍ପର୍କରେ ସେ ଯାହା ଧାରଣା କରିଥିଲେ, ତାହା ଆହୁରି ଦୃଢ଼ ହେଉଥିଲା । ଲୋକଟା ହୁଏତ ବଡ଼ ମାରାତ୍ମକ ହୋଇପାରେ, ଏଇ ସନ୍ଦେହ ସେ କରୁଥିଲେ ।

 

ମଧ୍ୟାହ୍ନ ଭୋଜନର ସମୟ ହୋଇଯାଇଥିଲା ରାଜାସାହେବଙ୍କର । ସେଦିନ ପାଇଁ ତାଙ୍କଠାରୁ ବିଦାୟ ନେଇ ଆସିଲେ ଉମାଶଙ୍କରବାବୁ ।

 

ଦିନଗଡ଼ିବା ସଙ୍ଗେ ସଙ୍ଗେ କର୍ତ୍ତବ୍ୟ ବୋଝର ଓଜନ ବୃଦ୍ଧି ହେଉଥିବାର ସେ ଅନୁଭବ କରୁଥିଲେ ।

 

ବାର

 

ଦସ୍ୟୁ ଦୀପକର ପାର୍ବତ୍ୟ ଦୁର୍ଗରେ ପ୍ରୀତିର ଦିନଗୁଡ଼ିକ ବେଶ୍‌ ଭଲରେ କଟିଯାଉଥିଲା । ଚିନ୍ତା ନାହିଁ, କୋଳାହଳ ନାହିଁ, କେବଳ ଅଭାବ ଥିଲା ସାଙ୍ଗସାଥିର । ପ୍ରଶାନ୍ତ ପ୍ରତି ମନଟା ତା’ର ତୀବ୍ରଭାବରେ ବିଷାକ୍ତ ହୋଇଉଠିଥିଲା । ସେ ଯଥେଷ୍ଟ ଶାନ୍ତିରେ ଥିଲା ସେଠି । ଘରେ ପଢ଼ାପଢ଼ି କରି ଭଲ ନ ଲାଗିଲେ ସେ ଚାଲିଯାଉଥିଲା ଘରର ଖୁବ୍‌ ପାଖାପାଖି ଜଙ୍ଗଲକୁ । ସେଠି ବନ୍ୟଝରଣା, ଫୁଲ ତାକୁ ଯଥେଷ୍ଟ ଶାନ୍ତି ଏବଂ ଆନନ୍ଦ ଆଣି ଦେଉଥିଲା । ତଥାପି ସେ ଅନୁଭବ କରୁଥିଲା, ଯେପରି ଦୁଇଟା ସତର୍କ ଆଖି ତା’ର ଗତିବିଧି ଉପରେ କଠୋର ଦୃଷ୍ଟିପକାଇ ରହିଚି । ସେ ଜାଣିଥିଲା, ସେ ଦୃଷ୍ଟି ଦୀପକ ବା ରୂପକର ।

 

ଏଇ ଦସ୍ୟୁ ଦୁଇଜଣଙ୍କୁ ଦେଖିବାକୁ ସେ ବହୁବାର ଚେଷ୍ଟା କରିଚି; କିନ୍ତୁ ପାରିନି । ସେମାନଙ୍କର ଚାଲବୁଲ ହେବାର, କଥାବାର୍ତ୍ତା ହେବାର ଶବ୍ଦ ଶୁଣିଚି; କିନ୍ତୁ ଦେଖିପାରିନି ।

 

ସେଦିନ କି ଦୁର୍ଯୋଗ ବା ସୁଯୋଗକୁ କେଜାଣି, ପ୍ରୀତିର ଭାରି ଆଗ୍ରହ ହେଲା ସେଇ ପର୍ବତର ଶିଖରପର୍ଯ୍ୟନ୍ତ ଯିବାକୁ । ସାଧାରଣତଃ ଅନ୍ୟାନ୍ୟ ପର୍ବତଠାରୁ ସେଟା ଥିଲା ଅଳ୍ପ ଜଙ୍ଗଲିଆ । ଉପରକୁ ବଡ଼ ବଡ଼ ଗଛଗୁଡ଼ାକର ମଥା ଖୁବ୍‌ ଗହଳ ଦିଶୁଥିଲେ ମଧ୍ୟ ତଳଟା ଥିଲା ଆବୁଡ଼ାଖାବୁଡ଼ା ପଥର, ଆଉ ଖୁବ୍‌ ଛୋଟ ଛୋଟ କଣ୍ଟାଗଛରେ ପୂର୍ଣ୍ଣ । ତାରି ଭିତରଦେଇ ଛୋଟ ଝରଣାଟିଏ ବହି ଆସୁଥିଲା ଉପରୁ । ସେଇ ଝରଣାର ଜଳ ଦୀପକର ଗିରି ନିବାସର ଗୋଟିଏ ପଥର କୁଣ୍ଡ ପୂର୍ଣ୍ଣକରି ପୁଣି ବାହାରକୁ ଚାଲିଯାଉଥିଲା । କୁଣ୍ଡଟି ସଦାସର୍ବଦା ପରିଷ୍କାର ପାଣିରେ ପରିପୂର୍ଣ୍ଣ ରହୁଥିଲା । ସେଇ ଝରଣାର କୂଳେ କୂଳେ ସେଦିନ ପ୍ରୀତି ତା’ର ଉତ୍ପତ୍ତିସ୍ଥଳ ଆବିଷ୍କାର କରିବାକୁ ସ୍ଥିର କରି ଚାଲିଲା । ଝରଣାର କୂଳେ କୂଳେ କଣ୍ଟାଝଟା ବୁଦା ଭିତରେ ଅନେକ ଉଚ୍ଚ ଗଲାପରେ ପ୍ରୀତି ଅନୁମାନ କଲା, ଯେପରି ଅନ୍ତରାଳରେ ତାକୁ କିଏ ଅନୁସରଣ କରୁଚି । ସେ ଭାବିଲା, ବୋଧହୁଏ ଦୀପକ ବା ରୂପକ କେହି ହେବ; କାରଣ ସେ ଦୁହିଙ୍କ ଭିତରୁ କେହି ଜଣେ ତାକୁ ସବୁବେଳେ ଜଗିରହିଚି । ଏ ନିବିଡ଼ ଜଙ୍ଗଲ ଭିତରେ ବିପଦର ଆଶଙ୍କା ତ ରହିଚି ସବୁ ସମୟରେ ।

 

ପ୍ରୀତିର ସେ ଆଶଙ୍କା ସତ୍ୟରେ ପରିଣତ ହେଲା ମଧ୍ୟ । ପର୍ବତର ଶିଖରରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଅଛି, ସୂର୍ଯ୍ୟ ଅସ୍ତହୋଇଗଲେ । ନିବିଡ଼ ଜଙ୍ଗଲ ଭିତରେ ଆଲୋକ ତ ଖୁବ୍‌ କମ୍‌ । ସୂର୍ଯ୍ୟ ଅସ୍ତହେବା ସଙ୍ଗେ ସଙ୍ଗେ ଅନ୍ଧାର ମାଡ଼ିଆସିଲାପରି ଜଣାଗଲା । ହଠାତ୍‌ ଯେ ଏପରି କିଛି ଘଟିବ, ସେକଥା ପ୍ରୀତିର ଧାରଣାର ବାହାରେ ଥିଲା । ସେ ଭୟବିହ୍ୱଳା ହୋଇ ସେଇଠୁ ଫେରିପଡ଼ିଲା । ମାତ୍ର ଦଶପାହୁଣ୍ଡ ହେବ ପଛକୁ ଫେରିଛି, ଯାହା ଦେଖିଲା, ସେଥିରେ ତା’ର ହୃତ୍‌ପିଣ୍ଡର ସ୍ପନ୍ଦନ ବନ୍ଦ ହୋଇଆସିଲା ପରି ଜଣାଗଲା । ଆଉ ଟିପେ ସୁଦ୍ଧା ଆଗକୁ ଯିବାପାଇଁ ପାଦ ତା’ର ଚଳିଲା ନାହିଁ । ଆଗରେ ତା’ର ଗୋଟାଏ ପ୍ରକାଣ୍ଡ ମହାବଳ ବାଘ କ୍ଷୁଧାର୍ତ୍ତ ଦୃଷ୍ଟିରେ ଚାହିଁଚି ତାକୁ । ସେ ଏତେବେଳେକେ ବୁଝିପାରିଲା ଯେ, ତାକୁ କିଏ ଏବଂ କାହିଁକି ଅନୁସରଣ କରୁଥିଲା । ଦୀପକ ବା ରୂପକ କେହିହେଲେ ତାକୁ ରକ୍ଷା କରିବାପାଇଁ ଆସିନାହାନ୍ତି । ଏ କଥା ଅନୁମାନ କରି ସେ ନୈରାଶ୍ୟରେ ଭାଙ୍ଗିପଡ଼ିଲା । ମହାବଳ ବାଘଟାର ଆଖି ଦୁଇଟା ମୁଣ୍ଡା କୋଇଲା ନିଆଁଭଳି ଦାଉ ଦାଉ ଦିଶୁଥିଲା । ଲାଞ୍ଜକୁ ଫୁଲାଇ ଧୀରେ ଧୀରେ ସେ ଆଗେଇ ଆସୁଥିଲା ପ୍ରୀତି ଆଡ଼କୁ । ଝାମ୍ପମାରିବାକୁ ଆଉ ଅଧିକ ବିଳମ୍ବ ନାହିଁ । ଏ କଥା ତା’ର ସତର୍କ ପଦଚାଳନାରୁ ସେ ସ୍ପଷ୍ଟ ଧାରଣା କରି ନେଇଥିଲା । ଆଉ ହୁଏତ ମୁହୂର୍ତ୍ତେ । ମୃତ୍ୟୁ ଯେ କେଡ଼େ ଭୟାବହ, ତାହା ଚଳଚ୍ଚିତ୍ରର ଛବିପରି ତା’ ଆଖିଆଗରେ ନାଚିଗଲା । ସେ ଖୁବ୍ ଜୋରରେ ଚିତ୍କାର କରିଉଠିଲା । ତା’ର ସମ୍ପୂର୍ଣ୍ଣ ସଂଜ୍ଞା ଲୋପହେବା ଆଗରୁ ସେ ଅସ୍ପଷ୍ଟଭାବରେ କାହାର କୁଦି ପଡ଼ିବାର ଶବ୍ଦ ଏବଂ ବାଘର ଭୀଷଣ ଗର୍ଜନ ଶୁଣିପାରିଥିଲା ।

 

ରାତି ପ୍ରାୟ ଦଶଟାବେଳକୁ ପ୍ରୀତି ନିଦରୁ ଉଠିଲାପରି ଉଠିଲା । କେଇଘଣ୍ଟା ତଳେ ଘଟିଯାଇଥିବା ଘଟଣା ସବୁ ନାଚିଗଲା ତା’ ଆଖି ଆଗରେ । ସେ ଯେଉଁଠି ଥିଲା ସେଇଠି ଅଛି । ଏଠିକୁ ଆସିଲା ବା କିପରି ? ଆଣିଲା ତାକୁ କିଏ ? ଏ ମୃତ୍ୟୁପଥରୁ ତାକୁ ନିଶ୍ଚୟ ରକ୍ଷା କରିଚନ୍ତି ଦୀପକ ବା ରୂପକ । ମହାବଳ ବାଘର ଝାମ୍ପଭିତରୁ ତାକୁ ଟାଣିଆଣିଥିବା ଲୋକ ଯେ ଅକ୍ଷତ ରହିଥିବ, ଏଥିରେ ସନ୍ଦିହାନ ହୋଇଉଠିଲା ସେ ।

 

ସେ କୋଠରିଟିରେ ଜଳୁଥିଲା ମହମବତୀଟିଏ, ତା’ରି ଆଲୋକରେ ସେ ଦେଖିପାରିଲା, ତା’ର ଲୁଗାପଟା ରକ୍ତାକ୍ତ । ଏକବାରେ ଛିଟଲୁଗାପରି ହୋଇଯାଇଚି; ଅଥଚ ତା’ ଦେହରେ କୌଣସି କ୍ଷତ ନାହିଁ । ସବୁକଥା ବୁଝିବାକୁ ବାକି ରହିଲା ନାହିଁ କିଛି ତା’ ପାଖରେ । ସେ ରକ୍ତ ଯେ ତା’ର ପ୍ରାଣରକ୍ଷାକର୍ତ୍ତାର, ଏହା ନିଶ୍ଚିତ । ସେହି କଳ୍ପିତ ଉପକାରୀ ଲୋକପ୍ରତି ତା’ର ମନ କୃତଜ୍ଞତାରେ ଭରିଉଠିଲା । ସେ ଭାବିଲା, ‘‘ତାକୁ ରକ୍ଷା କରିବାକୁ ଯାଇ ବିଚରା କି ଭୟଙ୍କରଭାବରେ ଆହତ ହୋଇ ନ ଥିବ !’’

 

ବାହାରେ ବାରଣ୍ଡାଟି ମହମବତୀ ଆଲୋକରେ ସାମାନ୍ୟ ଆଲୋକିତ । ପ୍ରୀତି ଆସିଲା ସେଇ ବାରଣ୍ଡାକୁ । ଖୁବ୍‌ ପାଖରେ କାହାର ଯନ୍ତ୍ରଣାକାତର ଶବ୍ଦ ଶୁଭୁଚି । ପ୍ରୀତିର ବୁଝିବାକୁ ଆଉ କିଛି ବାକି ରହିଲା ନାହିଁ । ଏ ଯନ୍ତ୍ରଣା ଯେ ତା’ର ପ୍ରାଣରକ୍ଷକର, ତାହା ସେ ନିଃସନ୍ଦେହରେ ଅନୁମାନ କରିପାରିଲା; କିନ୍ତୁ ସ୍ଥାନଟା କେଉଁଠି, ସେ ସ୍ଥିର କରପାରିଲା ନାହିଁ । ଏଣିକିତେଣିକି ଖୁବ୍‌ ସତର୍କଭାବରେ ଦୃଷ୍ଟି ପକାଇଲା । କିନ୍ତୁ ଆଶ୍ଚର୍ଯ୍ୟ ! ଶବ୍ଦ ଶୁଭୁଚି ଖୁବ୍‌ ପାଖରେ, ଅଥଚ କିଛି ଦିଶୁନି-। ପ୍ରୀତିର ଆତ୍ମା କାନ୍ଦିଉଠିଲା । ତାକୁ ରକ୍ଷା କରିବାପାଇଁ ଲୋକଟି କେଡ଼େ ସାଙ୍ଘାତିକ ଭାବରେ ଆହତ ହୋଇଥିବ ସତେ । ଅଥଚ ସେ ବେଶ୍‌ ଆରାମରେ ଅଛି । ସେ ଯଦି ତା’ର କିଛି ସେବା କରିପାରନ୍ତା !

 

‘‘ତୁମେ ଏବେ ସେ ରକ୍ତଲୁଗାଗୁଡ଼ା ବଦଳିପକାଅ ପ୍ରୀତିଦେବୀ । ତୁମର ଖାଦ୍ୟ ମଧ୍ୟ ପ୍ରସ୍ତୁତ । ଖାଇସାରି ବିଶ୍ରାମ ନିଅ ।’’ ଅଦୃଶ୍ୟ ଆଦେଶ ହେଲା ପ୍ରୀତିକୁ ଲକ୍ଷ୍ୟ କରି; କିନ୍ତୁ ପ୍ରୀତି ଅନୁଭବ କଲା–କଥାଗୁଡ଼ା ଯେମିତି ଛୁରି ଚାଲିଗଲାପରି ଜଣାଗଲା ତା’ ଛାତିରେ । ତା’ପାଇଁ ଜଣେ ଲୋକ ମୃତ୍ୟୁପଥର ଯାତ୍ରୀ; ଅଥଚ ସେ ଖାଇସାରି ବିଶ୍ରାମ ନେବ !

 

ପ୍ରୀତି ଚିତ୍କାର କରି କହିଲା, ‘‘ତୁମେ ଯେ ହୁଅ ଏବଂ ଯେଉଁଠି ଥାଅ ପଛେ, ମୁଁ ତୁମକୁ ହାତ ଯୋଡ଼ୁଚି, ମୋତେ ଦେଖାଦିଅ । ମୋର ପ୍ରାଣରକ୍ଷାକାରୀର ସେବା କରିବାକୁ ମୋତେ ସୁବିଧା ଦିଅ । ମୁଁ ପ୍ରତିଜ୍ଞା କରୁଚି, ମୋର ଜୀବନ ଥିବାଯାକେ ସବୁ ଗୋପନ ରଖିବି । ଅନ୍ତତଃ ଏତିକି ନ କଲେ ମୁଁ ଈଶ୍ୱରଙ୍କ ନିକଟରେ ଅପରାଧୀ ହେବି ।’’

 

କେତେ ମିନିଟ୍‌ ପାଇଁ ସବୁ ନୀରବ । ପ୍ରୀତି ମୁହଁ ତଳକୁ ପୋତି ଛିଡ଼ା ହୋଇଥାଏ ସେଇଠି ସେମିତି । ହଠାତ୍‌ ‘ଖୁଟ୍‌’ କରି ସାମାନ୍ୟ ଶବ୍ଦରେ ତା’ର ଜଡ଼ତା ଭାଙ୍ଗିଗଲା । ସେ ଆଗକୁ ଚାହିଁ ଦେଖିଲା–ଗୋଟାଏ କୋଠରିର ଦ୍ୱାର । ସେଇ ଦ୍ୱାର ଫାଙ୍କଦେଇ କୋଠରିଟାର ଭିତର ଅଂଶ କିଛି ଦିଶୁଚି, ଭାସିଆସୁଚି ଔଷଧ, ଲୋସନର ଗନ୍ଧ । ପ୍ରୀତିଦେବୀ ସେଇ କୋଠରି ଭିତରକୁ ଧାଇଁଗଲା । କୋଠରିଟି ଆଲୋକିତ । ତା’ର ଗୋଟିଏ କଡ଼କୁ ଖଟିଆ ଖଣ୍ଡିଏ । ତାରି ଉପରେ ଶୁଭ୍ର ବିଛଣା ବିଛାହୋଇଛି । ଦେହସାରା ବ୍ୟାଣ୍ଡେଜ୍‌ ଭିଡ଼ାହୋଇ ଜଣେ ଯୁବକ ଶୋଇଛି ତା’ ଉପରେ । ଖାଲି ମୁହଁଟି ସାମାନ୍ୟ ଦେଖାଯାଉଚି । ବ୍ୟାଣ୍ଡେଜରେ ଠାଏ ଠାଏ ରକ୍ତର ଦାଗ ବି ଲାଗିଛି । ସମ୍ଭବତଃ ରକ୍ତସ୍ରାବ ବନ୍ଦହୋଇନି ସମ୍ପୂର୍ଣ୍ଣଭାବରେ । ଖଟିଆ ପାଖରେ ଖଣ୍ଡିଏ ଚୌକି ପଡ଼ିଚି । ଅଳ୍ପ ସମୟ ପୂର୍ବରୁ ସେଠି କେହି ଜଣେ ବସିଥିଲା ବୋଧହୁଏ, ପ୍ରୀତି ଅନୁମାନ କଲା ।

 

ପ୍ରୀତି ଜାଣିଲା, ଏଇ ତା’ର ପ୍ରାଣଦାତା । ତାରି ପାଇଁ ଆଜି ମରଣପଥର ଯାତ୍ରୀ ଏ ଯୁବକ । ସେ ଲଜ୍ଜିତ ଓ ଭୀତହୋଇ ଖଟିଆ ପାଖରେ ଯାଇ ଠିଆହେଲା । କିଛି ଶବ୍ଦ ନାହିଁ । ଯୁବକର ଆଖି ମୁଦ୍ରିତ । ହୁଏତ ଅଜ୍ଞାନ ବା ନିଦ୍ରାମଗ୍ନ । ପ୍ରୀତିର ଇଚ୍ଛା ହେଉଥିଲା ମୁଣ୍ଡପିଟି କାନ୍ଦିବାକୁ । ଆଖିରୁ ତା’ର ଲୁହ ବହୁ ନ ଥିଲା ଯଦିଓ, ତା’ର ଅନ୍ତର କାନ୍ଦିଉଠୁଥିଲା । ସେ ସ୍ଥିରଭାବରେ ବସିରହିଲା ଚୌକି ଉପରେ । ଖଟିଆର ଗୋଟିଏ କଡ଼ରେ ଖଣ୍ଡିଏ ହାତପଙ୍ଖା ଥୁଆହୋଇଥିଲା । ସେଇଥିରେ ଧୀରେ ଧୀରେ ପବନ କରିବାକୁ ଲାଗିଲା ଆହତ ଯୁବକର ମଥାଉପରେ । ମନରେ ତା’ର ଅସରନ୍ତି ଭାବନା । ଯଦି ଏ ଯୁବକଟିର ଭଲମନ୍ଦ କିଛି ଘଟେ ! ନା, ନା, ଭଗବାନ ତା’ ନ କରନ୍ତୁ । ପ୍ରୀତି ଆଉ ଭାବିପାରିଲା ନାହିଁ ।

 

ଯୁବକଟିର ଚେତନା ଫେରିବାପର୍ଯ୍ୟନ୍ତ ଅପେକ୍ଷା କରିଥିଲା ପ୍ରୀତି । ସେ ଭାବୁଥିଲା, ଏ ଯୁବକଟି ହୁଏତ ଦସ୍ୟୁ ଦୀପକ ବା ରୂପକ ହେବ । ସେ ଯେ ହେଉ ପଛେ, ତା’ର ସାହସ, ବଳ ଓ ତ୍ୟାଗ ଅତୁଳନୀୟ, ଏଥିରେ ସନ୍ଦେହ ନାହିଁ । ଚେତନା ଆସିବାକ୍ଷଣି ସେ ତାକୁ ଗଭୀର କୃତଜ୍ଞତା ଜଣାଇବ ନିଶ୍ଚୟ ।

 

ପ୍ରାୟ ରାତି ଗୋଟାଏ ହେବ । ଯୁବକଟିର ଦେହ ସାମାନ୍ୟ ହଲିଲା ପରି ଦେଖାଗଲା । ପ୍ରୀତି ସାମାନ୍ୟ ଝୁଙ୍କିପଡ଼ି ଦେଖିଲା, ଯୁବକଟିର ଆଖି ଖୋଲିଚି । ପ୍ରୀତିକୁ ଦେଖି ଯୁବକଟି ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇପଡ଼ିଲା । ସେ ଅସ୍ଫୁଟ ସ୍ୱରରେ କହିପକାଇଲା ‘‘ତୁମେ ?’’

 

‘‘ମୁଁ ପ୍ରୀତି । ଟିକିଏ ଭଲଲାଗୁଚି ?’’ ଓଠରେ ସାମାନ୍ୟ ହସ ଖେଳାଇ ପ୍ରୀତି ଉତ୍ତର ଦେଲା ।

 

ଯୁବକଟି କିଛି ସମୟ ଆଖିମୁଦି ପୁଣି ଆଖି ଖୋଲି କହିଲା, ‘‘ୟା ଭିତରେ ତୁମେ ବିଜୟିନୀ ହୋଇଗଲ ପ୍ରୀତି । ଏ ଦୁର୍ଘଟଣାଟା ଗୋଟାଏ ସୁଯୋଗର କାମ କଲା ତୁମ ପାଖରେ ।’’ ଯୁବକଟି ହସିଲା ।

 

ପ୍ରୀତି ଲଜ୍ଜିତ ହୋଇ କହିଲା, ‘‘ମୋତେ କ୍ଷମା କରିବେ । ମୋର ଭୁଲ ପାଇଁ ମୁଁ ଅନୁତପ୍ତ । ସେଇ ଭୁଲଯୋଗୁଁ ଆପଣଙ୍କୁ ଅନେକ କଷ୍ଟ ସହିବାକୁ ହେଲା । ମୋତେ କ୍ଷମା କରିବେନି ?’’

 

ପ୍ରୀତିର ଆଖି ଲୁହ ଛଳ ଛଳ ହେଲା । ଯୁବକଟି ତାହା ଦେଖି ବ୍ୟସ୍ତହୋଇ କହିଲା, ‘‘ଆରେ, ତୁମେ କାନ୍ଦୁଚ ! ଜଣେ ଭାଇ କ’ଣ ତା’ର ଭଉଣୀ ପାଇଁ ଏତକ କରିପାରେନି ? ଆଘାତ ତ ସାମାନ୍ୟ ! ବ୍ୟସ୍ତ ହେବା କ’ଣ ଦରକାର ?’’

 

ପ୍ରୀତି ଆଶ୍ଚର୍ଯ୍ୟହୋଇ କହିଲା, ‘‘ଭାଇ ?’’

 

‘‘ହଁ; ହଁ, ଭାଇ । ଦସ୍ୟୁ ଦୀପକର ଗୋଟିଏ ଭଉଣୀ ତୋ’ରି ପରି । ତା’ର ନାଁ ବି ଥିଲା ପ୍ରୀତି । ସେ ତ ଯାଇଥିଲା ଅନେକଦିନରୁ ! ବହୁବର୍ଷ ପରେ ତା’ର ସ୍ଥାନ ପୂରଣ କରିପାରିଛୁ ତୁ । ରହ, ରୂପକ ଆସୁ, କେତେ ଖୁସିହେବ ।’’

 

ପ୍ରୀତି ଦସ୍ୟୁ ଦୀପକର ହାତକୁ ମୁଠାଇ ଧରି କହିଲା, ‘‘ଭାଇ ! ଦସ୍ୟୁ ଦୀପକ ?’’

 

‘‘ହଁ, ମୁଁ ଦସ୍ୟୁ ଦୀପକ । କିନ୍ତୁ ତୋ ପାଖରେ ତ ନୁହେଁ । ମୁଁ ଆଜିଠାରୁ ତୋର ଦୀପକ ଭାଇ । ଖାଲି ତୋର ବି ନୁହେଁ, ତୋପରି ଶହ ଶହ ଭଉଣୀଙ୍କର, ଯେଉଁମାନେ ଆଜି ଆତତାୟୀ ଦୁରାତ୍ମାମାନଙ୍କର ମାୟାଜାଲରେ ଛନ୍ଦିହୋଇପଡ଼ିଛନ୍ତି । ସେମାନଙ୍କୁ ସେଠୁ ଉଦ୍ଧାର କରିବାର କଠୋର ବ୍ରତ କରିଚି ମୁଁ, ଆଉ ମୋର ସାନଭାଇ ରୂପକ ।’’

 

‘‘ମୋତେ ବି ସେଇ ବ୍ରତ ଦୀକ୍ଷା ଦିଅ, ଭାଇ !’’ ଅଳି କଲାପରି କହିଲା ପ୍ରୀତି । ଦୀପକ ହସି ହସି କହିଲା ‘‘ପାଗଳୀ ! ଖେଳଘର ନୁହେଁ ସେଟା । ପ୍ରତି ପଦକ୍ଷେପରେ ମୃତ୍ୟୁର ସମ୍ଭାବନା । ତୁ ପାରିବୁ ନାହିଁ ।’’

 

‘‘ନିଶ୍ଚୟ ପାରିବି । ତୁମର ଭଉଣୀହୋଇ ଯଦି ନ ପାରିବି, ତେବେ ମୋର ଏ ଜୀବନ ତୁଚ୍ଛ । ହଁ, ଭାଇ ! ମୋତେ ମନାକରନି ।’’

 

‘‘ଆଚ୍ଛା, ଆଚ୍ଛା, ରୂପକ ଆସୁ, ସେସବୁ ବନ୍ଦୋବସ୍ତ କରିବ ।’’ ଦସ୍ୟୁ ଦୀପକ ପ୍ରୀତିର ମୁଣ୍ଡ ଆଉଁସିଲା ।

 

ଏତିକିବେଳେ ରୂପକ ଆସି ପହଞ୍ଚିଗଲା ସେଇଠି । ଏ ଦୃଶ୍ୟ ଦେଖି ସେ ପ୍ରଥମେ କିଛି ବୁଝିପାରିଲା ନାହିଁ । ଦୁଧ ଗ୍ଲାସଟା ବଢ଼ାଇଦେଇ କହିଲା, ‘‘ଭାଇ, ଦୁଧ ଟିକେ ପିଇଦିଅ ତ ।’’

 

ଦୀପକ ରୂପକକୁ ଲକ୍ଷ୍ୟ କରି କହିଲା, ‘‘ଦେଖ୍‌, ରୂପକ, ପ୍ରୀତି ଆମର ଭଉଣୀ ହେଲା ଆଜିଠୁଁ । ତାକୁ ତାଲିମ ଦେବାର ଦାୟିତ୍ୱ ତୋ ଉପରେ ।’’

 

ରୂପକ ହସି ହସି କହିଲା, ‘‘ଓଃ ! ଭଗବାନ ମୋ ଡାକ ଏତେଦିନକେ ଶୁଣିଲେ ପରା ! ମୁଁ ତ ଚୁଲି ଫୁଙ୍କି ଫୁଙ୍କି ବେଦମ ହୋଇଗଲିଣି । ଏଥର ସେ ଦାୟିତ୍ୱ ପ୍ରୀତିର ।’’

 

ତେର

 

ନିବିଡ଼ ଅରଣ୍ୟାନୀ, ପାର୍ବତ୍ୟ ପଥ, ତାରି ଭିତରଦେଇ ଚାଲିଚନ୍ତି ଦୁଇଜଣ, ଯୁବକ ଆଉ ଜଣେ ଯୁବତୀ ।

 

ସରିତା ଆଉ କୁମାର ।

 

ମାସେ ତିନିଦିନ ଅତିକ୍ରମ କରିଗଲାଣି ୟା ମଧ୍ୟରେ । ପୋଲିସ, ସି:ଆଇ:ଡି: ଆଖିରେ ଧୂଳିଦେଇ କାହିଁ କେତେଆଡ଼ ବୁଲି ଆସିଲେଣି ଏମାନେ । ଯାତ୍ରା ନିରୁଦ୍ଦିଷ୍ଟ । ଲକ୍ଷ୍ୟ ସ୍ଥାନ ନାହିଁ । ଯେତେପ୍ରକାର ସୁଖସମ୍ଭୋଗ କରାଯାଇପାରେ, ସବୁକିଛି କରିଚନ୍ତି ଦୁହେଁ । କୁମାର ଆଶାଦେଇଚି, କେଉଁଠି ସ୍ଥାୟୀଭାବରେ ରହିଲେ ସରିତାକୁ ନିୟମାନୁସାରେ ବିବାହ କରିବ । ତା’ପରେ ଦୁହେଁ ଫେରିବେ ଘରକୁ । ସେତେବେଳକୁ ଯାମିନୀବାବୁ କୁମାରକୁ ଜାମାତାଭାବରେ ଅସ୍ୱୀକାର କରିପାରିବେ ନାହିଁ । ସେଇ ଆଶା ହିଁ ସରିତାକୁ ସବୁ ଦୁଃଖ ଭୁଲିଯିବାକୁ ପ୍ରେରଣା ଦେଇଆସିଚି ଏପର୍ଯ୍ୟନ୍ତ ।

 

ସରିତା ଆଶ୍ଚର୍ଯ୍ୟ ହୋଇଚି । କୁମାର ଦରିଦ୍ର ପରିବାରର ପିଲା ବୋଲି ପରିଚୟ ଦେଇଚି; ଅଥଚ ନିଜେ ଶହ ଶହ ଟଙ୍କା ରାଜପୁତ୍ର ପରି ଖର୍ଚ୍ଚ କରୁଚି । ଏତେ ଟଙ୍କା ଆଣିଲା କେଉଁଠୁ ? ଆଉ କ’ଣ ସେ ମିଥ୍ୟା ପରିଚୟ ଦେଇଚି ତାକୁ ! ଥରେ ଦୁଇ ଥର ସେ ଏକଥା ତାକୁ ପଚାରିଚି । କିନ୍ତୁ କୁମାର ଉତ୍ତର ଦେଇନି, ହସିଚି । ସରିତା ମଧ୍ୟ ଉତ୍ତର ପାଇବାପାଇଁ ବାଧ୍ୟ କରିନି ତାକୁ । ଭାବିଚି ‘ହେଇପାରେ ! କୁମାର କୌତୁକ କରିବାପାଇଁ ତାକୁ ଦରିଦ୍ରସନ୍ତାନ ବୋଲି ନିଜର ପରିଚୟ ଦେଇଥାଇପାରେ ।’

 

ସେଦିନ ସନ୍ଧ୍ୟା ଆଗମ ପ୍ରାୟ । ସାରାଦିନ ଚାଲି ଚାଲି ସରିତା କ୍ଳାନ୍ତ । ଜଙ୍ଗଲପୂର୍ଣ୍ଣ ରାସ୍ତା । ପଥୁରିଆ ଘାଟି, ଗଡ଼ାଣି, ଉଠାଣି । କୌଣସି ପ୍ରକାର ଯାନବାହନର ବ୍ୟବସ୍ଥା ନାହିଁ । କେବଳ କୁମାର ସାଥିରେ ଅଛି ବୋଲି ଚାଲିବାକୁ ଉତ୍ସାହ ଆସୁଚି ତା’ ମନରେ । ତା’ର ପାଖେ ପାଖେ କୁମାର । କାନ୍ଧରେ ଝୁଲୁଚି ତା’ର ଝୁଲା ବେଗ୍‌, ପାଣି ବୋତଲ । ବେଗରେ ଖାଦ୍ୟ ରହିଚି । ସକାଳେ ସହରରୁ କିଣାଯାଇଥିଲା । କୁମାର କହୁଥିଲା, ହୁଏତ ଆଜି କିମ୍ବା କାଲି ସକାଳୁ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇପାରିବା । ସେଇ କଥା ଭାବି ସରିତା ଖୁବ୍‌ ଖୁସି ଥିଲା । କିନ୍ତୁ ସନ୍ଧ୍ୟା ଆସି ହେଲା । ସ୍ଥାନ କାହିଁ ? ଏ ତ ନିବିଡ଼ ଜଙ୍ଗଲ । ଯେତେଦୂରପର୍ଯ୍ୟନ୍ତ ଆଖି ପାଏ, ଗୋଟିଏ ହେଲେ ମନୁଷ୍ୟ ବା ଘରର ଚିହ୍ନପର୍ଯ୍ୟନ୍ତ ଦେଖାଯାଉନି ।

 

ସରିତା ବ୍ୟସ୍ତହୋଇ ପଚାରିଲା, ‘‘ଆଚ୍ଛା, କେତେ ବାଟ ଯିବା କୁମାର ? ଗୋଡ଼ ତ ଆଉ ଆଗକୁ ଯିବାକୁ ଚାହୁଁନି ।’’

 

‘‘ବ୍ୟସ୍ତ ହୁଅନି । ଆଉ ହୁଏତ ଏକ କିଲୋମିଟର ବାଟ । ତା’ପରେ ତୁମର ଦୁଃଖ ଶେଷ, ମୋର ମଧ୍ୟ ।’’

 

ସେଇ କଥା ଉପରେ ଭରସା ରଖି ସରିତା ଚୁପ୍‌ ରହିଲା । କ୍ରମେ ସନ୍ଧ୍ୟା ହୋଇଆସୁଚି-। ପାଖପାଖର ଗଛଲତାଗୁଡ଼ା କ୍ରମେ ଅସ୍ପଷ୍ଟ ହୋଇଆସୁଚି । ଆଗରେ ଗୋଟିଏ ଛୋଟିଆ ପାହାଡ଼ର ଚୂଡ଼ା ଦିଶୁଚି । ଉପରେ ତା’ର ଗଛଲତା ନାହିଁ, ଖାଲି ଟାଙ୍ଗରାଟାଏ-। କୁମାର ସେଇଆଡ଼କୁ ହାତଦେଖାଇ କହିଲା, ‘‘ସେଇ ଟାଙ୍ଗରା ପାହାଡ଼ଟା ହିଁ ଆମର ଉଦ୍ଦିଷ୍ଟସ୍ଥାନ, ସରିତା-।’’

 

ସାରାଦିନ ବାଟ ଚାଲି ଚାଲି ସରିତା ଏତେ କ୍ଳାନ୍ତହୋଇ ପଡ଼ିଥିଲା ଯେ, ତା’ ପାଟିରୁ କଥା ବାହାରୁ ନ ଥିଲା । ସେ ଟାଙ୍ଗରା ପାହାଡ଼ଆଡ଼କୁ ଚାହିଁ ଦୀର୍ଘ ନିଃଶ୍ୱାସ ପକାଇଲା, ‘‘ଆହୁରି କେତେଗୁଡ଼ାଏ ବାଟ !’’

 

ଅନ୍ଧକାର ନିବିଡ଼ଭାବରେ ଘନୀଭୂତ ହୋଇଆସିବା ଆଗରୁ ଦୁହେଁ ପହଞ୍ଚିଯାଇଥିଲେ ଟାଙ୍ଗରା ପାଖରେ । ସରିତା ଟାଙ୍ଗରାର ରୂପ ଦେଖି ପାହାଡ଼ଟା ସମ୍ପର୍କରେ ଯାହା ଧାରଣା କରିଥିଲା, ବର୍ତ୍ତମାନ ପାଖରେ ତା’ର ଓଲଟା ଦେଖିଲା । କୁମାର ସହିତ ପ୍ରଥମେ ସେ ପାହାଡ଼ ପାଦପାଖରେ ପହଞ୍ଚି ଦେଖେ ତ ଖାଲି ବଡ଼ ବଡ଼ ପଥରର ଗଦା । ତାରି ଭିତରେ କିନ୍ତୁ ସାପପରି ବଙ୍କେଇ ବଙ୍କେଇ ରାସ୍ତା । ପରିଚିତଭଳି କୁମାର ଚାଲିଯାଉଥିଲା ସେଇ ରାସ୍ତାରେ, ତାକୁ ଅନୁସରଣ କରି ସରିତା । କିଛି ବାଟ ଗଲାପରେ ଆଗରେ ଗୋଟାଏ ଖୁବ୍‌ ମୋଟା ପଥରର କାନ୍ଥ-। ସେଇ କାନ୍ଥ କଡ଼େ କଡ଼େ ଗଲେ ଗୋଟାଏ ଝରକା ଭଳି ରାସ୍ତା, ଏକ ସମୟରେ ଜଣେ ଯିବା ତ ଦୂରର କଥା; ଅତି କଷ୍ଟରେ ନଇଁ ନଇଁ ସୁଦ୍ଧା ତା’ ଭିତରେ ଯିବା କଷ୍ଟ । ସ୍ଥାନଟାର ବିଚିତ୍ରତା ଏବଂ ନିର୍ଜନତା ଦେଖି ସରିତା ଖୁବ୍‌ ଭୟ ପାଇଯାଇଥିଲା ମନେମନେ । ସେ ଭାବୁଥିଲା, ‘ଏଇଟା କ’ଣ ପାତାଳକୁ ଯିବାର ରାସ୍ତା ନା କୌଣସି ମୃତ୍ୟୁର ଗୁହା ?’

 

ଇତିମଧ୍ୟରେ କୁମାର ଚାଲିଯାଇଥିଲା ସଂକୀର୍ଣ୍ଣ ରାସ୍ତାଦେଇ ଆରପଟକୁ । ସରିତାର ସାହସ ହେଉ ନ ଥିଲେ ମଧ୍ୟ କୁମାରର ସାହାଯ୍ୟରେ ସେ ସେଇ ସଂକୀର୍ଣ୍ଣ ଦ୍ୱାର ଅତିକ୍ରମ କରି ଭିତରକୁ ଗଲା । ଭିତରେ ଖୁବ୍‌ ପ୍ରଶସ୍ତ ଗୋଟାଏ ବାରଣ୍ଡା ତା’ର ଦୃଷ୍ଟିରେ ପଡ଼ିଲା । ତା’ ସାଙ୍ଗକୁ ଧାଡ଼ିଏ ଘର, ଅନ୍ତତଃ ଛଅ ସାତ ବଖରା ଘର ହେବ । ସେଥିରୁ ଗୋଟିଏ ଆଲୋକିତ । ସରିତା ମନରେ ସନ୍ଦେହ ଉଙ୍କିମାରିଲା–ଏ ତ କୌଣସି ଆଦିବାସୀର ଘର ନୁହେଁ କି ପାହାଡ଼ର ଗୁମ୍ଫା ନୁହେଁ, ଏ ଯେ ସୁସଜ୍ଜିତ ସୁରୁଚିସମ୍ପନ୍ନ ବାସଗୃହ ! କୁମାର କ’ଣ ଆଗରୁ ବନ୍ଦୋବସ୍ତ କରି ରଖିଥିଲା, ନା ଏଟା ଗୋଟେ ଡକାୟତଙ୍କ ଆଖଡ଼ା । କୁମାର କ’ଣ ତେବେ–? ଆଉ ଭାବିପାରିଲା ନାହିଁ । ତଣ୍ଟି ତା’ର ଶୁଖିଯାଇଥିଲା କ୍ଷୁଧା, ତୃଷାରେ ।

 

‘‘ଭିତରକୁ ଆସ’’–କୁମାରର ଡାକରେ ଯନ୍ତ୍ରଭଳି ଭିତରକୁ ଗୋଡ଼ ବଢ଼ାଇଲା ସରିତା । ଭିତରେ ଜଳୁଚି ଲଣ୍ଠନଟିଏ । ବେଶ୍‌ ବଡ଼ ଗୋଟାଏ କୋଠରି । ଗୋଟାଏ ଟେବୁଲ, ପାଖରେ ଯୋଡ଼ାଏ ଚୌକି, କଡ଼କୁ ଗୋଟାଏ ଖଟିଆ ଉପରେ ବିଛଣା ମଧ୍ୟ ପ୍ରସ୍ତୁତ । ସରିତାକୁ ଖୁବ୍‍ ଭୟ ଲାଗୁଥିଲା । ତଥାପି ସେ ମନରେ ଟିକେ ସାନ୍ତ୍ୱନା ଅନୁଭବ କରୁଥିଲା–ଯାହାହେଉ ପଛେ, ଆଉ ରାତି ପାଇଁ ତାକୁ ଚାଲିବାକୁ ହେବ ନାହିଁ, ଅନ୍ତତଃ ଟିକିଏ ବିଶ୍ରାମ ମିଳିବ ।

 

ସରିତାକୁ ଗୋଟିଏ ଚୌକି ଉପରେ ବସାଇଦେଇ କୁମାର ଗଲା ଭିତରକୁ । ପୁଣି ଫେରିଲା ଅଳ୍ପ ସମୟ ପରେ । ପଛରେ ତା’ର ଜଣେ ଲୋକ । ହାତରେ ତା’ର ବାଲଟିଏ ପାଣି ଏବଂ କିଛି ଖାଇବା ଜିନିଷ । ଲୋକଟାକୁ ଚାହିଁଦେଇ ସରିତା ଚମକିପଡ଼ିଲା । ସେ ଗୋଟାଏ ମନୁଷ୍ୟ ନା ରାକ୍ଷସ ! ତାହା ପ୍ରଥମେ ସେ ବିଶ୍ୱାସ କରିପାରିଲା ନାହିଁ । ସେ ଥିଲା ଅତି କୁତ୍ସିତ । ତା’ର ଅଙ୍ଗପ୍ରତ୍ୟଙ୍ଗଗୁଡ଼ା ସବୁ ଯେପରି ଥିଲା ଅସ୍ୱାଭାବିକ । କୁମାରର ନିର୍ଦ୍ଦେଶରେ ସରିତା ବାରଣ୍ଡାରେ ଗୋଡ଼, ହାତ, ମୁହଁ, ଧୋଇ ଖାଇବାକୁ ବସିଲା । କ୍ଷୁଧାରେ ଅବସନ୍ନ ହୋଇପଡ଼ିଥିଲା ସେ । ଭଲମନ୍ଦ ବିଚାର କରିବା ଅବସ୍ଥା ତା’ର ନ ଥିଲା କହିଲେ ଚଳେ । ଖାଦ୍ୟ ବେଶ୍ ସୁସ୍ୱାଦୁ ଓ ତଟକା । ଖିଆ ସରିଲା । ସବୁପ୍ରକାର ସନ୍ଦେହ ଏଥର ବିଭ୍ରାଟ ସୃଷ୍ଟି କଲେ ତା’ର ମନରେ । କୁମାର ପ୍ରତି ତା’ର ମନ ସନ୍ଦେହରେ ଭରିଉଠିଲା । କୁମାର ଏ ଯେଉଁ ବନ୍ଦୋବସ୍ତ କରିଚି, ସବୁ ଯେପରି ତାକୁ ଗୋଟାଏ ପ୍ରତାରଣା ପରି ଜଣାଗଲା ।

 

ଏତିକିବେଳେ ପୁଣି ପୂର୍ବୋକ୍ତ ସେଇ ଲୋକଟା ଆସିଲା ବାସନଗୁଡ଼ିକ ନେବାପାଇଁ । କୁମାର ତା’ ସହିତ ଖୁବ୍‌ ଅନୁଚ୍ଚସ୍ୱରରେ କଥାବାର୍ତ୍ତା କଲା ପରେ ଦୁହେଁ ଆସିଲେ ଭିତରକୁ । ଲୋକଟା ବାସନଗୁଡ଼ାକ ଗୋଟେଇ ନେଇ ସରିତାକୁ ଆଖିରେ ଗୋଟାଏ କୁତ୍ସିତ ଇଙ୍ଗିତ କରି ଚାଲିଗଲା ।

 

କୁମାର ହସି ହସି କହିଲା, ‘‘ବ୍ୟସ୍ତ କାହିଁକି ହେଉଚ ସରିତା ? ତୁମକୁ ଭଲ ନ ଲାଗିଲେ ଆମେ କାଲି ଏଠାରୁ ଚାଲିଯିବା । ମୁଁ ତ ପାଖେ ପାଖେ ଅଛି, ତୁମର ଚିନ୍ତା କ’ଣ ? ନିଶ୍ଚିନ୍ତରେ ଶୋଇଯାଅ । ମୁଁ ଏଇଠି ବସିଚି ।’’ କୁମାର ଟେବୁଲ ଉପରେ କହୁଣୀ ଭରାଦେଇ ବସିଲା । ସରିତା ଟିକିଏ ଶୋଇବାକୁ ଚେଷ୍ଟାକଲା ।

 

ଖାଇସାରିଲା ପରେ ସରିତାକୁ ଆହୁରି ଖରାପ ଲାଗିଲା । ଦେହ ଅବସନ୍ନ । ମନରେ ଅନୁତାପ ନେଇ ସେ ଛଟପଟ ହେବାକୁ ଲାଗିଲା । କୁମାର ପ୍ରତି ଘୃଣାରେ ତା’ର ଅନ୍ତର ଛି, ଛି, କରିଉଠିଲା । ସେ ଘର, ବାପ, ମା, ଭାଇ, ମାନ, ମର୍ଯ୍ୟାଦା ଛାଡ଼ି ଗୋଟାଏ ଅଜ୍ଞାତକୁଳଶୀଳ ପ୍ରତାରକ ଲମ୍ପଟ ସାଥିରେ ପଳାଇଆସି ବିରାଟ ଭୁଲ କରିଚି । ତା’ର ଏ ଭୁଲର କ୍ଷମା ଆଦୌ ନାହିଁ-। ବର୍ତ୍ତମାନ ପରିସ୍ଥିତିରେ କୁମାର ଯଦି ତାକୁ ପ୍ରତ୍ୟାଖ୍ୟାନ କରେ ? ତେବେ.... ତେବେ.... ତେବେ.... ଆଉ ଭାବିପାରିଲା ନାହିଁ ସରିତା । ଆଖି ମୁଦିରହି ଶୋଇବାର ଛଳନା କରି ଅନ୍ତର୍ଦାହରେ ଦହିହେବାକୁ ଲାଗିଲା ।

 

ସେପର୍ଯ୍ୟନ୍ତ ଟେବୁଲ ପାଖରେ ସେହିପରି ବସିଚି କୁମାର–ନିର୍ବାକ, ନିଷ୍ପନ୍ଦ । ବେଳେ ବେଳେ ସରିତାଆଡ଼କୁ ଥରେ ଚାହିଁଦେଉଚି । ଜଣାଯାଉଚି ଯେପରି ସରିତା ଶୋଇଗଲାଣି ନିଘୋଡ଼ ନିଦରେ । ଆଉ ତା’ର ଚେତନା ନାହିଁ ।

 

ଏତିକିବେଳେ ପାଖରେ ଟିକିଏ ଖୁଟ୍‌ଖାଟ୍‌ ଶବ୍ଦ ହେଲା । କିଏ କ’ଣ ସଙ୍କେତ ଦେଲା ଯେପରି । ସେ ସଙ୍କେତ ହେବା ସଙ୍ଗେ ସଙ୍ଗେ କୁମାର ଉଠିପଡ଼ିଲା ଲଣ୍ଠନଟାକୁ ଧରି । ତା’ପରେ ସରିତାଆଡ଼କୁ ଥରେ ଚାହିଁଦେଇ ବାହାରିଗଲା ବାହାରକୁ । ସରିତା ମଧ୍ୟ ଏଇ ସୁଯୋଗ ଖୋଜୁଥିଲା । କୁମାରର ରୂପରେଖ ପ୍ରକୃତରେ କ’ଣ ଏବଂ ତା’ର ଉଦ୍ଦେଶ୍ୟ କ’ଣ, ସେଇଟା ସେ ଜାଣିବାକୁ ଚାହୁଁଥିଲା । କୁମାର ଗଲାପରେ ସେ ଆଖି ଫିଟାଇ ଚାହିଁଲା । ବାରଣ୍ଡାରୁ ଆଲୁଅ ଉଭେଇଯାଉଚି ଆସ୍ତେ ଆସ୍ତେ । ସେ ଖଟ ଉପରୁ ଉଠିଯାଇ ବାରଣ୍ଡାରେ ଠିଆହେଲା । ସତର୍କଭାବରେ ଚାହିଁ ଦେଖିଲା–କେହି ନାହାନ୍ତି ବାରଣ୍ଡାରେ । ତା’ପରେ ଖୁବ୍‌ ଆସ୍ତେ ଆସ୍ତେ ପାଦ ଚିପି ଚିପି କୁମାର ଯେଉଁବାଟେ ଭିତରକୁ ଯାଇଥିଲା, ସେଇ ରାସ୍ତାରେ ଗଲା ।

 

ଭିତରପଟେ ଗୋଟାଏ କୋଠରି ଅତିକ୍ରମ କଲାପରେ ସେ ଅସ୍ପଷ୍ଟସ୍ୱରରେ କଥାବାର୍ତ୍ତା ଏବଂ ଈଷତ୍‌ ଉଜ୍ଜ୍ୱଳ ଆଲୋକରେଖା ଦେଖିବାକୁ ପାଇଲା । ସେଇ ଶବ୍ଦ ଏବଂ ଆଲୋକକୁ ଲକ୍ଷ୍ୟ କରି ସେ ପାଦ ଚିପି ଚିପି ଅନ୍ଧାରେ ଅନ୍ଧାରେ ଆଗେଇଗଲା । ଦେଖିଲା–ଆଗରେ ତା’ଠାରୁ ଖଣ୍ଡେ ଦୂରରେ ଗୋଟାଏ ପ୍ରଶସ୍ତ କୋଠରି । କୋଠରିର ଭିତରଟି ବେଶ୍‌ ଆଲୋକିତ । ଦ୍ୱାର ସାମନାକୁ ଭିତରେ ଗୋଟାଏ ଟେବୁଲ ଚାରିପଟେ ଘେରି ବସିଛନ୍ତି କେତେଜଣ । ଦେଖିବାକୁ ସେମାନଙ୍କ ମଧ୍ୟରେ ଅଧିକାଂଶ କୁତ୍ସିତ ଓ କଦାକାର । ଟେବୁଲ ଉପରେ କେତେଟା ମଦବୋତଲ । ଖଣ୍ଡିଏ ଚୌକି ଉପରେ ବସିଚି କୁମାର । ହାତରେ ତା’ର ମଦପୂର୍ଣ୍ଣ ଗ୍ଲାସ୍‌ । ଦୁଇଜଣ ସୁନ୍ଦରୀ ତରୁଣୀ ମଦ୍ୟ ପରିବେଷଣ କରୁଚନ୍ତି । ସେଇମାନଙ୍କୁ ନେଇ ନାନା ହାସପରିହାସରେ ମଜ୍ଜିଛନ୍ତି ସମସ୍ତେ । ତରୁଣୀ ଦୁହିଙ୍କୁ ଖେଳନା ପରି ଯେ ଯାହା ଚାହୁଁଚି ଇଚ୍ଛାନୁସାରେ ବ୍ୟବହାର କରିପାରୁଚି । କୁମାର ମଧ୍ୟ ବାଦ୍‌ ଯାଉନି ସେଥିରୁ । ସେମାନଙ୍କର ଅସ୍ପଷ୍ଟ ଓ ଅସଂଲଗ୍ନ କଥା ଏତେ ଦୂରରୁ କିଛି ବୁଝିପାରୁ ନ ଥିଲା ସରିତା । ମନ ତା’ର ବିଷାକ୍ତ ହୋଇଉଠିଥିଲା ଏ ସ୍ଥାନ ପ୍ରତି । ସେ ପ୍ରତି ମୁହୂର୍ତ୍ତରେ ଚାହୁଁଥିଲା ଏଠୁ ପଳାଇବାପାଇଁ । ସୁଯୋଗ ମଧ୍ୟ ରହିଚି; କିନ୍ତୁ ରାସ୍ତା ଦୁର୍ଗମ, ପଦେ ପଦେ ଧରାପଡ଼ିଯିବାର ସମ୍ଭାବନା । ସେ ଯଦି ପଳାଇ ଯାଉ ଯାଉ ଧରାପଡ଼େ ? ତେବେ ? ଟଳି ଟଳି ସେ ଫେରିଆସିଲା ତାରି ସ୍ଥାନକୁ । ଅନ୍ଧାରରେ ଖୋଜି ଖୋଜି ବିଛଣାରେ ପଡ଼ିଗଲା । ଭାବିଲା–ଏଇଟା ହିଁ ନର୍କପୁରୀ । ଶହ ଶହ କୁଳକନ୍ୟା, କୁଳବଧୂଙ୍କର ଜୀବନକୁ ବାଧ୍ୟତାମୂଳକଭାବରେ ନଷ୍ଟ କରାଯାଇଚି ଏଇଠି, ଏଇ ପ୍ରତାରକମାନଙ୍କ ଦ୍ୱାରା ! ୟାର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଆବଶ୍ୟକ ।

 

ଆଖିକୁ ନିଦ ଆସୁନି । ଉତ୍ତେଜନାରେ ଦେହ ଥରୁଚି, ରକ୍ତ ଟକ୍‌ମକ୍ ହୋଇ ଫୁଟୁଚି । ପୁଣି ସେ ଭାବିଲା–ମୁଁ ସବୁକିଛି ଛାଡ଼ି ଏ ପ୍ରତାରକର ପ୍ରତାରଣାରେ ଭୁଲିଛି ! ଆତ୍ମହତ୍ୟା ବ୍ୟତୀତ ମୋର ଅନ୍ୟ ଉପାୟ ନାହିଁ । ଘରକୁ ଫେରିଯାଇ ମୁହଁ ଦେଖେଇବାର ସାହସ ମୁଁ ରଖିନି । ସେ ଦିଗ ମୋ ପାଇଁ ଚିର ରୁଦ୍ଧ । କିନ୍ତୁ ତା’ ପୂର୍ବରୁ ଏ ନର୍କପୁରୀର ଧ୍ୱଂସସାଧନ କରିବାପାଇଁ ପ୍ରାଣପଣେ ଲାଗିବି । ନିଜକୁ ତିଳ ତିଳ କରି ବଳିଦେବି ପଛକେ ।

 

ଭାବୁ ଭାବୁ ସରିତା ନିଦ୍ରିତା ହୋଇପଡ଼ିଲା । ସେ ନିଦ୍ରିତା ବା ଅତିରିକ୍ତ ଉତ୍ତେଜନାଯୋଗୁ ମୂର୍ଚ୍ଛିତା; ତା’ ଭଗବାନ ଜାଣନ୍ତି ।

 

ଚଉଦ

 

ସରିତା ଯେତେବେଳେ ଆଖି ଖୋଲିଲା, ଦେଖିଲା–ଦିନ ବହୁତ ହେଲାଣି, ପ୍ରାୟ ନଅଟାଖଣ୍ଡେ ହେବ । ନିଦ ଭାଙ୍ଗିବା ସଙ୍ଗେ ସଙ୍ଗେ ଗତ ରାତିର ଘଟଣାସବୁ ମନେପଡ଼ି ମୁଣ୍ଡଟା ତା’ର ଝିମିଝିମେଇ ଉଠିଲା । ସେ ପୁଣି ଥରେ ଶୋଇଯିବାକୁ ଚେଷ୍ଟା କରୁଥିଲା । ଏତିକିବେଳେ ସେଇ ତରୁଣୀ ଦୁଇଜଣ ଖିଲି ଖିଲି ହସି ତା’ ପାଖରେ ପହଞ୍ଚିଗଲେ । ସରିତା–ଚାହିଁଲା ଦୁହିଙ୍କୁ କଟମଟ କରି । ଦୁହେଁ ସୁନ୍ଦରୀ, ଦେହସାରା ସୁରୁଚିପୂର୍ଣ୍ଣ ଅଳଙ୍କାରଭରା । ସେମାନଙ୍କର ଅନ୍ତର ଫୁଲପରି ପବିତ୍ର କିନ୍ତୁ ନର୍କର ଏ ପାପିଷ୍ଠ କୀଟମାନଙ୍କଦ୍ୱାରା ନଷ୍ଟଭ୍ରଷ୍ଟ । ଯଦି ଏମାନେ ପ୍ରକୃତରେ ନିଜର ଭୁଲ ବର୍ତ୍ତମାନ ବୁଝିପାରୁଥାନ୍ତି, ତେବେ ଏଇ ଦୁହେଁ ହିଁ ହେବେ ତା’ର ପ୍ରଧାନ ସହାୟକ, ଅସ୍ତ୍ର । ସରିତା ମନର ଭାବ ଗୋପନରଖି ବିଛଣାରେ ଉଠି ବସିଲା । ତରୁଣୀ ଦୁହେଁ ତାକୁ ଡାକିଲେ ବାହାରକୁ ହାତଧରି । ସରିତା ଚାଲିଲା ପଛେ ପଛେ ।

 

ସରିତା ଦେଖିଲା–ଭିତରେ ବନ୍ଦୋବସ୍ତ ସୁଚିନ୍ତିତ । କିଛି ଗୋଟିଏ ହେଲେ ଜିନିଷର ଅଭାବ ନାହିଁ ସେଠି । ଚାଳିଶ ପଚାଶ ଜଣ ଲୋକ ଚଳିବାପାଇଁ ସବୁରକମର ସୁବିଧା ସେଠି ଅଛି । କୋଠରିଗୁଡ଼ାକ ଅନେକ । ଯାଉ ଯାଉ ଯେତେଗୁଡ଼ାଏ କୋଠରି ତା’ର ନଜରରେ ପଡ଼ିଲା, ସବୁଥିରେ ପ୍ରାୟ ଲୋକ ଅଛନ୍ତି । କେତେଟା ଘରେ ଏପର୍ଯ୍ୟନ୍ତ ଲୋକ ଶୋଇଚନ୍ତି, ପୁରୁଷ ସ୍ତ୍ରୀ, ନିତାନ୍ତ ଅସଂଯତଭାବରେ । ସରିତାକୁ ଏସବୁ ବ୍ୟବସ୍ଥା ବଡ଼ ଅଡ଼ୁଆ ଲାଗିଲା । ସେ କ’ଣ ପଚାରି ଆସୁଥିଲା, ଏତିକିବେଳେ ତା’ର ସାଙ୍ଗରେ ଥିବା ତରୁଣୀ ଦୁହିଙ୍କ ମଧ୍ୟରୁ ଜଣେ ତା’ର ହାତକୁ ହଲାଇଦେଇ କହିଲା, ‘‘ଏଠି ଏଇମିତି ଚଳିବାକୁ ହୁଏ ମ ! ତୁମେ ଡରୁଚ କି ? ଡରିଲେ ତ ମହା ବିପଦ । ସାହସ କରି ସହିଯାଅ ନା ! ଖୁବ୍‌ ଖୁସିରେ ଦିନ କଟିଯିବ ।’’

 

ସରିତା ଚମକିପଡ଼ିଲା ମନେମନେ । କ’ଣ ହେଲା ? ଏଠି ଏଇମିତି ଚଳିବାକୁ ହୁଏ ! ସେ ନିଜେ ସ୍ୱପ୍ନ ଦେଖୁଚି କି ଜାଗ୍ରତ ଅଛି, କିଛି ଭାବି ସ୍ଥିର କରିପାରିଲା ନାହିଁ । ତାହାହେଲେ ନର୍କ ଆଉ ଏ ସ୍ଥାନ ଭିତରେ ତଫାତ୍‌ କିଛି ନାହିଁ । ଆଉ କିଛି ନ ପଚାରି ସେମାନଙ୍କ ସାଥିରେ ସେ ଚାଲିଲା ନିତ୍ୟକର୍ମ ଶେଷ କରିବାକୁ ।

 

ପ୍ରଥମଦିନ ସରିତା ବିଶେଷ କଛି ଅନୁଭୂତି ଲାଭ କରିପାରିଲା ନାହିଁ । କୁମାରର ସାକ୍ଷାତ ମଧ୍ୟ ସେ ପାଇନି । କିନ୍ତୁ କୁମାର ଯେ ସେଇଠି ଅଛି, ସେ ଖବର ସେ ରଖିଚି । ଦୁଇଦିନ ପରେ ସେ ସବୁ ବୁଝିପାରିଲା । ସେଠିକାର ସର୍ବନାଶର ସଂକଳ୍ପ ମନରେ ଗୋପନରଖି ସରିତା ଉପରେ ଉପରେ ଖୁବ୍‌ ଖୁସି ହୋଇଚି । ସମସ୍ତଙ୍କ ସହିତ ମିଶିଚି, କଥାବାର୍ତ୍ତା କରିଚି ।

 

ତା’ର ସାଥୀ ତରୁଣୀମାନଙ୍କ ସହିତ କଥାବାର୍ତ୍ତା କରି ସେ ଖବର ସଂଗ୍ରହ କରିଚି । ଦଳଟା ହେଲା ଗୋଟାଏ ନାରୀ ବ୍ୟବସାୟୀ ଦଳ । ସୁନ୍ଦର, ଶିକ୍ଷିତ ଓ ଚରିତ୍ରହୀନ ଯୁବକମାନଙ୍କ ସହାୟତାରେ ଏ ଦଳ ଭାରତର ବିଭିନ୍ନ ପ୍ରାନ୍ତରୁ ସୁନ୍ଦରୀ ଯୁବତୀମାନଙ୍କୁ ପ୍ରେମଫାଶରେ ବାନ୍ଧି ଆଣନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମେ ଏଇ ଦଳର ଉପଭୋଗରେ ଲାଗିରହନ୍ତି । ପୃଥିବୀର ଚାରିଆଡ଼େ ଏମାନଙ୍କର ଏଜେଣ୍ଟ ରହିଛନ୍ତି । ସେ ଦେଶର ବେଶ୍ୟା ବ୍ୟବସାୟୀମାନେ ଏମାନଙ୍କ ମଧ୍ୟରୁ କାହାରିକୁ ନେବାକୁ ଇଚ୍ଛାକଲେ ତା’ର ଫଟୋଗ୍ରାଫ୍‌ ଦେଖି ପସନ୍ଦ କରନ୍ତି । ଦରଦାମ ସ୍ଥିର ହେଲେ ଯୁବତୀକୁ ସେଠାକୁ ବେଶ୍ୟାଗିରି କରିବାକୁ ପଠାଇଦିଆଯାଏ । ଯେଉଁମାନେ ଏ କାମ କରିବାକୁ ସମ୍ପୂର୍ଣ୍ଣ ଅବାଧ୍ୟହୁଅନ୍ତି, ସେମାନଙ୍କୁ ବଣୁଆଜାତିଙ୍କୁ ବିକ୍ରି କରିଦିଆଯାଏ । ସେମାନେ ତାକୁ ଦଳର ଅଧିଷ୍ଠାତ୍ରୀଦେବୀଙ୍କ ନିକଟରେ ବଳିଦିଅନ୍ତି । ବଣୁଆମାନେ କିଛି ମୂଲ୍ୟ ଦିଅନ୍ତି ନାହିଁ । କିନ୍ତୁ ସବୁପ୍ରକାର ଶାରୀରିକ ସାହାଯ୍ୟ ଦିଅନ୍ତି । ଯେଉଁ କେତେଜଣ ଏଠି ଦଳର ସମସ୍ତଙ୍କର ସନ୍ତୋଷଭାଜନ ହୁଅନ୍ତି, ସେମାନେ ସ୍ଥାୟୀଭାବରେ ଦଳର ଉପଭୋଗ୍ୟା ହୋଇ ରହନ୍ତି । ଜଣକପାଇଁ ଧରାବନ୍ଧା ନୁହେଁ ।

 

ଏତେବେଳେକେ କୁମାରର ରୂପ ଦେଖିପାରିଲା ସରିତା । ତା’ର ବାକ୍‌ଚାତୁରୀ, ଛଳନା, ପ୍ରେମପ୍ରତି ସରିତାର ମନ ଘୃଣାରେ ଭରିଉଠିଲା । ସେ ଯଦି ଆରମ୍ଭରୁ କୁମାରର ଚରିତ୍ର ସମ୍ବନ୍ଧରେ ସମ୍ୟକ ଧାରଣା କରିଥାନ୍ତା, ତେବେ ତାକୁ ପଦାଘାତ ଛଡ଼ା ଅନ୍ୟ କେଉଁଥିରେ ସମ୍ମାନିତ କରି ନ ଥାନ୍ତା । ବାବା ତା’ର ଠିକ୍‌ କଥା କହିଥିଲେ । କୁମାର ସାଥିରେ ମିଶି ସେ ଖାଲି ଭୁଲ ତ କରିନି, ନିଜ ଜୀବନଟାକୁ ଜାଳିପୋଡ଼ି ଛାରଖାର କରିଦେଇଚି, ବଂଶର ସୁନାମ, ଆଭିଜାତ୍ୟରେ କାଳି ବୋଳିଦେଇଚି । ଆଉ କେଉଁ ମୁହଁରେ ସେ ଘରକୁ ଫେରିବ ? ତା’ ଆଗରେ ବର୍ତ୍ତମାନ ଦୁଇଟି ପନ୍ଥା ବିଦ୍ୟମାନ, ଗୋଟିଏ ମୃତ୍ୟୁ, ଅନ୍ୟଟି ବାରାଙ୍ଗନା ଜୀବନ, ସେ ଶେଷଥର ପାଇଁ ସିଦ୍ଧାନ୍ତ କଲା ମୃତ୍ୟୁ ତା’ ପକ୍ଷରେ ବରଣୀୟ । ଜୀବନକୁ ସେ ପବିତ୍ର ରଖିପାରିନି । ତେବେ ମୃତ୍ୟୁ ପୂର୍ବରୁ ତାକୁ କିଛିଦିନ ବଞ୍ଚି ରହିବାକୁ ହେବ ଅନ୍ୟମାନଙ୍କ ପରି । ସେଇ ସମୟ ମଧ୍ୟରେ ସର୍ବନାଶର ଶିଖା ଜାଳିଦେବ ଏ ଦଳପାଇଁ ।

 

ଦଳ ଭିତରେ ଦଶ ବାର ଜଣ ତରୁଣୀ ଥିଲେ ସୁଦ୍ଧା ଜଣକ ସାଥିରେ ସରିତାର ଖୁବ୍‌ ମନ ମିଳୁଥିଲା । ସେ ଆଶା । କଲିକତାର ଗୋଟିଏ ଧନାଢ଼୍ୟ ପରିବାରର କନ୍ୟା ସେ । ଏକ ଅଜ୍ଞାତ ଯୁବକର ପ୍ରେମଫାଶରେ ପଡ଼ି ସେ ଟାଣିହୋଇ ଆସିଥିଲା ଏଠିକୁ ଦୁଇବର୍ଷ ତଳେ । ପ୍ରଥମେ ଏଠୁ ମୁକ୍ତି ପାଇବା ପାଇଁ ସେ ବହୁ ଚେଷ୍ଟା କରିଚି । ନିଜକୁ ରକ୍ଷା କରିବାପାଇଁ, ନିଜର ସତୀତ୍ୱ ରକ୍ଷା କରିବାପାଇଁ ସେ କେତେ କାନ୍ଦିଚି, ଉପବାସ ରହିଚି, ସମସ୍ତଙ୍କର ପାଦ ଧରିଚି, ପଳାଇବାର ଚେଷ୍ଟା କରିଚି; କିନ୍ତୁ ସବୁ ବୃଥା । ଶେଷକୁ ସେ ବାଧ୍ୟ ହୋଇଚି ବହୁ ଶଯ୍ୟାସଙ୍ଗିନୀ ହେବାପାଇଁ । ଆଶା ତା’ର ଏ କଥା ଏକାନ୍ତରେ ସରିତା ପାଖରେ ବର୍ଣ୍ଣନା କଲାବେଳେ ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥିଲା । ଥରକୁ ଥର କଣ୍ଠ ରୁଦ୍ଧ ହୋଇ ଆସୁଥିଲା । ସରିତା ମଧ୍ୟ ଲୋତକାର୍ଦ୍ର ଚକ୍ଷୁରେ ତା’ କଥା ଶୁଣୁଥିଲା ।

 

‘‘ସମସ୍ତେ କ’ଣ ତାହାହେଲେ ଏହିପରି ଆସିଚନ୍ତି, ଆଶା ?’’ ଉତ୍ସୁକ ହୋଇ ପଚାରିଲା ସରିତା ।

 

‘‘ହଁ ସମସ୍ତେ । ମୋ ଦେଖିବାରେ କେତେଜଣ ଗଲେଣି ନାରୀ-ବ୍ୟବସାୟଙ୍କ ପାଖରେ ବିକ୍ରି ହୋଇ । କେତେଜଣ ବି ବଳି ପଡ଼ିବାକୁ ଗଲେଣି; ଜଣେ ବନ୍ଦିନୀ ଅଛି । ତେବେ ତୁମେ ସମସ୍ତଙ୍କ ସାଥିରେ ଖୋଲାଖୋଲି କଥାବାର୍ତ୍ତା କରିବା ନିରାପଦ ନୁହେଁ । କାରଣ ଏମାନଙ୍କ ଭିତରେ ଗୁପ୍ତଚର ବି ଅଛନ୍ତି । ସାବଧାନ !’’

 

ଆଶାର କଥାରେ ସରିତା ଚମକିପଡ଼ିଲା । ଆଗରୁ ସାବଧାନ ହେବା ତା’ର ପ୍ରକୃତରେ ଉଚିତ । ମୃତ୍ୟୁକୁ ସେ ଭୟ କରେନି । କିନ୍ତୁ ଉଦ୍ଦେଶ୍ୟ ସାଧିତ ନ ହେବା ପର୍ଯ୍ୟନ୍ତ ମୃତ୍ୟୁ ତା’ର କାମ୍ୟ ନୁହେଁ ।

 

ସରିତା ଆଶାକୁ ତା’ର ଅନ୍ତରର କଥା କହିଲା । ଆଶା ତାକୁ ସ୍ୱାଗତ କଲା । କହିଲା, ‘‘ସରିତା ! ତାହାହେଲେ ତୋତେ ଛଳନାର ଚରମ ସୀମାରେ ଅଭିନୟ କରିବାକୁ ପଡ଼ିବ । ଏମାନଙ୍କର କାମନା ଅଗ୍ନିରେ ତୋତେ ତିଳ ତିଳ ହୋଇ ଜଳିବାକୁ ହେବ । ପାରିବୁ ?’’

 

ଓଠ କାମୁଡ଼ି ସରିତା କହିଲା, ‘‘ଦେହରେ ଶେଷ ରକ୍ତକଣିକା ଥିବାପର୍ଯ୍ୟନ୍ତ ଚେଷ୍ଟା କରିବି ।’’

 

ପନ୍ଦର

 

ଉଲ୍‌କା ବେଗରେ ଛୁଟିଥିଲା ଧଳାରଙ୍ଗର କାର୍‍ ଖଣ୍ଡିକ ନେସ୍‌ନାଲ ହାଇଉଏ ଉପରେ । ଚାଳକ ଏବଂ ଆରୋହୀ ମାତ୍ର ଜଣେ ସାହେବ ପୋଷାକଧାରୀ ଯୁବକ । ହଠାତ୍‌ ଦେଖିଲେ ଇଉରୋପୀୟ ବୋଲି ଭ୍ରମ ହୁଏ ଗୋରା ତକ ତକ ଚେହେରାରୁ । ମାତ୍ର ସେ ଭାରତୀୟ । ବେଶ୍‌ କମନୀୟ କାନ୍ତି । ନାକତଳେ ସୌଖୀନ ନିଶ ଖୁବ୍ ସୁନ୍ଦର ମାନୁଚି ମୁହଁକୁ । ମୁଣ୍ଡରେ ଫେଲ୍‌ଟ ହ୍ୟାଟ୍‌ । ଦୃଷ୍ଟି ଆଗକୁ ମିଟର କଣ୍ଟା ଉଠିଯାଉଚି ଅଶି, ବେଳେ ବେଳେ ନବେ ପର୍ଯ୍ୟନ୍ତ । କେତେ କାର୍‌, ଟ୍ରକ, ବସ୍‌ ପଛରେ ପଡ଼ିଲାଣି । ଦେଖିବା ଲୋକ କାର୍‌ର ଅତିରିକ୍ତ ଗତି ଦେଖି ଆଶଙ୍କା କରୁଛନ୍ତି, ‘ଡ୍ରାଇଭର ମାତାଲ ହେଇଛି ନା କ’ଣ ?’

 

ଡ୍ରାଇଭର ଆସନରେ ଆସୀନ ଯୁବକ କିନ୍ତୁ ମାତାଲ ନ ଥିଲେ, ତାଙ୍କର ଅଭ୍ୟାସକୁହିଁ କାର୍ଯ୍ୟକାରୀ କରୁଥିଲେ । ନିର୍ଜନ ରାସ୍ତା ଛାଡ଼ି କାର୍‌ଟି ସହର ରାସ୍ତା ଧରିଲା । ତଥାପି ବେଗ କମୁନି, ଖୁବ୍‌ କୌଶଳରେ ଭିଡ଼ କଟାଇ ଚାଲିଯାଉଚି । ଏପଟସେପଟ ହୋଇ କାର୍‌ଟା ସିଧା ପଶିଗଲା । ମାୟା କଟନ୍‌ ମିଲ୍‌ର ମାଲିକ ରାଧାବଲ୍ଲଭବାବୁଙ୍କ ଫାଟକ ଭିତରେ । ଏକବାରେ ଯାଇ ବାରଣ୍ଡା କଡ଼ରେ ଖୁବ୍‌ ଜୋରରେ ବ୍ରେକ୍‌ ଦେଲା ।

 

ପୁରୁଣା ଚାକର ମଦନ ଭିତରେ କ’ଣ ଝଡ଼ାଝଡ଼ି କରୁଥିଲା କି କ’ଣ, ତଉଲିଆଟାଏ କାନ୍ଧରେ ପକାଇ ବାହାରକୁ ବାହାରି ଆସି ଠିଆହେଲା । ମୁହଁରେ ତା’ର ପ୍ରଶ୍ନବାଚକ । ଏତେ ସକାଳୁ ଏ ଯୁବକ କିଏ ? କିନ୍ତୁ ଯୁବକ କାହାରିକୁ ଭ୍ରୂକ୍ଷେପ ନ କରି କାର୍‌ର ଦରଜାଟା ଧଡ଼ାସ କରି ବନ୍ଦ କରିଦେଇ ପଚାରିଲେ, ‘‘ସାହେବ ଅଛନ୍ତି ?’’

 

‘‘ଅଛନ୍ତି, ବ୍ରେକଫାଷ୍ଟ ଟେବୁଲରେ । ଆପଣ କାର୍ଡ଼ ଦେଇ ଅପେକ୍ଷା କରନ୍ତୁ ଡ୍ରଇଂ ରୁମରେ ।’’

 

‘‘ଆଚ୍ଛା, ଆଚ୍ଛା ’’ କହି ଯୁବକ ସିଧା ପଶିଗଲେ ଭିତରକୁ, ଯେପରି ଏ ଘର ତାଙ୍କର ଚିର ପରିଚିତ । ମଦନ ବାଧା ଦେବାକୁ ଯାଉଥିଲା । ମାତ୍ର ସାହସ ହେଲାନାହିଁ ତା’ର ସମ୍ଭ୍ରାନ୍ତ ବେଶଭୂଷା ଦେଖି । ଯୁବକଟି ସିଧା ଯାଇ ପହଞ୍ଚିଗଲା ଡାଇନିଂ ହଲରେ । ରାଧାବଲ୍ଲଭବାବୁ ଏକୁଟିଆ । ଟେବୁଲ ଉପରେ ଖାଦ୍ୟ ସୁସଜ୍ଜିତ । ପାଖରେ ମଧ୍ୟ କେହି ନାହାନ୍ତି । ରାଧାବଲ୍ଲଭବାବୁ ଖାଇଲାବେଳେ କେହି ସେଠି ରହନ୍ତି ନାହିଁ । ଘଣ୍ଟା ବଜାଇଲେ ଖାନ୍‌ସମା କେବଳ ଆସେ । ଆଗରୁ ବରାବର ଟେବୁଲରେ ସାଙ୍ଗରେ ବସୁଥିଲା ପ୍ରୀତି । କିନ୍ତୁ ସେ ଗଲାଦିନୁ ସେ ଚୌକିରେ କେହି ବସିବାକୁ ନାହାନ୍ତି । ସେଇଟି ଖାଲିପଡ଼ିଚି ସେଇମିତି । ଯୁବକଟି କିଛି ପଚରାପଚରି ନ କରି ସିଧା ପଶିଯାଇ ସେଇ ଚୌକି ଅଧିକାର କରି ବସିଲା ।

 

ଯୁବକଟିର ବ୍ୟବହାର ରାଧାବଲ୍ଲଭବାବୁଙ୍କୁ ଅଡ଼ୁଆ ଲାଗିଲା । ଏପରି ଚଳଣିରେ ସେ ଆଦୌ ଅଭ୍ୟସ୍ତ ନୁହନ୍ତି । ରୁଷ୍ଟହେବା ଭଙ୍ଗୀରେ ସେ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲେ ଯୁବକର ମୁହଁକୁ । ତାଙ୍କର ହୃଦୟରୁ ସବୁ ରୋଷ କୁଆଡ଼େ ଉଭେଇଗଲା, ଯେତେବେଳେ ଯୁବକଟି ନିର୍ବିକାରଭାବରେ ଗୋଟିଏ ପ୍ଲେଟ୍‌ ଉଠାଇନେଇ ତା’ର ସଦ୍‌ବ୍ୟବହାର କରିବାକୁ ଲାଗିଲା । ରାଧାବଲ୍ଲଭବାବୁ ଖାଇବା ବନ୍ଦକରି ଚାହିଁଲେ ତା’ ଆଡ଼େ ଆଶ୍ଚର୍ଯ୍ୟହୋଇ । ବଡ଼ ବିଚିତ୍ର । ଯୁବକଟି କ’ଣ ପାଗଳ ନା କ’ଣ ?

 

ମାତ୍ର ଯୁବକଟିର କୌଣସିଆଡ଼କୁ ଲକ୍ଷ୍ୟ ନାହିଁ । ସେ ପ୍ଲେଟ୍‌ରୁ ଖାଦ୍ୟଗୁଡ଼ିକର ସଦ୍‌ବ୍ୟବହାର କରିସାରି ଚା’ ଟ୍ରେଟାକୁ ଟାଣିନେଲା ନିଜ ପାଖକୁ । ଦୁଇଟି କପରେ ଚା’ ଅଜାଡ଼ି, ଚିନି ମିଶାଇ ଗୋଟିଏ କପ୍‌ ରାଧାବଲ୍ଲଭବାବୁଙ୍କ ପାଖରେ ଥୋଇଦେଇ ଆପେ ଗୋଟାଏ କପ୍‌ ଉଠାଇନେଲା । ରାଧାବଲ୍ଲଭବାବୁ ମଧ୍ୟ ଯୁବକର ଏତାଦୃଶ ଆଚରଣରେ କ୍ଷୁବ୍‌ଧ ହୋଇଥିଲେହେଁ ଚା’ କପ୍‌ଟି ଉଠାଇନେଲେ ।

 

ଚା’ ଖିଆ ଶେଷହେଲା ପରେ ଯୁବକଟି ପକେଟରୁ ଖଣ୍ଡିଏ ଚିଠି କାଢ଼ି ରାଧାବଲ୍ଲଭବାବୁଙ୍କ ହାତରେ ଦେଲା । ରାଧାବଲ୍ଲଭବାବୁ ସେଇଟି ଖୋଲି ପଢ଼ିଲେ । ପଢ଼ୁ ପଢ଼ୁ ତାଙ୍କ ମୁହଁରେ ହସ ଫୁଟିଉଠିଲା । ସେ ସେଇପରି ହସୁ ହସୁ କହିଲେ–‘‘ଠିକ୍‌ ଅଛି । ଟଙ୍କା ତୁମେ ନେବ । କିନ୍ତୁ ତୁମେ ଯେ ଦୀପକର ଲୋକ, ୟାର ପ୍ରମାଣ ? ତା’ପରେ ଦସ୍ୟୁ ଦୀପକ ତ ଅଭାବଗ୍ରସ୍ତ ନୁହେଁ ବୋଲି ମୁଁ ଭଲଭାବରେ ଜାଣେ ।’’

 

‘‘ଆପଣ ଭୁଲ ବୁଝିଚନ୍ତି ଆଜ୍ଞା, ଦୀପକ ତ ଦସ୍ୟୁ ନୁହେଁ । ରାତିକଭିତରେ ଲକ୍ଷ ଲକ୍ଷ ଟଙ୍କା ସେ ରୋଜଗାର କରେ । କିନ୍ତୁ ଯାହା ଯେଉଁଠୁ ପାଏ, ତାହା ଦରିଦ୍ରଙ୍କୁ ହିଁ ବିତରଣ କରେ । ଆଉ ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧ କରିବାରେ ଆବଶ୍ୟକୀୟ ବ୍ୟୟ କରେ । ଆପଣଙ୍କ ଝିଅ ଯେଉଁ ଅବସ୍ଥାରେ ପଡ଼ି ତା’ ନିକଟରେ ଆତ୍ମଗୋପନ କରି ରହିଚି, ସେହିପରି ଅବସ୍ଥାରେ ବର୍ତ୍ତମାନ କେତେ ଝିଅ ପଡ଼ିଚନ୍ତି । ଶତ୍ରୁ ଶକ୍ତିଶାଳୀ । ତା’ ବିରୁଦ୍ଧରେ ଯୁଦ୍ଧ ଆୟୋଜନ ପାଇଁ ଟଙ୍କା ଦରକାର-। ସେଇଥିପାଇଁ ଆପଣଙ୍କଠାରୁ କିଛି ଭିକ୍ଷା ।’’

 

ଯୁବକର କଥାରେ ବିଶ୍ୱାସ କଲେ ରାଧାବଲ୍ଲଭବାବୁ । ବିଶେଷତଃ ସେ ପ୍ରୀତିର ସେଠାରେ ଥିବା ବିଷୟ କହିପାରୁଚି । ସେଟା ତ ଗୋପନୀୟ କଥା । ଆୟରନ୍‌ ଚେଷ୍ଟ ଖୋଲିବାପାଇଁ ସେ ଚାବି ବାହାରକଲେ ଡ୍ରୟାରରୁ । କିନ୍ତୁ ଡ୍ରୟାର ଖୋଲିଲାମାତ୍ରେ ଯୁବକଟି ଚାବିଟା ହସ୍ତଗତ କରିନେଇ ଚାଲିଲା ଆଗେ ଆଗେ । କିଂକର୍ତ୍ତବ୍ୟବିମୂଢ଼ ହୋଇ ତା’ର ପଛେ ପଛେ ଚାଲିଲେ ରାଧାବଲ୍ଲଭବାବୁ ।

 

କୋଠରି ପରେ କୋଠରି ପାରହୋଇ ପରିଚିତ ଲୋକପରି ଯୁବକଟି ଯାଇ ରାଧାବଲ୍ଲଭବାବୁଙ୍କ ଶୋଇବା ଘରେ ହାଜର । ଶୋଇବା ଘରେ ତିନି ଚାରିଟା ଆୟରନ୍‌ ଚେଷ୍ଟ । ସେଥିରୁ ଗୋଟାକରେ ଟଙ୍କାଛଡ଼ା ଅନ୍ୟଗୁଡ଼ିକରେ ଦରକାରୀ କାଗଜପତ୍ର ରହେ । ଯୁବକଟି ନିର୍ଭୁଲଭାବରେ ଟଙ୍କା ଥିବା ଚେଷ୍ଟଟି ଫିଟାଇଦେଲା । ରାଧାବଲ୍ଲଭବାବୁଙ୍କର ବିସ୍ମୟର ସୀମା ରହିଲା ନାହିଁ ଯୁବକର କାର୍ଯ୍ୟକଳାପ ଦେଖି । ଠିକ୍‌ ଘରର ଳୋକଭଳି ଯେମିତି ସବୁକିଛି ଜଣାଅଛି-। ଚେଷ୍ଟଟାସାରା ଟଙ୍କା ଭର୍ତ୍ତି । କିନ୍ତୁ ଠିକ୍‌ ଦଶହଜାର ଟଙ୍କା ଗଣିନେଇ ଯୁବକଟି ଚେଷ୍ଟ ବନ୍ଦକରି କାଠିଟା ବଢ଼ାଇଦେଲା ରାଧାବଲ୍ଲଭବାବୁଙ୍କ ହାତକୁ । ତା’ପରେ ଦୁହେଁ ଆସିଲେ ଡ୍ରଇଂ ରୁମ୍‌କୁ-

 

ରାଧାବଲ୍ଲଭବାବୁ ଆସନ ଗ୍ରହଣ କଲାପରେ ଯୁବକଟି ବିନୀତଭାବରେ କହିଲା, ‘‘ମୋର ଏଠିକା କାମ ସରିଗଲା ଆଜ୍ଞା, ମୁଁ ଏଥର ଆସେଁ । ପ୍ରୀତି ପାଖକୁ କିଛି ଖବରଦେବେ ?’’

 

ରାଧାବଲ୍ଲଭବାବୁ କିଛି କହିଥାନ୍ତେ କି କ’ଣ; କିନ୍ତୁ କିଛି କହିପାରିଲେ ନାହିଁ । ଆଖି ତାଙ୍କର ଲୁହ ଛଳଛଳ ହୋଇଉଠିଲା । ନିଜର ଦୁର୍ବଳଟାକୁ ଲୁଚାଇବାକୁ ଯାଇ ସେ ପକେଟରୁ ରୁମାଲ ବାହାରକରି ଆଖି ପୋଛିଲେ । ଆଖିରୁ ରୁମାଲ ବାହାରକରି ସେ କିଛି କହିବେ ବୋଲି ଯୁବକକୁ ଚାହିଁଦେଇ ଚମକିପଡ଼ିଲେ । ‘ଆରେ, ପ୍ରୀତି....’ ବୋଲି ଚିତ୍କାର କରି ସେ ଏକାଡିଆଁକେ ଯାଇ କୁଣ୍ଢାଇପକାଇଲେ ତାକୁ । ଯଥାର୍ଥରେ ଯୁବକ ସେତେବେଳକୁ ମୁଣ୍ଡରୁ ଟୋପି ଏବଂ ନାକତଳୁ ନକଲି ନିଶ ବାହାର କରିଦେଇଥିଲା । ସେ ପ୍ରୀତି, ଛଦ୍ମବେଶରେ ଆସିଥିଲା ।

 

‘‘ତୁ ତ ପରୀକ୍ଷାରେ ପାସ୍‍ କରିଗଲୁ ମା, ତୋତେ ପୁଣି ହଠାତ୍‌ ଦେଖିବି ବୋଲି ମୁଁ ଆଶା କରି ନ ଥିଲି । କିନ୍ତୁ ଆଜି ସକାଳୁ ତୋରି କଥାଇ ବରାବର ମୋ ମନରେ ପଡ଼ୁଥିଲା ।’’

 

‘‘ମୁଁ ବର୍ତ୍ତମାନ ଦସ୍ୟୁ ଦୀପକ ଆଉ ରୂପକଙ୍କର ସହକାରୀଭାବରେ ଟ୍ରେନିଂ ମାତ୍ର ପାଉଚି ଡାଡି ! ଏଇଟା ହେଲା ଛଦ୍ମବେଶର ପରୀକ୍ଷା ।’’

 

‘‘ଗୁଡ୍‌ ! ଆଇ ଇଉସ୍‌ ଇୟୋର ସକ୍ସେସ୍‌ । କିନ୍ତୁ ତୋତେ ପୁଣି ହରାଇବାର ଆଶଙ୍କା ମୋତେ କରିବାକୁ ପଡ଼ିବ ନାହିଁ ତ ମା !’’ ପ୍ରୀତିର ମୁଣ୍ଡକୁ ଆଉଁସୁ ଆଉଁସୁ ସ୍ନେହରେ ପଚାରିଲେ ରାଧାବଲ୍ଲଭବାବୁ ।

 

‘‘ମୁଁ କ’ଣ ଆଉ ସେ ଆଗର ପ୍ରୀତି ଅଛି ବାପା ? ବର୍ତ୍ତମାନ ମୋର ଟ୍ରେନିଂ ସରିଚି । ଡ୍ରାଇଭିଂ, ରାଇଡ଼ିଂ, ଫାୟାରିଂ ସବୁଥିରେ ମୁଁ ଫାଷ୍ଟ୍‌ ହେଇଚି । ମୋ’ପାଇଁ ଆପଣ ଚିନ୍ତା କରନ୍ତୁନି । ଖୁବ୍‌ ନିକଟରେ ତ ମୁଁ ଫେରିଆସିବି ପୁଣି ଆପଣଙ୍କ ପାଖକୁ ।’’

 

‘‘ସତେ ?’’ –ରାଧାବଲ୍ଲଭବାବୁ ବିସ୍ମିତହୋଇ ପଚାରିଲେ ।

 

‘‘ମୋତେ ଏଥର ବିଦାୟଦିଅନ୍ତୁ ବାପା ! ତେଣେ ଦୀପକ ଆଉ ରୂପକ ଭାଇ ବ୍ୟସ୍ତହୋଇ ଚାହିଁଥିବେ । ଆଜି ମୋର ଏଠିକୁ ଆସିବା ପ୍ରଥମ କି ନା ।’’

 

‘‘ଠିକ୍‌, ଠିକ୍‌ । ହଁ, ତୁ ଯା, ମଝିରେ ମଝିରେ ଏଇମିତି ଆସୁଥିବୁ । ଦୀପକ, ରୂପକ ଦୁହିଙ୍କୁ ବି କହିବୁ ଆସବାପାଇଁ । ଟଙ୍କା ଯେତେ ଲୋଡ଼ା ନେଇଯିବୁ । ଏସବୁ ତୋର । ତୋର ଯାହା ଇଚ୍ଛା କରିପାରୁ ।’’

 

ପ୍ରୀତି ନକଲି ନିଶ ଆଉ ଫେଲ୍‌ଟ ହ୍ୟାଟ୍‌ଟା ମୁଣ୍ଡରେ ଦେଇ ଚାହିଁଲା ରାଧାବଲ୍ଲଭବାବୁଙ୍କୁ ।

 

ରାଧାବଲ୍ଲଭବାବୁ ହସ ହସ ହୋଇ କହିଲେ–‘‘ଠିକ୍‌ଅଛି ।’’

 

ପ୍ରୀତି ବାହାରିଗଲା ବିଜୁଳିପରି । ସାଙ୍ଗେ ସାଙ୍ଗେ ବାହାରେ କାର୍‌ ଗର୍ଜିଉଠିଲା । ରାଧାବଲ୍ଲଭବାବୁ ଝରକା ପାଖରେ ଠିଆହୋଇ ବାହାରକୁ ଚାହିଁଲେ । ଧଳାରଙ୍ଗର କାର୍‌ଟାଏ ପକ୍ଷୀପରି ଉଡ଼ିଯାଉଚି ଜନଗହଳି ରାସ୍ତା ଉପରେ ।

 

ଓଠରେ ତାଙ୍କର ହସ । ଆଖି ଲୁହରେ ଟଳମଳ ହେଉଥିଲା ।

 

ଷୋହଳ

 

ରାଜା କିଶୋରଚନ୍ଦ୍ରଦେବଙ୍କ କୋଠିରୁ ତାଙ୍କର ପ୍ଳାଇମାଉଥ୍‌ କାର୍‌ଟା ବାହାରିଯିବା ସଙ୍ଗେ ସଙ୍ଗେ ଗୋଟାଏ ଦ୍ରୁତଗାମୀ ଜିପରେ ଉମାଶଙ୍କରବାବୁ ତାକୁ ଫଲୋ କରିବାକୁ ଲାଗିଲେ । ଏଥର ଉମାଶଙ୍କରବାବୁ ଏକୁଟିଆ ନୁହନ୍ତି, ତାଙ୍କର ସହକାରୀ ଅବନୀବାବୁ ମଧ୍ୟ ପାଖରେ ଥିଲେ । ଏଇ କେତେମାସ ହେବ ଉମାଶଙ୍କରବାବୁ ଅବନୀବାବୁଙ୍କୁ ନିଜ ସହକାରୀଭାବରେ ବାଛି ନେଇଛନ୍ତି ଏବଂ ତାଙ୍କୁ ଯୋଗେଶବାବୁଙ୍କ ଗତିବିଧି ନିରୀକ୍ଷଣ କରିବା କାମରେ ସବୁବେଳେ ଲଗାଇ ରଖିଚନ୍ତି-। ଅବନୀବାବୁ ଯୁବକ ଏବଂ ଦକ୍ଷ । ଅଳ୍ପଦିନ ହେବ ସ୍କଟ୍‌ଲାଣ୍ଡ ୟାର୍ଡ଼ରୁ ସି.ଆଇ.ଡି. ଟ୍ରେନିଂ ପାଇ ଫେରିଚନ୍ତି । ତାଙ୍କର ଏସବୁ କାମରେ ଆଗ୍ରହ ଏବଂ ଉତ୍ସାହ ବେଶି । ଉମାଶଙ୍କରବାବୁଙ୍କ ପରି ପ୍ରସିଦ୍ଧ ଡିଟେକ୍‌ଟିଭଙ୍କ ପାଖରେ ରହି ସେ ଭଲ କାମ କରିବା ସଙ୍ଗେ ସଙ୍ଗେ ଏକ ଉଜ୍ଜ୍ୱଳ ଭବିଷ୍ୟତର ଆଶା ମଧ୍ୟ ରଖିଚନ୍ତି ।

 

ଉମାଶଙ୍କରବାବୁଙ୍କ ନିକଟରେ କାମ କଲାଦିନୁ ସେ ରାଜା କିଶୋରଚନ୍ଦ୍ରଦେବଙ୍କ ଘରେ ରହିଚନ୍ତି ଚାକରଭାବରେ । ଏକଥା ଜାଣନ୍ତି କେବଳ ରାଜାସାହେବ ଆଉ ଉମାଶଙ୍କରବାବୁ । ରାଜାସାହେବଙ୍କ ନିରାପତ୍ତା ରକ୍ଷା କରିବା ସଙ୍ଗେ ସଙ୍ଗେ ଯୋଗେଶବାବୁଙ୍କ ଉପରେ କଡ଼ା ନଜର ରଖିବା ହେଇଚି ଅବନୀବାବୁଙ୍କର ପ୍ରଧାନ କାମ । ଏପର୍ଯ୍ୟନ୍ତ ନିଜ କାମ ସେ ଯଥାର୍ଥଭାବରେ ତୁଲାଇ ଆସିଚନ୍ତି । ଆଜି ହଠାତ୍‌ ଯୋଗେଶବାବୁ ବାହାରକୁ ବାହାରୁଥିବା ଯୋଗାଡ଼ କରିବା ଦେଖି ସେ ଉମାଶଙ୍କରବାବୁଙ୍କୁ ଖବର ଦେଇଥିଲେ । ଉମାଶଙ୍କରବାବୁ ମଧ୍ୟ ଠିକ୍‌ ସମୟରେ ଆସି ପହଞ୍ଚିଯାଇଚନ୍ତି । ଆଉ ଟିକିଏ ଡେରି କରିଥିଲେ ହୁଏତ ଯୋଗେଶବାବୁ ହାତଛଡ଼ା ହେଇଯାଇଥାନ୍ତେ କି କ’ଣ ?

 

ପ୍ଳାଇମାଉଥ୍‌ କାର୍‌ଖଣ୍ଡି ପବନପରି ଉଡ଼ିଯାଉଥିଲା । ଚଳାଉଥିଲେ ନିଜେ ଯୋଗେଶବାବୁ । ଅନ୍ଧାର ରାତି, ଦଶଟା ପରେ ହେଲାଣି । ରାସ୍ତା ଅବଶ୍ୟ କେତେକ ପରିମାଣରେ ନିର୍ଜନ ହୋଇଆସିଲାଣି । ତାଙ୍କୁ ଅନୁସରଣ କରିପାରିଲାଭଳି ଦୂରତା ଭିତରେ ରଖି ଉମାଶଙ୍କରବାବୁ ଜିପ୍ ଛୁଟାଇଥାନ୍ତି । ନିଜର ଅବସ୍ଥିତି ଅଜ୍ଞାତ ରଖିବାପାଇଁ ସେ ଜିପ୍‌ର ହେଡ୍‌ଲାଇଟ୍‌ ଲିଭାଇଦେଇଥାନ୍ତି । ଖାଲି ପ୍ଳାଇମାଉଥ୍‌ର ବ୍ୟାକ୍‌ ଲାଇଟ୍‌ର ନାଲି ଆଲୁଅ ହିଁ ଥାଏ ତାଙ୍କର ଲକ୍ଷ୍ୟ । ପ୍ରତି ମୁହୂର୍ତ୍ତରେ ବିପଦର ସମ୍ଭାବନା ।

 

ଆଗରେ ଯାଉଥିବା କାର୍‌ଖଣ୍ଡି ସହର ଛାଡ଼ି ଧାଇଁଲା । ବେଳକୁବେଳ ତା’ର ଗତିବେଗ ବଢ଼ୁଥାଏ । ନିର୍ଦ୍ଦିଷ୍ଟ ବ୍ୟବଧାନ ରଖି ଉମାଶଙ୍କର ବାବୁ ମଧ୍ୟ ଜିପ୍‌ଟି ସାବଧାନରେ ଚଳାଉଥାନ୍ତି । ପ୍ରାୟ ପାଞ୍ଚ, ଛଅ କି:ମି: ଗଲାପରେ ଯୋଗେଶବାବୁଙ୍କ କାର୍‌ଟି ଅଟକିଗଲା । ମାତ୍ର ଦରଜା ଖୋଲିବାର ଶବ୍ଦ ଶୁଣିପାରିଲେ ନାହିଁ ଉମାଶଙ୍କରବାବୁ । କାର୍‌ ଅଟକିବା ମାତ୍ରେ ସେ ବି ଜିପ୍‌ଟା ଅଟକାଇ ଦେଇଥିଲେ । ଆଗରେ ଘଟଣାଟା କ’ଣ ଘଟୁଚି ଜାଣିବାପାଇଁ ଉମାଶଙ୍କରବାବୁ ଜିପ୍‌ରୁ ଓହ୍ଲାଇଗଲେ ଆଗକୁ । ଅବନୀବାବୁ ତାଙ୍କ ପଛେ ପଛେ ଛାଇପରି ଚାଲିଥାନ୍ତି ।

 

କାର୍‌ ପାଖରେ ପହଞ୍ଚି ଉମାଶଙ୍କରବାବୁ ଦେଖିଲେ–ଯୋଗେଶ ବାବୁ ସେ ପର୍ଯ୍ୟନ୍ତ ଗାଡ଼ି ଭିତରେ ବସିଚନ୍ତି । ରାସ୍ତାର ଡାହାଣପଟେ ନୁଆଁଣିଆ ଚାଳ ଘରଟାଏ । ଦରଜା ଫାଙ୍କଦେଇ ଆଲୁଅ ଦିଶୁଚି । ଭିତରୁ ଭୁଟ୍‌ ଭୁଟ୍ କଥାବାର୍ତ୍ତା ମଧ୍ୟ ଶୁଣାଯାଉଚି । ଉମାଶଙ୍କରବାବୁ ଅବନୀବାବୁଙ୍କ ଦେହରେ ହାତ ମାରି ଇସାରାରେ କେତେ କଥା କହିଦେଲେ । ଅବନୀବାବୁ ସେଠାରୁ ଫେରି ଆସିଲେ ଜିପ୍‌ ପାଖକୁ । କିନ୍ତୁ ଉମାଶଙ୍କରବାବୁ ସେଇଠି କାର୍‌ ଉହାଡ଼ରେ ଆତ୍ମଗୋପନ କରି ଠିଆହେଲେ ।

 

ପ୍ରାୟ ତିନି ଚାରି ମିନିଟ୍‍ ପରେ ଚାଳଘର ବାହାରେ ଦୁଇ ଚାରିଜଣ ଲୋକଙ୍କ କଥାବାର୍ତ୍ତା ଶୁଣାଗଲା । ସେମାନଙ୍କର କଥାବାର୍ତ୍ତା ଶୁଣିବା ପାଇଁ ଉମାଶଙ୍କରବାବୁ ଚେଷ୍ଟା କଲେ ସୁଦ୍ଧା ଶୁଣିପାରିଲେ ନାହିଁ । ଖୁବ୍‌ ଅନୁଚ୍ଚସ୍ୱର ଯୋଗୁ ଏପରି ହୋଇଥିଲା । ଲୋକମାନେ କ’ଣ ଗୋଟାଏ ଟେକି ଟେକି ଆଣିଲା ଭଳି ଜଣାଯାଉଥିଲା । ଖୁବ୍‌ ପାଖ ହେଲାରୁ ଉମାଶଙ୍କରବାବୁ ଜାଣିଲେ, ସେମାନେ କାହାକୁ ‘ଚୁପ୍‌, ଚୁପ୍‌’ କହି ତୁନି ହେବାକୁ ଧମକାଉଚନ୍ତି । ଆଉ ତା’ର ଠିକ୍‌ ପରେ ପରେ ସେ ଜଣେ ସ୍ତ୍ରୀ ଲୋକର ଖୁବ୍‌ ଚାପା କାନ୍ଦଣା ଶୁଣିପାରିଲେ । ଲୋକଗୁଡ଼ା ପାଖେଇ ଆସିବା ସାଙ୍ଗେ ସାଙ୍ଗେ ସେମାନଙ୍କର କଥାବାର୍ତ୍ତା ଆଉ କାନ୍ଦଣା ମଧ୍ୟ ସ୍ପଷ୍ଟ ଶୁଭୁଥିଲା ।

 

ଲୋକ ଚାରିଟା ସ୍ତ୍ରୀ ଲୋକଟାକୁ ଗାଡ଼ି ଭିତରେ ଭର୍ତ୍ତି କରିଦେଇ ବାହାରୁ କବାଟ ବନ୍ଦ କରିଦେଲେ । ସେମାନଙ୍କ ଭିତରୁ ଜଣେ ମାମଲତକାରିଆ, ଡ୍ରାଇଭର ଆସନ ପାଖକୁ ଯାଇ ଚୁପ୍‌ ଚୁପ୍‌ କରି କହିଲା–‘‘ଆଜିକି ଦି’ଦିନ ହେଲା ଖିଆପିଆ ବନ୍ଦ ଆଜ୍ଞା, ଯିବ କୁଆଡ଼େ ? ଭଲ କରି ହାତଗୋଡ଼ ବି ବାନ୍ଧିଦେଇଚି ।’’

 

‘‘ଠିକ୍‌ ଅଛି । ସେଠି ପହଞ୍ଚିଲେ ବଳେ ସବୁ ଠିକ୍‌ ହୋଇଯିବ । ଆଚ୍ଛା, ଏଇ ଧର ତୁମର ବକ୍‌ସିସ, ଇଏ ହଜାରେ ଆଉ ଇଏ ହଜାରେ ।’’ ଯୋଗେଶବାବୁ କହିବା ସାଙ୍ଗେ ସାଙ୍ଗେ ଦୁଇଟା ନୋଟ୍‍ ତାଡ଼ା ବଢ଼ାଇଦେଲେ ସେ ଲୋକଟା ହାତକୁ । ତା’ ସାଙ୍ଗେ ସାଙ୍ଗେ କାର୍‍ ଷ୍ଟାର୍ଟ ହେବାର ଶବ୍ଦ । ଉମାଶଙ୍କରବାବୁ ଇତ୍ୟବସରରେ ଖୁବ୍‌ କୌଶଳରେ କାର୍‌ର ପଛପାଖ ଫୁଟ୍‌ବୋର୍ଡ଼ ଉପରେ ବସିଗଲେ । କାର୍‌ଟା ଛୁଟି ଚାଲିଲା ଆଗକୁ ପୂର୍ବପରି ପୂରା ସ୍ପିଡରେ ।

 

ପ୍ରତି ମୁହୂର୍ତ୍ତରେ ପଡ଼ିଯିବାର ଆଶଙ୍କା, ଦୁଇ ତିନିଥର ସେ ପଡ଼ି ଯାଉ ଯାଉ ନିଜକୁ ସମ୍ଭାଳି ନେଲେଣି ମଧ୍ୟ । ଧୂଳି ମାଡ଼ରେ ନାକ, ଆଖି, କାନ ସବୁ ବନ୍ଦ ହୋଇଯିବା ଉପରେ । ରାତି କେତେ ହେଲାଣି, ଦେଖିବାର ମଧ୍ୟ ଉପାୟ ନାହିଁ ହାତ ଘଡ଼ିରେ । ଜାକିହୋଇ ବସି, କଚି ହୋଇ ଦେହ ବଥା ହୋଇଗଲାଣି ତାଙ୍କର । ଆଗର ସେ ଖୋଲା, ପ୍ରଶସ୍ତ ରାସ୍ତା ମଧ୍ୟ ନାହିଁ । କାରଟା ବଣୁଆ ଅଳ୍ପ ଚଉଡ଼ା କଦର୍ଯ୍ୟ ରାସ୍ତାରେ ଚାଲୁଚି । ଦୁଇ ପାଖରେ ଜଙ୍ଗଲ । ଠାଏ ଠାଏ ରାସ୍ତା କଡ଼ର ଗଛଡାଳଗୁଡ଼ା ବି କାର୍‌ ସହିତ ତାଙ୍କ ଦେହରେ ଘଷି ହୋଇଯାଉଚି । ଏତେ କଷ୍ଟ ସତ୍ତ୍ୱେ ବି ଉମାଶଙ୍କରବାବୁଙ୍କ ମନ ଖୁବ୍‌ ଖୁସି ଥିଲା । ‘ତାଙ୍କର ଜୟ ଏଥର ସୁନିଶ୍ଚିତ । ଯୋଗେଶବାବୁଙ୍କ ବିଷୟରେ ସେ ଯାହା ସନ୍ଦେହ କରୁଥିଲେ, ତାହାହିଁ ଯଥାର୍ଥ । ତେବେ ଆହୁରି ଅନେକ ରହସ୍ୟ ମଧ୍ୟ ୟାର ଅନ୍ତରାଳରେ ଥାଇପାରେ । ସେସବୁ କ୍ରମେ କ୍ରମେ ବାହାରିଯିବ । ହଉ ଦେଖାଯାଉ, କେଉଁ ପାଣି କେଉଁ ଆଡ଼କୁ ଯାଉଚି । ଈଶ୍ୱର ସହାୟ !

 

ହଠାତ୍‌ କାର୍‍ଟା ଏତେ ଜୋରରେ ବ୍ରେକ୍‌ କଲା ଯେ, ଉମାଶଙ୍କର ବାବୁ କାଚି ହୋଇ ଖସିପଡ଼ିଲେ ତଳକୁ । ଭାଗ୍ୟବଳରୁ ଚକା ଅଟକି ଯାଇଥିଲା । ନ ହେଲେ ପ୍ରାଣଟା ଯାଇଥାନ୍ତା ସେଇଠି । ଯୋଗେଶବାବୁ କାର୍‌ର ଷ୍ଟାର୍ଟ ବନ୍ଦ କରିଦେଲେ; କିନ୍ତୁ ଗାଡ଼ିର ହେଡ଼ଲାଇଟ ଆଗକୁ ପଡ଼ିଥାଏ । ସେଇ ଆଲୋକରେ ଧପ୍‌ ଧପ୍‌ କରି କ’ଣ ସଙ୍କେତ ଦେଲେ ସେ । ଉମାଶଙ୍କରବାବୁ ଏହା ଦେଖି ଭାବିଲେ କାର୍‌ଟା ଆଉ ବୋଧହୁଏ ଆଗକୁ ଯିବନାହିଁ । ସେ ସେଇଠୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଗୋଟାଏ ବୁଦା ଉହାଡ଼ରେ ରହିଗଲେ । କିନ୍ତୁ ସେଠାରୁ ସେସବୁ ଦେଖି ପାରୁଥିଲେ ।

 

ଆଲୋକର ସଙ୍କେତ ପାଇଲା ପରେ ଛଅ ସାତଟା ରାକ୍ଷସ ଆକୃତିର ଲୋକ ବାହାରି ଆସିଲେ ଆଲୁଅ ଯେଉଁଆଡ଼କୁ ପଡ଼ିଥିଲା । ଉମାଶଙ୍କର ବାବୁ ହଠାତ୍‌ ବିଶ୍ୱାସ କରିପାରିଲେ ନାହିଁ, ଏମାନେ ମନୁଷ୍ୟ କି ରାକ୍ଷସ । କିଛି ସମୟ ଭିତରେ ସେମାନେ କାର୍‌ ପାଖରେ ପହଞ୍ଚିଗଲେ । ଯୋଗେଶବାବୁଙ୍କ ନିର୍ଦ୍ଦେଶରେ କାର୍‌ ଭିତରୁ ସ୍ତ୍ରୀ ଲୋକଟାକୁ ଘୋଷାରି ଘୋଷାରି ନେଇଗଲେ । ସ୍ତ୍ରୀଟି ଚିତ୍କାର କରିଉଠିଲା ବଡ଼ କରୁଣ ଭାବରେ । କିନ୍ତୁ ଶୁଣୁଚି କିଏ ? ସେମାନେ ଚାଲିଗଲା ପରେ ଯୋଗେଶବାବୁ ମଧ୍ୟ ଅନ୍ଧାରରେ ଯିବାକୁ ପ୍ରସ୍ତୁତ ହେଲେ । ଏ ସୁଯୋଗରେ ଉମାଶଙ୍କରବାବୁ ଆସ୍ତେ ଆସ୍ତେ ବୁଦା ପଛରୁ ବାହାରି ତାଙ୍କରି ପଛରେ ଟିକିଏ ଛାଡ଼ି ଠିଆହେଲେ । ଯୋଗେଶବାବୁ ଚାଲିବାକୁ ଆରମ୍ଭ କଲାମାତ୍ରେ ସେ ବି ତାଙ୍କ ପଛେ ପଛେ ଚାଲିଲେ ଛାଇପରି ।

 

ଖୁବ୍‌ ବେଶିଗୁଡ଼ିଏ ବାଟ ଯିବାକୁ ଅବଶ୍ୟ ହେଲା ନାହିଁ । ତେବେ ଫର୍ଲଙ୍ଗେ ଖଣ୍ଡେ ଗଲାପରେ ପଥରର ସେ ପାହାଡ଼ଟା ପାଖରେ ଦୁହେଁ ପହଞ୍ଚିଗଲେ । ଯୋଗେଶବାବୁ ଗୋଟାଏ ବଡ଼ ପଥର ଚଟାଣ ଉପରେ ବସିଲେ । କ୍ରମେ ତାଙ୍କ ପାଖରେ ଗୋଟି ଗୋଟି ହୋଇ ଦସ୍ୟୁ ଆସି ପହଞ୍ଚି ଅଭିବାଦନ ଜଣାଇଲେ ।

 

ଯୋଗେଶବାବୁ ଜଣେ ଦସ୍ୟୁକୁ ଡାକି କହିଲେ–‘‘କୁମାର କାହିଁ ?’’ କୁମାର ବୋଧହୁଏ ପାଖରେ ଆସୁଥିଲା କି କ’ଣ, ଧାଇଁଆସି, ଅଭିବାଦନ ଜଣାଇଲା । ଯୋଗେଶବାବୁ ତା’ର ହାତ ସହିତ ହାତ ମିଳେଇ ହସି ହସି କହିଲେ–‘‘ସାବାସ ! ସାବାସ ! ତୁମେହିଁ ସବୁଠାରୁ ବେଶି ସଫଳତା ଲାଭ କରିଚ । ପ୍ରଶାନ୍ତ ହୋଇ ପ୍ରୀତି ସହିତ, ପୁଣି କୁମାର ହୋଇ ସରିତା ସହିତ ତୁମ୍ଭର ଅଭିନୟ ସୁନ୍ଦର ! ସରିତାର ଫଟୋ ବିଦେଶରେ ପସନ୍ଦ ହେଇଚି । ଦାମ୍‌ ଷାଠିଏ ହଜାର ପର୍ଯ୍ୟନ୍ତ ହେଇଚି । ପ୍ରୀତି ଆହୁରି ଅଧିକ ହୋଇଥାନ୍ତା, କିନ୍ତୁ ଆମର ଦୁର୍ଭାଗ୍ୟ । ଆଚ୍ଛା, ସରିତା କିପରି ?’’

 

‘‘ସେ ଭଲ ଅଛି । ତା’ର ପରିବର୍ତ୍ତନ ହେଇଚି ।’’ କୁମାର ହସି ହସି କହିଲା ।

 

‘‘ଉତ୍ତମ, ସୁ-ଖବର, ଆଉ ଲଳିତା ?’’

 

‘‘ଠିକ୍‍ ଆଗଭଳି ଅଛି । ବରଂ ଅଧିକ ଦୁର୍ବଳ ହୋଇପଡ଼ିଚି ।’’

 

ଯୋଗେଶବାବୁ ହେଁ ହେଁ ହୋଇ ହସିପକାଇ କହିଲେ–‘‘ତାକୁ ତ ଭଲଗତି ନାହିଁ, ସେ କରନ୍ତା କ’ଣ ଆଉ ? ଜାଙ୍ଗୁ ସର୍ଦ୍ଦାର ଅଛି ?’’

 

‘‘ଅଛି ସର୍ଦ୍ଦାର !’’ ଆଗକୁ ଆସି ଜଣେ ରାକ୍ଷସାକୃତି ଲୋକ ମୁଣ୍ଡ ନୁଆଁଇ ଅଭିବାଦନ ଜଣାଇଲା ଯୋଗେଶବାବୁଙ୍କୁ । ଲୋକଟା ଦେଖିବାକୁ ଯେପରି କଦାକାର, ସେହିପରି ଦୀର୍ଘ ଓ ମୋଟା । ଦେହ ତୁଳନାରେ ତା’ର ଆଖି ଦୁଇଟା ଆହୁରି ବଡ଼ । ବଣୁଆ ଚଢ଼େଇ ପରଗୁଡ଼ାଏ ମୁଣ୍ଡରେ ଖୋଷା ହେଇଚି । ସେ ବଣୁଆ ଲୋକଙ୍କ ସର୍ଦ୍ଦାର ‘ଜାଙ୍ଗୁ’ ।

 

ତାକୁ ଦେଖି ଉମାଶଙ୍କରବାବୁଙ୍କ ଦେହ ଶୀତେଇଉଠିଲା । ଏଡ଼େ ବିରାଟ ଲୋକଟା ଦେହରେ ରିଭଲଭରର ଗୁଳି ଭେଦିବ କି ନାହିଁ ତାହା ସେ ଭାବୁଥିଲେ ।

 

‘‘ସର୍ଦ୍ଦାର ! ତୁମ ଠାକୁରଙ୍କ ପାଇଁ ଗୋଟାଏ ବଳି ମିଳିଗଲା । ଆଗାମୀ ପୂର୍ଣ୍ଣମୀକୁ ତା’ର ବ୍ୟବସ୍ଥା କର ।’’ ଯୋଗେଶବାବୁ ହସି ହସି କହିଲେ ତା’ ଆଡ଼କୁ ଚାହିଁ ।

 

ଜାଙ୍ଗୁ ସର୍ଦ୍ଦାର ଖୁବ୍ କୃତଜ୍ଞତା ଜଣାଇ ପୁଣି ଥରେ ମୁଣ୍ଡ ନୁଆଁଇ ଅଭିବାଦନ କଲା ।

 

‘‘ଶୁଣ ଜାଙ୍ଗୁ ! ଆସନ୍ତା ପୂର୍ଣ୍ଣମୀ ତିଥିରେ ରାଜକୁମାରୀ ନନ୍ଦିନୀ ଦେବୀଙ୍କୁ ମୁଁ ବିବାହ କରୁଚି । ତୁମେ ତୁମର ଦଳ ସହିତ ଯେପରି ନିଶ୍ଚୟ ଆସିବ ।’’ ଯୋଗେଶବାବୁ କହିଲେ ।

 

ଆଉଥରେ କୃତକୃତ୍ୟ ହୋଇ ଅଭିବାଦନ ଜଣାଇଲା ଜାଙ୍ଗୁ ସର୍ଦ୍ଦାର ।

 

ସ୍ଥାନ, କାଳ, ପାତ୍ର ନେଇ ଖୁବ୍‌ ସାବଧାନ ହୋଇଯାଇଥିଲେ ଉମାଶଙ୍କରବାବୁ । ସେ ଏକୁଟିଆ । ପାଖରେ ଏକମାତ୍ର ରିଭଲଭରହିଁ ସହାୟ । କିନ୍ତୁ ଏମାନେ ସଂଖ୍ୟାରେ ବହୁତ । ସ୍ଥାନ ଅରଣ୍ୟବେଷ୍ଟିତ ଏବଂ ଅଜ୍ଞାତ–ପୁଣି ରାତ୍ରି ସମୟ । ଯଦି ଧରା ପଡ଼ିଯାନ୍ତି, ତେବେ କଥା ସରିଲା ଏକା ଥରେ ।

 

କିନ୍ତୁ ଦୁର୍ଭାଗ୍ୟ ଏବଂ ଦୁର୍ଯୋଗ, ଏ ଦୁହେଁ ଏକ ସମୟରେ ହିଁ ଆସି ଦେଖା ଦେଇଥାନ୍ତି । ଉମାଶଙ୍କରବାବୁ ଯେଉଁଠି ଠିଆ ହୋଇଥିଲେ ସେଟା ପାହାଡ଼ ଉପରେ ପଥର ଚଟାଣଟାଏ । ଟିକିଏ କ’ଣ କେମିତି ହଲିଯିବା ଦ୍ୱାରା ତଳୁ ପଥରଖଣ୍ଡଟା ଖସିଗଲା । ସେ ପଡ଼ି ଯାଉ ଯାଉ ଗୋଟାଏ ବୁଦାର ଡାଳକୁ ଧରିନେଲେ । ସାମାନ୍ୟ ଖସ ଖସ ଶବ୍ଦ ମଧ୍ୟ ହେଲା ।

 

ସ୍ଥାନଟା ଥିଲା ସେମାନଙ୍କ ନିକଟରୁ ଖୁବ୍‌ ପାଖ । ‘କିଏ, କିଏ’ ବୋଲି ସମସ୍ତେ ଧାଇଁଆସିଲେ ସେଠିକୁ । ଉମାଶଙ୍କରବାବୁ ଇଚ୍ଛା କରିଥିଲେ ରିଭଲ୍‌ଭର୍‌ ଚଳାଇ ଦୁଇଚାରିଟାଙ୍କୁ ଖତମ କରିଦେଇଥାନ୍ତେ; କିନ୍ତୁ ଭବିଷ୍ୟତକୁ ଚାହିଁ ସେ ନୀରବ ରହିଲେ । ଦସ୍ୟୁ ଦଳଟା ଆସି ସେ ବୁଦାଟାକୁ ଘେରିଗଲେ । ବର୍ଚ୍ଛାରେ ଖେଞ୍ଚି ଖେଞ୍ଚି ଉମାଶଙ୍କରବାବୁଙ୍କ ଦେହର କେତେ ଜାଗା ସେମାନେ ଖଣ୍ଡିଆ କରିଦେଲେ ପ୍ରଥମେ । ଅଗତ୍ୟା ଉମାଶଙ୍କରବାବୁ ତା’ ଭିତରୁ ବାହାରିପଡ଼ିଲେ-। ଯୋଗେଶବାବୁ ତାଙ୍କୁ ଦେଖି ଏପରି ଚମକିପଡ଼ିଲେ ଯେ, ଲୋକ ସାକ୍ଷାତ ମୃତ୍ୟୁକୁ ଆଗରେ ଦେଖିଥିଲେ ଏତେ ଭୟ ପାଇଥାନ୍ତା କି ନା ସନ୍ଦେହ । ତାଙ୍କର ଏ ଭାବ ଦେଖି ଉମାଶଙ୍କରବାବୁ କହିଲେ–‘‘ଭୟ କରନ୍ତୁନି ଯୋଗେଶବାବୁ, ମୁଁ ସବୁ କିଛି ଜାଣିଚି । ହେଲେ ଫାଶିଠାରୁ ଆଉ ଅଧିକ କିଛି ହେବନି ।’’

 

ଯୋଗେଶବାବୁଙ୍କ ଆଖି ଦପ୍‌ ଦପ୍‌ କରିଉଠିଲା । ସେ ଉମାଶଙ୍କର ବାବୁଙ୍କ ଗାଲରେ ଠାଏକରି ଚାପୁଡ଼ାଏ ଲଗାଇଦେଇ ଗର୍ଜିଉଠି କହିଲେ–‘‘ଚୁପ୍‌କର ବଦମାସ ଗୋଏନ୍ଦା । ମୋତେ ଦସ୍ୟୁ ସମ୍ରାଟ ମହିନ୍ଦର ସିଂ ବୋଲି କହ । ମୁଁ ତୋର ଜୀବନର ଖେଳ ଶେଷ ନ କରି ତୋତେ ଛାଡ଼ିବି ବୋଲି ଭାବିଚୁ ? ବୃଥା ।’’

 

ବୁଦା ପାଖରେ ଉମାଶଙ୍କରବାବୁଙ୍କ ହାତରୁ ରିଭଲଭର୍‌ଟା କେଉଁଠି ପଡ଼ିଯାଇଥିଲା । ବର୍ତ୍ତମାନ ସେ ନିଃସହାୟ । ଏଥର ଯେ ମୃତ୍ୟୁ ନିଶ୍ଚିତ, ଏହା ସେ ଜାଣିପାରିଲେ ଏତେବେଳେକେ । ତେବେ କାପୁରୁଷ ପରି ମରିବା ଅପେକ୍ଷା ବଞ୍ଚିବାକୁ ଚେଷ୍ଟା କଲେ କ୍ଷତି କ’ଣ ? ଏହା ଭାବିବା ସଙ୍ଗେ ସଙ୍ଗେ ସେ ତାଙ୍କର ପାଖ ଲୋକ ଦୁହିଙ୍କୁ ପ୍ରଚଣ୍ଡଭାବରେ ଆକ୍ରମଣ କଲେ । ଲୋକ ଦୁଇଟା ତଳେ ପଡ଼ିଯିବା ସଙ୍ଗେ ସଙ୍ଗେ ସେ କୁଦିପଡ଼ୁଥିଲେ ପଛକୁ । ମାତ୍ର ପଛକୁ ମୁହଁ ବୁଲାଇଲା ମାତ୍ରେ ନିର୍ଘାତ ଗୋଟାଏ ପାହାର ବସିଲା ତାଙ୍କ ଉପରେ । ସେ ମୁହଁମାଡ଼ିହୋଇ ତଳେ ପଡ଼ିଗଲେ । ତତ୍‌କ୍ଷଣାତ୍‌ ଚାରି ଛଅଟା ବଳବାନ୍ ଲୋକ ତାଙ୍କୁ ମାଡ଼ିବସି ବାନ୍ଧିପକାଇଲେ ।

 

ଯୋଗେଶ ଓରଫ ମହିନ୍ଦର ସିଂ ହୋ, ହୋ, ହୋଇ ହସିଉଠିଲା । ତା’ର ହସରେ ସାରା ପାହାଡ଼ ସମେତ ବଣଟା କମ୍ପିଉଠିଲା ଯେମିତି ।

 

ସତର

 

ଉମାଶଙ୍କରବାବୁ କିଛି କମ୍‌ ଆଘାତ ପାଇ ନ ଥିଲେ । ପାହାରଟା ତାଙ୍କ କାନ୍ଧ ଉପରେ ବସିଥିଲା । ପାହାର ଆଘାତରେ ସେ ପଡ଼ିଯାଇ ନ ଥିଲେ । ଗୋଡ଼ ଖସିଯିବାଯୋଗୁ ସେ ପଡ଼ିଯାଇଥିଲେ । ମାତ୍ର ସୌଭାଗ୍ୟକୁ ଦସ୍ୟୁମାନେ ଧାରଣା କରିଥିଲେ, ଭିନ୍ନପ୍ରକାର । ସେମାନେ ଭାବିଥିଲେ ଯେ, ଉମାଶଙ୍କରବାବୁଙ୍କ ମୁଣ୍ଡରେ କିମ୍ବା ବେକଷଣ୍ଡାରେ ପାହାରଟା ବସିଚି, ଯାହାର ଆଘାତ ସମ୍ଭାଳି ନ ପାରି ସେ ପଡ଼ି ସଂଜ୍ଞା ହରାଇଚନ୍ତି । ବନ୍ଧାବନ୍ଧି ସରିଲା ପରେ ଜଣେ ତାଙ୍କୁ ଭଲକରି ଗଡ଼ାଗଡ଼ି କରି ଦେଖି କହିଲା–‘‘ଖତମ ହେଇନାହିଁ, ତେବେ ଆଉ ବେଶି ଡେରି ନାହିଁ ।’’

 

ଯୋଗେଶବାବୁ କହିଲେ–‘‘ଏ ଲୋକ ସବୁଠାରୁ ବିପଦଜନକ । ଏ ହେଉଚି ଆମ ଦସ୍ୟୁରାଜ୍ୟର ପ୍ରଧାନ ଶତ୍ରୁ । ୟାକୁ ଲୋପ ନ କଲେ ମଙ୍ଗଳ ନାହିଁ । କେଡ଼େ ଭାଗ୍ୟରୁ ଆଜି ଏ ହାବୁଡ଼ରେ ପଡ଼ିଚି । ଯଦି ୟେ ଏଠୁ ନିରାପଦରେ ଫେରିଯାଇଥାନ୍ତା, ତେବେ କାଲି ସକାଳୁ ଆମେ ହଳ ହଳ ହୋଇ ବନ୍ଧାହୋଇ ଯାଇଥାନ୍ତେ । କିନ୍ତୁ ଭଗବାନଙ୍କର ବିଚାର ଅନ୍ୟପ୍ରକାର । ସେ ଆମ ପ୍ରତି ସଦୟ ହୋଇ ଏତକ କରିଚନ୍ତି । ତୁମେ ୟାକୁ ନେଇଯାଅ । ବାଘଗୁମ୍ଫାରେ ପକାଇଦିଅ । ବିଚରା ମହାବଳ ବାଘ ଦିଓଟି ଆଠଦିନ ହେବ କିଛି ଖାଇ ନ ଥିବେ । ଆଜି ହେଲେ ଦାମିକା ମାଂସ ଟିକିଏ ଖାଆନ୍ତୁ ।’’

 

ଦସ୍ୟୁଦଳ କୋଳାହଳ କରିଉଠିଲେ ଆନନ୍ଦରେ ।

 

ଉମାଶଙ୍କରବାବୁ ଅଜ୍ଞାନ ହୋଇ ପଡ଼ିରହିବାର ବାହାନା କରି ସବୁ ଶୁଣୁଥିଲେ ।

 

ଯୋଗେଶବାବୁ ସେଠାରୁ ଯିବା ପୂର୍ବରୁ ଉମାଶଙ୍କରବାବୁଙ୍କୁ ନେଇଯିବାପାଇଁ ଚାରିଟା ଲୋକଙ୍କୁ ନିର୍ଦ୍ଦେଶ ଦେଲେ । ଲୋକ ଚାରିଟା ନିତାନ୍ତ ଅସାବଧାନଭାବରେ ତାଙ୍କୁ ଏକପ୍ରକାର ଘୋଷାରି ନେଇଗଲେ କୁଆଡ଼େ । ଯନ୍ତ୍ରଣାରେ ଉମାଶଙ୍କରବାବୁଙ୍କ ଦେହ ଥରିଉଠୁଥିଲା, ବାଘ ମୁହଁରେ ପଡ଼ିବା କଥା ଶୁଣି ତାଙ୍କର ଦେହ ଶୀତେଇ ଉଠିଥିଲା । ପାଖରେ ଏକମାତ୍ର ସହାୟ ରିଭଲ୍‌ଭର୍‌ଟି ନାହିଁ । ଏକା ସେ ମହାବଳ ବାଘର କ’ଣ କରିପାରିବେ ? ଦସ୍ୟୁମାନେ ତାଙ୍କୁ ଯେପରି ବଜ୍ରମୁଷ୍ଟିରେ ଧରିଚନ୍ତି, ସେଥିରୁ ମୁକ୍ତି ପାଇବା କଷ୍ଟ । ମନେମନେ ସେ ଈଶ୍ୱରଙ୍କୁ ଚିନ୍ତା କରିବାକୁ ଲାଗିଲେ–ଏ ବିପଦରୁ ଉଦ୍ଧାର ପାଇବାଲାଗି ।

 

ବାଟ କେତେ ହେବ କେଜାଣି, ଲୋକଗୁଡ଼ା ତାଙ୍କୁ ସେହିପରି ନେଉଥାନ୍ତି । ପ୍ରାୟ ଅଧଘଣ୍ଟାଏ ବିତିଲା ପରେ ସେମାନେ ଗୋଟାଏ ପଥୁରିଆ ଜାଗାରେ ପହଞ୍ଚିଗଲେ । ସେଇଟା ନିର୍ଦ୍ଦିଷ୍ଟ ସ୍ଥାନ ହେବ ଭାବି ଉମାଶଙ୍କରବାବୁ ଆଖି ଅଧା ଖୋଲିଲେ । ସେତେବେଳକୁ ତାଙ୍କୁ ତଳେ ଥୋଇଦିଆଗଲାଣି । ମାତ୍ର ଖସି ପଳାଇବାର ଉପାୟ ନାହିଁ । ହାତ ଗୋଡ଼ ଶକ୍ତଭାବରେ ବନ୍ଧା । ଲୋକଗୁଡ଼ାଙ୍କ ଭିତରୁ ଜଣକ ହାତରେ ଟର୍ଚ୍ଚ ଜଳିଉଠିଲା । ଆଲୋକରେଖା ପଡ଼ିଲା ଆଗକୁ । ସେଥିରେ ଉମାଶଙ୍କରବାବୁ ଦେଖିଲେ, ଆଗରେ ପ୍ରକାଣ୍ଡ ଗୋଟାଏ ଗୁହା । ତା’ର ଦ୍ୱାରରେ ଲୁହା ରେଲିଂ ବାଡ଼ ଦିଆଯାଇଚି । ରେଲିଂ ସେପଟେ ଦୁଇଟା ପ୍ରକାଣ୍ଡ ମହାବଳ ବାଘ ଚାହିଁ ରହିଛନ୍ତି ଏପଟକୁ କ୍ଷୁଧିତଦୃଷ୍ଟିରେ । ଆଲୁଅ ପଡ଼ିବାକ୍ଷଣି ତାଙ୍କ ଆଖିଗୁଡ଼ା ଜଳନ୍ତା କୋଇଲାମୁଣ୍ଡା ପରି ଦାଉ ଦାଉ ଦିଶିଗଲା । ଉମାଶଙ୍କରବାବୁଙ୍କ ଆଖି ଭୟରେ ମୁଦି ହୋଇଗଲା । ଖୁବ୍ ନିକଟରେ ମୃତ୍ୟୁର ଧୀରେ ପଦଶବ୍ଦ ତାଙ୍କୁ ଶୁଣାଗଲା । ଏତିକିବେଳକୁ ବାଘ ଦୁଇଟା ଖୁବ୍ ହେଣ୍ଟାଳି ଉଠିଲେ । ବୋଧହୁଏ ଖାଦ୍ୟପାଇଁ ତାଙ୍କର ଅତିରିକ୍ତ ବ୍ୟଗ୍ରତା ପ୍ରକାଶ କଲେ କି କ’ଣ । ତାହା ଶୁଣି ବଣୁଆ ଲୋକଗୁଡ଼ା ହି ହି ହୋଇ ହସିଉଠି ସେମାନଙ୍କ ଭାଷାରେ କ’ଣ କଥାବାର୍ତ୍ତା ହେଲେ । ତାହା ଅବଶ୍ୟ ଉମାଶଙ୍କରବାବୁଙ୍କ ବୋଧ୍ୟ ଭାଷା ନ ଥିଲା ।

 

କଥାବାର୍ତ୍ତା ପରେ ସେମାନଙ୍କ ମଧ୍ୟରୁ ଜଣେ ଆଲୁଅ ଦେଖାଇଲା । ଆଉ ଜଣେ ତାଙ୍କର ଜିନିଷପତ୍ର ଖାନତଲାସ କଲା । ହାତରୁ ଘଡ଼ି, ପକେଟରୁ ଅଳ୍ପ କିଛି ଟଙ୍କା, ଗୋଡ଼ରୁ ଜୋତା ସେମାନେ ଫିଟାଇନେଲେ । ଏମାନେ ବଣୁଆ ଜାତି । ଦସ୍ୟୁମାନଙ୍କୁ ଅବଶ୍ୟ ଏ ଜିନିଷ ଅପ୍ରାପ୍ୟ ନୁହେଁ । ମାତ୍ର ଏମାନେ ବନ୍ୟ ଜାତି । ଦସ୍ୟୁର ସାହାଯ୍ୟକାରୀ, କିନ୍ତୁ ଦସ୍ୟୁ ନୁହନ୍ତି । ଯାହାହେଉ, ଜିନିଷଗୁଡ଼ିକ ଖୁବ୍ ଯତ୍ନର ସହିତ ଆୟତ୍ତ କରି ନେଇସାରିଲା ପରେ, ଦୁଇଜଣ ହାତଆଡ଼ୁ ଏବଂ ଦୁଇଜଣ ଗୋଡ଼ଆଡ଼ୁ ଉମାଶଙ୍କରବାବୁଙ୍କୁ ଧରି ଟେକିନେଲେ । ଉମାଶଙ୍କରବାବୁ ଭାବିଲେ, ଏଇ ଶେଷ ! ଆଉ ସଂସାରର କୌଣସି ଶକ୍ତି ତାଙ୍କୁ ଉଦ୍ଧାର କରିପାରିବ ନାହିଁ । ଖୁବ୍‌ ଚିତ୍କାର କରି କାନ୍ଦିବାକୁ ଇଚ୍ଛା ହେଲା ତାଙ୍କର ।

 

ହଠାତ୍‌ ଖୁବ୍‌ ନିକଟରେ ଭୀଷଣ ଗର୍ଜନରେ ପଥରଗୁଡ଼ାକ ଥରିଉଠିଲା । ଯେପରି ମହାପ୍ରତାପ ମହାବଳ କ୍ରୋଧାନ୍ଧ ହେଲେ ଏପରି ଗର୍ଜନ କରିଥାଏ । ଶବ୍ଦଟା ଗୁହା ଭିତରୁ ଆସୁ ନ ଥିଲା । ବାହାରପଟରୁ, ଖୁବ୍‌ ନିକଟରୁ, ଏପରିକି ଆଠ ଦଶ ପାହୁଣ୍ଡ ଭିତରେ ମଧ୍ୟ ହେଇପାରେ । ସେ ଶବ୍ଦର ଭୀଷଣତାରେ ଦସ୍ୟୁ ଚାରିଟାଯାକ ସ୍ତବ୍‌ଧହୋଇ ଠିଆହେଲେ । ଉମାଶଙ୍କରବାବୁ ସ୍ପଷ୍ଟ ଅନୁଭବ କରିପାରୁଥିଲେ ଯେ, ସେମାନଙ୍କର ହାତମୁଠା ଥରିଉଠୁଚି, ତା’ ସଙ୍ଗେ ସଙ୍ଗେ ଶିଥିଳ ହୋଇ ଆସୁଚି । ଏତିକିବେଳେ ଆଉଥରେ ସେହି ଭୀଷଣ ଗର୍ଜନ ଶୁଣାଗଲା ଆହୁରି ପାଖରୁ । ତା’ ସଙ୍ଗେ ସଙ୍ଗେ ପାଖରେ ଝାମ୍ପି ପଡ଼ିବାର ଶବ୍ଦ, ବଣୁଆ ଚାରିଜଣଯାକ ଅବ୍ୟକ୍ତ ଚିତ୍କାର କରି ଧାଇଁ ପଳାଇଲେ ଉମାଶଙ୍କରବାବୁଙ୍କୁ ସେଇଠି କଚାଡ଼ିଦେଇ ।

 

ଉମାଶଙ୍କରବାବୁଙ୍କ ଜ୍ଞାନ ଲୋପ ହୋଇ ଆସୁଥିଲା । ତଥାପି ସେ ଶେଷପର୍ଯ୍ୟନ୍ତ ଜାଣିଥିଲେ ଯେ, ବିଜୁଳିପରି ତାଙ୍କୁ କିଏ ଗୋଟାଏ ଝାମ୍ପି ନେଇଗଲା । ତା’ପରେ କ’ଣ ହେଲା ତାଙ୍କୁ ଜଣାନାହିଁ ।

 

ଚେତନା ଫେରିପାଇବା ସଙ୍ଗେ ସଙ୍ଗେ ଉମାଶଙ୍କରବାବୁ ଜାଣିଲେ, ସେ ଜୀବନରେ ଅଛନ୍ତି । ପ୍ରଥମେ ପ୍ରଥମେ ତାଙ୍କର ବିଶ୍ୱାସ ହେଲାନାହିଁ ଗତ ରାତିର ଘଟଣାସବୁ ମନେ ପକାଇ । ତା’ପରେ ସେ ଠିକ୍‌ ଭାବରେ ଜାଣିଲେ ଯେ, ସେ ଜୀବିତ ଏବଂ ଅକ୍ଷତ ମଧ୍ୟ । ତେବେ ସତକୁ ସତ ତାଙ୍କର ଆତୁର ପ୍ରାର୍ଥନା ଈଶ୍ୱର ପୂରଣ କଲେ ନା କ’ଣ ? ତାଙ୍କୁ ଖୁବ୍‌ ଭୟ ଲାଗୁଥିଲା ଆଖି ଖୋଲିବାକୁ; ମାତ୍ର କିଛି ସମୟ ପଡ଼ି ରହିଲା ପରେ ସେ ଖୁବ୍‌ ସାହସ ସଞ୍ଚୟ କରି ଆଖି ଖୋଲିଲେ-। ଦେଖିଲେ, କିଛି ଭୟର କାରଣ ନାହିଁ । ଡାଳପତ୍ରର କୁଡ଼ିଆଟିଏ ତଳେ ପତ୍ରର ବିଛଣା ଉପରେ ସେ ଶୋଇଛନ୍ତି । ଆସ୍ତେ କଡ଼ ଲେଉଟାଇଲେ ସେ । କେହି କୁଆଡ଼େ ନାହିଁ । ସମୟ ପ୍ରାୟ ନଅଟା ହେଲାଣି । ଗତ ରାତିର ସବୁ ଘଟଣା ମନେ ପଡ଼ିଲା । ରାଗରେ ସେ ଓଠ କାମୁଡ଼ିଲେ-। ଆଚ୍ଛା, ବଞ୍ଚିଛନ୍ତି ଯେତେବେଳେ ନିଶ୍ଚୟ ଦେଖିନେବେ । ଦସ୍ୟୁଦଳର ରକ୍ଷା ନାହିଁ ଏଥର । ସେ ଉଠି ଆସିଲେ ବାହାରକୁ, ଚାରିଆଡ଼େ ନିବିଡ଼ ଜଙ୍ଗଲ, ଖାଲି ନିଘଞ୍ଚ ଗଛଲତା । ଗୋଟିଏ ହେଲେ ମନୁଷ୍ୟ ନାହିଁ । ତେବେ ତାଙ୍କୁ କେହି ମନୁଷ୍ୟ ନିଶ୍ଚୟ ରକ୍ଷା କରିଚି ଏବଂ ଏ ଘର ତା’ର, ଏଥିରେ ସନ୍ଦେହ ନ ଥିଲା ତାଙ୍କର । ଯେଉଁ ଲୋକ ତାଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା କରିଚି, ସେଇ ବୀର ମହୋପକାରୀ ଲୋକ ନିକଟରେ କୃତଜ୍ଞତା ଜଣାଇବା ପାଇଁ ସେ ତାକୁ ମନେମନେ ଖୋଜୁଥିଲେ-

 

ଏତିକିବେଳେ ଦୂରରେ ବଣୁଆ ଲୋକର କୁହାଟ ଶୁଭିଲା । ତା’ ସଙ୍ଗେ ସଙ୍ଗେ ପାଖ ବୁଦା ପଛରୁ ଜଣେ ଯୁବକ ବାହାରିଆସିଲା । ହାତରେ ତା’ର ଧନୁଶର, ଟାଙ୍ଗିଆ । କଳା ମଚମଚ ଦେହ ଖୁବ୍‌ ସୁଦୃଢ଼ । ସେଥିରେ ପ୍ରଚୁର ବଳର ସୂଚନା ମିଳେ ଚାହିଁଦେବା ସଙ୍ଗେ ସଙ୍ଗେ । ଲୋକଟା ଖୁବ୍‌ ଚଞ୍ଚଳ ପଦକ୍ଷେପରେ ଉମାଶଙ୍କରବାବୁଙ୍କ ପାଖରେ ପହଞ୍ଚିଯାଇ ପଚାରିଲା–‘‘ଉଠିଲୁଣି କି ବାବୁ ? କାଲି ତ ଜୀବନଟା ବାହାରି ଯାଇଥିଲା, ନା ! ଆଜି ଟିକେ ଭଲ ଲାଗୁଚି ?’’

 

ଉମାଶଙ୍କରବାବୁ ଜାଣିଲେ, ଏଇ ହେଉଛି ତାଙ୍କର ପ୍ରାଣରକ୍ଷାକାରୀ । ଗଭୀର କୃତଜ୍ଞତାରେ ତାଙ୍କ ମନ ଭରିଉଠିଲା । ସେ ବିନୀତ ହୋଇ କହିଲେ–‘‘ହଁ, ମୁଁ ଭଲ ଅଛି ତୁମ ଦୟାରୁ.....’’

 

ଉମାଶଙ୍କରବାବୁ ଆଉ କ’ଣ କହିଥାନ୍ତେ, ଲୋକଟା ହସି ହସି କହିଲା–‘‘ଦୟା କ’ଣ, ବାବୁ, ସେଟା ତ କରିବା କଥା, ହେଲେ ଆମ ରଙ୍ଗୁ ବୁଦ୍ଧି ସେଇଟା । ସେ ଆଗ ସବୁକଥା ଦେଖି ମୋତେ କହିଲା । ନହେଲେ ମୁଁ ତ ନଜର ଦେଇଥିଲି ଗୋଟେ ମିରିଗ ଉପରେ । ମୁଁ ଯେତେବେଳେ ଦେଖିଲି, ତୋର ବାଘ ମୁହଁରେ ପଡ଼ିବା ଠିକ୍‌, ଆଉ ସେମାନେ ଏତେ ଲୋକ, ସେତେବେଳେ ସିନା ବୁଦ୍ଧିଟେ କଲି । ନ ହେଲେ ବଞ୍ଚିବା କଥା ନୁହେଁ ପରା ।’’

 

ଉମାଶଙ୍କରବାବୁ ବୁଝିଲେ–ସେତେବେଳେ ପ୍ରକୃତ ବାଘ ଗର୍ଜନ କରି ନ ଥିଲା, ଏଇ ସେପରି ଶବ୍ଦ କରିଥିଲା । ବାସ୍ତବିକ୍‌ ସେଥିରେ ତ ଟିକିଏ ହେଲେ କୃତ୍ରିମତା ଥିଲା ଭଳି ଜଣା ହେଉ ନ ଥିଲା । ଲୋକଟାର କୌଶଳ ପ୍ରତି ଉମାଶଙ୍କରବାବୁ ମନେମନେ ଶତ ଧନ୍ୟବାଦ ଦେଇଥିଲେ ।

 

ଏତିକିବେଳେ ତା’ଠାରୁ ଅଳ୍ପବୟସ୍କ ଆଉ ଜଣେ ଯୁବକ ଆସି ପହଞ୍ଚିଗଲା ସେଠି । ହାତରେ ତା’ର କେତେଟା ବଣୁଆ ଫଳ ଆଉ ପାଚିଲା ସପୁରୀ । ଲୋକଟା ତା’ ଆଡ଼କୁ ହାତ ବଢ଼ାଇ କହିଲା–‘‘ଏଇ ହେଉଚି ମୋ ସାନଭାଇ ରଙ୍ଗୁ । ଏଇ ତତେ କାଲି ବଞ୍ଚେଇଲା ବୋଲି ଜାଣିବୁ । ମୋ ନା ଗଙ୍ଗୁ ।’’

 

ସେମାନଙ୍କ ଅନୁରୋଧରେ ଉମାଶଙ୍କରବାବୁ ଫଳମୂଳ କେତୋଟି ଖାଇଲେ । ଖାଉ ଖାଉ ସେମାନଙ୍କଠାରୁ ଏତିକି ସଂଗ୍ରହ କଲେ ଯେ, ସେ ଦୁଇ ଭାଇ ଏଇମିତି ଶିକାର କରି ଯାଯାବର ଭାବରେ ଚଳନ୍ତି । ସେମାନେ ଏ ବଣସାରା ବୁଲିଚନ୍ତି । ସେଇ ଗୁହା ପାହାଡ଼ ପାଖକୁ ସେ ଅନେକ ଥର ଯାଇଚନ୍ତି, ସେଠି ଡକାୟତ ଅଛନ୍ତି । ମାଈକିନା ଅଛନ୍ତି । ବେଳେ ବେଳେ ଭାରି କାନ୍ଦଣା ଶୁଭେ ସେଠୁ । ଦଳଦଳ ମାଈକିନିଆଙ୍କୁ କୁଆଡ଼େ ପଠାଇ ଦିଆଯାଏ ଥରେ ଥରେ । ଜାଙ୍ଗୁ ସର୍ଦ୍ଦାର ସ୍ତ୍ରୀଲୋକ ବଳି ଦିଏ । ସେ ଗୋଟେ କି ସାଧନା କରୁଚି ।

 

ସବୁକଥା ଶୁଣିବା ସଙ୍ଗେ ସଙ୍ଗେ ଉମାଶଙ୍କରବାବୁ ଭାବୁଥିଲେ–ଏ ଦୁଇଜଣଙ୍କୁ ହାତଛଡ଼ା କଲେ ହବନି, ଏ ଦୁହେଁ ଦସ୍ୟୁଦଳକୁ ଧରିବାରେ ପ୍ରଧାନ ସହାୟକ ହେବେ । ସେହିଦିଗରୁ ଏମାନଙ୍କୁ ଭଲଭାବରେ ପୁରସ୍କୃତ ମଧ୍ୟ କରିହେବ ।

 

ଖାଇସାରିବା ପରେ ବହୁତ ସୁସ୍ଥ ଅନୁଭବ କଲେ ଉମାଶଙ୍କର ବାବୁ । ଖୁବ୍‌ ଶୀଘ୍ର ସେ ସହରକୁ ଫେରିଯିବାକୁ ଚାହୁଁଥିଲେ । ମାତ୍ର ଗଙ୍ଗୁ ଓ ରଙ୍ଗୁ ମନାକଲେ । ସେମାନେ କହିଲେ ଯେ, ଡକାୟତ ଦଳର ଲୋକେ ଦିନରେ ବଣସାରା ବୁଲନ୍ତି । କାଳେ ଯଦି ଦେଖିନେବେ, ତେବେ ଉଦ୍ଧାର ପାଇବାର ବାଟ ନ ଥିବ । ଯିବାପାଇଁ ରାତି ଅନ୍ଧାର ନିରାପଦ । ଉମାଶଙ୍କରବାବୁ ମଧ୍ୟ କଥାର ଯଥାର୍ଥତା ଉପଲବ୍‌ଧି କରିପାରି ତାହା ହିଁ କରିବାକୁ ସ୍ଥିର କଲେ ।

 

ସେଦିନ ସନ୍ଧ୍ୟା ପରେ ଅତି ସତର୍କରେ ରଙ୍ଗୁ ଗଙ୍ଗୁଙ୍କ ସହାୟତାରେ ଉମାଶଙ୍କରାବୁ ଜଙ୍ଗଲ ଛାଡ଼ିଲେ । ସାରାରାତି ସେଇ ଅରଣ୍ୟମୟ ଅଞ୍ଚଳରେ ଘୂରି ଘୂରି ସକାଳ ହେଲାବେଳକୁ ଗୋଟାଏ ଖୁବ୍‌ ଖୋଲା ଜାଗାରେ ପହଞ୍ଚି ଯାଇଥିଲେ । ଜଙ୍ଗଲର ଶେଷ ହୋଇଛି ସେଇ ଖୋଲା ଜାଗାର ସୀମାରୁ । ରଙ୍ଗୁ, ଗଙ୍ଗୁ ସେଇଠୁ ବିଦାୟ ନେବାକୁ ଚାହିଁଲେ; ମାତ୍ର ସେମାନଙ୍କୁ ପୁରସ୍କାର ଦେବାପାଇଁ ଉମାଶଙ୍କର ବାବୁଙ୍କ ପାଖରେ ଗୋଟିଏ ସୁଦ୍ଧା ପଇସା ନ ଥିଲା । ସେ ଦୁଇ ଭାଇଙ୍କୁ କୁଣ୍ଢାଇ ଧରି ଡାକିଲେ ତାଙ୍କ ସଙ୍ଗରେ ଯିବାପାଇଁ । ଭାଇ ଦୁହେଁ ବିନୀତ ଭାବରେ କହିଲେ–‘ହେ ବାବୁ ! ଆମେ ବଣୁଆ ଲୋକ ! ସେ ସହରରେ ଖାଇବା ଆମ ଧିଅରେ ଯିବ ନାହିଁରେ ! କାହିଁକି ଆମକୁ ହଇରାଣ କରିବୁ କାହିଁକି ?’’

 

ଉମାଶଙ୍କରବାବୁ ଭାବିଲେ, ଠିକ୍‌ କଥା, ଏମାନେ ଅରଣ୍ୟର ସ୍ୱାଧୀନ ଜୀବ । ସହରର କଳୁଷତା ଭିତରକୁ ଏମାନଙ୍କୁ ଟାଣିବା ଆଦୌ ଉଚିତ ନୁହେଁ । ସେ ହସି ହସି କହିଲେ–‘‘ଆଚ୍ଛା, ଆଚ୍ଛା । ତେବେ ମୁଁ ଆସିବି ଏ ଡକାଇତ ଦଳ ସାଥିରେ ଲଢ଼େଇ କରି । ତୁମ୍ଭେ ଯେମିତି ମୋ ସାଥିରେ ରହିବ ।’’

 

ରଙ୍ଗୁ ଗଙ୍ଗୁ ଦୁହେଁ ହୋ ହୋ ହୋଇ ହସିଉଠି କହିଲେ, ‘‘ହଉ, ହଉ, ବଣଭିତରେ ତୁ ଯେଉଁଠି ଥା ପଛେ, ତତେ ପାଇଯିବୁଁ ଆମେ । କୋଉଦିନ ଆସିବୁ, କଇଥା ।’’

 

–‘‘ଆସିବି ଠିକ୍‌ ପୂର୍ଣ୍ଣମୀ ଆଗଦିନ ।’’

 

‘‘ବେଶ୍‌ । ବେଶ୍ ।’’ –ରଙ୍ଗୁ, ଗଙ୍ଗୁ, ମୁହାଁଇଲେ ବଣଆଡ଼କୁ ।

 

ଉମାଶଙ୍କରବାବୁ ଆଗକୁ ଚାହିଁଲେ–ସହର କାହିଁ କେତେ ଦୂରରେ ।

 

ଅଠର

 

ଉମାଶଙ୍କରବାବୁଙ୍କର ଆକସ୍ମିକ ଭାବରେ ଦୀର୍ଘ ସମୟ ଧରି ଅନୁପସ୍ଥିତିଟା ବଡ଼ ଚିନ୍ତାର ବିଷୟ ହୋଇଥିଲା । ଜଣେ ଡିଟେକ୍‌ଟିଭ ପକ୍ଷରେ ଅବଶ୍ୟ ଏଟା ଅସମ୍ଭବ କଥା ନୁହେଁ, ତଥାପି ଯେଉଁ ପରିସ୍ଥିତିରେ ପଡ଼ି ସେ ଯାଇଥିଲେ, ତା’ ପରଠାରୁ ଆଉ ତାଙ୍କର ଖବର ନାହିଁ, ସେଇଟା ଖୁବ୍‌ ଚିନ୍ତାର କଥା ହୋଇପଡ଼ିଥିଲା, ଡିପାଟମେଣ୍ଟର ସମସ୍ତ କର୍ମଚାରୀଙ୍କ ମନରେ । କ୍ରମେ କଥାଟା ଫୁଟିଆରା ହୋଇ ଜନସାଧାରଣଙ୍କ ଗୋଚରକୁ ମଧ୍ୟ ଆସିଯାଇଥିଲା । ଲୋକମୁଖରୁ ଭିନ୍ନ ଭିନ୍ନ କଳ୍ପିତ ପ୍ରକାରର ମଧ୍ୟ ଗୁଜବ ଶୁଣାଯାଉଥିଲା ।

 

ଉମାଶଙ୍କରବାବୁ କିନ୍ତୁ ଆତ୍ମଗୋପନ କରି ରହିଥିଲେ ଆଇ.ଜି. ସାହେବଙ୍କ ବଙ୍ଗଳାରେ-। ବାହାରକୁ କୌଣସି ଖବର ଯିବାର ଉପାୟ ନ ଥିଲା । ଅତି ବିଶ୍ୱସ୍ତ ପୋଲିସ ଅଫିସର କେତେ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କ ପକ୍ଷରେ ଏସବୁ କଥା ଜାଣିବାର ତିଳେମାତ୍ର ଉପାୟ ନ ଥିଲା-

 

ପୂର୍ଣ୍ଣମୀ ଆଉ ଦୁଇଦିନ । ପୂର୍ଣ୍ଣମୀ ଦିନ ସବୁ ସମାଧାନ ହେବ ଦସ୍ୟୁ ଗୁହାରେ । ଠିକ୍‌ ତା’ର ପୂର୍ବଦିନ ଯାହା କିଛି କରିବା ଉଚିତ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବା ବିଜ୍ଞତାର କାର୍ଯ୍ୟ ନୁହେଁ । ଉମାଶଙ୍କରବାବୁଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରୁ ସୁଶିକ୍ଷିତ ଏବଂ ବଳବାନ ପୋଲିସମାନଙ୍କୁ ଅଣାଯାଉଚି । ଯଥେଷ୍ଟ ପରିମାଣରେ ଅସ୍ତ୍ରଶସ୍ତ୍ର, ସାଜ ସରଞ୍ଜାମ ଆୟୋଜନ କରାଯାଉଚି । ସବୁ କିନ୍ତୁ ନିତାନ୍ତ ଗୋପନରେ, ବାହାର ଲୋକ ପୋଲିସ ମହଲର ଏ ବିରାଟ ଆୟୋଜନର ବିନ୍ଦୁବିସର୍ଗ ସୁଦ୍ଧା ଜାଣିପାରୁନାହାନ୍ତି । ଯେ କେହି ଦେଖିଲେ କେବଳ ଲକ୍ଷ୍ୟ କରିବ, ପୋଲିସମାନଙ୍କର ବ୍ୟସ୍ତତା ।

 

ଏତେ ବ୍ୟସ୍ତଥାଇ ସୁଦ୍ଧା ଉମାଶଙ୍କରବାବୁ ତାଙ୍କର ପ୍ରାଣଦାତା ରଙ୍ଗୁ ଗଙ୍ଗୁଙ୍କୁ ଭୁଲି ନ ଥିଲେ । ସେ ଦୁହିଙ୍କର ସାହସ, ବଳ, ବୀରତ୍ୱ, ଆତିଥେୟତା ଏବଂ ସରଳତା ତାଙ୍କୁ ଏତେ ମୁଗ୍‌ଧ କରିଥିଲା ଯେ, ଟିକିଏ ଅବସର ପାଇଲେ ସେ ତାଙ୍କରି ବିଷୟ ହିଁ ଚିନ୍ତା କରୁଥିଲେ ଏବଂ ପ୍ରତ୍ୟୁପକାରର ନିଦର୍ଶନସ୍ୱରୂପ ଦୁହିଙ୍କର ଭବିଷ୍ୟତ ପାଇଁ କିଛି ଗୋଟାଏ କରିଦେବାକୁ ସ୍ଥିର କରିଥିଲେ । ତଥାପି ତାଙ୍କ ମନରେ ସନ୍ଦେହ ଥିଲା ଯେ, ସେ ଦୁହିଙ୍କର ଦେଖା ସେ ପୁଣି ଭବିଷ୍ୟତରେ ପାଇବେ କି ନାହିଁ ।

 

ଉମାଶଙ୍କରବାବୁଙ୍କର ସହକାରୀ ଅବନୀବାବୁ ୟାମଧ୍ୟରେ କେତେଥର ଯାଇ ବୁଲି ଆସିଲେଣି ରାଜା କିଶୋରଚନ୍ଦ୍ରଦେବଙ୍କ କୋଠିରୁ । ଉମାଶଙ୍କରବାବୁଙ୍କ ଅନ୍ତର୍ଦ୍ଧାନ ବିଷୟ ଶୁଣି ରାଜାସାହେବ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଚନ୍ତି । ତାଙ୍କର ସବୁକିଛି ଯାଇଥିଲେ ସୁଦ୍ଧା ଉମାଶଙ୍କରବାବୁ ଥିଲା ପର୍ଯ୍ୟନ୍ତ ସାମାନ୍ୟ ଆଶା ଥିଲା; ମାତ୍ର ସେତକ ବି ଗଲା । ଅବନୀବାବୁ ଲକ୍ଷ୍ୟ କରୁଥିଲେ–ରାଜାସାହେବଙ୍କ ଅବସ୍ଥା ଯାହା, ସେ ଆଉ ବେଶିଦିନ ତିଷ୍ଠିରହିବା ସମ୍ଭବ ନୁହେଁ ।

 

ଯୋଗେଶବାବୁ ଏଇ କେତେଦିନ ହେବ ଖୁବ୍‌ କାର୍ଯ୍ୟବ୍ୟସ୍ତ ଥିଲେ । ତାଙ୍କର ଡେଣା ଲାଗିଥିଲା ଯେମିତି । ସେ ରାଜାସାହେବଙ୍କୁ ବୁଝାଇ ଦେଇଥିଲେ ଯେ, ଉମାଶଙ୍କରବାବୁ ଆଉ ଫେରିବା ହୁଏତ ସମ୍ଭବ ନୁହେଁ । ତାଙ୍କୁ ଡକାୟତମାନେ ମାରି ଗାଏବ୍‌ କରିଦେଇଥିବା ବିଶ୍ୱାସ । ଏଥିରେ ରାଜାସାହେବ ଆହୁରି ଭାଙ୍ଗିପଡ଼ିଥିଲେ । କାରଣ ଏସବୁ କେବଳ ତାଙ୍କରି ହୀରା ମୁଦି ଏବଂ ଆଦରର କନ୍ୟା ନନ୍ଦିନୀ ପାଇଁ । ନ ହେଲେ ଉମାଶଙ୍କରବାବୁଙ୍କ ମୂଲ୍ୟବାନ ଜୀବନ ବିସର୍ଜ୍ଜନର କୌଣସି କାରଣ ନ ଥିଲା ।

 

ସବୁଠାରୁ ଯୁକ୍ତିଯୁକ୍ତ ବିଷୟ ରାଜାସାହେବଙ୍କୁ ବୁଝାଇଦେଇଥିଲେ ଯୋଗେଶବାବୁ । ସେ କହିଥିଲେ ଯେ, ‘‘ଦସ୍ୟୁ ସମ୍ରାଟ ମହୀନ୍ଦର ସିଂ ପ୍ରତାପୀ ଏବଂ ଉପଯୁକ୍ତ ଲୋକ । ନନ୍ଦିନୀ ଦେବୀ ଯଦି ତାଙ୍କୁ ବିବାହ କରନ୍ତି, ତେବେ ଭଲ । ପ୍ରଥମେ ପ୍ରଥମେ ଟିକେ ଖରାପ ଲାଗିପାରେ; କିନ୍ତୁ ପରେ ସବୁ ଠିକ୍‌ ହୋଇଯିବ ।’’

 

ରାଜାସାହେବଙ୍କର ବର୍ତ୍ତମାନ ନିତାନ୍ତ ଦୟନୀୟ ଅବସ୍ଥା ନ ହେଲେ ସାମାନ୍ୟ ଚାକର ଯୋଗେଶ ସାହସ କରି ଏଡ଼େ କଥା କହି ନ ଥାନ୍ତା । କହିଥିଲେ, କଥା ଶେଷହେବା ଆଗରୁ ତା’ର ମୁଣ୍ଡ ଗଣ୍ଡିରେ ଲାଗିରହି ନ ଥାନ୍ତା । କିନ୍ତୁ ଆଜି ? ଆଜି ଅବସ୍ଥା ବଦଳିଯାଇଚି । ନୀରବରେ ଅଶ୍ରୁପାତ କରିବା ଛଡ଼ା ଅନ୍ୟ ଉପାୟ ଦେଖିପାରିନାହାନ୍ତି ସେ ।

 

ଉମାଶଙ୍କରବାବୁ ସମସ୍ତ ବନ୍ଦୋବସ୍ତ କରିସାରିଲା ପରେ ଆଇ.ଜି. ସାହେବ, ପୋଲିସ ଏସ୍‌.ପି. ଏବଂ ସୁଦକ୍ଷ ଅଫିସରମାନଙ୍କୁ ଡାକି କାମର ଗୁରୁତ୍ୱ ବିଷୟ ଭଲଭାବରେ ବୁଝାଇ ଶେଷ ପର୍ଯ୍ୟନ୍ତ ସବୁକଥା ଅତ୍ୟନ୍ତ ଗୋପନୀୟ ରଖିବାପାଇଁ ସମସ୍ତଙ୍କୁ ସତର୍କ କରାଇଦେଲେ । ସେ ସେଇଦିନ ରାତି ସାଢ଼େ ଆଠଟାରେ ବାହାରିଗଲେ ଏବଂ ପରଦିନ ସକାଳଠାରୁ କେତେବେଳେ କି ଜିନିଷ କାହା ଦାୟିତ୍ୱରେ କେଉଁ ସ୍ଥାନରେ ଯାଇ ପହଞ୍ଚିବ, ତା’ର ବ୍ୟବସ୍ଥା କରିଦେଲେ ।

 

ଊଣେଇଶି

 

ଦ୍ରୁତଗାମୀ ମୋଟର ସାଇକେଲ୍‌ଟି ଛୁଟିଥିଲା ସତୁରୀ କିଲୋମିଟର ସ୍ପିଡରେ । ଗାଢ଼ ଅନ୍ଧାର ରାତି । ଉଜ୍ଜ୍ୱଳ ଆଲୋକରେଖା ବିଛାଡ଼ିହୋଇ ପଡ଼ିଥିଲା ରାସ୍ତା ଉପରେ ଆଗକୁ, ବହୁଦୂର ପର୍ଯ୍ୟନ୍ତ । ପ୍ରଧାନ ରାସ୍ତା ରହିଲାଣି କାହିଁ କେତେ ଦୂରରେ । ସହରର ଇଲେକ୍‌ଟ୍ରିକ୍‌ ଆଲୁଅଗୁଡ଼ା ଆଉ ଦିଶୁନି ।

 

କେଇଦିନ ତଳେ ରଙ୍ଗୁ ଆଉ ଗଙ୍ଗୁ ତାଙ୍କୁ ଯେଉଁଠି ଛାଡ଼ି ବିଦାୟ ନେଇଯାଇଥିଲେ, ସେ ସେଇଠି ପହଞ୍ଚିଗଲେ । ମୋଟର ସାଇକେଲରେ ବ୍ରେକ୍‌ ଦେଇ ଓହ୍ଲାଇଲେ । ତାଙ୍କ ସଙ୍ଗେ ସଙ୍ଗେ କ୍ୟାରିଅର୍‌ରୁ ଅବନୀବାବୁ ମଧ୍ୟ । ଏଥର କିନ୍ତୁ ଆଗରେ ମହାସମସ୍ୟା । ଚତୁର୍ଦ୍ଦିଗ ଘୋର ଅନ୍ଧକାର-। ଆକାଶରେ ଅଗଣିତ ତାରା ଆଖି ମିଟିମିଟି କରୁଛନ୍ତି । ଶୁକ୍ଳପକ୍ଷ ରାତି ବି ନୁହେଁ । ମୋଟର ସାଇକେଲକୁ ଷ୍ଟପ କରିଦେଇ ଉମାଶଙ୍କରବାବୁ ଚାହିଁଲେ ଚାରିଆଡ଼କୁ । କେଉଁଠି କିଛିହେଲେ ଦିଶୁନି, ଦୂରରେ ଜୁଳୁଜୁଳା ପୋକଗୁଡ଼ା ଉଡ଼ୁଚନ୍ତି ଖାଲି ।

 

ଏତେବେଳେକେ ଉମାଶଙ୍କରବାବୁ ବୁଝିପାରିଲେ ଯେ, ଦିନରେ ନ ଆସି ରାତିରେ ଆସିବା ଦ୍ୱାରା ତାଙ୍କର କେଡ଼େ ଭୁଲ ହୋଇଛି । ସମ୍ପୂର୍ଣ୍ଣ ଅପରିଚିତ ସ୍ଥାନ । ରାତିରେ ଦିଗ ବାରିବା ବି କଷ୍ଟ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଦୂରର କଥା । ହାତଘଡ଼ିକୁ ଦେଖିଲେ–ଗୋଟାଏ ବାଜିବ ‘ଆଚ୍ଛା ! ତେବେ କିଛି ସମୟ ଅପେକ୍ଷା କରିଯିବା । ଭୋର ଭୋର ଜଙ୍ଗଲ ଭିତରେ ପଶିଗଲେ ତେଣିକି ସବୁ ଠଉର କରିବାକୁ ସୁବିଧା । ରାତିରେ ହୁଏତ ସେତେ ସୁବିଧା ହେଇ ନ ପାରେ ।’ ମନେମନେ ସ୍ଥିର କରି ନେଲେ ଉମାଶଙ୍କରବାବୁ । ଖଣ୍ଡେ ଦୂରକୁ ଟର୍ଚ୍ଚ ପକାଇଲେ । ଝଙ୍କାଳିଆ ଗଛଟାଏ ଦିଶୁଚି-। ସେଇ ଗଛମୂଳଟା ହିଁ ରାତିର ଅବଶିଷ୍ଟ ସମୟ ବିଶ୍ରାମ ପାଇଁ ନିରାପଦ । ଅବନୀବାବୁଙ୍କୁ ସାଥିରେ ଧରି ଅଗତ୍ୟା ଚାଲିଲେ ସେଠିକୁ ।

 

ଗଛମୂଳଟି ବେଶ୍‌ ପରିଷ୍କାର । ଗୋଟାଏ ମୋଟା ଚେର ଉପରେ ବସିଲେ ଉମାଶଙ୍କରବାବୁ । ପାଖକୁ ଅବନୀବାବୁ । କିଛି ସମୟ ନୀରବରେ କଟିଗଲା । କ’ଣ ଗୋଟାଏ ଅସ୍ୱାଭାବିକ ଶବ୍ଦରେ ଟିକିଏ ଆଶ୍ୱସ୍ତ ବୋଧହେଲା ତାଙ୍କୁ । ଶବ୍ଦଟା କ୍ରମେ ସ୍ପଷ୍ଟହୋଇ ଆସୁଚି । ଯେପରି ଭାଲୁ କି ବାର୍‌ହାଟାଏ ଶୁଖିଲା ମାଟି ଉପରେ ଘୁଷୁରି ଘୁଷୁରି ଆସୁଚି । ପୁଣି ସେ ଭାବିଲେ–ସେଟା ଅସମ୍ଭବ ମଧ୍ୟ ନୁହେଁ, କାରଣ ଫସଲ ଅମଳ ସରିଚି ଅଳ୍ପଦିନ ହେବ । ଏ ସମୟରେ ବଣରୁ ଜନ୍ତୁଜୁନ୍ତା ଗଡ଼ିଆସନ୍ତି ଶିକାର ଉଦ୍ଦେଶ୍ୟରେ । ବଣଟା ବି ଅଧିକ ବାଟ ନୁହେଁ ।

 

ମାତ୍ର ଅଧିକ ଚିନ୍ତା କରିବାପାଇଁ ସମୟ ନ ଥିଲା ଆଉ । ଖୁବ୍‌ ପାଖରେ ଶବ୍ଦଟା ଶୁଭିଲାଣି ସେତେବେଳକୁ । ଉମାଶଙ୍କରବାବୁ ପ୍ରସ୍ତୁତ ହୋଇଯିବାପାଇଁ ଅବନୀବାବୁଙ୍କୁ କହି ଡାହାଣ ହାତରେ ରିଭଲ୍‌ଭର୍‌ଟା ବାଗେଇ ଧରିଲେ ଶବ୍ଦଆଡ଼କୁ । ବାଁ ହାତରେ ଟର୍ଚ୍ଚଟା ଜଳିଉଠିଲା-। ଟର୍ଚ୍ଚର ଉଜ୍ଜ୍ୱଳ ଆଲୁଅରେ ସେ ଦେଖିଲେ–ତାଙ୍କ ଆଗରେ ରଙ୍ଗୁ ଆଉ ଗଙ୍ଗୁ-। ଉମାଶଙ୍କରବାବୁଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ କୋଟିନିଧି ପାଇଲା ପରି ଖୁସିହୋଇ କହିଲେ–‘‘ଆରେ ରଙ୍ଗୁ ଆଉ ଗଙ୍ଗୁ ! ମୁଁ ତ ତୁମକୁ ମନେମନେ ବହୁତ ଖୋଜୁଥିଲି ।’’

 

ରଙ୍ଗୁ, ଗଙ୍ଗୁ, ଦୁଇଭାଇ ବି ୟାଙ୍କୁ ଦେଖି ହସି ହସି କହିଲେ–‘‘ସତେରେ ବାବୁ ! ଆମେ ତତେ ବି ଭାରି ଖୋଜୁଥିଲୁଁ । ତୁ ତ ଆଜି ଆସିବୁ ବୋଲି ମୋତେ ଜଣାପଡ଼ୁଥିଲା । ତୋ କଳଗାଡ଼ି ଆଲୁଅ ଦେଖି ପରା ମୁଁ ଜାଣିଗଲି ।’’

 

ଉମାଶଙ୍କରବାବୁ ବହୁତ ଖୁସିହେବା ସଙ୍ଗେ ସଙ୍ଗେ ତା’ର ଅନୁମାନ ଶକ୍ତିକୁ ଭାରି ପ୍ରଶଂସା କଲେ । ଏଥର ଯିବାର କଥା; ଉମାଶଙ୍କରବାବୁ ଆଉ ଅବନୀବାବୁଙ୍କୁ ସାଥିରେ ଧରି ରଙ୍ଗୁ, ଗଙ୍ଗୁ ଦୁହେଁ ବଣଆଡ଼କୁ ଚାଲିଲେ । ଅରଣ୍ୟ ପଥ ଦୁର୍ଗମ ହେଲେ ସୁଦ୍ଧା ରଙ୍ଗୁ ଗଙ୍ଗୁ ଦୁହିଙ୍କଯୋଗୁ କଷ୍ଟ ଜଣାଯାଉ ନ ଥାଏ । ଅପେକ୍ଷାକୃତ ସହଜ ରାସ୍ତାରେ ସେମାନେ ବାଟ କଢ଼ାଉଥାନ୍ତି । ଠିକ୍‌ ଭୋର୍ ହେଲାବେଳକୁ ସମସ୍ତେ ଆସି ପହଞ୍ଚିଗଲେ ଗଙ୍ଗୁର କୁଡ଼ିଆରେ । କୁଡ଼ିଆରେ ଭଲ ଭଲ ପାଚିଲା ଫଳର ଅଭାବ ନାହିଁ । ବେଶ୍‌ ପେଟପୂରା ଖାଇ ଉମାଶଙ୍କରବାବୁ ଆଉ ଅବନୀବାବୁ କିଛି ସମୟ ବିଶ୍ରାମ କଲେ ।

 

ରାତିସାରା ଅନିଦ୍ରା ଥିଲେ ବି ନିଦ କ’ଣ ହୁଏ ? ଏଇ କେତେଦିନ ହେବ ଗଙ୍ଗୁ କିପରି ଦସ୍ୟୁର ଗୁହା ଉପରେ ନଜର ରଖିଚି, ଆଉ କି କି ଖବର ପାଇଚି, ସେସବୁ ବଖାଣୁଥିଲା । ଉମାଶଙ୍କରବାବୁଙ୍କ ପକ୍ଷେ ସବୁଗୁଡ଼ିକ ଅତି ମୂଲ୍ୟବାନ ତଥ୍ୟ ଥିଲା । ଗଙ୍ଗୁ କଥାରୁ ସେ ଜାଣିଲେ ଯେ ବର୍ତ୍ତମାନ ସେ ଯାହାକୁ ଯୋଗେଶବାବୁ ବୋଲି ଦେଖୁଛନ୍ତି, ସେ ପ୍ରକୃତରେ ଯୋଗେଶବାବୁ ନୁହେଁ ।

 

ତିନିବର୍ଷ ତଳେ ମେଳିଆ ବଣୁଆ ପ୍ରଜାଙ୍କ ହାତରେ ସେ ବଳି ପଡ଼ିଚନ୍ତି, ବର୍ତ୍ତମାନର ଯୋଗେଶବାବୁ ଛଦ୍ମବେଶୀ । ପ୍ରକୃତରେ ସେ ହେଉଚି ଦସ୍ୟୁସମ୍ରାଟ ମହୀନ୍ଦର ସିଂ । ଯାହା ନାଁରେ ଏପର୍ଯ୍ୟନ୍ତ ଶହ ଶହ ଗୁରୁତର ଅଭିଯୋଗ ରହିଚି; ଅଥଚ ପୋଲିସ ବିଭାଗ ତାକୁ ଖୋଜି ପାଉନାହାନ୍ତି । ଉମାଶଙ୍କରବାବୁ ଏପର୍ଯ୍ୟନ୍ତ ଏ ତଥ୍ୟଟିକୁ ପାଇ ନ ଥିଲେ । ମନେମନେ ସେ ଭାବିଲେ–ଯାହାହେଉ; ଲୋକଭଳି ଲୋକଟାଏ ଧରାପଡ଼ିବ ଏଥର ।

 

ଗଙ୍ଗୁ, ରଙ୍ଗୁ ଦୁହିଙ୍କୁ ପାଖରେ ବସାଇ କି କି କାମ ସାବଧାନରେ କରିବାକୁ ହେବ, ତାହା ବୁଝାଇଦେଲେ ଉମାଶଙ୍କରବାବୁ । ଗଙ୍ଗୁ, ରଙ୍ଗୁ ଦୁହେଁ ବି ଖୁବ୍‌ ମନୋଯୋଗ ସହକାରେ ସବୁ ଶୁଣୁଥାନ୍ତି ।

 

ଆଜି ରାତିରେ ସବୁକିଛି ସମାଧାନ ହେବାର କଥା । ଉମାଶଙ୍କର ବାବୁଙ୍କ ମନେ ପଡ଼ିଲାକ୍ଷଣି ଦେହ ତାଙ୍କର ତାତି ଉଠୁଥାଏ । ମନ ଅତ୍ୟନ୍ତ ବ୍ୟଗ୍ର । ଯେପରି ଗୋଟି ଗୋଟି କରି ସମସ୍ତଙ୍କୁ ହାତକଡ଼ି ପକାଇବାକୁ ହେବ ।

 

କୋଡ଼ିଏ

 

ରାତି ଆଠଟା ସୁଦ୍ଧା ସମଗ୍ର ପୋଲିସବାହିନୀ ଆସି ଜଙ୍ଗଲ ସୀମାରେ ପହଞ୍ଚି ଯାଇଥିଲେ । ପୋଲିସ ଅଫିସରମାନଙ୍କ ସହିତ ରଙ୍ଗୁ ଓ ଗଙ୍ଗୁଙ୍କର ପରିଚୟ କରାଇଦେଇସାରିଲା ପରେ ଉମାଶଙ୍କରବାବୁ ପୋଲିସମାନଙ୍କୁ ଅତି ସତର୍କଭାବରେ ପାହାଡ଼ ଗୁହାର ଚତୁର୍ଦ୍ଦିଗରେ ଗୋପନରେ ସଜ୍ଜିତ କରୁଥିଲେ । ଦେଖିବାକୁ ଗଲେ, ଉମାଶଙ୍କରବାବୁ ଖାଲି ନିମିତ୍ତ ମାତ୍ର । କାମ କରୁଥାନ୍ତି, ଗଙ୍ଗୁ ଆଉ ରଙ୍ଗୁ । ସେ ଦୁହିଙ୍କର ବିଚକ୍ଷଣ ବୁଦ୍ଧି ଆଉ କର୍ମତତ୍ପରତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି ।

ପ୍ରାୟ ଦୁଇ ତିନିଘଣ୍ଟା ପରେ ପୋଲିସର ବ୍ୟୂହରଚନା କାମ ଶେଷ ହୋଇଗଲା । ଉମାଶଙ୍କରବାବୁ ରଙ୍ଗୁ ଓ ଗଙ୍ଗୁଙ୍କୁ ନେଇ ପାହାଡ଼ ଗୁହା ଆଡ଼େ ଚାଲିଲେ । ବାହାରେ ସବୁ ନୀରବ । ବେଳେ ବେଳେ ବଣୁଆ ଚଢ଼େଇ ବା ଜୀବଜନ୍ତୁଙ୍କର ଚିତ୍କାର ଛଡ଼ା ଆଉ କିଛି ଶୁଭୁନି । ଏତେ ନୀରବତା ଉମାଶଙ୍କରବାବୁଙ୍କ ମନରେ ଘୋର ସନ୍ଦେହ ସୃଷ୍ଟି କଲା । ସେ ଭାବିଲେ, ‘‘ଦସ୍ୟୁମାନେ ପୂର୍ବରୁ ସବୁ କଥା ଜାଣିପାରି ହୁଏତ ସ୍ଥାନାନ୍ତରିତ ହୋଇଯାଇଚନ୍ତି । ଯଦି ତାହା ହୋଇଥାଏ, ତେବେ ତ ସର୍ବନାଶ ।’’

ପାହାଡ଼ର ଚାରିପଟେ ବୁଲି ଦେଖିଲେ । ସବୁଆଡ଼ ବାଟ ବନ୍ଦ, କେବଳ ଗୋଟାଏ ପଟରେ ବିରାଟ ପଥରର ଦ୍ୱାରଟାଏ । ସେ ବି ପ୍ରକାଣ୍ଡ ପଥର ଦ୍ୱାରା ରୁଦ୍ଧ । ଗଙ୍ଗୁ ରଙ୍ଗୁଙ୍କୁ ଅନୁସରଣ କରି ଉମାଶଙ୍କର ବାବୁ ଉପରକୁ ଉଠିଲେ । ପାହାଡ଼ଟା ଉପରେ ଗଛ ଲତା କିଛି ନାହିଁ, ଖାଲି ପଥର । ଠିକ୍‌ ତା’ର ଶିଖରେ ପହଞ୍ଚିଲାକ୍ଷଣି ଉମାଶଙ୍କରବାବୁ ଯାହା ଦେଖିଲେ, ସେଥିରେ ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେ ଦେଖିଲେ, ପାହାଡ଼ ବୋଲି ଯାହା ସେ ଧାରଣା କରିଥିଲେ, ସେଟା ପ୍ରକୃତରେ ପାହାଡ଼ ନୁହେଁ । ପଥରର ଖୁବ୍ ଉଚ୍ଚ କାନ୍ଥି କ୍ରମେ ଉପରଆଡ଼କୁ ସଂକୀର୍ଣ୍ଣ ହୋଇ ଆସି ବାହାରକୁ ପାହାଡ଼ ଆକୃତି ଦେଖାଯାଉଚି । ଭିତରଟା ବେଶ୍‌ ଖୋଲା, ଆଉ ପରିଷ୍କାର । ମଧ୍ୟାହ୍ନ ସମୟରେ ଖୁବ୍‌ ଭଲ ଭାବରେ ଖରା ମଧ୍ୟ ପଡ଼ୁଥିବ । ଉପରେ ଠିଆହୋଇ ସେ ଦେଖିଲେ, ଭିତରଟା ଖୁବ୍‌ ଆଲୋକିତ । ଭିତରେ ବିବାହ ପାଇଁ ବେଦୀ ସୁସଜ୍ଜିତ । ବହୁତଗୁଡ଼ାଏ ସ୍ତ୍ରୀ ପୁରୁଷ କାର୍ଯ୍ୟବ୍ୟସ୍ତ । ଯୋଗେଶ ଓରଫ ମହୀନ୍ଦର ସିଂ ବର ବେଶରେ ସୁସଜ୍ଜିତ-। ବେଶ୍‌ ସୁଖାଦ୍ୟର ବାସନା ଆସୁଚି । ଜାଙ୍ଗୁ ସର୍ଦ୍ଦାର ବି ଏପଟସେପଟ ହେଉଚି ତା’ର ଅନୁଚରମାନଙ୍କୁ ଧରି । କିନ୍ତୁ ନିଜ ଅକ୍ତିଆରରେ ନାହାନ୍ତି କେହି । ସମସ୍ତେ ମାତାଲ, ସ୍ତ୍ରୀଲୋକମାନଙ୍କ ସହିତ ରଙ୍ଗରହସ୍ୟରେ ବ୍ୟସ୍ତ । ଲଜ୍ଜା ବୋଲି କ’ଣ, ଟିକିଏ ହେଲେ ବୁଝୁନାହାନ୍ତି ସ୍ତ୍ରୀଗୁଡ଼ାକ ବି ।

ସବୁ ଦେଖିଲେ, ହେଲେ ଭିତରକୁ ଯିବାର କିଛି ଉପାୟ ଚିନ୍ତା କରିପାରିଲେ ନାହିଁ । ସେ ଉପରେ ଯେତେ ଉଚ୍ଚରେ ଅଛନ୍ତି, ସେଠୁ କୌଣସିପ୍ରକାରେ ଯିବାର ଉପାୟ ନାହିଁ । ଗୋଟିଏ ଉପାୟ ଅଛି, ତାହା ହେଉଚି–ତଳକୁ ଡେଇଁପଡ଼ିବା । କିନ୍ତୁ ଶହେ ମିଟରରୁ ଅଧିକ ହେବ । ଡେଇଁପଡ଼ିଲେ ପ୍ରାଣ କ’ଣ ରହିବ ! ସେ ହତାଶ ହୋଇପଡ଼ିଲେ । ଏଡ଼େ ବଡ଼ ବିରାଟ ଆୟୋଜନ କରି ସୁଦ୍ଧା ସଫଳତା ସମ୍ପର୍କରେ ତାଙ୍କର ନାନା ପ୍ରକାର ଆଶଙ୍କା ରହିଗଲା । ନିରୁପାୟ ହୋଇ ଗଙ୍ଗୁକୁ ଚାହିଁଲେ ସେ ।

ଗଙ୍ଗୁ ତାଙ୍କର ମନକଥା ବୁଝିଲା ବୋଧହୁଏ । କହିଲା–ତୁ ସେପଟ ଦୁଆରକୁ ଯା, ରଙ୍ଗୁ ଏଠି ଥାଉ, ମୁଁ ଏଇବାଟେ ଥରେ ଯିବାକୁ ଚେଷ୍ଟା କରେ । ଯଦି ପାରିମିତ ସେପଟେ ଦୁଆର ଖୋଲିଦେମି । ନ ହେଲେ ଧରାପଡ଼ିଲେ ତାରି ଭିତରେ ଗଲି ।

 

ଉମାଶଙ୍କରବାବୁଙ୍କ ଦେହ ଶୀତେଇଉଠିଲା । କେଡ଼େ ଉପକାରୀ ଏ ସତେ ? ତାକୁ ମନା କରିବାପାଇଁ କହିଆସୁଥିଲେ; କିନ୍ତୁ ଆଗରେ ବିରାଟ କର୍ତ୍ତବ୍ୟ ଆଉ ଆଶା ସେଥିରେ ବାଧାଦେଲା । ସେ ଚୁପ୍‌ ରହିଲେ । ଗଙ୍ଗୁ, ରଙ୍ଗୁ ହାତକୁ ଟିକିଏ ହଲାଇଦେଇ ଗୋଟାଏ ପଥରକୁ ଧରି ତଳଆଡ଼କୁ ଓହଳିପଡ଼ିଲା । ଉମାଶଙ୍କରବାବୁଙ୍କ ଆଖି ଖୋସି ହୋଇଗଲା ୟା ଦେଖି । ତଳେ ଶହେ ମିଟରରୁ ଅଧିକ ଗଭୀରତା । ପାଖରେ ଆଉ କୌଣସି ଅବଲମ୍ବନ ନାହିଁ । କାନ୍ଥଟା ତିଖପରି-। ସେଥିରେ ଖଣ୍ଡିଏ ପଥରକୁ ଧରି ଡାଳରେ ବାଦୁଡ଼ି ଲଟକିଲା ପରି ଲଟକିଚି ଗଙ୍ଗୁ, ରଙ୍ଗୁ ଚାହିଁଚି ବ୍ୟାକୁଳଭାବରେ ।

 

ଗଙ୍ଗୁ ଝୁଲୁଚି । ଟିକିଏ ହାତ ଖସିଗଲେ ରକ୍ଷା ନାହିଁ । ଉପରକୁ ଆଲୁଅ ସେତେ ନାହିଁ । ଛାଇପରି ଅନ୍ଧାର । ଉମାଶଙ୍କରବାବୁ ଭାବୁଥିଲେ, ଗଙ୍ଗୁକୁ ଛାଡ଼ିଦେଇ ହୁଏତ ସେ ଖୁବ୍ ଭୁଲ କରିଚନ୍ତି । ଇସ୍‌ ! ଆଉ ଚାହିଁପାରିଲେ ନାହିଁ । ଆଖି ବୁଜିଦେଲେ ଉମାଶଙ୍କରବାବୁ । ଗଙ୍ଗୁ ଖସିପଡ଼ିଲା ଝୁଲୁ ଝୁଲୁ । ସେ ପୁଣି ଆଖି ଖୋଲିଲେ । ବିସ୍ମୟରେ ତାଙ୍କର ସୀମା ରହିଲା ନାହିଁ । ଆଶ୍ଚର୍ଯ୍ୟ ! ଗଙ୍ଗୁ ତଳେ ପଡ଼ିନି, ପଡ଼ିଯାଇ ତା’ଠାରୁ ତଳେ ଆଉ ଗୋଟାଏ ପଥରକୁ ଧରି ଝୁଲୁଚି । ପୁଣି ତା’ ତଳକୁ ଡେଇଁପଡ଼ି ଆଉ ଗୋଟାଏ ପଥରକୁ ଧରିନେଲା ସେ । ଉମାଶଙ୍କରବାବୁ ଆଶ୍ଚର୍ଯ୍ୟ ହେଲେ । କି ଅଦ୍ଭୁତ ଶକ୍ତି ଏ ଗଙ୍ଗୁର ! ଖୁବ୍‌ ଭଲ ସର୍କସ ଖେଳାଳୀ ତ ଏପରି ଅସାଧ୍ୟ କାମ ଦେଖାଇପାରିବ ନାହିଁ । ଏଥର ତାଙ୍କ ମନରେ ବିଶ୍ୱାସ ହେଲା ଯେ, ଗଙ୍ଗୁ ନିଶ୍ଚୟ ତଳେ ପହଞ୍ଚି ସେପଟେ ଦ୍ୱାର ଖୋଲି ଦେଇପାରିବ । ସେ କାଳବିଳମ୍ବ ନ କରି ସେପଟକୁ ଚାଲିଗଲେ ।

 

ଉମାଶଙ୍କରବାବୁ ସେପଟେ ରୁଦ୍ଧ ଦ୍ୱାର ନିକଟରେ ପହଞ୍ଚିଛନ୍ତି; ହଠାତ୍‌ ଭିତରେ ଖୁବ୍‌ କୋଳାହଳ ଶୁଣାଗଲା । ସେ ଚମକିପଡ଼ିଲେ–‘ଗଙ୍ଗୁ ଧରାପଡ଼ିଗଲା କି ଆଉ ! ଯଦି ଧରାପଡ଼େ ତେବେ ଜୀବନ ତା’ର ଗଲା । ଆହା ବିଚରା ।’

 

ଠିକ୍‌ ଏତିକିବେଳେ ସର ସର କରି ପଥର କବାଟଟା ଖୋଲିଗଲା । ଗଙ୍ଗୁ ଅସ୍ତବ୍ୟସ୍ତ ହୋଇ ବାହାରିଆସି କହିଲା–‘‘ଶୀଘ୍ର ଶୀଘ୍ର ବାବୁ, ଶୀଘ୍ର । ବାହାଘର ଆରମ୍ଭ ହେବାକୁ ବସିଲାଣି ।’’ ଉମାଶଙ୍କରବାବୁ ଆନନ୍ଦରେ ଗଙ୍ଗୁକୁ କୁଣ୍ଢାଇ ପକାଇଲେ । ସେ ଗୋଟାଏ ଉଚ୍ଚ ସ୍ଥାନକୁ ଉଠିଯାଇ ଆଲୋକରେ ସଙ୍କେତ କଲେ ଚାରିଆଡ଼କୁ । ଚତୁର୍ଦ୍ଦିଗରୁ ସଙ୍କେତର ପ୍ରତ୍ୟୁତ୍ତର ସଙ୍କେତରେ ମିଳିଗଲା । ପାଞ୍ଚ ମିନିଟ୍‌ ଭିତରେ ସମଗ୍ର ପୋଲିସବାହିନୀ ହାଜର ହୋଇଗଲେ ସେଠି, ଉମାଶଙ୍କରବାବୁ ଆଉ ଗଙ୍ଗୁ ଦୁହିଙ୍କ ଯତ୍ନରେ ଗୁହା ଭିତରେ ସମସ୍ତ ପୋଲିସବାହିନୀ ଏପରି ଭାବରେ ଆତ୍ମଗୋପନ କରି ରହିଗଲେ ଯେ, ଦସ୍ୟୁଦଳ ତା’ର ଲେଶମାତ୍ର ଜାଣିପାରିଲେ ନାହିଁ । ସେମାନଙ୍କର ଆନନ୍ଦ ଉତ୍ସବ ଲାଗିଛି, ପ୍ରଚୁର ମଦ ତ ପିଆହେଉଛି । ନଜର ଦେଉଚି କିଏ ବାହାରକୁ ।

 

–ରାତି ଗୋଟାଏ ହେବ । ବାହାଘରର ଶୁଭାରମ୍ଭ । ମହୀନ୍ଦର ସିଂ ସୁନ୍ଦର ପୋଷାକରେ ସଜ୍ଜିତ ହୋଇ ବେଦୀ ଉପରେ ବସିଚନ୍ତି । ଗୋଟାଏ ପଟରେ ସ୍ତ୍ରୀମାନେ ଏବଂ ଅନ୍ୟ ପଟରେ ପୁରୁଷମାନେ । ଜାଙ୍ଗୁ ସର୍ଦ୍ଦାରର ଲୋକମାନେ ବି ପ୍ରଚୁର ଖାଇପିଇ ଗଡ଼ୁଚନ୍ତି ସେଠି । ଏତିକିବେଳେ ଦୁଇ ଚାରିଜଣ ଦସ୍ୟୁ ଜଣେ ସ୍ତ୍ରୀଲୋକକୁ ଟେକି ଟେକି ଆଣି ବସାଇଲେ ମହୀନ୍ଦର ସିଂ ପାଖରେ । ଯୁବତୀଟିର ଜ୍ଞାନ ବା ପ୍ରାଣ ଦେହରେ ଥିଲା କି ନାହିଁ ସନ୍ଦେହ । ଖାଲି ଅସହାୟ ଦୃଷ୍ଟିରେ ସେ ଚାହିଁଥିଲା ତଳକୁ ।

 

ମହୀନ୍ଦର ସିଂ ତା’ର ଓଠରେ ହାତମାରିଦେଇ କହିଲା–‘‘କି, ରାଜକୁମାରୀ ନନ୍ଦିନୀ ଦେବୀ, ଯୋଗେଶର ପରିଚୟ ପାଇଲ ତ ଏତେଦିନକେ ? ଏଥର ମନ ଖୁସି କରିନିଅ; ଥିଲ ରାଜକୁମାରୀ, ହେବ ରାଜରାଣୀ, ଚିନ୍ତା କେଉଁଥିପାଇଁ ।’’

 

ଜାଙ୍ଗୁ ସର୍ଦ୍ଦାର ଏତିକିବେଳେ ତା’ର ବିଶାଳ ଦେହଟାକୁ ବଙ୍କାଇ କହିଲା–‘‘ସର୍ଦ୍ଦାର ବାହାଦୁର । ମୋ ପ୍ରାପ୍ୟଟା ?’’

 

ଯୋଗେଶ ଓରଫ ମହୀନ୍ଦର ସିଂ ହସି ହସି କହିଲା–‘‘ତୁମେ ବର୍ତ୍ତମାନ ନେଇଯାଅ ।’’

 

ନିର୍ଦ୍ଦେଶମାତ୍ରେ ଦୁଇଜଣ ଦସ୍ୟୁ ଭିତରକୁ ଧାଇଁଗଲେ । ପରମୁହୂର୍ତ୍ତରେ ନାରୀକଣ୍ଠର କରୁଣ ଚିତ୍କାର ଭାସିଆସିଲା । ତା’ ପରେ ପରେ ସେଇ ଦସ୍ୟୁ ଦୁଇଜଣ ଜଣେ ଯୁବତୀକୁ ଘୋଷାରି ଘୋଷାରି ଆଣି କଚାଡ଼ିଦେଲେ ଜାଙ୍ଗୁ ସର୍ଦ୍ଦାର ପାଦ ପାଖରେ । ଜାଙ୍ଗୁ ହୋ ହୋ ହୋଇ ହସିଉଠି ତାକୁ ଉଠାଇନେଲା ଦୁଇ ହାତରେ । ରାଜକୁମାରୀ ନନ୍ଦିନୀ ଦେବୀଙ୍କର ମୂର୍ଚ୍ଛା ହୋଇଥିଲା ଏସବୁ ଦେଖି ।

 

ଉମାଶଙ୍କରବାବୁଙ୍କର ଧୈର୍ଯ୍ୟ ନ ଥିଲା ଆଉ କିଛି ଦେଖିବାକୁ । ସେ ସଙ୍ଗେ ସଙ୍ଗେ ହୁଇସିଲ୍‌ ବଜାଇଦେଲେ । ହୁଇସିଲ୍‌ ଶବ୍ଦ ଶୁଣିବାମାତ୍ରେ ମୁହୂର୍ତ୍ତକ ପାଇଁ ସବୁ ସ୍ତବ୍‌ଧ ହୋଇଗଲା । ମୁଣ୍ଡରେ ହେଲମେଟ୍‌ପିନ୍ଧା ପୋଲିସ ଗୁହା ଭିତରେ ପ୍ରତ୍ୟେକ ଅଂଶରେ ଘେରିଯାଇଥିଲେ । କାହାରି ଆଉ ହଲଚଲ ହେବାର ଉପାୟ ନ ଥିଲା । ଗୋଟିକିଗୋଟି ହାତରେ କଡ଼ା ପିନ୍ଧାଯାଇ ଅଣାଗଲା ବାହାରକୁ । ମହୀନ୍ଦର ସିଂ ଆଗକୁ ଯାଇ ଉମାଶଙ୍କରବାବୁ କହିଲେ–‘‘ମହୀନ୍ଦର ସିଂ । ଉମାଶଙ୍କର ଏପର୍ଯ୍ୟନ୍ତ ପରାଜିତ ହୋଇନି କାହା ପାଖରେ । ମୃତ୍ୟୁ ପାଖରେ ବି ନୁହେଁ । ତୁମକୁ ମୁଁ ଏଇ ବରବେଶରେ ସ୍ୱାଗତ କରୁଚି ଜେଲଖାନାକୁ ।’’

 

ପିଞ୍ଜରାବଦ୍ଧ ବାଘପରି ଗର୍ଜିଉଠିଲା ମହୀନ୍ଦର ସିଂ । ହାତ, ଗୋଡ଼ରେ ତା’ର କଡ଼ା ପଡ଼ିସାରିଥିଲା । ସେ କହିଲା–‘‘ମୁଁ ଜଣେ ଡିଟେକ୍‌ଟିଭ୍‌ । ମୋ ସାଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ତୋର ଶକ୍ତି ସାମାନ୍ୟ । ତୁ ମୋର ଉପଯୁକ୍ତ ପ୍ରତିଦ୍ୱନ୍ଦ୍ୱୀ ଦୀପକର ସହଯୋଗ ନ ପାଇଥିଲେ, ସେଦିନ ଏଠୁ ଫେରିଯାଇ ନ ଥା’ନ୍ତୁ । ସେ ତୋର ସୌଭାଗ୍ୟ ।’’

 

ଉମାଶଙ୍କରବାବୁ ଚମକିପଡ଼ିଲେ–ଦୀପକ, ରୂପକ । ଦସ୍ୟୁ ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ । ତାଙ୍କ ଆଖି ଆଗରେ ଗଙ୍ଗୁ ଆଉ ରଙ୍ଗୁଙ୍କ ରୂପ ନାଚିଉଠିଲା । ମହୀନ୍ଦର ସିଂକୁ ବାହାରକୁ ଆଣିବାକୁ କହି ସେ ଧାଇଁ ଆସିଲେ ଆଗେ ଆଗେ ।

 

ବାହାରେ କୋଳାହଳ । ଦସ୍ୟୁଦଳର ସ୍ତ୍ରୀଲୋକଗୁଡ଼ା ହଳାହଳ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ।

 

କିନ୍ତୁ ଗଙ୍ଗୁ ଆଉ ରଙ୍ଗୁ ?

 

ଦୀପକ ଆଉ ରୂପକ ?

 

ମହୀନ୍ଦର ସିଂର ପ୍ରତିନ୍ଦ୍ୱନ୍ଦ୍ୱୀ ? କୁଆଡ଼େ ଗଲେ ସେ ଦୁହେଁ ?

Image